Breaking News

ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ

ଆଜିକାଲିର ସମାଜରେ ଗୃହିଣୀ, ଘରଣୀମାନଙ୍କୁ ସମୁଚିତ ସମ୍ମାନ ମିଳୁନାହିଁ। ଯେଉଁ ନାରୀମାନେ ଘରର ଚାରିକାନ୍ଥ ଭିତରେ ରହି ନିଜ ପରିବାରର ଅସଂଖ୍ୟ କାର୍ଯ୍ୟ ହସିହସି ସୁଚାରୁରୂପେ ତୁଲାଇଥାନ୍ତି, ସେମାନେ କିଛି କରନ୍ତିନି ବୋଲି କଥାକଥାରେ କୁହାଯାଉଛି।

“ନ ଗୃହଂ ଗୃହମିତ୍ୟାହୁର୍ଗୃହିଣୀ ଗୃହମୁଚ୍ୟତେ।
ଗୃହଂ ତୁ ଗୃହିଣୀହୀନମରଣ୍ୟସଦୃଶ ମତମ୍।”
ଅର୍ଥାତ୍‌ କେବଳ ଗୃହୋପକରଣ ବା ଇଟା, ବାଲିରେ ଗଢ଼ା ଘର ଘର ନୁହେଁ, ଘରଣୀ ହିଁ ଘର। ଘରଣୀହୀନ ଘର କେଉଁ ବନସ୍ତ ପରି,ଏହା ସର୍ବଦା ସତ୍ୟ”।

ଆଜିକାଲିର ସମାଜରେ ଗୃହିଣୀ, ଘରଣୀମାନଙ୍କୁ ସମୁଚିତ ସମ୍ମାନ ମିଳୁନାହିଁ। ଯେଉଁ ନାରୀମାନେ ଘରର ଚାରିକାନ୍ଥ ଭିତରେ ରହି ନିଜ ପରିବାରର ଅସଂଖ୍ୟ କାର୍ଯ୍ୟ ହସିହସି ସୁଚାରୁରୂପେ ତୁଲାଇଥାନ୍ତି, ସେମାନେ କିଛି କରନ୍ତିନି ବୋଲି କଥାକଥାରେ କୁହାଯାଉଛି। ବାହାରେ ଚାକିରି, ବ୍ୟବସାୟ ବା ଅନ୍ୟକୌଣସି ସୂତ୍ରରେ ଆୟ କରୁଥିବା ମଣିଷମାନେ ‘କର୍ମଜୀବୀ’ ଓ ଘର ସମ୍ଭାଳୁଥିବା ନାରୀମାନେ ‘ବିଚାରୀ ଗୃହିଣୀ’ ଏପରି ବିଚାର କରାଯାଉଛି, ଯାହା ଏକାନ୍ତ ଭାବରେ ଭୁଲ୍।

