ଅର୍ଥନୀତି

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ କରି ଯେତେବେଳେ ଜଣେ ବ୍ୟକ୍ତି ବ୍ୟାଙ୍କର ସମସ୍ତ ଯୋଗ୍ୟତା ପୂରଣ କରିପାରନ୍ତି ନାହିଁ, ସେତେବେଳେ ଏହା ବହୁତ ସହାୟକ ହୋଇଥାଏ। ତେବେ ଏହାର ଯେତିକି ସୁବିଧା ଅଛି, କିଛି ଅସୁବିଧା ମଧ୍ୟ ରହିଛି। ଆସନ୍ତୁ ଜାଣିବା ’ଜଏଣ୍ଟ ହୋମ ଲୋନ’ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

ଜଏଣ୍ଟ ହୋମ ଲୋନ କ’ଣ?
ଯେତେବେଳେ ଦୁଇ ବା ତା’ଠାରୁ ଅଧିକ ବ୍ୟକ୍ତି ଏକାଠି ଏକ ସମ୍ପତ୍ତି କିଣିବା ପାଇଁ ଋଣ ନିଅନ୍ତି, ତାହାକୁ ଜଏଣ୍ଟ ହୋମ ଲୋନ କୁହାଯାଏ। ସାଧାରଣତଃ ସ୍ବାମୀ-ସ୍ତ୍ରୀ, ପିତାମାତା-ସନ୍ତାନ କିମ୍ବା ଭାଇ-ଭଉଣୀ ମିଶି ଏହି ଋଣ ନେଇଥାନ୍ତି। ଏଥିରେ ସମସ୍ତ ଆବେଦନକାରୀ ଋଣ ପରିଶୋଧ ପାଇଁ ସମାନ ଭାବେ ଦାୟୀ ରୁହନ୍ତି।

ଜଏଣ୍ଟ ହୋମ ଲୋନ୍‌ର ପ୍ରମୁଖ ଲାଭ:
ଅଧିକ ଋଣ ରାଶି: ଦୁଇଜଣଙ୍କର ଆୟକୁ ମିଶାଇ ବ୍ୟାଙ୍କ ଅଧିକ ଟଙ୍କାର ଋଣ ମଞ୍ଜୁର କରିଥାଏ। ଫଳରେ ଆପଣ ଏକ ଭଲ ଘର କିଣିବାକୁ ସକ୍ଷମ ହୁଅନ୍ତି।
ଟିକସରେ ଦୁଇଗୁଣା ଫାଇଦା: ଯଦି ଦୁଇଜଣ ସହ-ଆବେଦନକାରୀ ଘରର ମାଲିକ ହୋଇଥାନ୍ତି, ତେବେ ଆୟକର ଅଧିନିୟମର ଧାରା ୮୦C ଏବଂ ୨୪ ଅନୁଯାୟୀ ଉଭୟ ଅଲଗା ଅଲଗା ଟ୍ୟାକ୍ସ ରିହାତି ପାଇପାରିବେ।
ସୁଧ ହାରରେ ରିହାତି: ଅନେକ ବ୍ୟାଙ୍କ ମହିଳା ସହ-ଆବେଦନକାରୀଙ୍କ କ୍ଷେତ୍ରରେ ସୁଧ ହାରରେ କିଛିଟା ଛାଡ଼ ପ୍ରଦାନ କରନ୍ତି, ଯାହାଦ୍ୱାରା EMI ପରିମାଣ କମିଯାଏ।
EMI ର ବୋଝ ହ୍ରାସ: ମାସିକ କିସ୍ତି ବା EMI ର ଦାୟିତ୍ୱ ଦୁଇଜଣଙ୍କ ମଧ୍ୟରେ ବାଣ୍ଟି ହୋଇଯାଉଥିବାରୁ ଜଣଙ୍କ ଉପରେ ଆର୍ଥିକ ଚାପ ପଡ଼େ ନାହିଁ।

ସମ୍ଭାବ୍ୟ କ୍ଷତି ବା ଅସୁବିଧା:
କ୍ରେଡିଟ ସ୍କୋର ଉପରେ ପ୍ରଭାବ: ଯଦି ଜଣେ ସହ-ଆବେଦନକାରୀ କୌଣସି କାରଣରୁ EMI ଦେଇପାରନ୍ତି ନାହିଁ, ତେବେ ଅନ୍ୟଜଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଭରିବାକୁ ପଡ଼େ। ଏହା ବ୍ୟତୀତ, କିସ୍ତି ଦେବାରେ ଖିଲାପ ହେଲେ ଉଭୟଙ୍କ କ୍ରେଡିଟ ସ୍କୋର (CIBIL) ଖରାପ ହୋଇଥାଏ।
ସମ୍ପର୍କରେ ତିକ୍ତତା: ଚାକିରି ଚାଲିଯିବା କିମ୍ବା ପାରିବାରିକ ବିବାଦ ଦେଖାଦେଲେ ଋଣ ପରିଶୋଧ କରିବା ଜଟିଳ ହୋଇପାରେ।
ମାଲିକାନା ବିବାଦ: ସମ୍ପତ୍ତିର ଭାଗକୁ ନେଇ ଯଦି ପୂର୍ବରୁ ସ୍ପଷ୍ଟ ଚୁକ୍ତି ହୋଇନଥାଏ, ତେବେ ଭବିଷ୍ୟତରେ ଆଇନଗତ ସମସ୍ୟା ଉପୁଜିପାରେ।

ତେବେ ଜଏଣ୍ଟ ହୋମ ଲୋନ୍‌ ନେବା ପୂର୍ବରୁ ସହ-ଆବେଦନକାରୀଙ୍କ ସହ ସମସ୍ତ ସର୍ତ୍ତ ଏବଂ ଭବିଷ୍ୟତର ଯୋଜନା ବିଷୟରେ ଲିଖିତ ଭାବେ ସ୍ପଷ୍ଟ କରିନେବା ଉଚିତ।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button