Breaking News

ଚମତ୍କାର ୨୪: ନିଷ୍ପେସିତଙ୍କ ପ୍ରତି ଉତ୍ସର୍ଗୀକୃତ ବିନୋଦ

ଏମାନଙ୍କୁ ନିଜ ନିଜ ଅଞ୍ଚଳର ନାୟକ ବା ‘ଲୋକାଲ୍‌ ହିରୋ’ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁମାନେ ଆମ ସମାଜରେ ଖାଲି ପରିବର୍ତ୍ତନର ବାର୍ତ୍ତାବହ ସାଜିନାହାନ୍ତି, ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ଜଣେ...

ଏମାନଙ୍କୁ ନିଜ ନିଜ ଅଞ୍ଚଳର ନାୟକ ବା ‘ଲୋକାଲ୍‌ ହିରୋ’ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁମାନେ ଆମ ସମାଜରେ ଖାଲି ପରିବର୍ତ୍ତନର ବାର୍ତ୍ତାବହ ସାଜିନାହାନ୍ତି, ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ଜଣେ ଚର୍ଚ୍ଚିତ ତଥା ସମ୍ମାନୀୟ ବ୍ୟକ୍ତିତ୍ବ ମଧ୍ୟ। ନିଜ ଅଞ୍ଚଳବାସୀଙ୍କ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ଏମାନେ କେତେବେଳେ ସୁରକ୍ଷାର ଜାଗ୍ରତ ପ୍ରହରୀ ତ ଆଉ କେତେବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଅଫୁରନ୍ତ ଉତ୍ସାହ ଓ ପ୍ରେରଣାର ପଥ ପ୍ରଦର୍ଶକ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଓ ବାଧାବିଘ୍ନକୁ ଜୟ କରି ସମାଜ ପ୍ରତି ସମର୍ପିତ ଥିବା ଏହି ନାୟକ ବା ହିରୋମାନଙ୍କ ସମ୍ପର୍କରେ ‘ସମ୍ବାଦ’ର ବିଶେଷ ପ୍ରତିବେଦନ।