ଘରର ଅସଂଖ୍ୟ କାର୍ଯ୍ୟ ଭିତରେ ଶ୍ରେଣୀବିଭାଗ କଲେ କାୟିକ କାର୍ଯ୍ୟ ବା ଶାରୀରିକ ପରିଶ୍ରମଜନିତ କାର୍ଯ୍ୟ ଅନେକ। ଘରକୁ ସଫା ରଖିବା ଠାରୁ ରୋଷେଇ ପର୍ଯ୍ୟନ୍ତ ଯାବତୀୟ କାମ ଅନେକ ଶକ୍ତି ଓ ସମୟ ନିଏ। ପୁଣି ପରିବାରର ସବୁ ସଦସ୍ୟଙ୍କର ଦାୟିତ୍ବ ନେବା ବି ଗୃହିଣୀମାନଙ୍କ କାମ। ଏସବୁ କାର୍ଯ୍ୟରେ ସେବକ ବା ସେବିକା ନିୟୋଜିତ ହୋଇଥିଲେ ସେମାନଙ୍କ କାମର ତତ୍ତ୍ୱାବଧାନରେ ଗୃହିଣୀ ଲାଗିଥାଆନ୍ତି। ଘରେ ବଗିଚାଟିଏ ଥିଲେ ସେଠାରେ ମଧ୍ୟ ଗୃହିଣୀଙ୍କର ଆଦରଯତ୍ନ ସର୍ବଦା ରହିଥାଏ। ଋତୁ ଅନୁଯାୟୀ ଫୁଲ, ଫଳ ଚାରା ଲଗେଇ ତାକୁ ଯତ୍ନ ନେବାଠୁ ଆରମ୍ଭକରି ଆବଶ୍ୟକତା ଅନୁସାରେ ସେସବୁ ତୋଳି ରଖିବା ବି ଗୃହିଣୀମାନଙ୍କ କାମ। ଏହାଛଡ଼ା ସବୁଠାରୁ ବଡ଼ ଦାୟିତ୍ୱ ହେଲା ରୋଷେଇ। ‘ଆଜି କ’ଣ ରନ୍ଧା ହେବ’ ଗୃହିଣୀମାନଙ୍କ ନିୟମିତ ମନ୍ତ୍ର। ଗୁରୁଜନ, ପତି, ପୁତ୍ର, କନ୍ୟା ତଥା ସେବକସେବିକାମାନଙ୍କ ଖାଦ୍ୟର ବନ୍ଦୋବସ୍ତ ଗୃହିଣୀଙ୍କୁ କରିବାକୁ ହୁଏ। ବଢୁଥିବା ବଜାରଦର ସହ ତାଳଦେଇ ପରିବାରର ଆୟ ତ ବଢ଼େନାହିଁ, ତେଣୁ ପରିବାର ଛୋଟ ହେଉ କି ବଡ଼ ଘରୋଇ ବଜେଟ୍‌ ଗୃହିଣୀମାନଙ୍କ ଦ୍ୱାରା ହିଁ ପ୍ରସ୍ତୁତ ହୁଏ। ପିଆଜର ଦାମ୍‌ ବଢ଼ିଲେ ସୋରିଷମସଲା ତରକାରୀ କରିବା ହେଉ କି ଆଳୁ ନ ମିଳିଲେ ଛୁଆକୁ ଭାତଡ଼ାଲି ଚକଟି ଖୁଆଇବା ହେଉ ଗୃହିଣୀ ସବୁ ସମସ୍ୟାର ସମାଧାନ ନିଜ ଉପସ୍ଥିତ ବୁଦ୍ଧି ତଥା କାର୍ଯ୍ୟକୁଶଳତା ଦ୍ୱାରା ତୁଲେଇନିଅନ୍ତି। ତେଲଲୁଣର ହିସାବ ହିଁ ପରିବାରର ଆର୍ଥିକ ସ୍ଥିତି ନିର୍ଦ୍ଧାରଣ କରେ। ଗରିବ, ମଧ୍ୟବିତ୍ତ ଓ ଧନୀ ସବୁପ୍ରକାର ପରିବାରରେ ବିବାହ, ବ୍ରତାଦି ଉତ୍ସବ ଲାଗି ରହିଥାଏ। ସବୁ ଜାଗାରେ ନିଜ କ୍ଷମତାକୁ ଚାହିଁ ଭାରବେଭାର ଦେବାକୁ ହୁଏ। ଏଥିପାଇଁ ଯେଉଁ ଅଧିକା ଆର୍ଥିକ ବୋଝ ପଡ଼େ ତାହା କୁଶଳୀ ଗୃହିଣୀ ନିଜ ସ୍ୱଳ୍ପ ସଞ୍ଚୟରୁ ଯୋଗାଡ଼ କରେ। ପରିବାରର ମାନସମ୍ମାନ ରକ୍ଷାରେ ଗୃହିଣୀମାନଙ୍କ ଅବଦାନ ଅତୁଳନୀୟ।

ଘରୋଇ ଆସବାବପତ୍ର ହେଉ ବା ଲୁଗାପଟା, ଗୃହିଣୀଙ୍କ ରୁଚି ଓ ପସନ୍ଦ ଅନୁସାରେ ଆସେ। ଏଥିପାଇଁ ଅନେକ ତର୍କବିତର୍କ ବି ହୁଏ; ଗୃହିଣୀ ଜଣେ ବରିଷ୍ଠ ବିଚାରକ ପରି ନିଷ୍ପତ୍ତି ନିଅନ୍ତି। ପୁଅଝିଅଙ୍କ ବାହାଘର ଠିକ୍‌ ହେଲାପରେ ଗୃହିଣୀମାନଙ୍କ କାମ ବହୁତ ବଢ଼ିଯାଏ। ମାଆ ଟେ ନଥିଲେ କିଏ ସଜାଡ଼ନ୍ତା ଝିଅଭାର! କିଏ ରଖନ୍ତା ବୋହୁର ବରଣଡ଼ାଲା! ଦାଣ୍ଡକୁ ବାପା ଘରକୁ ମା’ ନଥିଲେ ପିଲାଏ କେମିତି ଚଳନ୍ତେ ନୂଆଜୀବନର ଦିନସବୁ! ଘରର ପରିବେଶକୁ ଶାନ୍ତ ତଥା ସୁସଂହତ ରଖିବାରେ ଗୃହିଣୀଙ୍କ ମାନସିକ ସ୍ଥିରତା ଓ କୋମଳତା ହିଁ ଚୁମ୍ବକ ପରି କାର୍ଯ୍ୟ କରେ। ଜଣେ ବାହାରେ ଯେତେ ଆରାମରେ ବୁଲିଲେ ବି ଘରକୁ ଫେରିଲେ ହିଁ ସୁଖ ଅନୁଭବ କରେ। ଘର ପରି ସୁନ୍ଦର ସ୍ଥାନ କେଉଁଠି ନାହିଁ କହିଲାବେଳେ ଆମେ ପ୍ରକାରାନ୍ତରେ ଗୃହିଣୀଙ୍କ ପରିଚାଳନା ଓ ବ୍ୟବସ୍ଥାର ପ୍ରଶଂସା ହିଁ କରିଥାଉ। ପିଲାଙ୍କ ପରୀକ୍ଷା ହେଉ ବା ସ୍ୱାମୀଙ୍କ ବିଦେଶଗସ୍ତ, ସବୁ ଆକସ୍ମିକ ପରିସ୍ଥିତିରେ ଗୃହିଣୀ ହିଁ ନିର୍ଣ୍ଣୟ ନିଅନ୍ତି। ଅର୍ଥାତ୍‌ ଗୃହିଣୀଙ୍କ ବିନା ଏସବୁ ଅସମ୍ଭବ।

