Breaking News

ଚମତ୍କାର ୨୪: ଚର୍ଚ୍ଚିତ ଚାଞ୍ଚଲ୍ୟ ଲୋମହର୍ଷକ

୨୦୨୪ ଥିଲା ରାଜ୍ୟ ପୁଲିସ ପାଇଁ ଅନେକ ଦୃଷ୍ଟିରୁ ଆହ୍ବାନମୂଳକ। ସାଧାରଣ ନିର୍ବାଚନ ସମୟରେ ବରିଷ୍ଠ ଆଇପିଏସ୍‌ ଅଧିକାରୀମାନଙ୍କ ଭୂମିକାକୁ ନେଇ ଓଡ଼ିଶା ପୁଲିସ ଉପରେ ନିର୍ବାଚନ କମିସନଙ୍କ ଛାଟ ବାଜିଥିଲା।

୨୦୨୪ ଥିଲା ରାଜ୍ୟ ପୁଲିସ ପାଇଁ ଅନେକ ଦୃଷ୍ଟିରୁ ଆହ୍ବାନମୂଳକ। ସାଧାରଣ ନିର୍ବାଚନ ସମୟରେ ବରିଷ୍ଠ ଆଇପିଏସ୍‌ ଅଧିକାରୀମାନଙ୍କ ଭୂମିକାକୁ ନେଇ ଓଡ଼ିଶା ପୁଲିସ ଉପରେ ନିର୍ବାଚନ କମିସନଙ୍କ ଛାଟ ବାଜିଥିଲା। ପରବର୍ତ୍ତୀ ସମୟରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କ ସହ ଆଚରଣକୁ ନେଇ ହାଇକୋର୍ଟରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଓଡ଼ିଶା ପୁଲିସକୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଓଡ଼ିଶା ପୁଲିସ ନୂଆ ସ୍ଥାୟୀ ମୁଖ୍ୟ ପାଇଲା। କିନ୍ତୁ ସେହି ନିଯୁକ୍ତିରେ ବି ଯୋଡ଼ି ହେଇଗଲା ଓଡ଼ିଆ ଅସ୍ମିତାକୁ ନେଇ ସମାଲୋଚନାର କେଁ। ଚାଞ୍ଚଲ୍ୟକର ଅପରାଧର ମୁକାବିଲା ଗୋଟିଏ ପଟେ ଆହ୍ବାନ ଥିଲା ବେଳେ ଅନ୍ୟପଟେ ‌ବଡ଼ ଧରଣର ସାଇବର ଅପରାଧ ସମାଧାନରେ ଆଂଶିକ ସଫଳତା ଓଡ଼ିଶା ପୁଲିସକୁ ଆଣି ଦେଇଥିଲା ଫେଣ୍ଟାଫେଣ୍ଟି ଅନୁଭବ।

ବଦନାମ ଆଇପିଏସ୍ କୁଟ୍ଟେ, ଆଶିଷ ସିଂହ, ରବିକାନ୍ତ 
ଓଡ଼ିଶାରେ ବିଜେପି ସରକାରକୁ ଆସିବା ପୂର୍ବରୁ ୨୦୨୪ ଶେଷ ଯାଏଁ ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆଶିଷ ସିଂହ, ଡି.ଏସ୍‌. କୁଟ୍ଟେ ଓ ରବିକାନ୍ତ। ଏମାନେ ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବା ଅଭିଯୋଗ ଥିଲା। ବିଜେପି ସରକାରକୁ ଆସିବା ପରେ ଗୃହ ବିଭାଗର ଓଏସ୍‌ଡି ଭାବେ ଗୁରୁତ୍ବହୀନ ଦାୟିତ୍ବ ଦିଆଯାଇଥିଲା। ଆଇପିଏସ୍ ଆଶିଷ ସିଂହ(୨୦୦୪ ବ୍ୟାଚ)ଙ୍କୁ ଜୁଲାଇ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇ ଗୃହ ବିଭାଗର ଓଏସ୍‌ଡି, ଏଡିଜି ପାହ୍ୟାର ଆଇପିଏସ୍ ଡି.ଏସ. କୁଟ୍ଟେ(୧୯୯୭ ବ୍ୟାଚ୍)ଙ୍କ ନିଲମ୍ବନ ହଟିବା ପରେ ତାଙ୍କୁ ବି ନଭେମ୍ବର ୧୫ରେ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ବ ଦିଆଯାଇଥିଲା। ସେହିଭଳି ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର ଥିବା ରବିକାନ୍ତ(୧୯୯୮ ବ୍ୟାଚ)ଙ୍କୁ ମଧ୍ୟ ଓଏସ୍‌ଡି ଦାୟିତ୍ବ ଦିଆଯାଇଛି। ବର୍ଷ ଶେଷରେ ଶ୍ରୀ ସିଂହ ଓ କୁଟ୍ଟେଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନକୁ ଡେପୁଟେସନ୍‌ରେ ପଠାଯାଇଛି।

