Breaking News

ଚମତ୍କାର ୨୪: ନିରାଶା, ବଡ଼ ପଦରେ କମିଲେ ଓଡ଼ିଆ

ନା ଗଠନ ହେଲା ଅର୍ଥ ଆୟୋଗ, ନା ହେଲା ଯୋଜନା ବୋର୍ଡ। ଛଅ ମାସ ବିତିଗଲା, କିନ୍ତୁ କେହି ଧ୍ୟାନ ଦେଲେନି। ଏପଟେ ଆଳୁ, ପିଆଜ, ଟମାଟୋ ବର୍ଷ ସାରା ଲୋକଙ୍କୁ କନ୍ଦାଇଲା। ମନରେଗାରେ କାମ କରି ମଧ୍ୟ ଲୋକ ପାଇଲେନି ମଜୁରୀ।

ନା ଗଠନ ହେଲା ଅର୍ଥ ଆୟୋଗ, ନା ହେଲା ଯୋଜନା ବୋର୍ଡ। ଛଅ ମାସ ବିତିଗଲା, କିନ୍ତୁ କେହି ଧ୍ୟାନ ଦେଲେନି। ଏପଟେ ଆଳୁ, ପିଆଜ, ଟମାଟୋ ବର୍ଷ ସାରା ଲୋକଙ୍କୁ କନ୍ଦାଇଲା। ମନରେଗାରେ କାମ କରି ମଧ୍ୟ ଲୋକ ପାଇଲେନି ମଜୁରୀ। ପାଠପଢ଼ି ବେକାର ହୋଇ ବୁଲୁଛନ୍ତି ସହରାଞ୍ଚଳର ଯୁବପିଢ଼ି। ବଡ଼ ପଦରେ ରହି ଓଡ଼ିଶା ଲାଗି ଗୌରବ ଆଣିଥିବା ଶକ୍ତିକାନ୍ତ ଦାସ ଓ ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପୂର୍ବତଟ ରେଳ ଜୋନ୍‌ରୁ ୱାଲଟିୟର ଡିଭିଜନ ଅଲଗା ହୋଇଯାଇଥିବା ବେଳେ ଘରୋଇ ସଂସ୍ଥା ହାତକୁ ଭୁବନେଶ୍ବର ବିମାନବନ୍ଦରକୁ ଟେକି ଦେବା ଲାଗି ହେଉଛି ଉଦ୍ୟମ

ଗଠନ ହେଲାନି ଷଷ୍ଠ ଅର୍ଥ ଆୟୋଗ
ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ପଞ୍ଚମ ଅର୍ଥ ଆୟୋଗ ଗଠନ ହୋଇଥିଲା। ଆୟୋଗ ୨୦୧୯ ମସିହାରେ ଏହାର ରିପୋର୍ଟ ପ୍ରଦାନ କରିଥିଲା। ୨୦୨୦ ମସିହାରୁ ଏହି ଆୟୋଗର ସୁପାରିସ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା। ପଞ୍ଚମ ଅର୍ଥ ଆୟୋଗର ସୁପାରିସ ଅବଧି ଶେଷ ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଷଷ୍ଠ ଅର୍ଥ ଆୟୋଗ ଗଠନ କରିପାରିନାହାନ୍ତି। ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର କେତେ ଅର୍ଥ ଆବଣ୍ଟନ କରିବେ ସେ ସଂପର୍କରେ ଅର୍ଥ ଆୟୋଗ ଅନୁଧ୍ୟାନ କରିବା ପରେ ରିପୋର୍ଟ ପ୍ରଦାନ କରିଥାଏ। ଏଥିପାଇଁ ଅର୍ଥ ଆୟୋଗକୁ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରିବା ସହିତ ବୈଠକ କରିବାକୁ ପଡ଼ିଥାଏ। ତେଣୁ ଷଷ୍ଠ ଅର୍ଥ ଆୟୋଗ ‌ଶୀଘ୍ର ଗଠନ ହେଲେ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳର ପୌରସଂସ୍ଥାଗୁଡ଼ିକୁ କେତେ ସମ୍ବଳ ମିଳିବ ତାହା ସ୍ପଷ୍ଟ ହେବ। ସରକାର ଚଳିତବର୍ଷ ନୂଆ ଅର୍ଥ ଆୟୋଗ ଗଠନ କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିନାହିଁ।

