Breaking News

ଘରେ ପଶି ମହିଳାଙ୍କୁ ଖଣ୍ଡାରେ ହାଣିଲେ

ଗତକାଲି ବିଳମ୍ବିତ ରାତିରେ ସାଲିଆସାହି ନୟାଗଡ଼ବସ୍ତିରେ ଦୁର୍ବୃତ୍ତମାନେ ଭୟଙ୍କର କାଣ୍ଡ ଭିଆଇଛନ୍ତି। ପ୍ରାୟ ୭/୮ଜଣ ଦୁର୍ବୃତ୍ତ ରୀନା ମହାନ୍ତି(୩୫)ଙ୍କ ଘରେ ପଶି ତାଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି।

ଚନ୍ଦ୍ରଶେଖରପୁର: ଗତକାଲି ବିଳମ୍ବିତ ରାତିରେ ସାଲିଆସାହି ନୟାଗଡ଼ବସ୍ତିରେ ଦୁର୍ବୃତ୍ତମାନେ ଭୟଙ୍କର କାଣ୍ଡ ଭିଆଇଛନ୍ତି। ପ୍ରାୟ ୭/୮ଜଣ ଦୁର୍ବୃତ୍ତ ରୀନା ମହାନ୍ତି(୩୫)ଙ୍କ ଘରେ ପଶି ତାଙ୍କୁ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ସୌଭାଗ୍ୟକୁ ରୀନା ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏବେ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଏହି ଆକ୍ରମଣ ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ଦୁର୍ବୃତ୍ତମାନେ ରୀନାଙ୍କ ପୁଅ ରାହୁଲ୍‌କୁ ଆକ୍ରମଣ କରିବାକୁ ଆସିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ମାମଲାରେ ମୈତ୍ରୀବିହାର ଥାନା ପୁଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜଧାନୀରେ ପୁଲିସ ପହରା କଡ଼ାକଡ଼ି ଚାଲିଛି। ପ୍ରବାସୀ ଭାରତୀୟ ସମ୍ମଳିନୀ ପାଇଁ ସହର ସାରା ପୁଲିସର ବ୍ଲକିଂଚେକିଂ ଚାଲିଛି। ଅଥଚ ଏମିତି ସମୟରେ ଦୁର୍ବୃତ୍ତମାନେ ରାତିରେ ଭୟଙ୍କର କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି। ତେଣୁ ଘଟଣାଟି ଆଜି ରାଜଧାନୀରେ ଅଲୋଡନ ସୃଷ୍ଟି କରିଛି।

ଗତକାଲି ରାତିରେ ରୀନା ତାଙ୍କ ଛୋଟ ଝିଅ ସହ ଘରେ ଥିଲେ। ତାଙ୍କ ସ୍ବାମୀ ଓ ପୁଅ ରାହୁଲ୍‌ ଘରେ ନଥିଲେ। ସେମାନେ ସେମାନଙ୍କ କାମ ଉପରେ ରାତି ଡ୍ୟୁଟିରେ ଥିଲେ। ରାତି ପ୍ରାୟ ୧ଟା ବେଳେ ୩ ବାଇକ୍‌ରେ ୭/୮ଜଣ ଯୁବକ ତାଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ଶୀତ ପୋଷାକ(ଜ୍ୟାକେଟ୍‌) ଓ ମଙ୍କି କ୍ୟାପ୍‌ ପିନ୍ଧିଥିଲେ ଏବଂ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ରରେ ସଜ୍ଜିତ ହୋଇଥିଲେ। ସେମାନେ ‘ରାହୁଲ, ରାହୁଲ୍‌’ ବୋଲି ଡାକି କବାଟ ବାଡ଼େଇଥିଲେ। ପାଟି ଶୁଣି ରୀନା କବାଟ ଖୋଲିଥିଲେ। ସେ କବାଟ ଖୋଲୁ ନ ଖୋଲୁଣୁ ଦୁର୍ବୃତ୍ତମାନେ ତାଙ୍କୁ ଠେଲି ଦେଇ ଘର ଭିତରକୁ ଧସେଇ ପଶିଥିଲେ। ରାହୁଲଙ୍କୁ ଖୋଜିବାକୁ ଯାଇ ଘର ଭିତରେ ଦରାଣ୍ଡି ପକାଇଥିଲେ। ରୀନା ପ୍ରତିବାଦ କରିବାରୁ ହଠାତ୍ ୨ଜଣ ତାଙ୍କୁ ଖଣ୍ଡାରେ ହାଣି ପକାଇଥିଲେ। ମୁଣ୍ଡକୁ ଛାଡ଼ି ସେମାନେ ହାତ, ଗୋଡ଼ ଆଦି ଶରୀରର ଅନ୍ୟ ଅଂଶକୁ ହାଣି ପକାଇଥିଲେ। ପ୍ରାୟ ୧୦/୧୨ ଚୋଟ ପଡ଼ିବା ପରେ ରୀନା ଘର ଚଟାଣରେ ପଡ଼ିଯାଇଥିଲେ। ଏହାଦେଖି ତାଙ୍କ ଛୋଟ ଝିଅଟି ବଡ଼ପାଟିରେ କାନ୍ଦିବାରୁ ଜଣେ ଦୁର୍ବୃତ୍ତ ତାକୁ ଉଠାଇ ରାସ୍ତାକୁ ଫୋପାଡ଼ି ଦେଇଥିଲା।