ଓଡ଼ିଆ ଅସ୍ମିତା ବନାମ ଅଣଓଡ଼ିଆ ପୁଲିସ ମୁଖିଆ

 

୨୦୨୩ ଡିସେମ୍ବର ୩୧ରେ ଅସ୍ଥାୟୀ ପୁଲିସ ଡିଜି ଦାୟିତ୍ବ ନେଇଥିବା ଅରୁଣ ଷଡ଼ଙ୍ଗୀ ଚଳିତ ବର୍ଷ ଅଗଷ୍ଟ ୧୬ରେ ଡିଜି ପଦବିରୁ ଅବ୍ୟାହତି ନେଇଥିଲେ। ରାଜ୍ୟରେ ବିଜେପି ସରକାର ଗଠନ ପରେ ୩୮ତମ ପୁଲିସ ମୁଖିଆ ଭାବେ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଦାୟିତ୍ବ ଦିଆଯାଇଥିଲା। ସ୍ଥାୟୀ ପୁଲିସ ଡିଜି ଭାବେ ଅଗଷ୍ଟ ୧୬ରେ ସେ ଦାୟିତ୍ବ ନେଇଥିଲେ। ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ ଶ୍ରୀ ଖୁରାନିଆ ନୂଆଦିଲ୍ଲୀସ୍ଥିତ ବିଏସ୍‌ଏଫ୍‌ ମୁଖ୍ୟାଳୟରୁ ଅଗଷ୍ଟ ୨ ତାରିଖରେ ମୂଳ କ୍ୟାଡର ଓଡ଼ିଶାକୁ ଫେରିବା ପରେ ଓଡ଼ିଶା ପୁଲିସ ଡିଜି ଦାୟିତ୍ବ ଗ୍ରହଣ କରିଥିଲେ। ପୁଲିସ କମିସନର ଥିବା ବେଳେ ସେ ଚର୍ଚ୍ଚାରେ ରହିଥିଲେ। ତେବେ ଓଡ଼ିଆ ଅସ୍ମିତା ନାରା ଦେଇ ବିଜେପି ସରକାର ଗଢ଼ିଥିବା ବେଳେ ଶ୍ରୀ ଖୁରାନିଆଙ୍କ ନିଯୁକ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା।

