ସାଧାରଣ ଜୀବନରେ ଏମାନେ ଅସାଧାରଣ। ନିଜର ବୃତ୍ତିଗତ ଦକ୍ଷତା ହେଉ ବା ପରୋପକାର ଗୁଣ କାରଣରୁ ହେଉ, ଏମାନେ ନିଜ ନିଜ ଅଞ୍ଚଳରେ ଜଣେ ଜଣେ ଚର୍ଚ୍ଚିତ ନାୟକ। ଏମାନଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟ ସାଧାରଣ ଦିଶିଲେ ମଧ୍ୟ ଜୀବନରେ ସେମାନେ ଏକ ଆଦର୍ଶ ସୃଷ୍ଟି କରିଥାନ୍ତି। ଏହି ଲୋକମାନଙ୍କର ଜୀବନ ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦିଏ – ସାଧାରଣ କାମ ମାଧ୍ୟମରେ ମଧ୍ୟ ଆମେ ଅସାଧାରଣ ହୋଇପାରିବା। ଆସନ୍ତୁ ଜାଣିବା ଆମ ଅଞ୍ଚଳର ଏହି ହିରୋମାନଙ୍କୁ।

ସବୁଜ ମଣିଷ ସୁଧୀର, ଲଣ୍ଡାପାହାଡ଼କୁ କରିଛନ୍ତି ସବୁଜସୁନ୍ଦର

ବ୍ରହ୍ମପୁର: ବୟସ ୬୦ ଛୁଇଁଲାଣି। ତଥାପି ଥକି ନାହାନ୍ତି। ମାନବ ସମାଜର ସୁରକ୍ଷା ପାଇଁ ନିଜ କାନ୍ଧରେ ପରିବେଶ ସୁରକ୍ଷା ଦାୟିତ୍ବ ଉଠାଇଛନ୍ତି। ଇଏ ହେଲେ ବ୍ରହ୍ମପୁର ସହରର ପରିଚିତ ବ୍ୟକ୍ତିତ୍ବ ସୁଧୀର ରାଉତ। ଯାହାଙ୍କୁ ବ୍ରହ୍ମପୁର ସହରବାସୀ ‘ସବୁଜ ମଣିଷ’ ଭାବେ ଜାଣନ୍ତି। ୧୫ବର୍ଷରୁ ଅଧିକ ସମୟ ହେଲା ସେ ବୃକ୍ଷରୋପଣକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ପ୍ଲାଷ୍ଟିକ୍‌ ବର୍ଜନ ସହିତ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି।

୨୦୦୩ରେ ସୁଧୀର ଆନ୍ଧ୍ରର ବିଜୟୱାଡ଼ାରେ ଏକ କଲେଜରେ ଅଧ୍ୟାପନା କରୁଥିବା ବେଳେ ବୃକ୍ଷରୋପଣ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ସେ ଯେଉଁ କଲେଜରେ ଅଧ୍ୟାପନା କରୁଥିଲେ ସେଠାରେ ଗଛ ଛାଇ ଟିକିଏ ମିଳିବା କଷ୍ଟକର ହୋଇ ପଡ଼ିଥିଲା। ଏଥିପାଇଁ ସେ ବୃକ୍ଷରୋପଣ ଆରମ୍ଭ କରି କଲେଜ କ୍ୟାମ୍ପସ୍‌କୁ ସବୁଜ ସୁନ୍ଦର କରିଥିଲେ। ଏହା ପରେ ଆରମ୍ଭ କରିଥିଲେ ଚାରାରୋପଣ ଅଭିଯାନ। ଓଡ଼ିଶା ଫେରି ୨୦୦୭ରେ ସୁଧୀର ପ୍ରଥମେ କିଛି ଆନ୍ଧ୍ର ବେପାରୀଙ୍କଠାରୁ ଚାରା କିଣି ନିଜ ଗାଁ ଚିକିଟି ବ୍ଲକ୍‌ ମାଧବନ୍ଧ ଗ୍ରାମର ଏକ ବନ୍ଧହୁଡ଼ା ଓ ମନ୍ଦିର ଚାରିପଟେ ବୃକ୍ଷରୋପଣ କରିଥିଲେ। ‘ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍‌’ ଗଠନ କରିବା ପରେ ବହୁ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ଏହି ଅଭିଯାନକୁ ତ୍ବରାନ୍ବିତ କରିଥିଲେ। ୨୦୧୦ରେ ନିଜସ୍ବ ଉଦ୍ୟମରେ ‘ସବୁଜ ରଥ’ ଶୁଭାରମ୍ଭ କରି ଗଞ୍ଜାମ ଜିଲ୍ଲାର ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ପଲିଥିନ୍‌ ଓ ପ୍ଲାଷ୍ଟିକମୁକ୍ତ ପରିବେଶ ଗଠନ କରିବାକୁ ଆହ୍ବାନ ଦେଇଥିଲେ। ୨୦୧୬ରେ ପିତାତଳି ପଞ୍ଚାୟତରେ ‘ଗ୍ରାମ୍ୟ ଜଙ୍ଗଲ’ ନାମରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମାଧବନ୍ଧ, ପିତାତଳି ଓ ପଲସରା ଗାଁର ପ୍ରାୟ ୨୫ ଏକର ପରିମିତ ଟାଙ୍ଗରା ପଡ଼ିଆରେ ଚାରା ରୋପଣ କରି ଏହାକୁ ସବୁଜ ସୁନ୍ଦର କରିଥିଲେ। ପରେ ଲଣ୍ଡା ପାହାଡ଼କୁ ସବୁଜମୟ କରିବାକୁ ମନସ୍ଥ କରିଥିଲେ ସୁଧୀର। ଗିରିସୋଲା ନିକଟରେ ରହିଥିବା ଏକ ଲଣ୍ଡା ପାହାଡ଼ର ବିଭିନ୍ନ ସ୍ଥାନରେ ମାଟି ଖୋସି ପ୍ରାୟ ଦେଢ଼ଲକ୍ଷ ମଞ୍ଜି ୧୦ ଜଣ ମୂଲିଆ ଓ ‌ସ୍ବେଚ୍ଛାସେବୀଙ୍କ ସହଯୋଗରେ ପୋତା ଯାଇଥିଲା। ବର୍ତ୍ତମାନ ସେହି ଲଣ୍ଡା ପାହାଡ଼ ସବୁଜବନାନୀରେ ପରିଣତ ହେବା ସହିତ ଅନେକ ପଶୁପକ୍ଷୀ ଓ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୧୫ଟି ଲଣ୍ଡା ପାହାଡ଼କୁ ସବୁଜମୟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସୁଧୀର। ଅଧିକାଂଶ ଦିନ ତାଙ୍କୁ ବ୍ରହ୍ମପୁର ସହରର ବିଭିନ୍ନ ଛକରେ ସକାଳୁ ସଚେତନତା ବାର୍ତ୍ତା ଲେଖା ହୋଇଥିବା ପ୍ଲାକାର୍ଡ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳେ। ରାସ୍ତାରେ ଯାଉଥିବା ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ବୁଝାଇବା ସହିତ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥାନ୍ତି। ସୁଧୀରଙ୍କ ଏହି ଅଭିଯାନରେ ସାଧାରଣ ଲୋକ ମଧ୍ୟ ଯୋଡ଼ି ହୋଇଛନ୍ତି।

