Breaking News

ଗୋପାଳକଙ୍କୁ ଆର୍ଥିକ ସହାୟତା ଦିଆଯାଉଛି: ମନ୍ତ୍ରୀ

ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ ହେବା ଆମ ସରକାରର ଏକ ଯୁଗାନ୍ତକାରୀ ପଦକ୍ଷେପ। ଚାଷୀର ବିକାଶ ହେଲେ, ରାଜ୍ୟ ବିକଶିତ ହେବ। ଚାଷୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏଥିରେ ଅନ୍ୟତମ।

ବ୍ରହ୍ମପୁର: ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ ହେବା ଆମ ସରକାରର ଏକ ଯୁଗାନ୍ତକାରୀ ପଦକ୍ଷେପ। ଚାଷୀର ବିକାଶ ହେଲେ, ରାଜ୍ୟ ବିକଶିତ ହେବ। ଚାଷୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏଥିରେ ଅନ୍ୟତମ। ଏହି ଯୋଜନାରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ଗୋପାଳକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।

ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ଓମ୍‌ଫେଡ୍‌କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓମ୍‌‌ଫେଡ୍‌ ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ସମବାୟ ସଂସ୍ଥା ବୋଲି କହିଥିଲେ। ୪୫ବର୍ଷ ଧରି ଦୁଗ୍ଧଚାଷୀଙ୍କୁ ଲାଭ ଦେଇଆସିଥିବା ଏହି ସଂସ୍ଥା ଅଧୀନରେ ରାଜ୍ୟର ୪,୦୦୫ଟି ସମବାୟ ସମିତି ଗଠନ କରାଯାଇଛି। ଏଥିରେ ୩ଲକ୍ଷ ୩୨ହଜାର ୧୦୭ଜଣ ସଦସ୍ୟ ରହିଛନ୍ତି। ରାଜ୍ୟରେ ୧୩ଟି ଡାଏରି ପ୍ଲାଣ୍ଟ ରହିଥିବା ବେଳେ ୩୯୭ଟି ଚିଲିଂପ୍ଲାଣ୍ଟ ରହିଛି। ଗଞ୍ଜାମ ଜିଲ୍ଲାରେ ଦୁଗ୍ଧ ଅଭାବ ରହିବା ଫଳରେ ଚାହିଦା ମେଣ୍ଟାଇବାକୁ ଅନ୍ୟ ଜିଲ୍ଲାରୁ ଆସୁଛି। ଜିଲ୍ଲାରେ ୧୨୭ଟି ସମବାୟ ସମିତି କାର୍ଯ୍ୟକ୍ଷମ ଥ‌ିବା ବେଳେ ୬୦ରୁ ଅଧିକ ସମବାୟ ସମିତି ଅଚଳ ହୋଇଯାଇଛି। ସେଗୁଡିକୁ ପୁନଃକାର୍ଯ୍ୟକ୍ଷମ କରିବା ସହ ନୂଆ ସମବାୟ ସମିତି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ଦୈନିକ ପ୍ରାୟ ୪୦ ହଜାର ଲିଟର ଦୁଗ୍ଧ ଆବଶ୍ୟକ‌ତା ରହିଥ‌ିବା ବେଳେ ଉତ୍ପାଦନ ହେଉଛି ମାତ୍ର ୭ରୁ ୮ହଜାର ଲିଟର।

ଦୈନିକ ୧୫ହଜାର ଲିଟର ଦୁଗ୍ଧ ଉତ୍ପାଦନ ପାଇଁ ଲକ୍ଷ୍ୟ

ବ୍ରହ୍ମପୁରରେ ଥିବା ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରରେ ଦୈନିକ ୫୦ ହଜାର ଲିଟର ପ୍ରକ୍ରିୟାକରଣର କ୍ଷମତା ରହିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀଙ୍କ ପାଇଁ ରହିଥିବା ରିହାତି ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ। ଦୁଗ୍ଧର ଗୁଣବତ୍ତା ମାପିବା ପାଇଁ ଅତ୍ୟାଧୁନିକ ଯନ୍ତ୍ର କ୍ରୟ ବାବଦରେ ୪୫ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଥିଲେ। ଆସନ୍ତା ତିନି ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ୧୫୭ଟି ସମବାୟ ସମିତି ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଦୈନିକ ୧୫ହଜାର ଲିଟରକୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୫୦ ଜଣ ଚ‌ାଷୀଙ୍କୁ କାର୍ଯ୍ୟ ଆଗେଇ ନେବା ପାଇଁ ପତ୍ର ପ୍ରଦାନ କରାଯ‌ାଇଥିଲା। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ମେୟର ସଂଘମିତ୍ରା ଦଳେଇ, ଓମଫେଡ଼୍‌ର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍‌ଫେଡ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଓମଫେଡ଼୍‌ର ସମସ୍ତ ଅଧିକାରୀଙ୍କ ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାର ଶତାଧିକ ଚାଷୀ ଯୋଗ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.