ବଡ଼ ପଦରେ କମିଲେ ଓଡ଼ିଆ
ଦେଶର ଆର୍ଥିକ କ୍ଷେତ୍ରର ବଡ଼ ପଦଗୁଡ଼ିକରେ ଓଡ଼ିଆ ଅଧିକାରୀଙ୍କ ଆଧିପତ୍ୟ ଥିଲା। କିନ୍ତୁ ୨୦୨୪ରେ ତାହା ଯେଭଳି ଦୁର୍ବଳ ହୋଇପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିବା ଶକ୍ତିକାନ୍ତ ଦାସ ଛଅ ବର୍ଷ ପରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ସଞ୍ଜୟ ମାଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି। ସେହିପରି ଦେଶର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ମଧ୍ୟ ବଢ଼ିନାହିଁ। ୨୦୨୦ ଅଗଷ୍ଟରେ ତାଙ୍କୁ ସିଏଜି ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ସ୍ଥାନରେ ହିମାଚଳପ୍ରଦେଶ କ୍ୟାଡର ଆଇଏଏସ୍ ଅଫିସର କେ ସଞ୍ଜୟ ମୂର୍ତ୍ତିଙ୍କୁ ନିଯୁକ୍ତି ମିଳିଛି। ଆସନ୍ତା ଜାନୁଆରିରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ଆଉ ଜଣେ ଓଡ଼ିଆଙ୍କୁ ପ୍ରମୁଖ ପଦରୁ ବିଦାୟ ନେବାକୁ ପଡ଼ିବ। ପେନ୍‌ସନ୍‌ ଫଣ୍ଡ୍‌ ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ’ରେ ଶେଷ ହେବ। ଏବେଠାରୁ ତାଙ୍କ ଉତ୍ତରାଧିକାରୀ ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟରେ ନାହିଁ ଯୋଜନା ବୋର୍ଡ
ନିର୍ବାଚନରେ ରାଜ୍ୟର ଶାସନ ଭାର ବିଜେପି ହାତକୁ ଯାଇଛି। ଏହାପରେ ରାଜ୍ୟ ସରକାର ପୂର୍ବରୁ ବିଜେଡି ସରକାରଙ୍କ ଅମଳରେ ଥିବା ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। କିନ୍ତୁ ନୂଆ ଯୋଜନା ବୋର୍ଡ ଏପର୍ଯ୍ୟନ୍ତ ଗଠନ ହୋଇନାହିଁ। ଅବଶ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଥିଲେ ଯେ ନୀତି ଆୟୋଗ ଢାଞ୍ଚାରେ ଯୋଜନା ବୋର୍ଡ ଗଠନ ହେବ। ଏ ନେଇ ବିଶେଷଜ୍ଞମାନଙ୍କ ସହିତ ବିଚାରବିମର୍ଶ ଚାଲିଛି। କିନ୍ତୁ କେବେସୁଦ୍ଧା ଗଠନ ହେବ ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ରାଜ୍ୟରେ ଯୋଜନା ବୋର୍ଡ କେବେ ଗଠନ ହେବ ଏବଂ ତାହାର ରୂପରେଖ କଣ ରହିବ ତାହା ଏବେ ବି ଅନିଶ୍ଚିତତା ମଧ୍ୟରେ ରହିଛି। ପୂର୍ବ ସରକାରଙ୍କ ଅମଳରେ ଯୋଜନା ବୋର୍ଡ ଥିଲେ ମଧ୍ୟ ତାହାର ବୈଠକ ବସୁ ନଥିଲା।