୧୨୬ କୋଟି ହଜମ କରିଦେଲେ ସାଇବର୍ ଠକ

ସାଇବର୍ ଅପରାଧୀ ୨୦୨୧-୨୩ରେ ଓଡ଼ିଶାରୁ ମୋଟ ୧୨୫ କୋଟି ୬୩ ଲକ୍ଷ ୧୭ ହଜାର ୬୭୪ ଟଙ୍କା ଲୁଟି ନେଇଛନ୍ତି। ଏଥିରୁ ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଜବତ ହୋଇଛି। ୨୦୨୧ରେ ୨୦୩୭ଟି ମାମଲା ହୋଇଥିବା ବେଳେ ୪୨୫ ଜଣ ଗିରଫ ହୋଇଛନ୍ତି। ୨୦୨୨ରେ ୧୯୮୩ ମାମଲା ରୁଜୁ ଓ ୪୪୧ ଜଣ ଗିରଫ, ୨୦୨୩ରେ ୨୩୪୮ଟି ମାମଲା ଓ ୫୨୨ ଜଣ ଗିରଫ ହୋଇଛନ୍ତି। ଦ୍ବୈତନଗରୀରେ ୧୨ ସିମ୍ ବକ୍ସ ଓ ବାଂଲାଦେଶୀ ଲିଙ୍କ୍ ଅଗଷ୍ଟ ୧୬ରେ କମିସନରେଟ୍ ପୁଲିସ ଭୁବନେଶ୍ବର ଲକ୍ଷ୍ମୀସାଗର ମହାଦେବନଗର ଅଞ୍ଚଳରେ ଏକ ଘରୁ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ରାଜୁ ମଣ୍ଡଳକୁ ଗିରଫ କରିଥିଲା। ତା’ ନିକଟରୁ ୭ଟି ସିମ୍ ବକ୍ସ, ୧ ହଜାର ସିମ୍, ୩ଟି ରାଉଟର୍, ଲାପ୍‌ଟପ୍‌ ଇତ୍ୟାଦି ଜବତ ହୋଇଥିଲା। ସେହି ଘଟଣାରେ କଟକ ମଧୁପାଟଣାର ରାଜେନ୍ଦ୍ରନଗରରେ ଚଢ଼ଉ କରି ୫ଟି ସିମ୍ ବକ୍ସ, ୨୩୬ ସକ୍ରିୟ ସିମ୍ କାର୍ଡ, ୩୧୦ଟି ନିଷ୍କ୍ରିୟ ସିମ୍ କାର୍ଡ, ୪୦ ସିମ୍ କ୍ୟାରିୟର, ଗୋଟିଏ ମୋଡେମ୍, ୨ଟି ରାଉଟର୍, ଏକ୍ସଟେନ୍‌ସନ୍ କେବୁଲ, ଏୟାରଟେଲ୍ ବ୍ରଡବ୍ୟାଣ୍ଡ ଇତ୍ୟାଦି ଜବତ କରିଥିଲା। ରାଞ୍ଚିରେ ବି ପୁଲିସ ଚଢ଼ଉ କରି ୫ ସିମ୍ ବକ୍ସ ଜବତ କରିଥିଲା। ଏହି ସିମବକ୍ସ ପଛର କାର୍ପଟଦାର ବାଂଲାଦେଶର ଅସଦୁର୍‌ ଜମାନ୍ ୨୦୨୩ ଅକ୍ଟୋବର ୨୧ରେ ଭାରତରେ ପହଞ୍ଚିବା ପରେ ଉଭୟ ପ୍ରଥମେ ଭୁବନେଶ୍ବରର ଏକ ହୋଟେଲରେ ରହିଥିଲେ। ସେଠାରେ ରହି ଲକ୍ଷ୍ମୀସାଗର ଓ କଟକର ରାଜେନ୍ଦ୍ରନଗର ଅଞ୍ଚଳରେ ଘର ଭଡ଼ା ନେଇଥିଲେ। ରାଜୁ ମୁଖ୍ୟତଃ ସିମ୍ ବକ୍ସ ମରାମତି ଦାୟିତ୍ବ ନେଇଥିଲା।

ବାଂଲାଦେଶରୁ କଟକ ନାବାଳିକା ଚାଲାଣ

ବାଂଲାଦେଶର ଢାକା ଗାଜିପୁର ଜିଲ୍ଲାର ଜଣେ ନାବାଳିକା ଚାକିରି ଲୋଭରେ ଟିକ୍‌ଟକ୍‌ ଆପ୍ଲିକେସନରେ ବିଜ୍ଞାପନ ଦେଖି ଦୁଇ ଅନ୍ତର୍ଜାତୀୟ ଦଲାଲ୍ ବାଂଲାଦେଶର ଲିଟନ୍ ଦାସ ଓ ମୌସୁମୀ ନାୟକଙ୍କ ହାବୁଡ଼ରେ ପଡ଼ିଥିଲେ। ପରେ ଏମାନେ ନାବାଳିକାକୁ ନେଇ କୋଲକାତାର ବାବୁ ଦାସ ଓ ପତ୍ନୀ ମାୟା ଖାଁଙ୍କୁ ହାବୁଡ଼େଇଥିଲେ। ବାବୁ ଏହି ନାବାଳିକାଙ୍କୁ ଭୁବନେଶ୍ବରର ଗୋପୀକୁ ବିକ୍ରି କରିଦେଇଥିଲା। ଗୋପୀ ତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ପରେ ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଅନ୍ତର୍ଗତ ମାଇନିଂ କଲୋନିର ଦିଦି ଓରଫ ସୁନିତା ଦାସ ଜିମାରେ ଛାଡ଼ିଥିଲା। ସେଠୁ କଟକ ସଦର ଥାନା ଗୋପାଳପୁର ଅଞ୍ଚଳର ଯସ୍ମିନ୍ ଚୌଧୁରୀ ଓ ତା’ ସ୍ବାମୀ ଓମ୍‌ପ୍ରକାଶ ଚୌଧୁରୀ ଓରଫ ବେପା ରାମ ନାବାଳିକାକୁ ଆଣିଥିଲେ। ଶେଷରେ ନଭେମ୍ବର ୯ରେ ପୀଡ଼ିତା ମଧୁପାଟଣା ଥାନାରେ ଫେରାଦ ହୋଇ ଏଭଳି ଚାଞ୍ଚଲ୍ୟକର ଯୁବତୀ ଚାଲାଣ ଓ ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାସ କରିଥିଲେ।

