Breaking News

ଚମତ୍କାର ୨୪: କର୍ପୋରେଟ୍‌ ଝଡ଼

ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଉପରେ ସେବିର କାର୍ଯ୍ୟାନୁଷ୍ଠାନ ହେଉ କିମ୍ବା ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ଲାଞ୍ଚ ଅଭିଯୋଗ କିମ୍ବା କେ କେ ମୋଦୀ ପରିବାରରେ ମା ପୁଅଙ୍କ ମଧ୍ୟରେ ମାରପିଟ ଘଟଣା ଚଳିତବର୍ଷ ଉଦ୍ୟୋଗଜଗତର ଚର୍ଚ୍ଚିତ ଘଟଣା ଥିଲା।

ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଉପରେ ସେବିର କାର୍ଯ୍ୟାନୁଷ୍ଠାନ ହେଉ କିମ୍ବା ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ଲାଞ୍ଚ ଅଭିଯୋଗ କିମ୍ବା କେ କେ ମୋଦୀ ପରିବାରରେ ମା ପୁଅଙ୍କ ମଧ୍ୟରେ ମାରପିଟ ଘଟଣା ଚଳିତବର୍ଷ ଉଦ୍ୟୋଗଜଗତର ଚର୍ଚ୍ଚିତ ଘଟଣା ଥିଲା। ସେହିଭଳି ଗୋଟିଏ ପଟେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତିଙ୍କ ୭୦ ଘଣ୍ଟା କାମ ମନ୍ତବ୍ୟ ଓ ଅନ୍ୟପଟେ କାମ ଚାପ ଯୋଗୁ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବିତର୍କ ଉଠିଥିଲା। ‌ଏଥିସହ ଶିଶୁଖାଦ୍ୟରେ ଚିନି, ମସଲାରେ ମାତ୍ରାଧିକ କୀଟନାଶକ ପ୍ରସଙ୍ଗ ଆଦି ଚଳିତବର୍ଷ କର୍ପୋରେଟ୍‌ ଜଗତରେ ଝଡ଼ ସୃଷ୍ଟି କରିଛି।

ମସ୍କ ବନାମ ଅମ୍ବାନୀ-ମିତ୍ତଲ
ଭାରତରେ ସାଟେଲାଇଟ୍‌ ଯୋଗାଯୋଗ ସ୍ପେକ୍ଟ୍ରମ୍‌ର ଆବଣ୍ଟନ କିଭଳି ହେବ ତାହାକୁ ନେଇ ଗୋଟିଏ ପଟେ ଆମେରିକୀୟ ଉଦ୍ୟୋଗୀ ତଥା ଷ୍ଟାରଲିଙ୍କ୍‌ର ସିଇଓ ଏଲନ୍‌ ମସ୍କ ଏବଂ ଅନ୍ୟପଟେ ଦୁଇ ଭାରତୀୟ ଉଦ୍ୟୋଗୀ ମୁକେଶ ଅମ୍ବାନୀ ଏବଂ ସୁନୀଲ ମିତ୍ତଲଙ୍କ ମଧ୍ୟରେ ଭିନ୍ନମତ ଚଳିତବର୍ଷର ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ। ବିଶ୍ବର ଅନ୍ୟାନ୍ୟ ଦେଶଭଳି ଉକ୍ତ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରଶାସନିକ ପ୍ରକ୍ରିୟାରେ ହେବା ଆବଶ୍ୟକ ବୋଲି ଏଲନ୍‌ ମସ୍କ ଦୃଢ଼ ଯୁକ୍ତି ବାଢ଼ିଛନ୍ତି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନ୍ତବ୍ୟ ମଧ୍ୟ ତାଙ୍କୁ ସୁହାଇଛି। ଅନ୍ୟପକ୍ଷରେ ଭାରତର ଦୁଇ ବଡ଼ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନି ରିଲ‌ାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲର ମୁଖ୍ୟ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସ୍ପେକ୍ଟ୍ରମର ଆବଣ୍ଟନ ନିଲାମ ଜରିଆରେ କରିବା ପାଇଁ ମତ ରଖିଛନ୍ତି। ଏଭଳି ସ୍ଥିତିରେ ଆଗକୁ ଏହି ବିବାଦ କି ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆଦାନୀଙ୍କୁ ‘ଲାଞ୍ଚ’ ଚିନ୍ତା

ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ଚଳିତବର୍ଷ ଆମେରିକାରୁ ଏକ ବଡ଼ ଝଟ୍‌କା ଲାଗିଛି। ଦେଶର ଦ୍ବିତୀୟ ଧନୀବ୍ୟକ୍ତି ୬୨ ବର୍ଷୀୟ ଗୌତମ ଆଦାନୀ, ପୁତୁରା ସାଗର ଆଦାନୀଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ଆମେରିକାର ନ୍ୟାୟ ବିଭାଗ ଲାଞ୍ଚ ପ୍ରଦାନ ଅଭିଯୋଗ ଆଣିଛି। ୨୦୨୦ରୁ ୨୦୨୪ ମଧ୍ୟରେ କମ୍ପାନି ଭାରତର ୫ ରାଜ୍ୟରେ ସୌର ଶକ୍ତି ପ୍ରକଳ୍ପ ହାତେଇବା ପାଇଁ ୨୬୫ ନିୟୁତ ଡଲାର ବା ପାଖାପାଖି ୨୧୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ଭାରତରେ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଗୌତମ ଆଦାନୀଙ୍କ ଗିରଫ ଦାବି କରିଛନ୍ତି। ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଜୋର୍‌ ଧରିଛି। କେବଳ ସେତିକି ନୁହେଁ, ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିଜ୍ ଆଣ୍ଡ୍‌ ଏକ୍ସଚେଞ୍ଜ କମିସନ (ଏସ୍‌ଇସି) ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କୁ ସମନ କରିଛି। ଗୌତମ ଆଦାନୀଙ୍କୁ କରାଯାଇଥିବା ସମନ ତାଙ୍କ ଅହମଦାବାଦର ଶାନ୍ତିବନ ଫାର୍ମ ହାଉସ୍‌ ଠିକଣାରେ ପଠାଯାଇଥିବାବେଳେ ପୁତୁରା ସାଗର ଆଦାନୀଙ୍କୁ ଅହମଦାବାଦ ବୋଡା‌କ‌ଡେଭ ଠିକଣାରେ ପଠାଯାଇଛି। ୨୧ ଦିନ ମଧ୍ୟରେ ଏସଇସି ନିକଟରେ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ ନେଇ ସତର୍କ କରାଇ ଦିଆଯାଇଛି। ଏସବୁ ଭିତରେ ରେଟିଂ ଏଜେନ୍ସିଗୁଡ଼ିକ ଆଦାନୀ ଗ୍ରୁପ ଅଧୀନରେ ପରିଚାଳିତ କମ୍ପାନିଗୁଡ଼ିକର ରେଟିଂ କମାଇଛନ୍ତି। ଭାରତରେ ତାଙ୍କ କମ୍ପାନିଗୁଡ଼ିକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକର ସମୀକ୍ଷା ଆରମ୍ଭ କରିଛନ୍ତି। ନୂଆ ଋଣ ଦେବା ପୂର୍ବରୁ ଯଥାର୍ଥ ଆକଳନକୁ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି ନା ନାହିଁ ତାହା ଜାଣିବାକୁ ସେମାନେ ଉଦ୍ୟମ କରୁଛନ୍ତି। ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଆଦାନି ଗ୍ରିନ୍ ଏନର୍ଜିସ୍ ଲିମିଟେଡ୍‌ ଓ ଆଦାନୀ ଟୋଟାଲ୍ ଗ୍ୟାସ୍‌ରେ ପୁଞ୍ଜିନିବେଶ କରିଥିବା ଫ୍ରାନ୍ସର ସଂସ୍ଥା ଟୋଟାଲ୍ଏନର୍ଜିସ୍ ନୂଆ ପାଣ୍ଠି ଦେବା ଉପରେ ରୋକ୍‌ ଲଗାଇଛି। ଅକଳରେ ମାଧବୀ ‌
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଦୁର୍ନୀତି, ଆଭ୍ୟନ୍ତରୀଣ ବାଣିଜ୍ୟ ଏବଂ ଦ୍ବୈତ ସ୍ୱାର୍ଥ ଆଦି ଅଭିଯୋଗ ରହିଛି। ଆଦାନୀ ଗ୍ରୁପ ବିରୋଧରେ ଆମେରିକାର ହିଣ୍ଡେନବର୍ଗ କରିଥିବା ଗମ୍ଭୀର ଅଭିଯୋଗଗୁଡ଼ିକର ତଦନ୍ତକୁ ସେବି ଠିକ୍‌ ଭାବେ କରୁ ନଥିବା ଅଭିଯୋଗ ରହିଛି। ଦ୍ବୈତ ସ୍ବାର୍ଥ ଜଡ଼ିତ ଥିବାରୁ ସେ ତଦନ୍ତ ଶେଷ କରିବାକୁ ଚାହୁନଥିବା କୁହାଯାଉଛି। କଂଗ୍ରେସ ଦଳ ଅଭିଯୋଗ କରିଛି ଯେ ବୁଚ୍‌ ବ୍ୟାଙ୍କରୁ ଅବସର ନେବା ପରେ ଆଇସିଆଇସିଆଇ ବ୍ୟାଙ୍କରୁ ଦରମା ପାଇଥିଲେ। ବୁଚ୍ ୱାକହାର୍ଟ ଲିମିଟେଡ୍ ସହ ଜଡ଼ିତ ଏକ କମ୍ପାନି କ୍ୟାରୋଲ ଇନଫୋ ସର୍ଭିସେସ୍ ଲିମିଟେଡ୍ ଠାରୁ ଭଡ଼ା ଆୟ ପାଇଥିଲେ ବୋଲି ମଧ୍ୟ କଂଗ୍ରେସ ଅଭିଯୋଗ କରିଛି। ହିଣ୍ଡେନବର୍ଗ ରିସର୍ଚ୍ଚ ଅଭିଯୋଗ କରିଛି ଯେ ବୁଚ୍‌ ଏବଂ ତାଙ୍କ ସ୍ୱାମୀଙ୍କର ଆଦାନୀ ଗ୍ରୁପ୍ ଦ୍ୱାରା ବ୍ୟବହୃତ ବିଦେଶ ପାଣ୍ଠିରେ ନିବେଶ ଅଛି। ବୁଚ୍‌ଙ୍କ ପରାମର୍ଶଦାତା ସଂସ୍ଥା ଦେୟ ଗ୍ରହଣ କରିଥିବା ମଧ୍ୟ ଏହା ଅଭିଯୋଗ କରିଛି। ବୁଚ୍‌ ଓ ତାଙ୍କ ସ୍ୱାମୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ସେମାନେ ସେବିକୁ ସମସ୍ତ ଆବଶ୍ୟକୀୟ ସୂଚନା ଦେଇଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି। ସବୁପରେ କିନ୍ତୁ ତାଙ୍କ ଭୂମିକାକୁ ନେଇ ସନ୍ଦେହ ରହିଛି। ବୁଚ୍‌ଙ୍କ ବିରୋଧରେ ସେବିର କିଛି କର୍ମଚାରୀ ମଧ୍ୟ ବିଷାକ୍ତ କାର୍ଯ୍ୟ ସଂସ୍କୃତି ଓ ପାତରଅନ୍ତର ଭଳି ଅଭିଯୋଗ ଆଣିଥିଲେ। ସେମାନେ ସିଧାସଳଖ ଅର୍ଥ ମନ୍ତ୍ରଣାଳୟ ପାଖରେ ଅଭିଯୋଗ କରିଥିଲେ।

