Breaking News

ଗ୍ରାଉଣ୍ଡ ଜିରୋରେ ‘ସମ୍ବାଦ’ ଟିମ୍‌: ଏବେ ବି ଖାଉଛନ୍ତି ଆମ୍ବଟାକୁଆ ଜାଉ

କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଭୋକର ଭୂଗୋଳ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପହଞ୍ଚି ସ୍ଥିତି ପରିଖିଛି ‘ସମ୍ବାଦ’ ଟିମ୍‌।

0

ରାୟଗଡ଼ା/କାଶୀପୁର: କନ୍ଧମାଳ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଭୋକର ଭୂଗୋଳ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପହଞ୍ଚି ସ୍ଥିତି ପରିଖିଛି ‘ସମ୍ବାଦ’ ଟିମ୍‌। ପିତାଯୋଡ଼ି ଗ୍ରାମର ଦିବାକର ମାଝୀ କହନ୍ତି, ଆଗଭଳି ଲୋକ ଆମ୍ବଟାକୁଆ ଜାଉ ଖାଉନଥିଲେ ବି ସମ୍ପୂର୍ଣ୍ଣ ଭାବେ ଛାଡ଼ି ପାରିନାହାନ୍ତି। ବ୍ଲକ୍‌ର ଦୁର୍ଗମ ତଥା ବିକାଶଠୁ ଦୂରରେ ଥିବା ଗାଁଗୁଡ଼ିକରେ ଆମ୍ବଟାକୁଆ ଜାଉ ଖାଉଥିବା ଲୋକଙ୍କ ସଂଖ୍ୟା ଟିକେ ଅଧିକା ବୋଲି ଦିବାକର କହିଛନ୍ତି। କସନାପଦର ଗ୍ରାମର ଜଳଧର ଗୋପାଳ କହନ୍ତି, ୫କେଜି ଚାଉଳରେ ପେଟ ପୂରୁନି। ଏଠି ଲୋକଙ୍କୁ କାମଧନ୍ଦା ମିଳୁନି। ଗରିବ ଲୋକ ଦିନକୁ ଦିନ ଅଧିକ ଗରିବ ହେଉଛନ୍ତି। ପେଟ ତ ପୂରୁନି ଭଲ ପାଣି ବି ମୁନ୍ଦାଏ ପିଇବାକୁ ମିଳୁନି। ଭୋକର ଜ୍ବାଳା ମାରିବା ପାଇଁ ଆମ୍ବଟାକୁଆ ଜାଉ ସହ ଲୋକେ ଇଆଡ଼ୁ ସିଆଡ଼ୁ ଖାଇ ଝାଡ଼ାବାନ୍ତିରେ ମରୁଛନ୍ତି। ସିପିଯୋଡ଼ି ଗ୍ରାମବାସୀ କହନ୍ତି ଅଭ୍ୟାସଗତ, ପରମ୍ପରା ଓ ନିଆରା ସ୍ବାଦ ପାଇଁ ବେ‌ଳେବେଳେ ଆମ୍ବଟାକୁଆ ଜାଉ ଖାଉଛୁ।

ଏହି ୩ଟି ଗ୍ରାମର ଲୋକଙ୍କ ବୟାନ ହିଁ ପ୍ରମାଣ କରୁଛି ଏବେ ବି କାଶୀପୁର ବ୍ଲକ୍‌ର ଦୁର୍ଗମ ଅଞ୍ଚଳବାସୀ ଆମ୍ବଟାକୁଆ ଜାଉ ଖାଉଛନ୍ତି। ଭାତ, ମାଣ୍ଡିଆ ଜାଉ ଏମାନଙ୍କ ପ୍ରଧାନ ଖାଦ୍ୟ ହୋଇଥିବା ବେଳେ ମୁଣ୍ଡ ପିଛା ମିଳୁଥିବା ୫କେଜି ଚାଉଳ ପର୍ଯ୍ୟାପ୍ତ ହୋଇପାରୁନି। ନିଅଣ୍ଟ ଭରଣା ପାଇଁ ଆମ୍ବଟାକୁଆ ଖାଇବାକୁ ପଡ଼ୁଛି। କୋଇଲିକୁ ଶୁଖାଇ ପ୍ରସ୍ତୁତ ଚୂନାକୁ ମାଣ୍ଡିଆରେ ମିଶାଇ ଖାଇବା କିଛି ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଥିବା ବେଳେ ଆଉ କିଛି ଭୋକ ମାରିବାକୁ ଏହାକୁ ଖାଉଛନ୍ତି। ଏପଟେ ସରକାରୀ ତଥ୍ୟ କହୁଛି ବ୍ଲକ୍‌ର ୯୦ ପ୍ରତିଶତ ଲୋକ ଟଙ୍କିକିଆ ଚାଉଳ ଉପରେ ନିର୍ଭରଶୀଳ। ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କାଶୀପୁର ବ୍ଲକ୍‌ର ୪୩ ହଜାର ୧୫ଟି ପରିବାରର ୧ଲକ୍ଷ ୩୫ ହଜାର ୬୧୫ ହିତାଧିକାରୀ ଟଙ୍କିକିଆ ଚାଉଳ ପାଉଛନ୍ତି। ଏହି ରାସନ୍‌ ଚାଉଳ ନିଅଣ୍ଟ ପଡ଼ିଲେ କୋଇଲି ଜାଉରେ ଭୋକ ମେଣ୍ଟାଉଛନ୍ତି।