ରକ୍ତ ପାଇଁ ଖୋଜାପଡ଼ନ୍ତି ଆଲୋକ

ଜଗତସିଂହପୁର: ଯେତେବେଳେ ରକ୍ତ ଦରକାର ପଡ଼େ ସେତେବେଳେ ତାଙ୍କୁ ଖୋଜା ପଡ଼େ। ଜଗତସିଂହପୁର ଜିଲ୍ଲାରେ ରକ୍ତଦାନ ଅଭିଯାନର ଜଣେ ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ଆଲୋକ ରଞ୍ଜନ ଦାସ। କେବଳ ରକ୍ତ ନୁହେଁ, ସାମାଜିକ ସେବା, ପରିବେଶ ସୁରକ୍ଷା, ସ୍ବଚ୍ଛତା ଦିଗରେ ମଧ୍ୟ କାମ କରନ୍ତି ଆଲୋକ। ଆଲୋକଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ଗରାମ ପଞ୍ଚାୟତରେ। ବୃତ୍ତିରେ ଶିକ୍ଷକ, କିନ୍ତୁ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ରକ୍ତଦାନ-ଜୀବନଦାନକୁ ପାଥେୟ କରି ପ୍ରଥମେ ନିଜେ ୨୦୦୮ରେ ରକ୍ତଦାନ ଆରମ୍ଭ କରିଥିଲେ। ଏହି ୧୬ ବର୍ଷ ଭିତରେ ସେ ରକ୍ତଦାନରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଦ୍ୟାବଧି ସେ ୫୨ ଥର ରକ୍ତଦାନ କରି ସାରିଲେଣି। ବିଭିନ୍ନ ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ, ଅନୁଷ୍ଠାନ ସହ ଯୋଡ଼ି ହୋଇ ସେ ରକ୍ତଦାନ ଶିବିର ଆୟୋଜନ କରିବା ସହ ରକ୍ତଦାନର ମହତ୍ତ୍ବ ସମ୍ପର୍କରେ ସଚେତନତା ମଧ୍ୟ କରୁଛନ୍ତି। ଜିଲ୍ଲାରେ କରୋନା ସମୟରେ ଅକ୍ସିଜେନ୍‌ ଯୋଗାଇ ଚର୍ଚ୍ଚାକୁ ଆସିଥିଲେ ଆଲୋକ। କରୋନା ପୀଡ଼ିତ ଗୁରୁତର ରୋଗୀଙ୍କ ଅକ୍ସିଜେନ୍‌ ଆବଶ୍ୟକତା ଥିବା ବେଳେ ଆଲୋକ ଓ ତାଙ୍କ ସହଯୋଗୀମାନେ ଅକ୍ସିଜେନ୍ ଏକ୍ସପ୍ରେସ୍‌ କରି ସିଲିଣ୍ଡର ଯୋଗାଉଥିଲେ। ଏପରିକି ରାସ୍ତାରେ ବୁଲୁଥିବା ଅସହାୟ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଥିଲେ। ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସେ ପ୍ରଶଂସା ସାଉଁଟିଥିଲେ। ଆଲୋକ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରୁଛନ୍ତି। ଅଙ୍ଗଦାନ କରି କେମିତି ଏକାଧିକ ଲୋକଙ୍କ ଜୀବନ ବଞ୍ଚାଇ ହେବ, ସେ ନେଇ ଶିବିର ଆୟୋଜନ କରି ସଚେତନତା ସୃଷ୍ଟି କରୁଛନ୍ତି। ଆଲୋକ କହିଛନ୍ତି, ଏ ସବୁ କାର୍ଯ୍ୟ ଏକୁଟିଆ ନୁହେଁ; ବରଂ ସମସ୍ତଙ୍କ ସହଯୋଗ ଓ ସହାୟତାରେ ସମ୍ଭବ ହୋଇପାରୁଛି। ଗୋଟିଏ କାର୍ଯ୍ୟ ପଛରେ ସମସ୍ତଙ୍କର ସହଯୋଗ ଓ ଆଶୀର୍ବାଦ ରହିଛି। ନିଜର ସାମାଜିକ ପ୍ରତିଶ୍ରୁତିବଦ୍ଧତା ପାଇଁ ଆଲୋକ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