ଅନୀଲଙ୍କୁ ୨୫ କୋଟି ଜରିମାନା
ଲୋକଲୋଚନରୁ ଦୂରେଇ ଯାଇଥିବା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଉପରେ ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) କ‌େଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଥିଲା। ଏଥି ସହିତ ପ୍ରତିଭୂତି ବଜାରରୁ ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ ମଧ୍ୟ କରାଯାଇଛି। ତାଙ୍କ ବିରୋଧରେ କମ୍ପାନି ପାଣ୍ଠିକୁ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ଥିଲା। କେବଳ ଅନୀଲ ନୁହେଁ, ତାଙ୍କ କମ୍ପାନି ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍‌ ଉପରେ ମଧ୍ୟ ସେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଟେଲିଗ୍ରାମ୍‌ ସିଇଓ ଗିରଫ
ମେସେଜିଂ ଆପ୍ ଟେଲିଗ୍ରାମ୍‌ର ସିଇଓ ପାଭେଲ ଡୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି। ତାଙ୍କୁ ଫ୍ରାନ୍ସ ରାଜଧାନୀ ପ୍ୟାରିସର ବୋର୍ଜେଟ୍ ବିମାନବନ୍ଦରରୁ ପୁଲିସ ଧରିଥିଲା। ଟେଲିଗ୍ରାମ୍‌ ବିରୋଧରେ ୟୁରୋପରେ ବେଆଇନ କାରବାର ଓ ନିଶାଦ୍ରବ୍ୟ ଚୋରାଚାଲାଣ, ଠକେଇ ଓ ଶିଶୁ ଯୌନ କୁ ପ୍ରସାର କରୁଥିବା ଭଳି ଅଭିଯୋଗ ଥିଲା। ତାହାକୁ ନେଇ ୟୁରୋପର ବିଭିନ୍ନ ଦେଶରେ ତଦନ୍ତ ଚାଲିଛି। ଫ୍ରାନ୍ସ ସରକାର ମଧ୍ୟ ତାହାର ତଦନ୍ତ କରୁଛି। ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ଅବଶ୍ୟ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ରୁଷରେ ଜନ୍ମିତ ଏହି ଉଦ୍ୟୋଗୀ ଅ‌ସନ୍ତୋଷ ଜାରି କରିବା ସହ ତୃତୀୟ ପକ୍ଷଙ୍କ ଅପରାଧ ପାଇଁ ତାଙ୍କୁ ଦାୟୀ କରଯାଉଥିବା ପାଲଟା ଅଭିଯୋଗ ସେ ଆଣିଛନ୍ତି। ୨୦୧୩ ମସିହାରେ ସେ ଟେଲିଗ୍ରାମ୍‌ କମ୍ପାନି ସ୍ଥାପନ କରିଥିଲେ।