ମାଲକାନଗିରି: କେବେ ଅସହାୟ ପରିବାର ପାଖରେ ତ୍ରାଣକର୍ତ୍ତା ହୋଇ ପହଞ୍ଚିଛନ୍ତି ତ ଆଉ କେତେବେଳେ ନିଷ୍ପେସିତଙ୍କୁ କୋଳେଇ ନେଇଛନ୍ତି। ଗରିବ ପିଲାଙ୍କୁ ଶିକ୍ଷାର ଜ୍ୟୋତି ବାଣ୍ଟିଛନ୍ତି। ସମାଜ ପାଇଁ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଛନ୍ତି ମାଲକାନଗିରିର ସମାଜସେବୀ ବିନୋଦ ଟାୱରୀ। ପେସା ବ୍ୟବସାୟ ହୋଇଥିଲେ ବି ଦିନର ଅଧିକାଂଶ ସମୟ ତାଙ୍କର ଅବହେଳିତ, ନିଷ୍ପେସିତ ଏବଂ ଅସହାୟଙ୍କ ଭିତରେ କଟେ। ଜିଲ୍ଲାର ଯେଉଁ ଦୁର୍ଗମ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରଶାସନ ସୁଦ୍ଧା ପହଞ୍ଚି ପାରେନାହିଁ, ସେଠିକି ଅତି ସହଜରେ ପହଞ୍ଚିଯାନ୍ତି ବିନୋଦ। ଅର୍ଥାଭାବରୁ ଜିଲ୍ଲାରୁ ଜଣେ ବି ପିଲା ଯେମିତି ଶିକ୍ଷାରୁ ବଞ୍ଚିତ ହେବନାହିଁ, ସେଥିପାଇଁ ବିଦ୍ୟାଳୟ କିମ୍ବା କଲେଜରେ ନାମ ଲେଖାଇବାଠାରୁ ଆରମ୍ଭ କରି ବହି, ପୋଷାକ ଆଦି ଯୋଗାଇବା କ୍ଷେତ୍ରରେ ସେ ସଦାସର୍ବଦା ତତ୍ପର। ବର୍ତ୍ତମାନ ସୁଦ୍ଧା ୪୨ଜଣ ଛାତ୍ରଛାତ୍ରୀଙ୍କୁ କଲେଜରେ ପାଠ ପଢ଼ାଇବା ବ୍ୟବସ୍ଥା କରିସାରିଲେଣି। ଗରିବ ରୋଗୀଙ୍କ ପାଇଁ ତ’ ସେ ଦେବଦୂତ ସଦୃଶ। ଚିକିତ୍ସା ସହ ଔଷଧ ଖର୍ଚ୍ଚ ବହନ କରିବାକୁ କେବେ ମଧ୍ୟ କୁଣ୍ଠାବୋଧ କରିନାହାନ୍ତି। ଏପରିକି ରୋଗୀଙ୍କୁ ଜିଲ୍ଲା ତଥା ରାଜ୍ୟ ବାହାର ବଡ଼ଡାକ୍ତରଖାନାକୁ ପଠାଇ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। ବାପା ଛେଉଣ୍ଡ ଝିଅଙ୍କ କନ୍ୟାଦାନ ନିଜସ୍ବ ଖର୍ଚ୍ଚରେ କରିଛନ୍ତି। ଆଜି ଯାଏଁ କେହି ଅସହାୟ ବି‌ନୋଦଙ୍କ ପାଖରୁ ଖାଲି ହାତରେ ଫେରିନାହାନ୍ତି। କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କ ଅବଦାନ ମଧ୍ୟ କମ୍‌ ନୁହେଁ। ଯେତେବେଳେ ଜିଲ୍ଲାରେ କୌଣସି ବିପତ୍ତି ପଡ଼େ ସବୁବେଳେ ଆଗଧାଡ଼ିର ଯୋଦ୍ଧା ଭାବେ ଉଭା ହୋଇଛନ୍ତି। କରୋନା ସମୟରେ ବହୁ ପରିବାର ପାଖକୁ ରାସନ୍‌ ସହ ଔଷଧ ପଠାଇଥିଲେ। ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ପୁଲିସ ପାଇଁ ଚେକ୍‌ପୋଷ୍ଟ ମଧ୍ୟ ନିର୍ମାଣ କରିଛନ୍ତି। ତେଣୁ ତାଙ୍କ ଅବଦାନ କେବଳ ମାଲକାନଗିରି ଜିଲ୍ଲା ଭିତରେ ସୀମାବଦ୍ଧ ହୋଇ ରହିନାହିଁ। ସୁଦୂର ଦିଲ୍ଲୀରେ ମଧ୍ୟ ବିନୋଦ ଟାଵରୀ ଗୋଟିଏ ପରିଚିତ ନାଁ। ଏଥିପାଇଁ ବିଶିଷ୍ଟ ସମାଜସେବୀ ଭାବେ ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତାଙ୍କ ସେବାକୁ ସ୍ବୀକୃତି ପ୍ରଦାନ କରି ସମ୍ମାନିତ କରିଛନ୍ତି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛି। କୋଏମ୍ବାଟୁର ଇଣ୍ଟରନ୍ୟାସ୍‌ନାଲ ପ୍ଲେସ୍‌ ବିଶ୍ବବିଦ୍ୟାଳୟ ତଥା ଏଚିଭର୍ସ କାଉନସିଲ ଅନୁଷ୍ଠାନ ତରଫରୁ ବିନୋଦଙ୍କୁ ସମାଜସେବା କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନଜନକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି।

ସମସ୍ତଙ୍କ ଆପଣାର ‘କମଳଲୋଚନ’

