Breaking News

ଗୌର ଗବାକ୍ଷ: ଓଃ ଭାଲେଣ୍ଟାଇନ, ମୋ ଭାଲେଣ୍ଟାଇନ

ପ୍ରେମ ଏକ ଚିରନ୍ତନ ସତ୍ୟ, ଯାହା ସୃଷ୍ଟିର ପ୍ରତ୍ୟେକ ଜୀବସତ୍ତାର ଭାବରେ, ଭାବନାରେ ଭରିହେଇଛି। ପ୍ରେମ ନଶ୍ବର, ପ୍ରେମ ଶାଶ୍ବତ; ସେ ଏକ ଅନିର୍ବାଣ ଅଗ୍ନିଶିଖା। ପ୍ରେମର ସ୍ଫୁରଣ ଚାଲିଥାଏ ଅବିରତ ଧାରାରେ।

ଗୌରଚନ୍ଦ୍ର ତ୍ରିପାଠୀ

ପ୍ରେମ ଏକ ଚିରନ୍ତନ ସତ୍ୟ, ଯାହା ସୃଷ୍ଟିର ପ୍ରତ୍ୟେକ ଜୀବସତ୍ତାର ଭାବରେ, ଭାବନାରେ ଭରିହେଇଛି। ପ୍ରେମ ନଶ୍ବର, ପ୍ରେମ ଶାଶ୍ବତ; ସେ ଏକ ଅନିର୍ବାଣ ଅଗ୍ନିଶିଖା। ପ୍ରେମର ସ୍ଫୁରଣ ଚାଲିଥାଏ ଅବିରତ ଧାରାରେ। ସେଥିରୁ କିଛି ସାଉଁଟିବାର ପ୍ରୟାସରେ, ସାରା ବିଶ୍ୱ ଆଜି ପାଳନ କରୁଛି ‘ଭାଲେଣ୍ଟାଇନ୍‌ସ ଡେ’। କିଂବଦନ୍ତି କହେ, ତୃତୀୟ ଶତାବ୍ଦୀରେ, ସୈନ୍ୟମାନଙ୍କୁ ବିବାହ ନକରିବା ପାଇଁ ସମ୍ରାଟଙ୍କ ଆଦେଶକୁ ଅମାନ୍ୟ କରିଥିବା ଅପରାଧରେ, ରୋମର କ୍ୟାଥଲିକ ପାଦ୍ରୀ ଭାଲେଣ୍ଟାଇନଙ୍କୁ ୨୭୦ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମୃତ୍ୟୁଦଣ୍ଡ ପାଇବା ପୂର୍ବରୁ ନିଜ ପ୍ରେମିକାଙ୍କୁ ଭାଲେଣ୍ଟାଇନଙ୍କ ଶେଷ ବାର୍ତ୍ତା ଥିଲା, ‘ତୁମର ଭାଲେଣ୍ଟାଇନଙ୍କଠାରୁ’ ସ୍ୱାକ୍ଷରିତ ଏକ ପ୍ରେମପତ୍ର। ତେଣୁ ଏହି ଦିବସକୁ ରୋମାଣ୍ଟିକ ପ୍ରେମର ଦିବସ ମଧ୍ୟ କୁହାଯାଇପାରେ। ରୋମାଣ୍ଟିକ ପ୍ରେମ ଏକ ଆବେଗମୟ, ଦୀର୍ଘକାଳୀନ, ପ୍ରତିବଦ୍ଧତାସମ୍ପନ୍ନ ସମ୍ପର୍କକୁ ବୁଝାଏ, ଯାହା ସହଭାଗୀ ମୂଲ୍ୟବୋଧ, ଦୃଢ଼ ପାରିବାରିକ ବନ୍ଧନ ଓ ସ୍ଥିରତାର ମୂଳଦୁଆ ଉପରେ ସନ୍ନିବେଶିତ। ଏହାକୁ ଗ୍ରୀକ୍ ଦାର୍ଶନିକମାନେ ‘ଇରୋସ୍’ ଭାବେ ବର୍ଣ୍ଣନା କରିଛନ୍ତି।