ଭାରତୀୟ ମସଲାରେ କୀଟନାଶକ!
ଭାରତୀୟ ମସଲା ଚଳିତବର୍ଷ ବିଦେଶରେ ବିବାଦର କାରଣ ପାଲଟିଛି। ହଂକଂ, ସିଙ୍ଗାପୁର ଭଳି ଦେଶରେ ଏଭରେଷ୍ଟ୍ ଏବଂ ଏମ୍‌ଡିଏଚ୍‌ କମ୍ପାନିର କେତୋଟି ମସଲାର ପ୍ରତ୍ୟାହାର ସହିତ ବିକ୍ରି ନିଷେଧ ଭଳି ଘଟଣା ଦେଖିବାକୁ ମିଳିଛି। ଏଥଲିନ୍ ଅକ୍ସାଇଡ ନାମକ କୀଟନାଶକ ପଦାର୍ଥ ଅଧିକ ମାତ୍ରାରେ ମସଲାରେ ରହିଛି ବୋଲି ଏସବୁ ଦେଶର କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ। ଏହି କର୍କଟ ରୋଗ ସୃଷ୍ଟିକାରୀ ଉପାଦାନ ଏଥଲିନ୍ ଅକ୍ସାଇଡ୍‌ ବିବାଦର ମଞ୍ଜି ବୁଣିଥିଲା। ପର୍ଯ୍ୟାୟକ୍ରମେ ଏହି ବିବାଦ ଆମେରିକା ସମେତ ଅନ୍ୟ କେତେକ ଦେଶକୁ ବ୍ୟାପିଥିଲା। ଯଦିଓ କମ୍ପାନିଗୁଡ଼ିକ ମସଲା ଠିକ୍ ଥିବା ଦର୍ଶାଇଥିଲେ ତଥାପି ମସଲାର ମାନ ପରୀକ୍ଷା ପାଇଁ କେନ୍ଦ୍ର ସରକାର ଦେଶର ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
ଶିଶୁ ଖାଦ୍ୟରେ ଚିନି
ନେସ୍‌ଲେ ଭାରତ ସମେତ ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶ, ଆଫ୍ରିକା ଏବଂ ଲାଟିନ ଆମେରିକାର ବଜାରଗୁଡ଼ିକରେ ଯେଉଁ ଶିଶୁ ଖାଦ୍ୟ ବିକ୍ରି କରୁଛି ସେଥିରେ ଚିନିର ସ୍ତର ଅଧିକ ରହିଛି। ୟୁରୋପ ବଜାରରେ କମ୍ପାନି ଯେଉଁ ଶିଶୁ ଖାଦ୍ୟ ବିକ୍ରି କରୁଛି ତାହା ତୁଳନାରେ ଏହା ଅଧିକ। ସ୍ବିଜରଲାଣ୍ଡର ବେସରକାରୀ ସଂଗଠନ ପବ୍ଲିକ ଆଇ ଏବଂ ଇଣ୍ଟରନ୍ୟାସନାଲ ବେବି ଫୁଡ୍ ଆକ୍ସନ ନେଟୱର୍କ ପକ୍ଷରୁ ଏହି ଗୁରୁତର ଅଭିଯୋଗ ଅଣାଯାଇଥିଲା। ଭାରତରେ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ସେରେଲାକ୍‌ରେ ଚିନି ମିଶାଯାଉଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଉପରେ ନେସ୍‌ଲେ ଇଣ୍ଡିଆର ପ୍ରବକ୍ତା କହିଥିଲେ ଭାରତରେ ଗତ ୫ ବର୍ଷ ମଧ୍ୟରେ ଚିନିର ମାତ୍ରା ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି କମାଇବୁ। ଏହି ବିବାଦର କିଛି ମାସ ପରେ କମ୍ପାନି ଭାରତରେ ଚିନି ମିଶି ନଥିବା ଶିଶୁଖାଦ୍ୟ ବିକ୍ରି ନେଇ ଘୋଷଣା କରିଥିଲା।