ପରିବାରରେ ଅସୁସ୍ଥ ବୟସ୍କ ଗୁରୁଜନ ବା କୋମଳ ନବଜାତକଟିଏ ଥିଲେ ଗୃହିଣୀଙ୍କ ବିନା ସେ ପରିସ୍ଥିତିର କଳ୍ପନା କରାଯାଇପାରେନା। ଔଷଧଠୁ ଆରମ୍ଭକରି ସେମାନଙ୍କ ଗାଧୁଆ, ବିଛଣା ପ୍ରସ୍ତୁତ କରିବା ଆଦି କାମ ଯାଏ ବିଶ୍ରାମବିହୀନ ଭାବେ ଖଟୁଥାଆନ୍ତି। ଏହା ବ୍ୟତୀତ ସବୁ ସାମାଜିକ ଉତ୍ସବାନୁଷ୍ଠାନରେ ଗୃହିଣୀମାନଙ୍କ ଉପସ୍ଥିତି ଅପରିହାର୍ଯ୍ୟ। ହିନ୍ଦୁ ଧର୍ମରେ ଧର୍ମପତ୍ନୀଙ୍କ ବିନା କୋୖଣସି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେନା। ଖାଲି ପରିବାର କାହିଁକି, ଦେଶର ଭାବୀ ନାଗରିକ ଗଠନ ପାଇଁ ସବୁ ଗୃହିଣୀ ସନ୍ତାନମାନଙ୍କୁ ପ୍ରଥମ ଶିକ୍ଷୟିତ୍ରୀ ଭାବେ ଘରେ ହିଁ ପାଠ ପଢ଼ାଇ ସେ ଉଦ୍ୟମ ଆରମ୍ଭ କରିଥାଆନ୍ତି। ମା’ ଟିଏ ଯେତେ ଅପାଠୁଆ ହେଲେ ବି ନିଜ ପିଲାଙ୍କୁ ଭଲ ପଢ଼ିବାକୁ ଓ ନିଜ ମନପସନ୍ଦର କାମ କରି‌ବାକୁ ସର୍ବଦା ପ୍ରେରଣା ଦେଇଚାଲିଥାଏ। ପେଟରେ ଓଦାକନା ପକେଇ ପିଲାଙ୍କୁ ମଣିଷ କରିବାରେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିବା ଗୃହିଣୀ କେବେ ହେଲେ ନିଜପାଇଁ ଶିରିପା ଚାହେନି। ସମସ୍ତଙ୍କୁ ଭଲରେ ରଖିବାର ଚେଷ୍ଟାରେ ନିଜ ହାଡ଼କୁ ଚନ୍ଦନକାଠ କରି ଘୋରୁଥାଏ। ପ୍ରତି ଘରେ ଥାଆନ୍ତି ସିଦ୍ଧ ଯୋଗିନୀ ପରି ଜଣେ ଜଣେ ସମର୍ପିତା ମାଆ। ସେମାନଙ୍କ ଋଣ କେହିବି ଶୁଝିପାରେନି। ବାହାରେ କାମ କରୁଥିବା ସ୍ତ୍ରୀ ପରି ଘରେ ରହି ଘରର ତମାମ୍‌ ସୁଖଦୁଃଖରେ ସାମିଲ ଗୃହିଣୀ ସବୁବେଳେ ସମାଜର ମୁଖ୍ୟସ୍ରୋତର ଆଦ୍ୟ ଉତ୍ସ। ଅନ୍ତର୍ଜାତୀୟ ମହିଳାଦିବସ ଉପଲକ୍ଷେ ନାନାଦି କାର୍ଯ୍ୟକ୍ରମ ହେଉଥିବା ବେଳେ ଏସବୁଠାରୁ ଦୂରରେ ଥାଇ ଘର ଗଢ଼ିବାରେ ମନପ୍ରାଣ ଢାଳିଦେଇଥିବା ସବୁ ଗୃହିଣୀ, ସବୁ ମାଆମାନଙ୍କୁ ଆମର ସଶ୍ରଦ୍ଧ ପ୍ରଣାମ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.