Breaking News

ଚମତ୍କାର ୨୪: ନୃଶଂସ

ବାଘ ମାରି ମାଂସ ଖାଇଲେ। ମୁଣ୍ଡ କାଟି ସାଙ୍ଗରେ ନେଇଗଲେ। କେଉଁଠି ହାତୀ ମାରି ଦାନ୍ତ ନେଇଗଲେ ତ ଆଉ କେଉଁଠି ବାଘ ହତ୍ୟା କରି ଛାଲ। କଇଁଛ, କୁମ୍ଭୀର, ହରିଣ, ଠେକୁଆ, ମୟୂର କାହାକୁ ବି ଛାଡ଼ିଲେ ନାହିଁ।

ବାଘ ମାରି ମାଂସ ଖାଇଲେ। ମୁଣ୍ଡ କାଟି ସାଙ୍ଗରେ ନେଇଗଲେ। କେଉଁଠି ହାତୀ ମାରି ଦାନ୍ତ ନେଇଗଲେ ତ ଆଉ କେଉଁଠି ବାଘ ହତ୍ୟା କରି ଛାଲ। କଇଁଛ, କୁମ୍ଭୀର, ହରିଣ, ଠେକୁଆ, ମୟୂର କାହାକୁ ବି ଛାଡ଼ିଲେ ନାହିଁ। ୨୦୨୪ରେ ମଣିଷ ଏତେ ନୃଶଂସ ହୋଇଗଲା ଯେ ଯାହା ଦିନେ କଳ୍ପନା କରାଯାଇ ନ ଥିଲା ତାହା ଘଟିଲା। ବିଦ୍ୟୁତ୍‌ ତାର ଲଗାଇ ୨୫ରୁ ଅଧିକ ହାତୀଙ୍କୁ ମାରିଦେଲେ। ଶିକାରୀଙ୍କ ବନ୍ଧୁକ ଗର୍ଜନରେ ଥରହର ହୋଇଉଠିଲା ଓଡ଼ିଶାର ଜଙ୍ଗଲ। ବାଟବଣା ହୋଇ ଗାଁ ଭିତରକୁ ପଶି ଆସିଥିବା ବନ୍ୟଜନ୍ତୁଙ୍କୁ ବି ଛାଡ଼ିଲେ ନାହିଁ। ପାପ-ପୁଣ୍ୟ, ଭଲ-ମନ୍ଦ, ବର୍ତ୍ତମାନ-ଭବିଷ୍ୟତ ସବୁ କିଛି ଭୁଲିଗଲେ। ବନ୍ୟଜନ୍ତୁଙ୍କ ପାଇଁ ମଣିଷ କେତେ ଯେ ହିଂସ୍ର ହୋଇପାରେ ତ‌ାହା ଇତିହାସରେ ଲିପିବଦ୍ଧ ହୋଇ ରହିଥିଲା। ତା’ଭିତରେ ବି କିଛି ଜଣ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଥିଲେ। ଅପବାଦ ମୁଣ୍ଡାଇବାରେ ଅଭ୍ୟସ୍ତ ହୋଇଥିବା ବନ ବିଭାଗ ଏଥର ଶିକାରୀଙ୍କ ଉପରେ ଟିକିଏ କମର କଷିଛି। ନୂଆ ନୂଆ ପଦକ୍ଷେପ ନେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛି। ସଫଳତା କେତେ ମିଳିଛି, ତାହା ପର କଥା। ମାତ୍ର ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଶିକାରୀଙ୍କ ମନରେ ଛନକା ଭରିଛି।
ରିପୋର୍ଟ କେଶବ ପାଣି

ବାଘ ମାରି ମାଂସ ଖାଇଲେ
କାର୍ତ୍ତିକ ପୂର୍ଣ୍ଣିମା ଦିନ ସୁନାବେଡ଼ା ଅଭୟାରଣ୍ୟର କୋମନା ରେଞ୍ଜ ଦେଓଧରା ଗ୍ରାମର ଶିକାରୀମାନେ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ। ତେବେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ସକାଳେ ୪ ଜଣ ଶିକାରୀ ମୃତବାଘକୁ ଜଙ୍ଗଲର ଏକ ନାଳ ପାଖରେ ଖଣ୍ଡଖଣ୍ଡ କରି କାଟିଥିଲେ। ଅଧାମାଂସକୁ ଭୋଜି କରି ଖାଇଥିଲେ। ଅବଶିଷ୍ଟ ମାଂସ ସହ ମୁଣ୍ଡ, ଗୋଡ଼ ଓ ଛାଲ ରଖିଥିଲେ। ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ରାତିରେ ଦେଓଧରା ଗାଁରେ ଚଢ଼ଉ କରି ଗାଁର ପୁସ୍ତମ ଚିନ୍ଦା ଓ ହୃଷୀକେଶ ଚିନ୍ଦାଙ୍କ ଘରୁ ବାଘ ମୁଣ୍ଡ, ଲାଞ୍ଜ, ଛାଲ ଓ ମାଂସ ଜବତ କରିଥିଲେ। ଏଭଳି ନୃଶଂସ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ବାଘ ଗଣନା ବିବାଦ