ଏଫ୍‌ଡିଆଇରେ ପଛୁଆ
ରାଜ୍ୟ ସରକାର ଶିଳ୍ପାୟନ ପଛରେ ଧାଇଁଥିଲେ ମଧ୍ୟ ବିଦେଶରୁ ପୁଞ୍ଜି ଆଣିବା କ୍ଷେତ୍ରରେ ବହୁତ ପଛରେ ପଡ଼ିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଶିଳ୍ପ ପୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ଆସିଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ତଥ୍ୟ ସାମ୍ନାକୁ ଆସିଛି।  ଗତ ୫ ବର୍ଷ ମଧ୍ୟରେ ଦେଶକୁ ମୋଟ ୨୬୨୫୩୭.୯ ନିୟୁତ ଡଲାର ଏଫଡିଆଇ ଆସିଥିବାବେଳେ ଏଥିରୁ ଓଡ଼ିଶା ଭାଗରେ ମାତ୍ର ୧୭୨.୩୨ ନିୟୁତ ଡଲାର  (୧୪୫୯ କୋଟି ଟଙ୍କା) ପଡ଼ିଛି। ଅର୍ଥାତ୍‌ ଗତ ୫ ବର୍ଷ ଭିତରେ ଦେଶକୁ ଆସିଥିବା ମୋଟ୍‌ ଏଫ୍‌ଡିଆଇର କେବଳ ୦.୦୭ ପ୍ରତିଶତ ଓଡ଼ିଶା ପାଇଛି। ଅନ୍ୟାନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଏଫ୍‌ଡିଆଇ କ୍ଷେତ୍ରରେ ଓଡ଼ିଶା ୨୧ତମ ସ୍ଥାନରେ ରହିଛି। ଏଫଡିଆଇ ଆସିଲେ ରାଜ୍ୟକୁ ନୂଆ ପୁଞ୍ଜି ସହିତ କାରିଗରୀ କୌଶଳ ଆସିପାରନ୍ତା। ଶିଳ୍ପ ପାଇଁ ଅନୁକୂଳ ପରିବେଶ ଥିବା ସତ୍ତ୍ବେ ଏଫଡିଆଇ କ୍ଷେତ୍ରରେ ଓଡ଼ିଶା ଏତେ ପଛରେ ରହିବା ଅନେକଙ୍କୁ ଚକିତ କରିଛି।

ଅସ୍ତବ୍ୟସ୍ତ କଲା ଦରଦାମ୍
ରୋଷେଇରେ ବ୍ୟବହାର ହେଉଥିବା ପ୍ରମୁଖ ଜିନିଷଗୁଡ଼ିକର ଦରବୃଦ୍ଧି ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଥିଲା। ବିଶେଷ କରି ଆଳୁର କେଜି ପିଛା ଦାମ୍ ବହୁଦିନ ପର୍ଯ୍ୟନ୍ତ ୫୦-୬୦ ଟଙ୍କା ସ୍ତରରେ ରହିବା ସାଧାରଣ ଖାଉଟି ଲାଗି ଅସହ୍ୟ ହୋଇଛି। ଆଳୁ ପାଇଁ ଓଡ଼ିଶା ମୁଖ୍ୟତଃ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ମାତ୍ର ମମତା ବାନାର୍ଜୀଙ୍କ ସରକାର ନିୟମିତ ବ୍ୟବଧାନରେ ଆଳୁ ପଠାଇବା ବନ୍ଦ କରିବାରୁ ଓଡ଼ିଶାରେ ତାହାର ଅଭାବ ଦେଖାଦେଇଥିଲା। ସେଥିପାଇଁ ଆଳୁ ଅନେକ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। କେବଳ ଆଳୁ ନୁହେଁ, ପିଆଜ ମଧ୍ୟ ଲୋକମାନଙ୍କୁ କନ୍ଦାଇଥିଲା। ପିଆଜ କେଜି ୬୦-୭୦ ଟଙ୍କା ଉପରେ ରହିବାରୁ ଆମିଷ ପ୍ରିୟ ଲୋକଙ୍କ ପାଇଁ ଚିନ୍ତା ବଢ଼ିଥିଲା। ବଜାରରେ ପନିପରିବା କିଣିବା ଲାଗି ଯେତିକି ଟଙ୍କା ଖର୍ଚ୍ଚ ହେଉଛି, କେବଳ ଆଳୁ ପିଆଜ କିଣିବା ଲାଗି ପାଖାପାଖି ସେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ପୂର୍ବରୁ ଏଭଳି ସ୍ଥିତି ନଥିଲା। ଆଳୁ ପିଆଜ କିଣାରେ ଲୋକଙ୍କୁ କମ୍ ଖର୍ଚ୍ଚ କରିବାକୁ ପଡ଼ୁଥିଲା। ସାମୁଦ୍ରିକ ବାତ୍ୟା ଦାନା ପ୍ରଭାବରେ ମଧ୍ୟ ବଜାର ମହଙ୍ଗା ହୋଇଥିଲା। ଲୋକମାନଙ୍କୁ ପନିପରିବା, ତେଲ, ଡାଲି, ଚାଉଳ, ଅଟା ଆଦି କିଣିବାରେ ଅଧିକ ଗଣିବାକୁ ପଡ଼ିଥିଲା। ଟମାଟୋ ସେଞ୍ଚୁରି ମାରିଥିଲା। ଏକ କିଲୋ ଟମାଟୋ ଦାମ୍ ୧୦୦ ଟଙ୍କାରୁ ଅଧିକ ହୋଇଥିଲା। ଚାଉଳ କିଲୋ ୪୦ ଟଙ୍କାରୁ ଉଚ୍ଚା ରହିଛି। ଗହମ ପାଇଁ ଅଟା ଦର ବି ବଢ଼ିଛି। ହରଡ଼ ଡାଲି ଦାମ୍ ୧୬୦-୧୮୦ ଟଙ୍କା ଭଳି ଉଚ୍ଚ ସ୍ତରରେ ବର୍ଷତମାମ ରହିଥିବା ବେଳେ ଖାଇବା ତେଲ କିଣିବା ମଧ୍ୟ ଲୋକମାନଙ୍କୁ ବାଧିଥିଲା।