ରିଜର୍ଭ ବ୍ୟାଙ୍କ, ‘ସେବି’ ଟାର୍ଗେଟ୍‌ରେ ପେଟିଏମ୍‌
ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହେବା ପରେ ଭାରତୀୟ ଡିଜିଟାଲ୍ ବିପ୍ଳବର ପୋଷ୍ଟର୍ ବଏ ଭାବେ ପରିଚିତ ପେଟିଏମ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଭଲ ବେଳା ଶେଷ ହୋଇଯାଇଥିବା ଭଳି ମନେ ହେଉଛି। ପେଟିଏମ୍ ଜାରି କରିଥିବା ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)ରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏନେଇ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଶ୍ରୀ ଶର୍ମା ଓ କମ୍ପାନିର ଅନ୍ୟ ସଦସ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି। ଏହି ଖବର ପ୍ରକାଶ ପାଇବା ପରେ ଷ୍ଟକ୍ ବଜାରରେ ପେଟିଏମ୍ ସେୟାର ମୂଲ୍ୟ ହ୍ରାସ ପାଇଛି। ସେବି ନୋଟିସ୍ ଉପରେ ପ୍ରତିକ୍ରିୟା ରଖି ପେଟିଏମ୍ ଜଣାଇଛି ଯେ ଏହା ନୂଆ ଘଟଣା ନୁହେଁ।
ପ୍ରଯୁକ୍ତି ଦୁନିଆରେ ଦ୍ରୁତ ଗତିରେ ପରିବର୍ତ୍ତନର ଧାରା ଜାରି ରହିଥିବା ବେଳେ ଅଦରକାରୀ ମନେ ହେଉଥିବା ପଦଗୁଡ଼ିକୁ କମ୍ପାନିଗୁଡ଼ିକ ଉଚ୍ଛେଦ କରୁଛନ୍ତି। ସେଥିରେ କାମ କରୁଥିବା କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି। ଚଳିତ ବର୍ଷ ଛଟେଇ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ୧ ଲକ୍ଷ ସ୍ତର ଅତିକ୍ରମ କରିଛି। କିଛି କମ୍ପାନି ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ଛଟେଇ ଆରମ୍ଭ କରିଦେଲେଣି। ଆଇବିଏମ୍ ଏହାର ପ୍ରୋଗ୍ରାମର, ସେଲ୍ସ ଓ ସପୋର୍ଟ ଷ୍ଟାଫ୍ ସଂଖ୍ୟା କମ୍ କରୁଛି। ସ୍ବାସ୍ଥ୍ୟକ୍ଷେତ୍ରର ଷ୍ଟାର୍ଟଅପ୍ ଡୋଜି ୪୦ କର୍ମଚାରୀଙ୍କୁ ବିଦା କରିଛି। ୱିଟ୍ରାନ୍ସଫର ଏହାର ୭୫ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ସିସ୍କୋ ଏହାର ୬୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି। ଫେବ୍ରୁଆରିରେ ଏହା ୪୦୦୦ କର୍ମଚାରୀଙ୍କୁ ବିଦା କରିଥିଲା।
ସୌଜନ୍ୟ-ସମ୍ୱାଦ

Comments are closed.