Breaking News

ଗ୍ରୀଷ୍ମ ଲହରି ବଢ଼ାଇଛି ୪୧% ବିଜୁଳି ଚାହିଦା

୨୦୨୩ ଗ୍ରୀଷ୍ମକାଳରେ ଭାରତର କିଛି ଅଞ୍ଚଳରେ ଯେତେବେଳେ ତାପମାତ୍ରା ୫୦ ଡିଗ୍ରି ସେଲସିଅସ ଛୁଇଁଥିଲା, ସେତେବେଳେ ଦେଶର ବିଜୁଳି ବ୍ୟବହାରରେ ଆଶ୍ଚର୍ଯ୍ୟଜନକ ଭାବେ ୪୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା।

୨୦୨୩ ଗ୍ରୀଷ୍ମକାଳରେ ଭାରତର କିଛି ଅଞ୍ଚଳରେ ଯେତେବେଳେ ତାପମାତ୍ରା ୫୦ ଡିଗ୍ରି ସେଲସିଅସ ଛୁଇଁଥିଲା, ସେତେବେଳେ ଦେଶର ବିଜୁଳି ବ୍ୟବହାରରେ ଆଶ୍ଚର୍ଯ୍ୟଜନକ ଭାବେ ୪୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଅଧିକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଅର୍ଥାତ୍‌ ବାୟୁମଣ୍ଡଳକୁ ଅଧିକ ଦୂଷିତ ବାଷ୍ପ ନିର୍ଗମନ। ସୁତରାଂ ଏଭଳି ମାତ୍ରାଧିକ ତାପମାତ୍ରା ବୃଦ୍ଧି ପରିବେଶର ଏକ ବଡ଼ ଶତ୍ରୁ ବୋଲି ‘କ୍ଲାଇମେଟ୍‌ ଟ୍ରେଣ୍ଡ୍‌’ ରିପୋର୍ଟରେ ପ୍ରକାଶ ପାଇଛି।

ଦେଶର ଶକ୍ତି ବ୍ୟବହାରକୁ ବିଶ୍ଳେଷଣ କରି ଉତ୍ତାପ ଓ ସର୍ବାଧିକ ବିଦ୍ୟୁତ୍‌ ଚାହିଦା ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ‘କ୍ଲାଇମେଟ୍‌ ଟ୍ରେଣ୍ଡ୍‌’ ଜାଣିବାକୁ ପାଇଛି। ୧୯୦୧ ମସିହା ପରଠାରୁ ଚଳିତବର୍ଷ ଫେବ୍ରୁଆରି ମାସ ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରିଥିବା ବେଳେ ଏହି ଧାରା ଜାରି ରହିବ। ଆବାସିକ ଓ ଶିଳ୍ପ ଉଦ୍ଦେଶ୍ୟରେ ଶୀତଳୀକରଣ ଉପକରଣର ବ୍ୟବହାର ବୃଦ୍ଧି ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍‌ ଚାହିଦାର ମୁଖ୍ୟ ବାହକ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ୨୦୨୩ରେ ଦେଶରେ ହାରାହାରି ସର୍ବାଧିକ ଗ୍ରୀଷ୍ମ ତାପମାତ୍ରା ୪୪ ଡିଗ୍ରି ସେଲ୍‌ସିଅସରେ ପହଞ୍ଚିଥିବା ବେଳେ କେତେକ ସ୍ଥାନରେ ତାହା ୫୦ ଡିଗ୍ରି ସେଲସିଅସ ମଧ୍ୟ ଟପିଯାଇଥିଲା। ଏଥି ସହିତ ୪୦ ଡିଗ୍ରିରୁ ଅଧିକ ତାପମାତ୍ରା ଥିବା ୫୦ଟି ଏବଂ ୩୭ ଡିଗ୍ରିରୁ ଅଧିକ ଥିବା ୭୩ଟି ଗ୍ରୀଷ୍ମ ଲହରି ରେକର୍ଡ କରାଯାଇଥିଲା।

ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଦିଲ୍ଲୀ-ଏନ୍‌ସିଆର୍‌ରେ ସର୍ବାଧିକ ଗ୍ରୀଷ୍ମଲହରି ଦେଖିବାକୁ ମିଳିଥିଲା। ସେହି ବର୍ଷ ବିଦ୍ୟୁତ୍‌ ଚାହିଦାର ସିଂହଭାଗ ଜୀବାଶ୍ମ ଇନ୍ଧନ ଦ୍ବାରା ପୂରଣ ହୋଇଥିଲା। କେବଳ ଜନସଂଖ୍ୟା ବୃଦ୍ଧି ନୁହେଁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇଁ ଆଗାମୀ ବର୍ଷମାନଙ୍କରେ ଭାରତରେ ସମ୍ଭାବ୍ୟ ବିଜୁଳି ଚାହିଦା କିପରି ବଢ଼ିବ, ତାହା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯିବା ସହ ଏଥି ପ୍ରତି ସତର୍କ ରହିବାକୁ ପରାମର୍ଶ କରାଯାଇଛି। ହଠାତ୍‌ ବିଜୁଳି ଚାହିଦା ବୃଦ୍ଧିକୁ ଆର୍ଥିକ ବିକାଶର ସଂକେତ ଭାବେ ବୁଝି ଆମେ ଭୁଲ୍‌ କରୁଛନ୍ତି। କାରଣ ତାପମାତ୍ରା ବୃଦ୍ଧି ଯୋଗୁଁ ବିଦ୍ୟୁତ୍‌ ଚାହିଦାରେ ଅତିରିକ୍ତ ବୃଦ୍ଧି ଘଟୁଛି। ଆମେ ଯେତେ ଜୀବାଶ୍ମ ଉପରେ ନିର୍ଭରଶୀଳତା ବଢ଼ାଇବା, ସେତେ ଅଧିକ ତାତି ବଢ଼ିବ। କାରଣ ତାହାଦ୍ବାରା ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହୋଇ ଜଳବାୟୁ ପରିବର୍ତ୍ତନକୁ ଆହୁରି ଉତ୍‌ପ୍ରେରିତ କରିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.