Breaking News

ଗ୍ରୀଷ୍ମ ଆରମ୍ଭରୁ ହାହାକାର: ୧୩୩ ଗାଁକୁ ପାନୀୟ ଜଳ ଯୋଗାଣ ପ୍ରହସନ

ଗୋଟିଏ ପଟେ ଓଡ଼ିଶାର ବଡ଼ ନଦୀ ମହାନଦୀ। ଆଉ ଗୋଟିଏ ପଟେ ଦେବୀ, ବିଲୁଆଖାଇ ଭଳି ନଦୀ। ମାଳମାଳ ପାନୀୟଜଳ ପ୍ରକଳ୍ପ ଠିଆହୋଇଛି। ମାତ୍ର ଗ୍ରୀଷ୍ମ ଆରମ୍ଭରୁ ଜଳ ସଂକଟ ଉତ୍କଟ ହେବାରେ ଲାଗିଲାଣି। ପାଣି ଟୋପେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି।

କଟକ: ଗୋଟିଏ ପଟେ ଓଡ଼ିଶାର ବଡ଼ ନଦୀ ମହାନଦୀ। ଆଉ ଗୋଟିଏ ପଟେ ଦେବୀ, ବିଲୁଆଖାଇ ଭଳି ନଦୀ। ମାଳମାଳ ପାନୀୟଜଳ ପ୍ରକଳ୍ପ ଠିଆହୋଇଛି। ମାତ୍ର ଗ୍ରୀଷ୍ମ ଆରମ୍ଭରୁ ଜଳ ସଂକଟ ଉତ୍କଟ ହେବାରେ ଲାଗିଲାଣି। ପାଣି ଟୋପେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ନଦୀନାଳ  ଓ କେନାଲ ଘେରା ଜଗତସିଂହପୁର ଭଳି ଏକ ଶିଳ୍ପସମୃଦ୍ଧ ଜିଲ୍ଲାରେ ଏଭଳି ସଂକଟଜନକ ପରିସ୍ଥିତି ଉପୁଜିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

୨୦୧୧ ଜନଗଣନା ଅନୁସାରେ, ଜଗତସିଂହପୁର ଜିଲ୍ଲାରେ ମୋଟ ୧୧,୩୬,୬୦୪ ଲୋକ ବସବାସ କରୁଥିବା ବେଳେ ଏବେ ଏହା ବଢ଼ି ପ୍ରାୟ ୧୨ ଲକ୍ଷ ୨୦ ହଜାରରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ପ୍ରାୟ ୧୧ ଲକ୍ଷ ପାଖାପାଖି ଲୋକ ବସବାସ କରୁଥିବା ବେଳେ ସହରାଞ୍ଚଳରେ ଦୁଇଲକ୍ଷ ଲୋକ ବାସ କରୁଛନ୍ତି। ତଥ୍ୟ କହୁଛି, ଗୋଟିଏ ୫ ଜଣିଆ ପରିବାର ପାଇଁ ଦିନକୁ ପାଖାପାଖି ୨୮୦ ଲିଟର ଜଳ ଆବଶ୍ୟକ। ଏହି ହିସାବ ଆଧାରରେ ଯଦି ଦେଖାଯାଏ ତେବେ ଜିଲ୍ଲାର ଲୋକଙ୍କ ପାଇଁ ପ୍ରାୟ ୭୦୦ ହଜାର ଗ୍ୟାଲୋନ୍‌ ଜଳ ଆବଶ୍ୟକ। ମାତ୍ର ସେତିକ ଜଳ ମିଳି ପାରୁନାହିଁ। ଭୂତଳ ଜଳ ହ୍ରାସ ପାଇ ପାଇଚାଲିଛି। ଜିଲ୍ଲାର କେତେକ ନଦୀ ମଧ୍ୟ ମରିଗଲାଣି। ଦେବୀ ନଦୀରେ ଧାରେ ପାଣି ଚାଲିଛି। ବିଲୁଆଖାଇ ଶୁଖିଲା ପଡ଼ିଛି। ଭୌଗୋଳିକ ସ୍ଥିତି ଅନୁଯାୟୀ ଜଗତସିଂହପୁର ଜିଲ୍ଲା ୮୬ ଡିଗ୍ରି ୩ ଇଞ୍ଚରୁ ୮୬ ଡିଗ୍ରି ୪୫ ଇଞ୍ଚ ପୂର୍ବ ଦ୍ରାଘିମା ଏବଂ ୧୯ ଡିଗ୍ରି ୫୮ ଇଞ୍ଚରୁ ୨୦ ଡିଗ୍ରି ୨୩ ଇଞ୍ଚ ଉତ୍ତର ଅକ୍ଷାଂଶ ମଧ୍ୟରେ ଅବସ୍ଥିତ। ଉତ୍ତରରେ କେନ୍ଦ୍ରାପଡ଼ା, ଦକ୍ଷିଣରେ ପୁରୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ କଟକ ଜିଲ୍ଲା ଅବସ୍ଥିତ। ରାଜ୍ୟର ୪ ପ୍ରମୁଖ ନଦୀ ଯଥା ମହାନଦୀ, କାଠଯୋଡି, ଦେବୀ ଓ ବିଲୁଆଖାଇ ଏହି ଜିଲ୍ଲାରେ ପ୍ରବାହିତ। ମହାନଦୀ ଜଗତସିଂହପୁର ଜିଲ୍ଲାରେ ସୁଦୀର୍ଘ ଭାବେ ପ୍ରବାହିତ ଏବଂ ତାଳଦଣ୍ଡା କେନାଲ ଓଡ଼ିଶାର ସବୁଠାରୁ ଲମ୍ବା ଓ ବଡ଼ କେନାଲ। ୧୮୬୯ ମସିହାରେ ମହାନଦୀର କଟକ ନିକଟରୁ ପାରାଦୀପ ପର୍ଯ୍ୟନ୍ତ ଏହି କେନାଲ ଖୋଳାଯାଇଥିଲା। ଏହି କେନାଲ ଥିଲା ଜଗତସିଂହପୁରର ଜୀବନରେଖା। ଏହାଛଡ଼ା ମାଛଗାଁ କେନାଲ୍‌ ମଧ୍ୟ ରହିଛି। କେବଳ ସେତିକି ନୁହେଁ, ଜିଲ୍ଲାରେ ପ୍ରାୟ ୧୦ଟି ପୋଖରୀ ରହିଛି। ଏଥିମଧ୍ୟରୁ ପ୍ରାୟ ଅଧିକାଂଶ ପରିତ୍ୟକ୍ତ। ଏସବୁର ପୁନରୁଦ୍ଧାର କରାଯାଉ ନାହିଁ।