ସହରରେ ଅଧିକ ବେକାର
ରାଜ୍ୟରେ ନିଯୁକ୍ତି ଅଭାବ ଓ ବେକାରି ବଡ଼ ପ୍ରସଙ୍ଗ ଥିଲା। ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦ ପୂରଣ କରିବା ଲାଗି ବିଜେପି ଦେଇଥିବା ପ୍ରତିଶ୍ରୁତି ବିଧାନସଭା ନିର୍ବାଚନରେ ବିଜୟୀ ହେବାରେ ଦଳକୁ ବିଶେଷ ସାହାଯ୍ୟ କରିଥିଲା। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର ପିଏଲ୍‌ଏଫ୍‌ଏସ୍‌ (ପିରିୟଡିକ୍‌ ଲେବର ଫୋର୍ସ ସର୍ଭେ) ୨୦୨୨-୨୩ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରି ହାର ୩.୯ ପ୍ରତିଶତ ରହିଛି ଯାହା ଜାତୀୟ ହାର ୩.୨ ପ୍ରତିଶତଠାରୁ ଅଧିକ। ଓଡ଼ିଶାର ଗ୍ରାମାଞ୍ଚଳରେ ବେକାରି ହାର ୩.୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୬.୨ ପ୍ରତିଶତ ରହିଛି। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ  କାର୍ଯ୍ୟାଳୟଗୁଡ଼ିକର ତତ୍ତ୍ବାବଧାନରେ ଜୀବନ୍ତ ପଞ୍ଜିକାରେ ମୋଟ ୧୧ ଲକ୍ଷ ୪ ହଜାର ୨୨୯ ଜଣ ଯୁବକଯୁବତୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୧୦ ବର୍ଷ ମଧ୍ୟରେ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ୮୪୦୧ ଜଣ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୧୦.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୮.୮ ପ୍ରତିଶତ ଥିଲା। ଏହା ଜାତୀୟ ହାର ୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ଏହି ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ବେକାରି ହାର ବର୍ଷକ ଭିତରେ ୪.୮ ପ୍ରତିଶତରୁ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇ ୯.୬ ପ୍ରତିଶତ ହୋଇଛି। ସେହି ସମୟରେ ମହିଳାଙ୍କ କ୍ଷେତ୍ରରେ ବେକାରି ହାର ୯ ପ୍ରତିଶତରୁ ବୃଦ୍ଧି ପାଇ ୧୩ ପ୍ରତିଶତ ହୋଇଛି।