ନିଶ୍ଚେତକ ଦେଇ ପତ୍ନୀ ହତ୍ୟା

୨୮ ଅକ୍ଟୋବରରେ ଭୁବନେଶ୍ବରରେ ଦୁଇ ବାନ୍ଧବୀଙ୍କ ସହ ମିଶି ଜଣେ ଫାର୍ମାସିଷ୍ଟ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ। ଅତ୍ୟଧିକ ନିଶ୍ଚେତକ ଦେଇ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇଥିଲେ। ଫାର୍ମାସିଷ୍ଟ ପ୍ରଦ୍ୟୁମ୍ନ କୁମାର, ଦୁଇ ବାନ୍ଧବୀ ରୋଜି ପାତ୍ର ଓ ଇଜିତା ଭୂୟାଁ ପରବର୍ତ୍ତୀ ସମୟରେ ଗିରଫ ହୋଇଥିଲେ। ଭରତପୁର ଥାନା ସାମପୁରରେ ଥିବା ରୋଜିର ଘରେ ପ୍ରଦ୍ୟୁମ୍ନ ତାଙ୍କ ପତ୍ନୀ ଶୁଭଶ୍ରୀ ନାୟକଙ୍କୁ ହତ୍ୟା କରିଥିଲେ। କିନ୍ତୁ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା କଥା କ୍ୟାପିଟାଲ୍ ହସ୍‌ପିଟାଲରେ ଡାକ୍ତରଙ୍କୁ କହିଥିଲେ। ଏଭଳି ଏକ ଅଭିନବ ହତ୍ୟା ଷଡ଼ଯନ୍ତ୍ର ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।

ପ୍ରଥମ ଡିଜି-ଆଇଜି ସମ୍ମିଳନୀ ଓ ପନ୍ନୁର ନାଲିଆଖି

ରାଜ୍ୟରେ ପ୍ରଥମ ଥର ପାଇଁ ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ବରରେ ନଭେମ୍ବର ୨୯ରୁ ଡିସେମ୍ବର ୧ ଯାଏଁ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ସୁରକ୍ଷା ସହିତ ସମ୍ପର୍କ ରଖୁଥିବା ୯୫ ଜଣ ବରିଷ୍ଠ ଆଇପିଏସ୍ ଅଫିସର ଯୋଗ ଦେଇଥିଲେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ନୂଆ ଅପରାଧ ଆଇନ, ନିଶା କାରବାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଭୁବନେଶ୍ବରରେ ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକପୂର୍ଣ୍ଣ ବାର୍ତ୍ତା ଦେବା ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଭୁବନେଶ୍ବରର ଦୁଇ ସାମ୍ବାଦିକଙ୍କ ନିକଟକୁ ଆସିଥିବା ଧମକପୂର୍ଣ୍ଣ ଇମେଲ୍ ଯାଞ୍ଚ ସମୟରେ ଏହା କାନାଡ଼ାରୁ ଆସିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ସ୍ପଷ୍ଟ କରିଥିଲା। ଡିସେମ୍ବର ୧କୁ ଡି’ ଡେ ଘୋଷଣା କରି ପନ୍ନୁ ଡରାଇଥିବା ବେଳେ ସେଭଳି କୌଣସି ଅଘଟଣ ଘଟିନଥିଲା।