୧୩୩ ଗାଁକୁ ପାନୀୟ ଜଳ ଯୋଗାଣ ପ୍ରହସନ
୧୩୭ କୋଟିର ପ୍ରକଳ୍ପକୁ ନେଇ ପ୍ରଶ୍ନବାଚୀ
ଟାଙ୍କି ଠିଆ ହୋଇଛି, ପାଣି ଆସୁନି

ଜିଲ୍ଲାରେ ୨୪୪ଟି ପାନୀୟଜଳ ପ୍ରକଳ୍ପ, ୧୩୧୮୯ଟି ନଳକୂଅ, ୨୪ଟି ସୌରଶକ୍ତିଚାଳିତ ପ୍ରକଳ୍ପ, ୧୦୪ଟି ଓଭରହେଡ଼୍ ଟାଙ୍କି ରହିଛି। ଏହାବ୍ୟତୀତ ଆହୁରି କେତୋଟି ଛୋଟବଡ଼ ପ୍ରକଳ୍ପ ରହିଛି। ମାତ୍ର ସବୁଠାରୁ ବଡ଼ କଥା ହେଉଛି ପାଣି ପାଇଁ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଜିଲ୍ଲାର ବାଲିକୁଦାଠାରେ ୨୦୧୮ ମସିହାରେ ୧୩୭ କୋଟି ଟଙ୍କା ବିନିମୟରେ ଏକ‌ ମେଗା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଲକ୍ଷ୍ୟ ଥିଲା ସମୁଦ୍ର ଉପକୂଳବର୍ତ୍ତୀ ଏରସମା, ବାଲିକୁଦା ଓ ନାଉଗାଁ ବ୍ଲକ୍‌ର ୧୩୩ଟି ଗାଁକୁ ପାନୀୟଜଳ ଯୋଗାଇବା। ମାତ୍ର ପ୍ରକଳ୍ପଟି ଯେଉଁଠି ଓ ଯେଉଁ ଢଙ୍ଗରେ ନିର୍ମାଣ କରାଗଲା ତାହା ପାଣି ଯୋଗାଇବାରେ ସଫଳ ହୋଇ ପାରୁନାହିଁ। ଏବେ ବି ଅନେକ ଗାଁକୁ ପାଣି ଯାଉନାହିଁ। ଯେଉଁମାନେ ପାଣି ପାଉଛନ୍ତି, ତାହା ଯଥେଷ୍ଟ ହେଉନାହିଁ। ଏ କଥା ବିଧାନସଭା ପର୍ଯ୍ୟନ୍ତ ଯାଇଛି। କୋଟିକୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପଟି ଦୂରଦୃଷ୍ଟି ଅଭାବରୁ ଆଉ କିଛି ଦିନ ପରେ ଅକାମୀ ମଧ୍ୟ ହୋଇଯାଇପାରେ। ବିଶେଷ କରି ଏରସମା ଅଞ୍ଚଳରେ ପାଣି ସମସ୍ୟା ଉତ୍କଟ ହେଉଛି। ସମୁଦ୍ରକୂଳ ଅଞ୍ଚଳ ହୋଇଥିବାରୁ ଭୂତଳ ଜଳ ପାନୀୟ ଉପଯୋଗୀ ହୋଇ ପାରୁନାହିଁ। ପ୍ରାୟ ସବୁ ନଳକୂଅରୁ ଲୁଣି ପାଣି ବାହାରୁଛି। ଅନ୍ୟ ଅଞ୍ଚଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ନାଉଗାଁ ବ୍ଲକ୍‌ର କେତେକ ଗାଁରେ ଓଭରହେଡ୍ ଟାଙ୍କି ନର୍ମାଣ କରାଯାଇଛି। ମାତ୍ର ପାଣି ଆସୁନାହି। ସେହିପରି ‘ବସୁଧା’ ଯୋଜନାରେ ନିର୍ମାଣ ହୋଇଥିବା କେତେକ ଟାଙ୍କି ମୃତବତ ପଡ଼ିଛି। ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏଭଳି ପରିସ୍ଥିତି ଯଦି ଲାଗି ରହେ ତେବେ ବେଙ୍ଗାଲୁରୁ ସହର ଭଳି ଉତ୍କଟ ଜଳ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

 

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.