ଓଡ଼ିଶାରେ ବାଘ ଗଣନା ବିବାଦ ଏଥର ଚର୍ଚ୍ଚାରେ ରହିଥିଲା। ୨୦୨୩ରେ କେନ୍ଦ୍ର ସରକାରଙ୍କ ଦ୍ବାରା ହୋଇଥିବା ବାଘ ଗଣନା ରିପୋର୍ଟରେ ଓଡ଼ିଶାରେ ୨୦ଟି ମହାବଳ ରହିଥିବା ଦର୍ଶାଯାଇଥିଲା। ଏଭଳି ତଥ୍ୟକୁ ରାଜ୍ୟ ସରକାର ଭୁଲ୍‌ ଦର୍ଶାଇବା ସହ ନିଜସ୍ବ ବାଘ ଗଣନା କରିବାକୁ ନିଷ୍ପତ୍ତି ନେଇଥିଲେ। ଫେବ୍ରୁଆରିରେ ପ୍ରକାଶିତ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ରହିଥିବା ଜଣାପଡ଼ିଥିଲା। ଶିମିଳିପାଳରେ ୨୭ଟି ମହାବଳ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଥିଲା। ସେହିପରି ଓଡ଼ିଶାରେ ୫୬୮ଟି କଲରାପତରିଆ ରହିଥିବା କେନ୍ଦ୍ର ସରକାରଙ୍କ ରିପୋର୍ଟକୁ ଚାଲେଞ୍ଜ କରି ରାଜ୍ୟ ସରକାର ନିଜସ୍ବ ଗଣନା କରିଥିଲେ। ଯେଉଁଥିରେ ଓଡ଼ିଶା ଜଙ୍ଗଲରେ ୭୦୦ କଲରାପତରିଆ ରହିଥିବା ଜଣାପଡ଼ିଥିଲା।

ନନ୍ଦକନାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ରୂପା’ ୪ଟି ଛୁଆ, ସିଂହୀ ବିଜୁଳି ୫ଟି ଛୁଆ, ସିଂହ ‘ରେୱା’ ୩ଟି ଅଣ୍ଡିରା ଛୁଆ ଜନ୍ମ କରିବା ଘଟଣା ଖୁସି ଆଣିଦେଇଥିଲା। ଏକାକୀ ଜୀବନ ଅତିବାହିତ କରୁଥିବା ଜିରାଫ ‘ଖୁସି’କୁ ଏବର୍ଷ ସାଥୀ ମିଳିଛି। ବାହାର ଚିଡ଼ିଆଖାନାରୁ ଏକାଧିକ ପ୍ରଜାତିର ଜୀବଜନ୍ତୁ ଏଠାକୁ ଆସିଛନ୍ତି। ତା’ସତ୍ତ୍ବେ ବୟସାଧିକ୍ୟ କାରଣରୁ ଧଳା ବାଘ ‘ସ୍ନେହା’ର ମୃତ୍ୟୁ ଦୁଃଖ ଦେଇଛି। ଜୀବନକାଳ ମଧ୍ୟରେ ସ୍ନେହା ୯ଟି ଛୁଆ(୩ଟି ଧଳା, ୪ଟି ସାଧାରଣ ଓ ଦୁଇଟି ମେଲାନିଷ୍ଟିକ୍‌) ଜନ୍ମ ଦେଇଥିଲା। ଓଡ଼ିଶା ଜଙ୍ଗଲ ପାଇଁ ମଧ୍ୟ କିଛିଟା ଖୁସି ଖବର ଥିଲା। ଆଦୌ କୃଷ୍ଣସାର ମୃଗ ନ ଥିବା ବାଲୁଖଣ୍ଡ ଓ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ସେମାନଙ୍କ ବଂଶ ବିସ୍ତାର ଦିଗରେ ପଦକ୍ଷେପ ନିଆଯାଇଛି। ଚିଡ଼ିଆଖାନାର ହରିଣଙ୍କୁ ଚନ୍ଦକା, ସାତକୋଶିଆ, କୁଳଡିହା, ଦେବ୍ରିଗଡ଼ ଆଦି ଅଭୟାରଣ୍ୟରେ ଛଡ଼ାଯାଇଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏ ମହାବଳ ଓଡ଼ିଶା ଜଙ୍ଗଲକୁ ଚାଲି ଆସିଥିଲେ। ଶିମିଳିପାଳରେ ଥିବା ବନ ବିଭାଗର ପୋଷା ହାତୀ ‘ଯଶୋଦା’, କୁମାରଖୁଣ୍ଟିର ହାତୀ ‘ମାମା’ ଆଖି ବୁଜିଥିଲେ।

