ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହତାବ ଭବନଠାରେ ଗୋ-ସମାବେଶ, ଓମଫେଡ୍‌ ବିପଣନ ସହାୟତା ଓ ଗିଫ୍ଟମିଲ୍କ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ  ଗ୍ରାମୀଣ ଗୋପାଳକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କୃଷି କାର୍ଯ୍ୟରେ ମଧ୍ୟ ଗୋପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରକାଶ କରିଛନ୍ତି। ଗୋ-ସମ୍ପଦର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ସ୍ୱାଗତ କରି ରାଜ୍ୟ ସରକାରଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀରେ ଯୋଡ଼ିହୋଇ ଗୋ-ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାରଙ୍କ କାମଧେନୁ ଯୋଜନା, ଅସହାୟ ଓ ବୁଲା ଗାଈଗୋରୁଙ୍କ ପାଇଁ ଗୋଶାଳା ଯୋଜନା ଆଦି ସଂପର୍କରେ ସୂଚନା ଦେଇଥିଲେ। ଦୁଗ୍ଧ ହେଉଛି ଜୀବନ ଶକ୍ତିର ଉତ୍ସ ଓ ଗୋ-ସେବା ଆମ ସଂସ୍କୃତିର ପୁରାତନ ପରମ୍ପରା। ଗୋ-ମାତାଙ୍କ ସେବା ଦ୍ୱାରା ଦୁଃଖରୁ ମୁକ୍ତି ମିଳେ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ।  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ, ପ୍ରାଣୀପାଳନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍‌. ପି. ସିଂହ ବଘେଲ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଇରଙ୍ଗପୁରର କେତେକ ଚାଷୀମାନଙ୍କୁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟ ଅତିଥିମାନେ ପ୍ରତୀକାତ୍ମକ ଭାବରେ ଗାଈ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏନ୍‌ଡିଡିବି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୋକୁଳ ମିସନ୍‌ କାର୍ଯ୍ୟକ୍ରମ ଅଧୀନ ପିଇଏସ୍‌ ଯୋଜନା ମାଧ୍ୟମରେ ଜିଲ୍ଲାର ୨୬ଟି ବ୍ଲକ୍‌କୁ ସମୁଦାୟ ୩ ହଜାର ଉନ୍ନତମାନର ଗାଈ ହିତାଧିକାରୀମାନଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ହୋଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା,ଏନ୍‌ଡିଡିବି ଅଧ୍ୟକ୍ଷ ଡ. ମିନେଶ ସାହା ଓ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସ୍ବାଗତ ଭାଷଣ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଧନ୍ୟବାଦ ଅର୍ପଣ କରିଥିଲେ। ବିଜେପିର ରାଜ୍ୟ ସମ୍ପାଦକ ନବୀନ ରାମ, ବିଜେପିର ରାଇରଙ୍ଗପୁର ସହର ସଭାପତି ସୁରଥ ପଟ୍ଟନାୟକଙ୍କ ସମେତ ଅଗ୍ରଣୀ ଦୁଗ୍ଧ ଚାଷୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।