କାଶୀପୁରରେ ବଦଳିନି ଭୋକର ଚିତ୍ର

ବ୍ଲକ୍‌ର ୯୦% ଲୋକଙ୍କ ଭରସା ଟଙ୍କିକିଆ ଚାଉଳ
କାମଧନ୍ଦା ମିଳୁନି, ଦାଦନ ଖଟୁଛନ୍ତି ୧୦ ହଜାରରୁ ବେଶି

କାଶୀପୁର ବ୍ଲକ୍‌ର ପିତାଯୋଡ଼ି, ପଣସଗୁଡ଼ା, ବିଲାମାଳ, ଝୋଡ଼ିଆପଡ଼ା, ବଡ଼ମାଟିଭଟ୍ଟା, କସନାପଦର, ନୂଆଗାଁ, ପୋଡ଼ାପଦର ଭଳି ଅନେକ ଗାଁ ଝାଡ଼ାବାନ୍ତି ପାଇଁ ଜାତୀୟ ଓ ଅର୍ନ୍ତଜାତୀୟ କ୍ଷେତ୍ରରେ ଚର୍ଚ୍ଚାରେ ରହିଛି। ୧୯୮୬-୮୭ ମସିହାରେ କାଶୀପୁରରେ ୭୦ରୁ ଊର୍ଦ୍ଧ୍ବ ଲୋକଙ୍କ ଅନାହାରରେ ମୃତ୍ୟୁ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କାଶୀପୁର ପରିଦର୍ଶନରେ ଆସିଥିଲେ। କାଶୀପୁର, ଡଙ୍ଗାସିଲ, କୁଚେଇପଦର, ଦୋରାଗୁଡ଼ା ଓ ଟିକିରି ଅଞ୍ଚଳ ଗସ୍ତ କରିଥିଲେ। ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ କାଶୀପୁରର ଚିତ୍ର ବଦଳାଇବା ପାଇଁ ୬୪ କୋଟି ଟଙ୍କାର ୧୪ ବର୍ଷିଆ ଯୋଜନା ଆରମ୍ଭ କରିଥିଲେ। ଯୋଜନା ସରିବା ପରେ ୨୦୦୧ ମସିହାରେ ଝାଡ଼ାବାନ୍ତିରେ ସରକାରୀ ଭାବରେ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଅକଳରେ ପକାଇଥିଲା। ଏପରିକି ନବୀନଙ୍କ ଗସ୍ତ ସମୟରେ କାଶୀପୁରବାସୀ ତାଙ୍କ କାର୍‌ ଉପରକୁ ଆମ୍ବଟାକୁଆ ମାଡ଼ କରିଥିଲେ। ଗତ ବିଜେଡି ସରକାରଙ୍କ ଅମଳରେ କାଶୀପୁରରେ ବକ୍ସାଇଟ୍‌ ଉତ୍ତୋଳନ କରି ରିଫାଇନାରି କାରଖାନା ହୋଇଛି। ହେଲେ ଏହି ଅଞ୍ଚଳର ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଖାଦ୍ୟ ଓ କାମଧନ୍ଦା ଅନ୍ବେଷଣରେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ସବୁଠାରୁ ଉଦ୍‌ବେଗର ବିଷୟ ଖଣି ଖାଦାନ ଅଞ୍ଚଳର ସର୍ବାଧିକ ଲୋକ ଦାଦନ ଯାଇ ନିର୍ଯାତନାର ଶିକାର ହେଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୫ବର୍ଷରେ କାଶୀପୁର ବ୍ଲକ୍‌ରେ ମହାତ୍ମା ଗାନ୍ଧୀ ନିଶ୍ଚିତ ଶ୍ରମ ନିଯୁକ୍ତି ଯୋଜନାରେ ୧୨୫ କୋଟି ଖର୍ଚ୍ଚ ହୋଇଛି। ୨୧ ହଜାର ୮୫୫ଟି ପ୍ରକଳ୍ପ ବିଭିନ୍ନ ବିଭାଗ ଦ୍ବାରା ଆରମ୍ଭ ହୋଇ ୧୫ ହଜାର ୩୬୫ଟି ପ୍ରକଳ୍ପର ନିର୍ମାଣ ସରିଛି। ୬୪୯୦ଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇପାରିନି।

କାଶୀପୁର ବ୍ଲକ୍‌ର ୨୮ଟି ପଞ୍ଚାୟତର ୪୧୭ଟି ରାଜସ୍ବ ଗ୍ରାମ ଓ ୧୦୯ ହାମ୍‌ଲେଟ୍‌ରେ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ସେଥିରୁ ୬୦ ପ୍ରତିଶତ ଆଦିବାସୀ। ବ୍ଲକ୍‌ରେ ଆଜି ବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଚୁଆପାଣି ଲୋକଙ୍କ ଶୋଷ ମେଣ୍ଟାଉଛି। ଏହି କାରଣରୁ ୨୦୨୨ରେ ପୁଣି ହଇଜା ଭୂତାଣୁ ଚିହ୍ନଟ ହୋଇଥିଲା। ଶହ ଶହ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅନେକଙ୍କ ଜୀବନ ଯାଇଥିଲା। ଏହି ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନରେ କେବେ ଉନ୍ନତି ଆସିବ ତାହା ଏବେ ବି ବଡ଼ ପ୍ରଶ୍ନ ହୋଇ ରହିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.