Breaking News

ଚନ୍ଦକା ମଳିପଡ଼ାରେ ଗୁଳି ଓ ବୋମାମାଡ଼: ଜଣେ ଗୁରୁତର, ୫ରୁ ଅଧିକ ଆହତ, ସରକାରୀ ଜମି ବିକୁଥିବା ମାଫିଆଙ୍କ ଆତଙ୍କରାଜ

ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମଳିପଡ଼ା ଅଞ୍ଚଳରେ ସରକାରୀ ଜମି ବିକୁଥିବା ମାଫିଆଙ୍କ ଆତଙ୍କରାଜ ଆଜି ସୀମା ଲଂଘନ କରିଛି। ସେମାନଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆଜି ମାଫିଆମାନେ ଗୁଳିମାଡ଼ କରିବା ସହ ବୋମାମାଡ଼ କରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି।

ଭୁବନେଶ୍ବର/ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମଳିପଡ଼ା ଅଞ୍ଚଳରେ ସରକାରୀ ଜମି ବିକୁଥିବା ମାଫିଆଙ୍କ ଆତଙ୍କରାଜ ଆଜି ସୀମା ଲଂଘନ କରିଛି। ସେମାନଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆଜି ମାଫିଆମାନେ ଗୁଳିମାଡ଼ କରିବା ସହ ବୋମାମାଡ଼ କରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ଗୁଳିମାଡ଼ରେ ସୋମନାଥ ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ସେହିଭଳି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ପାଖାପାଖି ୬ଜଣ ଆହତ ହୋଇଛନ୍ତି। ଚନ୍ଦକା ଥାନା ପୁଲିସ ଗୁଳିମାଡ଼ରେ ଆହତ ସୋମନାଥଙ୍କ ସହ ଅନ୍ୟ ୫ଜଣଙ୍କୁ ଡାକ୍ତରଖାନା ପଠାଇଛି। ପୁଲିସ ମାମଲା ରୁଜୁ କରି ୩ଜଣଙ୍କୁ ଅଟକ ରଖିଥବା ସୂଚନା ମିଳିଛି। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ସେଠାରେ ପୁଲିସ ମୁତୟନ କରାଯାଇଛି।

ସୂଚନା ମୁତାବକ ଭରତପୁର ଥାନା ଶ୍ୟାମପୁର ପଣ୍ଡାକୁଦିଆ ଓ ଚନ୍ଦକା ଥାନା ମଳିପଡ଼ା ମୌଜାରେ ଥିବା ଶହଶହ ଏକର ସରକାରୀ ଜମିକୁ କିଛି ଜବରଦଖଲକାରୀ କବ୍‌ଜା କରିନେଇଥିଲେ। ପରେ ସେମ‌ାନେ ଏହି ଜମିକୁ ବିକି ଦେଉଥିଲେ। ଏନେଇ ସେହି ଅଞ୍ଚଳର ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗୋଚର ଜମି ହ୍ରାସ ପାଉଥିବାରୁ ସ୍ଥାନୀୟ ଲୋକେ ମାଫିଆମାନଙ୍କୁ ବିରୋଧ କରିଆସୁଥିଲେ। ଏମିତିକି ଏନେଇ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା। ମାତ୍ର କିଛି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକେ ଜବରଦଖଲକାରୀ ତଥା ମାଫିଆମାନଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଥିଲେ। ଆଜି ଅପରାହ୍ଣ ପାଖାପାଖି ୩ଟା ସମୟରେ ମଳିପଡ଼ାସ୍ଥିତ ସରକାରୀ ଜମିରେ ମାଫିଆ ଗୋଷ୍ଠୀର କିଛି ସଦସ୍ୟ ସରକାରୀ ଜମି ବିକ୍ରି ପାଇଁ ଡିଲ୍‌ କରୁଥିଲେ। ଏତିକିବେଳେ ବିରୋଧୀ ଗୋଷ୍ଠୀର ସଦସ୍ୟମାନେ ପହଞ୍ଚି ଜମି କିଣାବିକାକୁ ବିରୋଧ କରିଥିଲେ। ଫଳରେ ଉଭୟ ‌ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ହୋଇଥିଲା। ଖବର ପାଇ ଉଭୟ ଗୋଷ୍ଠୀର ସମର୍ଥକମାନେ ସେଠାରେ ପହଞ୍ଚିଥ‌ିଲେ। ମାଫିଆ ‌ଗୋଷ୍ଠୀର ସଂଖ୍ୟା କମ୍‌ ଥିବାରୁ ସେମାନେ ବିପକ୍ଷ ଗୋଷ୍ଠୀକୁ ମୁକାବିଲା କରିପାରି ନଥିଲେ। ତେଣୁ ସେମାନେ ଅତର୍କିତ ଭାବେ ବୋମାମାଡ଼ ଓ ଗୁଳି ଚାଳନା କରିଥିଲେ। ପାଖାପାଖି ୧୫ ବୋମା ବିସ୍ଫୋରଣ ହୋଇଥିଲା। ସେହିଭଳି ଗୁଳିମାଡ଼ରେ ସୋମନାଥ ଆହତ ହୋଇଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.