ରୋମାଣ୍ଟିକ ପ୍ରେମର ଚିନ୍ତା ମନ କାନଭାସରେ ନେଇଆସେ ଲୈଲା-ମଜନୁ, ସୋହନି-ମୋହିୱାଲ, କେଦାର-ଗୌରୀ, ଶାହଜାହାନ-ମୁମତାଜ, ହୀର-ରାଞ୍ଝା, ଦୁଷ୍ୟନ୍ତ-ଶକୁନ୍ତଳା, ପୃଥ୍ୱୀରାଜ ଚୌହାନ-ସଂଯୁକ୍ତାଙ୍କ ପ୍ରେମର ଉଷ୍ମତା ଓ ସମ୍ପର୍କର ଗଭୀରତା। ସାହିତ୍ୟ, ଇତିହାସ, କଥା କାହାଣୀର ଏହି ପ୍ରେମର ପୂଜାରୀମାନେ ସାମାଜିକ ମାନଦଣ୍ଡ ଓ ପାରିବାରିକ ବିରୋଧାଭାସର ବାସ୍ତବତାକୁ ସାମ୍ନାପୂର୍ବକ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର କଠୋର ମୁକାବିଲା କରି କିଭଳି ପରସ୍ପର ପ୍ରତି ନିଜନିଜର ଆନୁଗତ୍ୟ ଓ ପ୍ରତିବଦ୍ଧତା ରକ୍ଷା କରି ତ୍ୟାଗ ଓ ବଳିଦାନ ଦେଇଛନ୍ତି, ସେହି ଜୀବନଗାଥା ଜନମାନସରେ ଚିର ଉଦ୍ଭାସିତ। ଏହି ଚରିତ୍ରମାନଙ୍କ କାହାଣୀ ରୋମାଣ୍ଟିକ ପ୍ରେମର ସୂକ୍ଷ୍ମତା, ତ୍ୟାଗର ସୌନ୍ଦର୍ଯ୍ୟ ଓ ବିଚ୍ଛେଦର ଯନ୍ତ୍ରଣାକୁ ଉନ୍ମୋଚନ କରିବା ସହ ସମାଜର ସାମୂହିକ ଚେତନା ଉପରେ ଏକ ଅଲିଭା ଛାପ ଛାଡ଼ିଯାଇଛି।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଦି ଅନୁଶୀଳନ କରାଯାଏ, ପ୍ରେମର ଭାବନା ‘ପ୍ଲାଇଷ୍ଟୋସିନ୍’ ସମୟରୁ ଆମ ମସ୍ତିଷ୍କରେ ସ୍ଥାପିତ। ସାନ୍‌ ଫ୍ରାନ୍ସିସ୍କୋ ସହରସ୍ଥିତ ସ୍କୁଲ ଅଫ୍ ମେଡିସିନ୍‌ର ଥମାସ ଲୁଇସ୍ ଭଳି ମନସ୍ତତ୍ତ୍ୱବିତ ଅନୁମାନ କରନ୍ତି ଯେ ରୋମାଣ୍ଟିକ ପ୍ରେମର ମୂଳାଧାର ଆମ ଶୈଶବର ଅନ୍ତରଙ୍ଗ ଅଭିଜ୍ଞତାରୁ ସୃଷ୍ଟି ହୁଏ। ଏହି ବିଚାରଧାରା ଫ୍ରଏଡ୍‌ଙ୍କ ‘ଇଡିପସ କମ୍ପ୍ଲେକ୍ସ’ର ସମଧର୍ମୀ। ରବର୍ଟ ଷ୍ଟର୍ନବର୍ଗଙ୍କ ପ୍ରେମର ତ୍ରିକୋଣୀୟ ତତ୍ତ୍ୱ ମତରେ, ‘ଘନିଷ୍ଠତା, ଆବେଗ ଓ ପ୍ରତିବଦ୍ଧତା’- ଏହି ତିନିଟି ସ୍ତମ୍ଭ ଉପରେ ପ୍ରେମ ଆଧାରିତ। ବାର୍ବରା ଫ୍ରେଡରିକସନ୍ ତାଙ୍କ ପୁସ୍ତକ ‘ଲଭ୍‌ ୨.୦’ରେ ମତ ଦିଅନ୍ତି, ଜୈବିକ ପ୍ରେମ ‘ମିରର ନିଉରନ୍‌ସ’, ‘ଅକ୍ସିଟୋସିନ’ ଓ ‘ଭାଗାଲ ଟନ’- ଏହି ତିନିଟି ରାସାୟନିକ ତତ୍ତ୍ବ ଦ୍ବାରା ପରିଚାଳିତ ଏବଂ ପ୍ରେମ ଭାବନା ‘ସକାରାତ୍ମକ ଆତ୍ମୀୟ ମିଳନର କିଛି ସୂକ୍ଷ୍ମ ମୁହୂର୍ତ୍ତ’ରେ ଜାଗ୍ରତ ହୋଇଥାଏ।
