Breaking News

ଚମତ୍କାର ୨୪: ଜଳବାୟୁ ପରିବର୍ତ୍ତନ, ଆହ୍ବାନ

ପ୍ରକୃତି ଓ ପରିବେଶର ଗୁଣାତ୍ମକ ମାନ ଦିନକୁ ଦିନ ହ୍ରାସ ପାଇ ଚାଲିଛି। ବାୟୁ ପ୍ରଦୂଷଣ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତାର ଅବକ୍ଷୟ ପରି ଭୟାବହ ପରିବେଶୀୟ ସମସ୍ୟାମାନ ଦେଖାଯାଉଛି।

ପ୍ରକୃତି ଓ ପରିବେଶର ଗୁଣାତ୍ମକ ମାନ ଦିନକୁ ଦିନ ହ୍ରାସ ପାଇ ଚାଲିଛି। ବାୟୁ ପ୍ରଦୂଷଣ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତାର ଅବକ୍ଷୟ ପରି ଭୟାବହ ପରିବେଶୀୟ ସମସ୍ୟାମାନ ଦେଖାଯାଉଛି। ସେଥିମଧ୍ୟରୁ ମାନବ-ପ୍ରବର୍ତ୍ତିତ ଜଳବାୟୁ ଜରୁରିକାଳୀନ ପରିସ୍ଥିତି ହେଉଛି ସମଗ୍ର ଜୀବଜଗତ ପାଇଁ ଏକ ଗମ୍ଭୀର ଆହ୍ବାନ। ଜଳବାୟୁ ପରିବର୍ତ୍ତନ ଯୋଗୁ ବରଫ ତରଳୁଛି। ସମୁଦ୍ର ପତ୍ତନରେ ବୃଦ୍ଧି ଘଟୁଛି। ପ୍ରକୃତି ଓ ପରିବେଶ ଅବକ୍ଷୟ ମୁହାଁ ହେଉଥିବା ବେଳେ ଜୈବ ବିବିଧତା ହ୍ରାସ ପାଉଛି। ଏସବୁର ମୁକାବିଲା କରିବାକୁ ୨୦୨୪ରେ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଛି। ‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଅଭିଯାନ ହେଉ ଅଥବା ରାଷ୍ଟ୍ରପତିଙ୍କ ଜଳବାୟୁ ପରିବର୍ତ୍ତନ ଆହ୍ବାନ। ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ। ବାତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ଆହୁରି ଅନେକ କିଛି ବାକି ରହିଛି…

ହାତ ମିଳାଇଲା ଓଡ଼ିଶା
ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବାକୁ ‘ସମ୍ବାଦ ଗ୍ରୁପ’ ଅଭିନବ ପଦକ୍ଷେପ ହାତକୁ ନେଇଛି। ରାଜ୍ୟର ୧୪୬ଟି ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ଆୟୋଜନ କରି ନିଆରା ରେକର୍ଡ କରିଛି। କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ୬୦ଦିନିଆ ଅଭିଯାନରେ ଗାଁଠାରୁ ସହର ପର୍ଯ୍ୟନ୍ତ ସଭା, ସମିତି, ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଶତାଧିକ ମହିଳା, ପୁରୁଷ, ଯୁବପିଢ଼ି, ଛାତ୍ରଛାତ୍ରୀ ସାମିଲ ହୋଇ ଜଳବାୟୁ ପରିବର୍ତ୍ତନ ଦ୍ବାରା ସେମାନଙ୍କ ଅଞ୍ଚଳ କିଭଳି ପ୍ରଭାବିତ ହେଉଛି ସେନେଇ ମତ ରଖିଥିଲେ। ବିଧାୟକମାନେ ମଧ୍ୟ ଜନସାଧାରଣଙ୍କ ସମସ୍ୟା ଶୁଣିବା ସହ ନିରାକରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ’ ବାର୍ଷିକ ଉତ୍ସବ ଅବସରରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀ। ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଜାତୀୟ ତଥା ଅନ୍ତର୍ଜାତୀୟ ବିଶେଷଜ୍ଞ, ଗବେଷକ, ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ୪୦ରୁ ଅଧିକ ଅତିଥି ଓ ବକ୍ତା। ୧୧ରୁ ଅଧିକ ଅଧିବେଶନରେ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। କେଉଁ ନିର୍ବାଚନମଣ୍ଡଳୀ ଉପରେ ଜଳବାୟୁର କେଉଁ ପ୍ରଭାବ ପଡ଼ୁଛି ସେନେଇ ‘କ୍ଲାଇମେଟ୍‌ ଆଟ୍‌ଲାସ୍‌’ ପ୍ରସ୍ତୁତ ହୋଇଥିଲା।