ଏହ‌ାପରେ ଦୁର୍ବୃତ୍ତମାନେ ପଳାଇଥିଲେ। ରୀନା ବଡ଼କଷ୍ଟରେ ଦାଣ୍ଡକୁ ଘୁଷୁରି ଘୁଷୁରି ଆସି ଝିଅକୁ ଧରି ଡାକ ପକାଇଥିଲେ। ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ପଡ଼ୋଶୀମାନଙ୍କୁ ଦେଖିବା ପରେ ରୀନା ସଜ୍ଞାହୀନ ହୋଇଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରୀନାଙ୍କୁ ଦେଖି ପଡ଼ୋଶୀମାନେ ସ୍ତବ୍ଧ ହୋଇଯାଇଥିଲେ। ଘର ଭିତର ସାରା ରକ୍ତ ପଡ଼ିଥିଲା। ତୁରନ୍ତ ସେମାନେ ରୀନାଙ୍କ ସ୍ବାମୀ ଓ ପୁଅ ରାହୁଲକୁ ଫୋନ୍‌ କରିଥିଲେ। ବାପ-ପୁଅ ପହଞ୍ଚିବା ପରେ ରୀନାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ସେଠାରୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ଏମ୍‌ସରେ ଚିକିତ୍ସା ପରେ ତାଙ୍କର ସଜ୍ଞା ଫେରିଥିଲା। ପୁଲିସକୁ ସେ ପୁନିଆ, ବାସୁ ଓ ବାଟୁ ଏମିତି ୩ଜଣଙ୍କ ନାଁ କହିଥିବା ଜଣାପଡ଼ିଛି। ଅନ୍ୟମାନଙ୍କୁ ସେ ଚିହ୍ନିପାରିନାହାନ୍ତି। ପୁଲିସ ଆଜି ବାଟୁ, ବାସୁ ଓ ପୁନିଆ ଘରେ ଚଢ଼ଉ କରିଥିଲା, କିନ୍ତୁ ସେମାନଙ୍କ ପତ୍ତା ମିଳି ନଥିଲା। ଏନେଇ ରାହୁଲ କିଛି କହିପାରିନାହାନ୍ତି। ବାଟୁ, ବାସୁ ଓ ପୁନିଆଙ୍କ ସହ ତାଙ୍କର କି ପ୍ରକାରର ଶତ୍ରୁତା ରହିଛି, କ’ଣ ପାଇଁ ସେମାନେ ତାଙ୍କୁ ଟାର୍ଗେଟ୍‌ କରିଥିଲେ, ସେବାବଦରେ ରାହୁଲ୍‌ ମୁହଁ ଖୋଲିନାହାନ୍ତି। କିନ୍ତୁ ଦୁର୍ବୃତ୍ତମାନଙ୍କ ରାଗରୁ ଜଣାପଡ଼ୁଛି କି ଘଟଣା ସମୟରେ ରାହୁଲ୍‌ ଘରେ ଥିଲେ, ବଡ଼ଧରଣର ଅଘଟଣ ଘଟିବା ନିଶ୍ଚିତ ଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.