ମନୋବିଜ୍ଞାନୀ ଷ୍ଟିଫେନ ମିଚେଲ ତାଙ୍କ ପୁସ୍ତକ ‘କ୍ୟାନ୍ ଲଭ୍ ଲାଷ୍ଟ?’ ପୁସ୍ତକରେ ପ୍ରଶ୍ନ ଉଠାଇଛନ୍ତି, ଆମେ ଅଚେତନ ଭାବରେ ପ୍ରେମକୁ ତା’ର ଇଚ୍ଛା ବିରୁଦ୍ଧରେ ପାଳନ କରୁ କି? ପାରମ୍ପରିକ ଭାବରେ, ପ୍ରେମ ସମ୍ପର୍କର ପର୍ଯ୍ୟାୟସବୁ ଥିଲା- ଅବିବାହିତ, ପ୍ରେମ ସମ୍ପର୍କରେ (ଇନ୍‌ ରିଲେସନ୍‌ସିପ୍‌), ନିର୍ବନ୍ଧିତ କିମ୍ବା ବିବାହିତ। କିନ୍ତୁ ଆଧୁନିକ ସମାଜରେ ପ୍ରେମ ସମ୍ପର୍କ ଗଣିତ ସୂତ୍ର ଭଳି ବର୍ଗୀକୃତ, ଯେମିତିକି- ଆକସ୍ମିକ ଡେଟିଂ, ଫ୍ରେଣ୍ଡ୍‌ସ ଉଇଥ୍‌ ବେନିଫିଟ, ଘୋଷ୍ଟିଂ, ବେଞ୍ଚିଂ, ବ୍ରେଡକ୍ରମ୍ବିଂ, ସିଚୁଏସନ୍‌ସିପ, ଖୋଲା ସମ୍ପର୍କ, ଘୋଷ୍ଟଲାଇଟିଂ, ଜୋମ୍ବିଇଂ, ଯେଉଁଠି ଅଛି ନା ଆତ୍ମୀୟତା ନା ଆପଣାର ଭାବ। ପ୍ରେମସମ୍ପର୍କ ପରିପକ୍ୱ ତଥା ବିକଶିତ ହେବାକୁ ସମୟ ଲାଗେ। କିନ୍ତୁ ଦ୍ରୁତଗତିରେ ପ୍ରବାହମାନ ଆଧୁନିକ ଜୀବନଶୈଳୀରେ ସମୟର ଅଭାବବୋଧ ଯୋଗୁଁ ଯୁବପିଢ଼ି ପାଇଁ ପ୍ରେମ ଏକ ଅର୍ଦ୍ଧପକ୍ବ ତତ୍କାଳ ଆବଶ୍ୟକତା। ତତ୍କାଳ ମେସେଜିଂ, ସ୍ନାପ୍‌ଚାଟ୍ ଓ ଭିଡିଓ କଲ୍ ବ୍ୟବସ୍ଥା ଶାରୀରିକ ଘନିଷ୍ଠତାର ଆବଶ୍ୟକତାର ଅନ୍ତ ଘଟାଇଛି। ଆଗରୁ ପ୍ରଥମେ ପ୍ରେମ ହେଉଥିଲା, ତା’ପରେ ଶାରୀରିକ ସମ୍ପର୍କ, କିନ୍ତୁ ଆଜିର ଧାରା ହେଲା ପ୍ରଥମେ ଶାରୀରିକ ସମ୍ପର୍କ ଓ ତା’ପରେ ପ୍ରେମ। ଯାହା ଫଳରେ ବର୍ତ୍ତମାନର ଯୁବପିଢ଼ି ରୋମାଣ୍ଟିକ ପ୍ରେମର ସୂକ୍ଷ୍ମତା, ସୃଜନଶୀଳତା ଓ ମାଧୁର୍ଯ୍ୟ ହରାଇ ବସୁଛନ୍ତି।