ଅସହାୟଙ୍କ ଶେଷ ଆଶା ଚିନ୍ମୟୀ

ଅନୁଗୁଳ: ସେମିତି କିଛି ଚିହ୍ନା, ପରିଚୟ ନାହିଁ। ହେଲେ କାହାର କେଉଁଠି ଅସୁବିଧା ଖବର ପାଇଲେ ବିନା ଦ୍ବନ୍ଦ୍ବରେ ପହଞ୍ଚିଯାନ୍ତି। ସେ ମଣିଷ ହୁଅନ୍ତୁ କି ପ୍ରାଣୀ; କାହାର ଦୁଃଖ ସହି ପାରୁ ନଥିବା ନିଆରା ମଣିଷ ହେଲେ ଅନୁଗୁଳର ଚିନ୍ମୟୀ ଦ‌ାସ। ଅସହାୟଙ୍କ ସେବାଠାରୁ ଆରମ୍ଭ କରି ନିରାଶ୍ରୟଙ୍କ ସାହାରା ପାଲଟିଥିବା ଚିନ୍ମୟୀ ଶହ ଶହ ଅପରିଚିତ ଲୋକଙ୍କ ଶେଷ ସମୟର ସାଥୀ ସାଜିଛନ୍ତି।
ଅନୁଗୁଳ ମାଳତୀବିହାରରେ ମାନବ ସେବାଶ୍ରମ ନାମରେ ଏକ ସଂଗଠନ କରି ନିରାଶ୍ରୟଙ୍କୁ ଆଶ୍ରୟ ଦେଇଛନ୍ତି ଚିନ୍ମୟୀ। ଯାଯାବର ଭାବେ ବୁଲୁଥିବା ଓ ଅଭାବ ଯୋଗୁଁ ଗାଁ ଗହଳିରେ ପାଠ ପଢ଼ି ପାରୁନଥିବା ପିଲାମାନଙ୍କୁ ଏଠାରେ ରଖିଛନ୍ତି। ସେହିପରି ଅସହାୟ ବୃଦ୍ଧବୃଦ୍ଧାଙ୍କୁ ରଖି ତାଙ୍କର ସେବାଯତ୍ନ କରୁଛନ୍ତି। ଚିନ୍ମୟୀଙ୍କ କାମ ଏତିକିରେ ସୀମିତ ରହିନି। ଅପରିଚିତ ଲୋକଙ୍କ ଶବ ସତ୍କାରରେ ସେ ବଡ଼ ଦାୟିତ୍ବ ମୁଣ୍ଡାନ୍ତି। କୋଭିଡ୍‌ ସମୟରେ ‌ଯେତେବେଳେ ପରିବାର ଲୋକେ ମୃତକଙ୍କ ଶବ ଛୁଉଁ ନ ଥିଲେ, ସେହି ସମୟରେ ଚିନ୍ମୟୀ ଏକାକୀ ମୃତଦେହକୁ ସ୍କୁଟିରେ ନେଇ ସତ୍କାର କରୁଥିଲେ। ଏବେ ବି ଅଜଣା ଲୋକଙ୍କ ମୃତଦେହ ସତ୍କାର ପାଇଁ ଚିନ୍ମୟୀଙ୍କୁ ଖୋଜାପଡ଼େ। ଏଯାବତ ସେ ପ୍ରାୟ ୫ଶହ ଅପରିଚିତଙ୍କ ଶବ ସତ୍କାର କରିଛନ୍ତି। ଏପଟେ ଡାକ୍ତରଖାନାରେ ହଜାର ହଜାର ଲୋକଙ୍କ ସେବା, ଶୁଶ୍ରୂଷା କରିବା ତାଙ୍କର ନିତିଦିନିଆ କାମ। କିଛି ବାଛବିଛାର ନ ରଖି କୁଷ୍ଠ ରୋଗୀ, ଏଡ୍‌ସ ସଂକ୍ରମିତଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତି। ଯେଉଁ ରୋଗୀ ଅନ୍ୟମାନଙ୍କ ପାଇଁ ଅଛୁଆଁ, ସେମାନେ ଚିନ୍ମୟୀଙ୍କ ପାଇଁ ଅତି ଆପଣାର।

ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଚିନ୍ମୟୀଙ୍କ ଉଦ୍ୟମ କିଛି କମ୍ ନୁହେଁ। ପ୍ରାୟ ୫ ବର୍ଷ ହେଲା ସେ ଖରାଦିନେ ଜଙ୍ଗଲରେ ପାଣି ମ‌ାଠିଆ ରଖିବା ସହ ଗଛଡାଳରେ ପାଣି ମାଠିଆ ବାନ୍ଧି ଆସୁଛନ୍ତି। ଜଙ୍ଗଲ ପ୍ରାଣୀ ଓ ପକ୍ଷୀମାନେ ଯେମିତି ସୁବିଧାରେ ପିଇବା ପାଣି ପାଇବେ ସେ ଦିଗରେ ଯତ୍ନର ସହ କାମ କରୁଛନ୍ତି। ଜଙ୍ଗଲରୁ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରି ପରିବେଶ ସୁଫାସୁତରା ରଖିବା ସହ ମନ୍ଦିର, ଦେବାଳୟ ପରିସରକୁ ସଫା କରିବା ପରି କାମ ହାତକୁ ନେଇଛନ୍ତି। ଜଣେ କିନ୍ନର ହୋଇ ସମାଜସେବାରେ ନିଜକୁ ନିୟୋଜିତ ରଖିଥିବା ଚିନ୍ମୟୀ ଅନ୍ୟମାନଙ୍କ ଲାଗି ଉଦାହରଣ।

gffg454564

ଅପରାଜେୟ ଆକାଶରଞ୍ଜନ
ଭବାନୀପାଟଣା: ଜନ୍ମରୁ ପାଦ ନାହିଁ। ହେଲେ ଏହା ତାଙ୍କ ସଫଳତାରେ ବାଟ ଓଗାଳି ପାରିନି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମଦନମୋହନପଡ଼ାର ଆକାଶରଞ୍ଜନ ମୁଣ୍ଡ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ଯିଏ ପାରା ବ୍ୟାଡ୍‌ମିଣ୍ଟନରେ ଏକ ଉଜ୍ବଳଦୀପ୍ତ ପ୍ରତିଭା। କଳାହାଣ୍ଡି ପାଇଁ ଗୌରବ। ପାରା ବ୍ୟାଡମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରେରଣାରେ ନିଜ ଭିତରେ ପ୍ରତିଭାକୁ ଖୋଜି ବାହାର କରିଥିଲେ ଆକାଶରଞ୍ଜନ। କୋଭିଡ୍‌ ସମୟରେ ଆରମ୍ଭ କରିଥିଲେ କଠୋର ସାଧନା। ୨୦୨୧ରେ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ ପର୍ଯ୍ୟନ୍ତ ଯାଇ ଆଉ ପଛକୁ ଫେରିନାହାନ୍ତି। ୨୦୨୪ ମସିହାରେ ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଚାମ୍ପିଅନ୍‌ ହୋଇଥିଲେ ଆକାଶରଞ୍ଜନ। ଏବେ ସେ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଶାର ନଂବର ୧ ଖେଳାଳି। ନିକଟରେ ସେ ଇଣ୍ଡୋନେସିଆଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୨୫ରେ କାଜାଗ୍‌ସ୍ଥାନରେ ହେବାକୁ ଥିବା ଏସିଆନ୍‌ ପାରା ଗେମ୍‌ସ ଓ ୨୦୨୮ରେ ଅନୁଷ୍ଠିତ ହେବାକୁ ଥିବା ପାରା ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌ ଇଭେଣ୍ଟରେ ସାମିଲ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟରେ କୋଚ୍‌ ଶିବପ୍ରସାଦ ଦାସ ଓ ଅଜିତ ମହାନ୍ତିଙ୍କ ତତ୍ତ୍ବାବଧାନରେ ଅଭ୍ୟାସ ଜାରି ରଖିଛନ୍ତି ଏହି ଯୁବ କ୍ରୀଡ଼ାବିତ୍‌। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ସିଏଲ୍‌ ତାଙ୍କ ତାଲିମ୍‌ର ସମସ୍ତ ଖର୍ଚ୍ଚ ବହନ କରିବାକୁ ଦାୟିତ୍ବ ନେଇଛି। ଆକାଶରଞ୍ଜନ ବର୍ତ୍ତମାନ ‘କିଟ୍‌’ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ର। ପାରା ବ୍ୟାଡ୍‌ମିଣ୍ଟନ୍‌ରେ ଆକାଶରଞ୍ଜନ ଖାଲି ଏକ ଚର୍ଚ୍ଚିତ କ୍ରୀଡ଼ା ପ୍ରତିଭା ନୁହନ୍ତି, ଭିନ୍ନକ୍ଷମ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା, ସମ୍ଭା‌ବନା ଓ ଆଶାର ପ୍ରତୀକ।