ମଦ ପାଇଁ ପୁଅ, ବୋହୂଙ୍କୁ ଜାଳିଦେଲା ବାପା

କଟକ ବାରଙ୍ଗ ଥାନା ବାରସିଙ୍ଗା ଗାଁର ନିଶାଖୋର ବୃଦ୍ଧ ଗୋବର୍ଦ୍ଧନ ରାଉତ ପ୍ରତି ମାସରେ ପୁଅ ନିକଟରୁ ୫ ହଜାର ଟଙ୍କା ନେଇ ଖର୍ଚ୍ଚ କରୁଥିଲା। ଗତ ନଭେମ୍ବର ୩୦ ରାତିରେ ଖାଇବା ସମୟରେ ପୁଅ ଦୀନବନ୍ଧୁଙ୍କୁ ସେ ଟଙ୍କା ମାଗିଥିଲା। ପୁଅ ଟଙ୍କା ନଦେବାରୁ ସେଠାରେ ଉପସ୍ଥିତ ଥିବା ବୋହୂ ସସ୍ମିତା ଓ ପୁଅ ଗୋବର୍ଦ୍ଧନଙ୍କୁ ପେଟ୍ରୋଲ ଢାଳି ବାପା ଗୋବର୍ଦ୍ଧନ ଜିଅନ୍ତା ଜାଳି ଦେଇଥିଲା। ନୃଶଂସ ବାପା ଗୋବର୍ଦ୍ଧନକୁ ବାରଙ୍ଗ ଥାନା ପୁଲିସ ଗିରଫ କରିଥିଲା। ପୁଅ ଦୀନବନ୍ଧୁ ଓ ବୋହୂ ସସ୍ମିତାଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

ନିର୍ବାଚନ ପୂର୍ବରୁ ୬ ଆଇପିଏସ୍‌ ବିଦା
ସାଧାରଣ ନିର୍ବାଚନରେ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ଆସିବାରୁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୨୦୨୪ ଏପ୍ରିଲ ୨ରେ ୬ ଆଇପିଏସ୍‌ ଅଧିକାରୀଙ୍କୁ ତୁରନ୍ତ ନିର୍ବାଚନ ସହିତ ସମ୍ପର୍କ ରଖୁନଥିବା ପଦବିରେ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୃହ ବିଭାଗ ଏପ୍ରିଲ ୫ରେ ଏହି ତାଲିକାରେ ଥିବା ୬ ଆଇପିଏସ୍ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର, କଟକ ଡିସିପି ଡାକ୍ତର କୱଁର ବିଶାଲ ସିଂହ, ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଖୋର୍ଦ୍ଧା ଏସ୍‌ପି ଯୁଗଳ କିଶୋର କୁମାର ବନୋଥ, ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କୁ ହଟାଇ ଦେଇଥିଲେ। ଏଭଳି ଘଟଣା ରାଜ୍ୟରେ ପ୍ରଥମ ଥର ଘଟିଥିବା କୁହାଯାଉଥିବା ବେଳେ ଏହା ନିର୍ବାଚନ ରାଜନୀତିକୁ ସରଗରମ କରିଥିଲା।

ଝିଅ ବେକରେ ଛୁରି ଲଗାଇ ମା’କୁ ଗଣଦୁଷ୍କର୍ମ
ସେପ୍ଟେମ୍ବର ୩୦ରେ ଭୁବନେଶ୍ବର ମୈତ୍ରୀବିହାରରେ ଦୁଇ ଲୁଟେରା ଏକ ଆପାର୍ଟମେଣ୍ଟରେ ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଛୁରି ଦେଖାଇ ସୁନା ଅଳଙ୍କାର ଓ ମୋବାଇଲ୍ ଲୁଟିବା ସହ ଗଣଦୁଷ୍କର୍ମ କରିଥିଲେ।  ଦୁଇ ବର୍ଷର ଶିଶୁକନ୍ୟାର ବେକରେ ଛୁରି ଲଗାଇ ଲୁଟେରାଦଳ ୨୭ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

ଏକକାଳୀନ ୫ ଜଣଙ୍କୁ ହତ୍ୟା
ଅକ୍ଟୋବର ୨୯ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡିହିର ଗୀତାପଡ଼ାରେ ଯାଯାବର ଗୋଷ୍ଠୀର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ମହାରାଷ୍ଟ୍ରର ଵାର୍ଧା ଅଞ୍ଚଳର ଯାଯାବର ଦଳ ଏଠାରେ ରହୁଥିଲେ। ମୃତକଙ୍କ ମଧ୍ୟରେ ତିନି ମହିଳା ଓ ଦୁଇ ପୁରୁଷ ଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଆହୁରି ୫ ଜଣ ଗୁରୁତର ଆହତ ହୋଇଥିଲେ। ପରକୀୟା ପ୍ରୀତି କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ପରେ ଏଭଳି ହତ୍ୟାକାଣ୍ଡ ଘଟିଥିଲା। କର୍ଣ୍ଣାଟକ ପୁଲିସ ସହାୟତାରେ ୨୩ ଦିନ ପରେ ଚାରି ଜଣ ଗିରଫ ହୋଇଥିବା ବେଳେ ଝାରସୁଗୁଡ଼ାରୁ ଦୁଇ ଜଣ ଗିରଫ ହୋଇଥିଲେ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.