ବାଘ ମୁଣ୍ଡ କାଟି ନେଇ‌ଗଲେ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଗତ ସାପୁଆ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଓ ବାର୍‌ହା ଶିକାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଘ ମୃତଦେହଠାରୁ ଅନତିଦୂରରେ ଏକ ବାର୍‌ହାର ଗଳିତ ଶବ ମଧ୍ୟ ଠାବ କରାଯାଇଥିଲା। ବିଦ୍ୟୁତ୍‌ ତାର ବିଛାଯାଇ ବାଘ ଶିକାର କରାଯାଇଥିବା ବନବିଭାଗ କହିଛି। ତେବେ ମୃତଦେହ ଦେଖିବା ପରେ ଶିକାରୀ ଗୁଳିରେ ବାଘ ମରିଥିବା ସନ୍ଦେହ ଉପୁଜିଛି। କାରଣ ମୃତ କଲରାପତରିଆର ମୁଣ୍ଡ ନଥିବା ବେଳେ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।ଜନବସତିମୁହାଁ ଜୀବଜନ୍ତୁ

ବର୍ଷତମାମ ସାରା ରାଜ୍ୟରେ ମହାବଳ ଆତଙ୍କ ଲାଗିରହିଥିଲା। ଗଜପତି, ଗଞ୍ଜାମଠାରୁ ଆରମ୍ଭ କରି କନ୍ଧମାଳ, ରାୟଗଡ଼ା, କୋରାପୁଟ, ନୟାଗଡ଼ ପ୍ରଭୃତି ଜିଲ୍ଲାକୁ ଲାଗିରହିଥିବା ଜଙ୍ଗଲରେ ବାଘଙ୍କ ପ୍ରବେଶକୁ ନେଇ ଲୋକେ ଭୟଭୀତ ହୋଇଥିଲେ। ତାହାରି ଭିତରେ ନର୍ଲାରେ ହାତୀ ଉଦ୍ଧାର, ସାପୁଆ ଡ୍ୟାମରୁ ହାତୀ ଓ ଛୁଆଙ୍କୁ ଉଦ୍ଧାର, ବ୍ରହ୍ମପୁର ଡିଭିଜନ୍‌ର ଖଲ୍ଲିକୋଟ ରେଞ୍ଜରେ ଛେଳି ଖାଇଥିବା ଗୋଟିଏ ଅଜଗର ସାପକୁ ଗ୍ରାମବାସୀ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ମଣିଷମଣିଆର ପରିଚୟ ଦେଇଥିଲା। ନବରଙ୍ଗପୁରରେ ସ୍କୁଲ କ୍ୟାମ୍ପସକୁ ପଶିଆସିଥିବା ଏକ ଭାଲୁକୁ ରାପିଡ୍‌ ‌ରେସପନ୍ସ ଟିମ୍‌ ଉଦ୍ଧାର କରି ପୁଣିଥରେ ଜଙ୍ଗଲରେ ଛାଡ଼ିଥିଲେ। ବାଲେଶ୍ବର ଜିଲ୍ଲାର ଜନବସତି ଭିତରକୁ ପଶିଆସିଥିବା ଏକ କଲରାପତରିଆକୁ ଉଦ୍ଧାର କରାଯାଇ ପୁଣି ଜଙ୍ଗଲରେ ଛଡ଼ାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରେଞ୍ଜରେ ଜନବସତି ମଧ୍ୟକୁ ପଶିଆସିଥିବା ଏକ କୁମ୍ଭୀରକୁ ଭିତରକନିକା ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ବାରିପଦା ସହର ଭିତରକୁ ପଶି ଆସିଥିବା ଏକ କଲରାପତରିଆକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ।