ଦାନା ଛଡ଼ାଇନେଲା ‘ଦାନା’
ଏଥର ମଧ୍ୟ ବାତ୍ୟା ପ୍ରଭାବରୁ ବଞ୍ଚିପାରିନି ଓଡ଼ିଶା। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବକୁ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ‘ଦାନା’। ଗତିପଥ ସମ୍ପର୍କରେ ପାଖାପାଖି ୪ ଦିନ ଧରି ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରିଥିଲେ ମଧ୍ୟ ଶେଷରେ ଅକ୍ଟୋବର ୨୪ ଓ ୨୫ ତାରିଖରେ ଆତଙ୍କ ଖେଳାଇଥିଲା ଦାନା। ପ୍ରାୟ ୭ ଘଣ୍ଟା ଧରି ଏହାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଚାଲିଥିଲା। ସ୍ଥଳଭାଗକୁ ପ୍ର‌ବେଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ଥିଲା। ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳ ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରିଥିଲା। ସ୍ଥଳଭାଗ ଛୁଇଁବା ସହ ‘ଦାନା’ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଥିଲା। ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟିକାନ୍ଥ ଘର ଭାଙ୍ଗିବା ସହ ଚାଳଘରଗୁଡ଼ିକର ଛପର ଉଡ଼ିଯାଇଥିଲା। ପବନ ମାଡ଼ରେ ଗଛ ଧରାଶାୟୀ ହୋଇପଡ଼ିବା ସହ ବ୍ୟାପକ ଧାନଫସଲର କ୍ଷତି ହୋଇଥିଲା।

ଭାଦ୍ରବ-ଆଶ୍ବିନରେ ଜ୍ୟେଷ୍ଠ ଖରା

କୁହାଯାଏ ଭାଦ୍ରବ-ଆଶ୍ବିନରେ କୁଆଡ଼େ ଅଧିକ ବର୍ଷା ହୋଇଥାଏ। ମାତ୍ର ଏଥର ଭାଦ୍ରବ ମାସ ସରିଗଲା। ଆଶ୍ୱିନ ପାଦ ଥାପିଥିଲେ ମଧ୍ୟ ବର୍ଷାର ଦେଖା ନ ଥିଲା। ବରଂ ଦିନ ସମୟରେ ଜ୍ୟେଷ୍ଠ ମାସ ଭଳି ତାତି ଅନୁଭୂତ ହୋଇଥିଲା। ଉପକୂଳରୁ ପଶ୍ଚିମ ଓଡ଼ିଶା ସବୁଠି ଗରମରେ ଆଉଟୁପାଉଟୁ ହୋଇଥିଲେ ଲୋକେ। ବୟସ୍କ ଲୋକ, ଛୋଟ ଶିଶୁ ଓ ରୋଗୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କେତେକ ଜିଲ୍ଲାରେ ଢିପ ଧାନ ଜମିଗୁଡ଼ିକ ଫାଟି ଯାଇଥିବା ବେଳେ ଆଉ କିଛି ଜମିରେ ବୁଣା ଯାଇଥିବା ଧାନ ଝାଉଁଳି ପଡ଼ିଥିଲା। ନଦୀ ଓ ନାଳଗୁଡ଼ିକରେ ପାଣିର ପ୍ରବାହ ମଧ୍ୟ ଧୀରେ ଧୀରେ କମିଥିଲା। ଜଳସେଚନ ସୁବିଧା ନଥିବାରୁ ଖରାଟିଆ ଚାଷ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ମୌସୁମୀ ମଧ୍ୟ ଲୁଚକାଳି ଖେଳିବାରୁ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