ନୀଳଗିରି: ସମାଜରେ କିଛି ଭଲ କରିବା ପାଇଁ ସେ ସଦା ତତ୍ପର। ପରିବେଶ ସୁରକ୍ଷାଠାରୁ ଆରମ୍ଭ କରି ପର ଉପକାର ପାଇଁ ନିତ୍ୟ ଚେଷ୍ଟିତ। ଏମିତି ଜଣେ ଯୁବ ବ୍ୟକ୍ତିତ୍ବ ହେଉଛନ୍ତି ୨୫ ବର୍ଷ ବୟସ୍କ କମଳଲୋଚନ ପଣ୍ଡା। ବାଲେଶ୍ୱରର ଆଦିବାସୀବହୁଳ ଔପଦା ବ୍ଲକ୍ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଗୋବରା ଗ୍ରାମର ପର୍ଶୁରାମ ପଣ୍ଡା ଓ ମମତା ପଣ୍ଡାଙ୍କ ପୁଅ କମଳଲୋଚନ। ବାପା ଜଣେ କୃଷକ ଏବଂ ମାଆ ଗୃହିଣୀ। କମଳଲୋଚନ ପିଲାବେଳୁ ଖେଳିବା ଅପେକ୍ଷା ନୂଆ କିଛି ଶିଖିବା ପାଇଁ ଉଦ୍ୟମ କରୁଥିଲେ। ଏବେ ସ୍ଥାନୀୟ ଅଞ୍ଚଳରେ ସେ ଜଣାଶୁଣା ଯୁବ ସମାଜସେବୀ। ନିଜ ଗାଁ ଏବଂ ଆଖପାଖ ଗାଁ’ର ଛୋଟରୁ ବଡ଼; ସମସ୍ତଙ୍କୁ ସାଥିରେ ନେଇ ବୃକ୍ଷରୋପଣ କରୁଛନ୍ତି। ଏଯାଏ ସେ ପ୍ରାୟ ୫ ହଜାର ଗଛ ଲଗାଇ ସାରିଲେଣି। ତାଙ୍କର ଲକ୍ଷ୍ୟ, ବିଗିଡ଼ିଯାଇଥିବା ପରିବେଶରେ ସନ୍ତୁଳନ ରକ୍ଷା କରିବା। କେବଳ ସେତିକି ନୁହେଁ, କେହି ଅସୁବିଧାରେ ପଡ଼ିଲେ କମଳଲୋଚନ ତାଙ୍କ ପାଖରେ ଛିଡ଼ା ହୋଇଯାଆନ୍ତି। ପାଖରେ ଅର୍ଥ ନ ଥିଲେ ବି ବଡ଼ ମନଟିଏ ଅଛି। ସେଇଥି ପାଇଁ ସେ କେବେ ନିଜ ଲକ୍ଷ୍ୟପଥରେ ବାଧାର ସମ୍ମୁଖୀନ ହୋଇନାହାନ୍ତି। ସମସ୍ତଙ୍କ ପାଇଁ ପାଲଟିଯାଇଛନ୍ତି ସେ ଆପଣାର ମଣିଷ। କମଳଲୋଚନ ଜଣେ ଭଲ ବକ୍ତା ଓ କବି ମଧ୍ୟ। ସମାଜସେବା ପାଇଁ ସେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସମ୍ମାନ, ଜିଲ୍ଲାସ୍ତରୀୟ ନେହରୁ ଯୁବକେନ୍ଦ୍ର ସମ୍ମାନ, ‘ଅପରାହ୍ନ’ ସ୍ୱୀକୃତି ସମ୍ମାନ, ଯୁବ କବି ସମ୍ମାନ, କୃତୀ ଛାତ୍ର ସମ୍ମାନ, ବହୁମୁଖୀ ପ୍ରତିଭା ସମ୍ମାନ ଭଳି ଅନେକ ସମ୍ମାନର ଅଧିକାରୀ। କମଳଲୋଚନ ଭବିଷ୍ୟତରେ ଆହୁରି ସଫଳ ହୁଅନ୍ତୁ। ସମାଜର ହିତ ପାଇଁ ନିଜକୁ ସମର୍ପଣ କରନ୍ତୁ। ‘ସମ୍ବାଦ’ ପକ୍ଷରୁ ତାଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ସୌଜନ୍ୟ -ସମ୍ୱାଦ

Comments are closed.