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା 
ପ୍ରତାପୁର: ପେସାରେ ସେ ଜଣେ ଶିକ୍ଷକ, ହେଲେ ନିଶା ହେଉଛି ପରିବେଶ ସୁରକ୍ଷା। ଏମିତି ଜଣେ ନିଆରା ମଣିଷ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ଗ୍ରାମର ଆକୁଳଭଞ୍ଜନ ନାଇକ। ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା କେବଳ ପ୍ରଚାର ନକରି ଏହାକୁ କାମରେ କରି ଦେଖାଇବାକୁ ଆକୁଳ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଗାଁ ପୋଖରୀ ହିଡ଼ଠୁ ଆରମ୍ଭ କରି ରାସ୍ତାକଡ଼ ସମେତ ବିଭିନ୍ନ ଖାଲିସ୍ଥାନରେ ସହସ୍ରାଧିକ ବୃକ୍ଷ‌ରୋପଣ କରିଛନ୍ତି। ସେଥିମଧ୍ୟରୁ କିଛି ବିରାଟ ଦ୍ରୁମରେ ପରିଣତ ହୋଇସାରିଲାଣି। ଆକୁଳ ‌ଲଣ୍ଡେଇହିଲ୍ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସକାଳ ୧୦ରୁ ଅପରାହ୍‌ଣ ୪ଟା ବିଦ୍ୟାଳୟ ସମୟକୁ ଛାଡ଼ିଦେଲେ ବଳକା ସମୟ ସେ ପରିବେଶ ସୁରକ୍ଷା କାର୍ଯ୍ୟରେ ବିତାଇଥାଆନ୍ତି। ଏଥିପାଇଁ ସେ ନିଜ ଗାଁ ପ୍ରତାପୁରର ବିଭିନ୍ନ ସ୍ଥାନରେ ନିଜ ଖର୍ଚ୍ଚରେ ଆମ୍ବ, ପଣସ, ବର, ଓସ୍ତ ଆଦି ଗଛ ଲଗାଇଛନ୍ତି। ଦିନେ ଦୁଇଦିନକୁ ଥରେ ପୋଖରୀରୁ ପାଣି ଆଣି ଗଛରେ ପକାଇଥା’ନ୍ତି। ବିଦ୍ୟାଳୟ ହତା‌ରେ ମଧ୍ୟ ବୃକ୍ଷରୋପଣ କରିବା ସହ ଏହାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରିଆସୁଛନ୍ତି। କେବଳ ଚାରାଟିଏ ରୋପଣ କଲେ ହେବନି, ବରଂ ବଡ଼ ହେବାଯାଏ ତା’ର ଯତ୍ନ ନେବା ଦରକାର। କାରଣ ଗୋଟିଏ ଗଛ ସମାଜର ବହୁ ଉପକାର କରିଥାଏ ବୋଲି ଆକୁଳ କହିଛନ୍ତି।

ପରିବର୍ତ୍ତନର ସ୍ବର ରଂଜିତା 

ସମ୍ବଲପୁର: ସମ୍ବଲପୁରରେ ଜନ୍ମିତ ରଂଜିତା ପ୍ରିୟଦର୍ଶିନୀ ଏବେ ପାଲଟିଯାଇଛନ୍ତି ମହିଳାମାନଙ୍କ ସ୍ବର। ତାଙ୍କ ଦ୍ବାରା ଆହୂତ ମାସିକ ଋତୁସ୍ରାବ ସମୟରେ ଗୋଟିଏ ଦିନ ସବେତନ ଛୁଟି (ପେଡ୍‌ ପିରିୟଡ୍‌ ଲିଭ୍) ଅଭିଯାନ ଆଉ ଓଡ଼ିଶା କି ଦେଶ ଭିତରେ ସୀମିତ ରହିନାହିଁ; ଅନ୍ତର୍ଜାତୀୟ ସ୍ତରରେ ବି ତାଙ୍କ ଅଭିଯାନ ବେଶ ପ୍ରଭାବଶାଳୀ ହୋଇପାରିଛି। କର୍ମଜୀବୀ ମହିଳାଙ୍କୁ କୌଣସି ପ୍ରଶ୍ନ ନ କରି ମାସିକ ଗୋଟିଏ ଦିନ ଦରମାଯୁକ୍ତ ଛୁଟି ଦେବା ଲକ୍ଷ୍ୟରେ ଏପର୍ଯ୍ୟନ୍ତ ସେ ୧୨ରୁ ଅଧିକ ରାଜ୍ୟ ବୁଲି ବହୁ ନେତା, ମନ୍ତ୍ରୀ, ଉଦ୍ୟୋଗପତି ଏବଂ ପ୍ରଶାସକଙ୍କୁ ଭେଟିଛନ୍ତି। ନିଜ ଲକ୍ଷ୍ୟ ହାସଲ ଦିଗରେ କିଛି ସଫଳତା ବି ସାଉଁଟିଛନ୍ତି। ଦିଲ୍ଲୀ, ରାଜସ୍ଥାନ, ଓଡ଼ିଶା, ହରିୟାଣାର ବିଭିନ୍ନ ଅନୁଷ୍ଠାନ ସମେତ ଦେଶବିଦେଶର ୫୦ଟି ସଂସ୍ଥା ତାଙ୍କ ଅଭିଯାନକୁ ସମର୍ଥନ ଜଣାଇ ନିଜ କର୍ମଚାରୀଙ୍କୁ ଏହି ଛୁଟି ପ୍ରଦାନ କରୁଛନ୍ତି। ଓଡ଼ିଶାକୁ କ୍ଷମତାରେ ଆସିବା ପରେ ବିଜେପି ସରକାର ମଧ୍ୟ ଏହାକୁ ଲାଗୁ କରି ମହିଳା କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସ‌ବେତନ ଛୁଟି ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡ଼ିଶା ଭଳି କର୍ଣ୍ଣାଟକ ନିକଟରେ ଏହାକୁ ଲାଗୁ କରିଛି। ପୂର୍ବରୁ କେବଳ ବିହାର ସରକାର ନିଜ ମହିଳା କର୍ମଚାରୀଙ୍କୁ ପାଇଁ ଏହି ଛୁଟି ପ୍ରଦାନ କରୁଥିଲେ। କେବଳ ସେତିକି ନୁହେଁ, ପୁଲିସ ବାହିନୀରେ ଲିଂଗଗତ ଅସମାନତାର ଶିକାର ହେଉଥିବା ମହିଳା କର୍ମଚାରୀଙ୍କ ପାଇଁ ବି ସେ ସ୍ବର ଉଠାଇଛନ୍ତି। ୨୦୧୯ ମସିହାରେ କିନ୍ନରଙ୍କୁ ପୁଲିସ ବାହିନୀରେ ନିଯୁକ୍ତି ପାଇଁ ରଂଜିତା ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ।