୯ ମାସରେ ୩,୨୩୮ ଜଣଙ୍କ ମୃତ୍ୟୁ

ଗ୍ଲୋବାଲ ୱାର୍ମିଂର ପ୍ରଭାବ ଓଡ଼ିଶା ସମେତ ସାରା ଦେଶରେ ଅନୁଭୂତ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରବଳ ଗରମ, ଥଣ୍ଡା ଓ ଅଦିନିଆ ବର୍ଷା ‌ପରିଲକ୍ଷିତ ହୋଇଥିଲା। ତେବେ ସେପ୍ଟେମ୍ବର ମାସରେ ଦିଲ୍ଲୀର ସଙ୍ଗଠନ ‘ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭିରନମେଣ୍ଟ’(ସିଏସ୍‌ଇ) ରିପୋର୍ଟ ଆଶ୍ଚର୍ଯ୍ୟଚକିତ କରିବା ଭଳି ଥିଲା। ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୨. ୩୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଥିଲା। ୨୦୨୪ର ପ୍ରଥମ ୯ ମାସ ଅର୍ଥାତ୍ ୨୭୪ ଦିନର ୨୫୫ ଦିନରେ ଭାରତ ଅତ୍ୟଧିକ ଖରାପ ପାଣିପାଗ ପରିସ୍ଥିତିର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା ଓ ଭୂସ୍ଖଳନ ସହ ପ୍ରବଳ ଗରମ ଯୋଗୁଁ ୩,୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ଖରାପ ପାଗ ଯୋଗୁଁ ୩.୨ ନିୟୁତ ହେକ୍ଟର ଫସଲ ପ୍ରଭାବିତ ହୋଇଥିବା ବେଳେ ପ୍ରବଳ ବର୍ଷାରେ ୨,୩୫,୮୬୨ଟି ଘର ଓ କୋଠା ନଷ୍ଟ ସହ ୯,୪୫୭ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିଲା।

ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର

ବାୟୁ ପ୍ରଦୂଷଣରେ ଓଡ଼ିଶାର ସହରଗୁଡ଼ିକ ଉପରମୁହାଁ ହୋଇଚାଲିଛି। ଗୋଟିଏ ସମୟରେ ଦିଲ୍ଲୀର ବାୟୁ ପ୍ରଦୂଷଣ ହେବା ନେଇ ଆମେ ଖବର ପାଉଥିଲେ।‌ ତେବେ ଚଳିତବର୍ଷ ଓଡ଼ିଶାର ଏକାଧିକ ସହରର ବାୟୁ ଦିଲ୍ଲୀ ସ୍ଥିତିକୁ ବଳି ଯାଇଥିଲା। ଡିସେମ୍ବର ପ୍ରଥମ ସପ୍ତାହରେ ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଖରାପ(ପୋର୍‌) ସ୍ତରରେ ପହଞ୍ଚିଥିଲା। ଯେଉଁଥିରେ ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତା‌ଳଚେର ଥିଲା। ଏହି ସହରଗୁଡ଼ିକର ବାୟୁ ଅସ୍ବାସ୍ଥ୍ୟକର ହୋଇପଡ଼ିଥିଲା। ସହରବାସୀ ଅମ୍ଳଜାନ ବଦଳରେ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଇଥିଲେ।

ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବଢ଼ୁଛି
୨୦୨୧ ତୁଳନାରେ ୨୦୨୩ରେ ଓଡ଼ିଶାରେ ୫୫୯ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିପାଇଛି।  ଏଥିରେ ଜଙ୍ଗଲ ଅଞ୍ଚଳ ୧୫୧.୮୯ ବର୍ଗ କିମି ହୋଇଥିବା ବେଳେ ବୃକ୍ଷ ଅଞ୍ଚଳ ୪୦୬.୬୮ ବର୍ଗକିମି ରହିଛି। କଳାହାଣ୍ଡି ଜିଲ୍ଲାରେ ୨୦୨୧ ତୁଳନାରେ ୨୦୨୩ରେ ୬୧.୯୪ ବର୍ଗକିମି ଜଙ୍ଗଲ ହ୍ରାସ ପାଇଥିବାବେଳେ ଗଂଜାମ ଜିଲ୍ଲାରେ ୧୬୯.୧୮ ବର୍ଗକିମି ଜଙ୍ଗଲ ବୃଦ୍ଧି ହୋଇଛି। ହେନ୍ତାଳ ଜଙ୍ଗଲ ୨୫୯.୦୬ ବର୍ଗ କିମିକୁ ବଢ଼ିଛି। ଓଡ଼ିଶାର ହେନ୍ତାଳ ଜଙ୍ଗଲ ଥିବା ୫ ଜିଲ୍ଲା ମଧ୍ୟରୁ ସର୍ବାଧିକ ୨୧୨.୬୯ ବର୍ଗକିମି କେନ୍ଦ୍ରାପଡ଼ାରେ ରହିଛି। ସେହିପରି ନିଆଁ ଲାଗିବାରେ ଦେଶର ‌ଶୀର୍ଷ ୨୦ ଜିଲ୍ଲା ମଧ୍ୟରେ ଓଡ଼ିଶାର ରାୟଗଡ଼ା, କନ୍ଧମାଳ, ମାଲକାନଗରି ଓ କୋରାପୁଟ ଜିଲ୍ଲା ରହିଥିବା ୨୦୨୪ରେ ପ୍ରକାଶିତ ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.