ଘରୋଇ ସଂସ୍ଥା ହାତକୁ ଯିବ ବିମାନବନ୍ଦର

ଭୁବନେଶ୍ବର ବିମାନବନ୍ଦରର ଘରୋଇକରଣ ହେବ। ଦେଶର ଯେଉଁ ୨୫ଟି ବିମାନବନ୍ଦରର ଘ‌ରୋଇକରଣ କରାଯାଉଛି, ସେହି ତାଲିକାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ରହିଛି। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୂରଲୀଧର ମୋହୋଲ ଏହା ସ୍ପଷ୍ଟ କରିଛନ୍ତି। ଜାତୀୟ ମନିଟାଇଜେସନ୍ ପାଇପ୍‌ଲାଇନ୍‌ରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପରିଚାଳନା କରୁଥିବା ୨୫ ବିମାନବନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଘରୋଇକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉତ୍ତମ ପରିଚାଳନା, ଘରୋଇ କ୍ଷେତ୍ରର ଦକ୍ଷତା ଓ ନିବେଶକୁ ଉପଯୋଗ କରିବା ଲାଗି ବିମାନବନ୍ଦର ଘରୋଇକରଣ କରାଯାଉଥିବା ମନ୍ତ୍ରୀ ଶ୍ରୀ ମୋ‌ହୋଲ କହିଥିଲେ। ଘରୋଇ ସଂସ୍ଥା ଦ୍ବାରା ବିମାନବନ୍ଦର ଭିତ୍ତିଭୂମିରେ ଉନ୍ନତି ଅଣାଗଲେ ତାହାର ଲାଭ ସେହି ବିମାନବନ୍ଦର ଥିବା ରାଜ୍ୟ ଓ ସେଠାକାର ଯାତ୍ରୀମାନଙ୍କୁ ମିଳିବ। ଘରୋଇ ସରକାରୀ ସହଭାଗିତା (ପିପିପି)ରେ ବିମାନବନ୍ଦର ପରିଚାଳିତ ହେବ। ବିମାନବନ୍ଦରକୁ ଲିଜ୍‌ ସୂତ୍ରରେ ଦେବା ଦ୍ବାରା ଯେଉଁ ପାଣ୍ଠି ମିଳିବ ତାହାକୁ ଏଏଆଇ କର୍ତ୍ତୃପକ୍ଷ ଭିତ୍ତିଭୂମି ବିକାଶରେ ବିନିଯୋଗ କରିପାରିବେ। ‌ତେବେ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣକୁ ବିଜୁ ଜନତା ଦଳ (ବିଜେଡି) କଡ଼ା ସମାଲୋଚନା କରୁଛି। ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ଏହା ହେଉଛି ଆମ ସ୍ବାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ। ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଆଦାନୀ ଗ୍ରୁପ୍ ହାତରେ ବିମାନବନ୍ଦର ପଡ଼ିପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ବର ବିମାନବନ୍ଦର ହେଉଛି ଏକ ଲାଭଜନକ ବିମାନବନ୍ଦର। ଏହା ହେଉଛି ଦେଶର ଚତୁର୍ଦ୍ଦଶ ବ୍ୟସ୍ତବହୁଳ ବିମାନବନ୍ଦର ଯାହା ୪୧ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରଖିଛି। ଖୁବ୍‌ଶୀଘ୍ର ଏହି ବାର୍ଷିକ ଯାତ୍ରୀ ପରିଚାଳନା କ୍ଷମତାକୁ ୮୮ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିମାନବନ୍ଦର କର୍ତ୍ତୃପକ୍ଷ କାମ କରୁଛନ୍ତି।