ଉଚ୍ଚଶିକ୍ଷିତା ରଂଜିତା ବି.ଟେକ୍ ପରେ ଆଇନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ଅଧ୍ୟୟନ ପରେ ସେ ଚାକିରି କରିଥିଲେ, ହେଲେ ତାହା ତାଙ୍କୁ ସନ୍ତୁଷ୍ଟ କରି ପାରିନଥିଲା। ମହିଳାମାନଙ୍କ ସ୍ବାର୍ଥ ପାଇଁ ସେ ଚାକିରି ତ୍ୟାଗ କରି ଆରମ୍ଭ କରିଥିଲେ ବିଶେଷ ଅଭିଯାନ। ଆଗାମୀ ଦିନରେ ଓକିଲାତିକୁ ପେସା ଭାବେ ଆପଣେଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ରଂଜିତା ବିହାର ଯାଇ ଭେଟିବା ପରେ ବିଧାୟକ ଇଂ.ଲଲନ କୁମାର ଗତ ୧୩ ମାର୍ଚ୍ଚ ୨୦୨୩ରେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଗୋଟିଏ ଦିନ ସବୈତନିକ ଛୁଟି ଦେବା ପାଇଁ ବିହାର ବିଧାନସଭାରେ ସ୍ବର ଉଠାଇଥିଲେ। ଗତ ସେପ୍‌ଟେମ୍ବର ୨୦୨୨ରେ ଏହି  ଅଭିଯାନ ସପକ୍ଷରେ ସମର୍ଥନ ଜୁଟାଇବା ପାଇଁ ଉତ୍ତରପ୍ରଦେଶ ଗସ୍ତ ସମୟରେ ରଂଜିତାଙ୍କ ବିଷୟରେ ଶୁଣିବା ପରେ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ତାଙ୍କୁ ସାକ୍ଷତ ପାଇଁ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ। ୨୦୨୨ ମସିହାରେ ନେଦରଲ୍ୟାଣ୍ଡସ୍‌ ଓ ପାକିସ୍ତାନର ଗଣମାଧ୍ୟମରେ ରଂଜିତାଙ୍କ ଏହି ଅଭିଯାନ ସଂପର୍କରେ ଖବର ପ୍ରକାଶିତ ହୋଇଥିଲା। ୨୦୨୩ ଜାନୁଆରି ୮, ୯ ଓ ୧୨ ତାରିଖରେ କାନାଡ଼ା ଓ ଆମେରିକା ଭଳି ଦେଶରେ ଅନ୍ତର୍ଜାତୀୟ ରେଡିଓରେ ରଂଜିତାଙ୍କ ସାକ୍ଷାତକାର ପ୍ରସାରିତ ହୋଇଥିଲା। ରଂଜିତାଙ୍କ ଏହି ପ୍ରେରଣାଦାୟୀ କାହାଣୀ ଉପରେ ପ୍ରଦ୍ୟୁମ୍ନ ବିଶି ଓଡ଼ିଆରେ ଏକ ପୁସ୍ତକ ରଚନା କରିଥିବା ବେଳେ ଉତ୍ତରପ୍ରଦେଶର ପ୍ରଦୀପ କୁମାର ସିଂହ ଇଂରାଜୀ ଓ ହିନ୍ଦୀ ଭାଷାରେ ପୁସ୍ତକ ରଚନା କରିଛନ୍ତି। ନିକଟରେ ବୀରଧାରା ଫିଲ୍ମସ ପକ୍ଷରୁ ରଂଜିତାଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଘୋଷଣା କରାଯାଇଛି। ମିଳିତ ଜାତିସଂଘର ସିଏସ୍‌ସି ସମ୍ମିଳନୀରେ ଦୁଇ ଥର ଯୋଗ ଦେଇଥିବା ରଂଜିତା ଡିସେମ୍ବର ୧୬ ତାରିଖରେ ଭୁବନେଶ୍ବରଠାରେ ଦ୍ବିତୀୟ ଅନ୍ତର୍ଜାତୀୟ  ସମ୍ମିଳନୀ ଆୟୋଜନ କରୁଛନ୍ତି। ଯେଉଁ ସମ୍ମିଳନୀରେ ମିଳିତ ଜାତିସଂଘର ଅନେକ ବରିଷ୍ଠ ପଦାଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