ବିଦ୍ୟୁତ୍‌ ତାର ସାଜିଲା ଘାତକ
ଏବର୍ଷ ହାତୀଙ୍କ ପାଇଁ କାଳ ସାଜିଛି ବିଦ୍ୟୁତ୍‌ ତାର। ରାଜଧାନୀ ଉପକଣ୍ଠରୁ ଆରମ୍ଭ କରି ରେଢ଼ାଖୋଲ ପର୍ଯ୍ୟନ୍ତ, ବିଦ୍ୟୁତ୍‌ ତାର ଆଘାତରେ ଗୋଟିଏ ପରେ ଗୋଟିଏ ହାତୀ ଟଳି ପଡ଼ିଛନ୍ତି। ରେଢାଖୋଲରେ ୩ଟି ହାତୀଙ୍କ ମୃତ୍ୟୁ ଦୁଃଖଦାୟକ ଥିଲା। ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ୬୭ଟି ହାତୀଙ୍କ ଜୀବନ ଗଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୨୩ ହାତୀଙ୍କ ଜୀବନ ଯାଇଛି। ୨୦୨୪ ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ମଧ୍ୟ ଏକାଧିକ ହାତୀ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ବିଦ୍ୟୁତ୍‌ ତାର ଲାଗି ହାତୀ ମରୁଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।ଜଙ୍ଗଲ ଉପରେ ଏଆଇ ଓ ‌େଡ୍ରାନ୍‌ ନଜର
ଓଡ଼ିଶା ଜଙ୍ଗଲର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ବାରମ୍ବାର ଚଢ଼ାଉ ପରେ ଶିମିଳିପାଳରେ ଶିକାରୀଙ୍କ ପ୍ରାଦୁର୍ଭାବ କମିଛି। ଅନ୍ୟାନ୍ୟ ଜଙ୍ଗଲ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଗାଡ଼ି ନିୟୋଜିତ ହୋଇଛି। ଡ୍ରୋନ୍‌ ସହାୟତାରେ ଶିକାରୀ ଓ ହାତୀଙ୍କ ଚଳପ୍ରଚଳ ଉପରେ ଦୃଷ୍ଟି ଦିଆଯାଇଛି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରୟୋଗ କରିଛି ବନ ବିଭାଗ। ବାରମ୍ବାର ଜନବସତିକୁ ମାଡ଼ି ଆସୁଥିବା ପ୍ରାୟ ୧୮ଟି ହାତୀ ଚିହ୍ନଟ ସହ ରେଡିଓକଲାର ଲଗା କାର୍ଯ୍ୟ ଆରମ୍ଭ ହୋଇଛି। ଶିମିଳିପାଳରେ ଡିଏସ୍‌ଏଲ୍‌ଆର କ୍ୟାମେରା ପ୍ରୟୋଗ, ଡଗ୍‌ ସ୍କ୍ବାଡ୍‌ ନିୟୋଜନ ଓ ସା‌ତକୋଶିଆରେ ସ୍ପେସିଆଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ମୁତୟନ କରାଯାଇଛି।

ସଫାରିରେ ରହିବେ କଳାବାଘ

ମୟୂରଭଞ୍ଜରେ ପ୍ରତିଷ୍ଠା ହେବ କଳାବାଘ ସଫାରି। ଜାନୁଆରିରେ ପୂର୍ବ ସରକାର ଯେଉଁ ଘୋଷଣା କରିଥିଲେ ତାହା ପାଦେ ପାଦେ ଆଗକୁ ବଢ଼ିଛି। ଏନ୍‌ଟିସିଏ ଅନୁମତି ପରେ ବାରିପଦା ସହର ଉପକଣ୍ଠ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ୨୦୦ ହେକ୍ଟର ଅଞ୍ଚଳ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୦୦ ହେକ୍ଟର ଅଞ୍ଚଳରେ ବାଘଙ୍କୁ ରଖାଯିବ। ବାକି ଅଞ୍ଚଳକୁ ପ୍ରାଣୀ ଚିକିତ୍ସା ସୁବିଧା କେନ୍ଦ୍ର ଯଥା ଉଦ୍ଧାର କେନ୍ଦ୍ର, କର୍ମଚାରୀଙ୍କ ଭିତ୍ତିଭୂମି ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହେବ। ଶିମିଳିପାଳ ବ୍ୟାଘ୍ର ଉଦ୍ୟାନଠାରୁ ୧୫ କିଲୋମିଟର ଦୂରରେ ଏହି ସଫାରି ରହିବ। ପ୍ରାରମ୍ଭିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୩ଟି କଳାବାଘ ଓ ଧଳାବାଘଙ୍କୁ ସେଠାକୁ ନିଆଯିବ। ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସୁଥିବା ବାଘଙ୍କୁ ଏଠାକୁ ଅଣାଯିବ।
ସୌଜନ୍ୟ-ସମ୍ୱାଦ

Comments are closed.