ସହରରେ ଅଧିକ ବେକାର
ରାଜ୍ୟରେ ନିଯୁକ୍ତି ଅଭାବ ଓ ବେକାରି ବଡ଼ ପ୍ରସଙ୍ଗ ଥିଲା। ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦ ପୂରଣ କରିବା ଲାଗି ବିଜେପି ଦେଇଥିବା ପ୍ରତିଶ୍ରୁତି ବିଧାନସଭା ନିର୍ବାଚନରେ ବିଜୟୀ ହେବାରେ ଦଳକୁ ବିଶେଷ ସାହାଯ୍ୟ କରିଥିଲା। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର ପିଏଲ୍‌ଏଫ୍‌ଏସ୍‌ (ପିରିୟଡିକ୍‌ ଲେବର ଫୋର୍ସ ସର୍ଭେ) ୨୦୨୨-୨୩ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରି ହାର ୩.୯ ପ୍ରତିଶତ ରହିଛି ଯାହା ଜାତୀୟ ହାର ୩.୨ ପ୍ରତିଶତଠାରୁ ଅଧିକ। ଓଡ଼ିଶାର ଗ୍ରାମାଞ୍ଚଳରେ ବେକାରି ହାର ୩.୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୬.୨ ପ୍ରତିଶତ ରହିଛି। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ  କାର୍ଯ୍ୟାଳୟଗୁଡ଼ିକର ତତ୍ତ୍ବାବଧାନରେ ଜୀବନ୍ତ ପଞ୍ଜିକାରେ ମୋଟ ୧୧ ଲକ୍ଷ ୪ ହଜାର ୨୨୯ ଜଣ ଯୁବକଯୁବତୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୧୦ ବର୍ଷ ମଧ୍ୟରେ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ୮୪୦୧ ଜଣ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୧୦.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୮.୮ ପ୍ରତିଶତ ଥିଲା। ଏହା ଜାତୀୟ ହାର ୬.୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ଏହି ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ବେକାରି ହାର ବର୍ଷକ ଭିତରେ ୪.୮ ପ୍ରତିଶତରୁ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇ ୯.୬ ପ୍ରତିଶତ ହୋଇଛି। ସେହି ସମୟରେ ମହିଳାଙ୍କ କ୍ଷେତ୍ରରେ ବେକାରି ହାର ୯ ପ୍ରତିଶତରୁ ବୃଦ୍ଧି ପାଇ ୧୩ ପ୍ରତିଶତ ହୋଇଛି।

ଶିଳ୍ପ ରୋକିପାରୁନି ଦାଦନ ଦୁଃଖ
ରାଜ୍ୟ ଅର୍ଥନୀତି ପ୍ରତି ୪୩ ପ୍ରତିଶତ ଅବଦାନ ଦେଉଥିବା ଶିଳ୍ପ କ୍ଷେତ୍ର ଦାଦନ ଦୁଃଖ ଦୂରେଇବାରେ ବିଫଳ ହୋଇଛି। ଶିଳ୍ପ କାରଖାନାରେ କାମ ପାଉ ନ ଥିବାରୁ ଗ୍ରାମାଞ୍ଚଳର ବହୁ ସଂଖ୍ୟାରେ ଯୁବକ ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ଦାଦନ ଖଟିବାକୁ ଯାଉଛନ୍ତି। ସେମାନେ ନିର୍ମାଣ କ୍ଷେତ୍ରରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହା ଏଭଳି ଏକ ସମୟରେ ହେଉଛି ଯେତେବେଳେ ପଶ୍ଚିମବଙ୍ଗ ଓ ବିହାରର ଶ୍ରମିକମାନେ ଆସି ଓଡ଼ିଶାରେ ନିର୍ମାଣ କ୍ଷେତ୍ରରେ ବହୁ ସଂଖ୍ୟାରେ କାର୍ଯ୍ୟ କରୁଛନ୍ତି। ରାଜ୍ୟର ଯୁବକଯୁବତୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିଲେ ସେମାନଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ୁନଥାନ୍ତା। ପ୍ରତିବର୍ଷ ୪୦-୫୦ ହଜାର ପର୍ଯ୍ୟନ୍ତ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ବିଶେଷ କରି ଅନୁଗୁଳଭଦ୍ରକ, ଦେବଗଡ଼, ଗଜପତିକନ୍ଧମାଳସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଅନୁଗୁଳ ଓ ସୁନ୍ଦରଗଡ଼ରେ ବହୁ ସଂଖ୍ୟାରେ କଳକାରଖାନା ଓ ଖଣି ଥିବା ସତ୍ତ୍ବେ ଲୋକମାନେ ଜୀବିକା ଲାଗି ବାହାର ରାଜ୍ୟକୁ ଯିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ ହୋଇରହିଛି। ଏହି ସମସ୍ୟାକୁ ରାଜ୍ୟ ସରକାର ଭଲ ଭାବେ ବୁଝିପାରିଥିବା ବେଳେ ନୂଆ ଶିଳ୍ପରେ କିଭଳି ଅଧିକରୁ ଅଧିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିପାରିବ ତାହା ଉପରେ ଧ୍ୟାନ ଦିଆଯାଉଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.