sfsfsfsf

ଗୋ ସେବାରେ ସମର୍ପିତ ପ୍ରମୋଦ  
ଭଦ୍ରକ: ଭଦ୍ରକ ଆରଡ଼ି ଛକର ପ୍ରମୋଦ ଦାସ ଗୋ ସେବାରେ ନିଜକୁ ସମର୍ପିତ କରିଛନ୍ତି। ପ୍ରମୋଦ ପ୍ରାଣୀ ଚିକିତ୍ସା ଶିକ୍ଷା ଗ୍ରହଣ କରିନାହାନ୍ତି କି ପ୍ରାଣୀ ଚିକିତ୍ସକ ମଧ୍ୟ ନୁହନ୍ତି। ହେଲେ ଅଭିଜ୍ଞତା ଯୋଗୁ ସେ ଏବେ ଜଣେ ଦକ୍ଷ ପଶୁ ଚିକିତ୍ସକ ପାଲଟି ଯାଇଛନ୍ତି। ଦୁଇ ବର୍ଷ ହେଲା ଭଦ୍ରକ ପୁରୁଣା କୋର୍ଟ ପରିସରସ୍ଥିତ ଏକ ଅସ୍ଥାୟୀ ଘରେ ଚିକିତ୍ସା ଚଳାଇଛନ୍ତି ପ୍ରମୋଦ। କୌଣସି ସ୍ଥାନରେ ଯଦି ଗାଈଗୋରୁ ଦୁର୍ଘଟଣାର ଶିକାର ହୁଅନ୍ତି, ସେଠାରେ ପ୍ରମୋଦ ପହଞ୍ଚିଯାଆନ୍ତି ଏବଂ ତାଙ୍କ ଅସ୍ଥାୟୀ ଚିକିତ୍ସାଳୟକୁ ଆଣି ଗାଈଗୋରୁଙ୍କ ଚିକିତ୍ସା କରନ୍ତି। ଏବେ ୮ଟି ଆହତ ଗାଈଙ୍କ ଚିକିତ୍ସା ଚାଲିଛି। ସ୍ନାତକ ପାଠପଢ଼ା ପରେ ପ୍ରମୋଦ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଅଛନ୍ତି। ସେ ୨୦୧୨ ମସିହାରୁ ନିଜକୁ ଗୋ ସେବାରେ ନିୟୋଜିତ କରିଛନ୍ତି। ଏହାକୁ ପ୍ରମୋଦ କର୍ତ୍ତବ୍ୟ ବୋଲି ଭାବନ୍ତି। ତେବେ ସ୍ବଳ୍ପ ଦରମାରେ ଗାଈଗୋରୁଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ଏବଂ ଖାଦ୍ୟ ଯୋଗାଇବା ପ୍ରମୋଦଙ୍କ ପାଇଁ ବଡ଼ ଆହ୍ବାନ ହୋଇଥାଏ। ହେଲେ ତାହା ମଧ୍ୟ ଆପେ ଆପେ ସମାଧାନ ହୋଇଯାଏ। ଗାଈଗୋରୁଙ୍କୁ ଭଲ ପାଉଥିବା ଅନେକ ଲୋକ ସହଯୋଗର ହାତ ବଢ଼ାନ୍ତି। ୫୦ରୁ ୬୦ ଜଣ ଗୋସେବକ ସ୍ବଇଚ୍ଛାରେ ସେବା କରିବା ପାଇଁ ଆସନ୍ତି। ଏପରି ସାମାଜିକ କାମ ପାଇଁ ପ୍ର‌ମୋଦ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଜଣାଶୁଣା ଓ ଜଣେ ଆଦରଣୀୟ ବ୍ୟକ୍ତିତ୍ବ।