ପରିପୂର୍ଣ୍ଣ ଜୀବନଶୈଳୀ ପାଇଁ ରୋମାଣ୍ଟିକ ପ୍ରେମ ଦାବି କରେ ଏକ ସାଥୀଟିଏ, ଜୀବନର ପଥକୁ ସରସ, ମଧୁର ଓ ସମୃଦ୍ଧ କରିବାର ପଥଚାରୀଟିଏ; ପାରସ୍ପରିକ ସମ୍ମାନ, ସଚ୍ଚୋଟତା ଓ ନିଛକ୍‌ ଭଲ ପାଉଥିବା ମଣିଷଟିଏ। ମନସ୍ତତ୍ତ୍ୱବିତ୍ କାର୍ଲ ରୋଜର୍ସଙ୍କ ମତରେ, ‘ସାଥୀଙ୍କ ଚିନ୍ତାଧାରାକୁ ଧୈର୍ଯ୍ୟର ସହ ଶୁଣିବା ଓ ତାଙ୍କ ଭାବନାକୁ ସାଦରେ ଗ୍ରହଣ କରିବାରେ ହିଁ ମଧୁର ସମ୍ପର୍କର ସୃଷ୍ଟି ହୁଏ।’ ଘନିଷ୍ଠ ବାର୍ତ୍ତାଳାପ କରନ୍ତୁ, ଅକ୍ସିଟୋସିନ୍‌ର କ୍ଷରଣ ହେବ ଏବଂ ସମ୍ପର୍କ ସୁଦୃଢ଼ ହେବ। ଫ୍ରେଡରିକ ନିଚାଙ୍କ କଥାକୁ ଧ୍ୟାନଦେବା ଗୁରୁତ୍ୱପୂର୍ଣ୍ଣ, ଯିଏ ଲେଖିଛନ୍ତି, ‘ପ୍ରେମର ଅନୁପସ୍ଥିତି ନୁହେଁ ବରଂ ବନ୍ଧୁତାର ଅନୁପସ୍ଥିତି ସମ୍ପର୍କକୁ ଦୁଃଖୀ କରିଥାଏ।’ ଉତ୍ତମ ବନ୍ଧୁଟେ ହୁଅନ୍ତୁ। ରୋମାଣ୍ଟିକ ପ୍ରେମକୁ ଚୀର ଉଜ୍ଜୀବିତ ରଖିବା ପାଇଁ ପ୍ରଶଂସା କରିବା ଶିଖନ୍ତୁ, ଆପଣଙ୍କ ପ୍ରିୟଜନଙ୍କ ଆଚାର ବ୍ୟବହାର ଓ ଉପଲବ୍ଧିକୁ ତାଙ୍କ ସାମ୍ନାରେ ସ୍ବୀକାର କରନ୍ତୁ। ଶରୀରର ସୌନ୍ଦର୍ଯ୍ୟ ଉପରେ ଅତ୍ୟଧିକ ଧ୍ୟାନଦେବା ପରିବର୍ତ୍ତେ ଶରୀର ଭିତରେ ଥିବା ଚରିତ୍ରକୁ ଗୁରୁତ୍ବ ଦିଅନ୍ତୁ। ଔପନ୍ୟାସିକ ଉର୍ସଲା କେ. ଲେ ଗୁଇନ୍ ‘ଦି ଲେଦ୍‌ ଅଫ୍ ହେଭେନ୍’ ପୁସ୍ତକରେ ଦେଇଥିବା ମତାମତ ମନେ ରଖନ୍ତୁ, ‘ପ୍ରେମ ପଥର ପରି ସ୍ଥାଣୁ ଓ କଠୋର ପଦାର୍ଥ ନୁହଁ; ଏହାକୁ ରୁଟି ପରି କୋମଳ କରିବାକୁ ପଡ଼ିବ, ସବୁବେଳେ ପୁନଃନିର୍ମାଣ କରିବାକୁ ପଡ଼ିବ, ନୂଆ କରି ଗଢ଼ିବାକୁ ପଡ଼ିବ।’ ପ୍ରେମ ସର୍ତ୍ତମୂଳକ ନ ହେଉ; ବନ୍ଧନମୁକ୍ତ ହେଉ। କବି ସୁରେଖା ମହାପାତ୍ରଙ୍କ ଭାଷାରେ, ‘ଏବେ ତୋ ବିଶ୍ବାସର ନିଃଶ୍ବାସରେ/ମୋ ବଳକା ଆୟୁଷ ଯେ, ଆକାଶର ତାରା ପରି ଅଗଣିତ ଲାଗୁଛି; ତୋ ଭରସା ବି ମୋତେ, ଧ୍ରୁବତାରା ପରି ସବୁଠି ଉଜ୍ଜ୍ବଳ ଦିଶୁଛି।’ ଏହା ହିଁ ଆଜି ଦିନର ଆହ୍ବାନ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.