ssfsfsf

ସୁନ୍ଦରଗଡ଼ର ଶ୍ମଶାନବନ୍ଧୁ, ଅଲୋଡ଼ା ଶବର ସାଥୀ

ସୁନ୍ଦରଗଡ଼: ମହାମାରୀ କରୋନା ସଂକ୍ରମଣ ସମୟରେ ମଣିଷ ମଡ଼କ ପଡ଼ିଥିଲା। ସଂକ୍ରମଣ ଭୟରେ ଆପଣାର ଆତ୍ମୀୟ ସ୍ବଜନଙ୍କ ମୃତଦେହକୁ ଛୁଇଁବା ତ ଦୂରର କଥା, ପାଖ ମଧ୍ୟ ମାଡ଼ୁ ନଥିଲେ। ଡାକ୍ତରଖାନା, ଶବାଗାର, ରାସ୍ତାକଡ଼, ମଶାଣିରେ ଶବକୁ ଅଲୋଡ଼ା କରି ଛାଡ଼ି ଚାଲି ଯାଉଥିଲେ। ସେହି ସମୟରେ ସୁନ୍ଦରଗଡ଼ର ୪ ବନ୍ଧୁ ସିଦ୍ଧାନ୍ତ ପଣ୍ଡା, ଶିଶିର ବେହେରା, ମନୋଜ ତ୍ରିପାଠୀ ଏବଂ କମଲେଶ ନଥାନୀ ବଢ଼ାଇଥିଲେ ସହଯୋଗର ହାତ। ମଶାଣିରେ ଆରମ୍ଭ କରିଥିଲେ ମାନବିକତାର ଜୟଯାତ୍ରା। ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବର ବାଛ ବିଚାର ନକରି, ନିଜ ଜୀବନକୁ ବାଜିରେ ଲଗାଇ ବିନା ଦ୍ବିଧାରେ କରୋନାର ଦୁଇବର୍ଷ ମଧ୍ୟରେ ଦାହସଂସ୍କାର କରିଥିଲେ ୭ ଶହ ଶବ। ଏହା ଛଡ଼ା ୨୨ବର୍ଷ ଧରି ଏହି ସେବାକୁ ବ୍ରତ ଭାବେ ଗ୍ରହଣ କରିଥିବା ଶ୍ମଶାନବନ୍ଧୁ ଟିମ୍ ଏପର୍ଯ୍ୟନ୍ତ ୧୫ ଶହରୁ ଅଧିକ ଶବ ସତ୍କାର କରିଛନ୍ତି। ସେଥିମଧ୍ୟରେ ରହିଥିଲା ଅଧିକାଂଶ ଅଜଣା, ଅଚିହ୍ନା, ଅଲୋଡ଼ା ହୋଇ ପଡ଼ିଥିବା ମୃତଦେହ। ଏଥିପାଇଁ ସେମାନଙ୍କୁ ରାତିରାତି ବିନିଦ୍ର ହେବାକୁ ପଡ଼ିଛି, ମାରିବାକୁ ପଡ଼ିଛି ପେଟର ଭୋକ ଜ୍ବାଳାକୁ। ଖାସ କରି ଏହି କାମ ପାଇଁ ହୋଲି, ନୂଆଖାଇ, ଦଶହରା, ଦୀପାବଳି ଭଳି ସବୁ ଉତ୍ସବର ଆନନ୍ଦକୁ ପଛରେ ପକାଇଛନ୍ତି ଏହି ୪ ବନ୍ଧୁ। ଜିଲ୍ଲା ତଥା ରାଜ୍ୟରେ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସୁନ୍ଦରଗଡ଼ ଶ୍ମଶାନବନ୍ଧୁଙ୍କ ଏ ମହତ୍ତ୍ବପୂର୍ଣ୍ଣ ସେବା ସାମାଜିକ ଗଣମାଧ୍ୟମ ଜରିଆରେ ବିଦେଶ ମାଟିରେ ପହଞ୍ଚି ଅନେକ ପ୍ରଶଂସା ସାଉଁଟିଛି।
ସୁନ୍ଦରଗଡ଼ ସହର ଉପକଣ୍ଠ ରାଣୀବଗିଚା ମଶାଣି‌ରେ ଶ୍ମଶାନବନ୍ଧୁଙ୍କ ସେଦିନର ସେ ଅମୃତମୟ ଯାତ୍ରା ଏବେ ବି ଜାରି ରହିଛି। ଖାଲି ଶବ ସତ୍କାରରେ ଶ୍ମଶାନବନ୍ଧୁଙ୍କ କାମ ସୀମିତ ରହି ନାହିଁ। କେଉଁଠି ଅସହାୟ ବ୍ୟକ୍ତି ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଖବର ପାଇଲେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା, ପରିବାର ଲୋକଙ୍କଠାରୁ ତିରସ୍କୃତ ହୋଇ ରାସ୍ତା ଉପରକୁ ଚାଲି ଆସିଥିବା ବୃଦ୍ଧବୃଦ୍ଧାଙ୍କୁ ବୃଦ୍ଧାଶ୍ରମରେ ପହଞ୍ଚାଇବା ଭଳି ମହତ୍‌ କାମରେ ସେମାନେ ହାତ ବଢ଼ାଇଥାନ୍ତି। ଆଉ ଶ୍ମଶାନବନ୍ଧୁଙ୍କଠାରୁ ‌ପ୍ରେରଣା ପାଇ ଏବେ ଚିଣ୍ଟୁ ରକ୍ସା, ଦେବେନ୍ଦ୍ର ସାହୁଙ୍କ ପରି ଅନେକ ଏ ଯାତ୍ରାରେ ସାମିଲ ହେଲେଣି।