Breaking News

ଚମତ୍କାର ୨୪: ଲେଉଟାଣି ବେଳ

୨୦୨୪କୁ ଲୋକମାନେ ପ୍ରତ୍ୟାବର୍ତ୍ତନର ବର୍ଷ ଭାବେ ମନେ ରଖିବେ। ଅର୍ଥନୈତିକ ଓ ବ୍ୟାବସାୟିକ କାରଣ ଲାଗି ଦେଶ ତଥା ରାଜ୍ୟରୁ ମୁହଁ ଫେରାଇଥିବା ଅନେକ ସଂସ୍ଥା ପୁଣି ଥ‌ରେ ଫେରିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

୨୦୨୪କୁ ଲୋକମାନେ ପ୍ରତ୍ୟାବର୍ତ୍ତନର ବର୍ଷ ଭାବେ ମନେ ରଖିବେ। ଅର୍ଥନୈତିକ ଓ ବ୍ୟାବସାୟିକ କାରଣ ଲାଗି ଦେଶ ତଥା ରାଜ୍ୟରୁ ମୁହଁ ଫେରାଇଥିବା ଅନେକ ସଂସ୍ଥା ପୁଣି ଥ‌ରେ ଫେରିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଦୀର୍ଘ ବର୍ଷ ପରେ ପୁଣି ଓଡ଼ିଶା ଫେରିବାକୁ ପୋସ୍କୋ ମନ ବଳାଇଛି। ଜେଏସ୍‌ଡବ୍ଲୁ ଗ୍ରୁପ୍ ହାତ ଧରି ଏହା ଓଡ଼ିଶା ଫେରୁଛି। ଆକ୍ସେଞ୍ଚର ଓ କଗ୍ନିଜାଣ୍ଟ ଭଳି ଆଇଟି କମ୍ପାନି ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ଖୋଲିଛନ୍ତି। ବେପାର ଭଲ ନ ରହିବାରୁ କିଛି ବର୍ଷ ତଳେ ଦେଶ ଛାଡ଼ି ପଳାଇଥିବା କାର୍‌ କମ୍ପାନି ଫୋର୍ଡ ପୁଣି ଭାରତ ଫେରିବାକୁ ଘୋଷଣା କରିଛି। ଏଥର କିନ୍ତୁ କମ୍ପାନି ଇଭି ତିଆରି କରିବ ବୋଲି କହିଛି। କେବଳ କମ୍ପାନି ନୁହେଁ, ଦୀର୍ଘଦିନ ଧରି ବିଦେଶରେ ପଡ଼ିରହିଥିବା ବହୁମୂଲ୍ୟ ସୁନା ମଧ୍ୟ ଦେଶକୁ ଫେରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୧୦୨ ଟନ୍ ସୁନା ବିଦେଶରୁ ଆଣିଛି।

ଆସିଲେ ଆକ୍ସେଞ୍ଚର, କଗ୍ନିଜାଣ୍ଟ
ରାଜ୍ୟର ସୂଚନା ପ୍ରଯୁକ୍ତି ଶିଳ୍ପ ଆହୁରି ସମୃଦ୍ଧ ହୋଇଛି। ବିଶ୍ବସ୍ତରୀୟ ଆଇଟି ଓ କନ୍‌ସଲ୍‌ଟିଂ କମ୍ପାନି ଆକ୍ସେଞ୍ଚର ଓ କଗ୍ନିଜାଣ୍ଟ ଭଳି ସଂସ୍ଥା ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲି ଉପସ୍ଥିତି ଜାହିର କରିଛନ୍ତି। ଏହା ବ୍ୟତୀତ କ୍ଲବ୍ ବିଜ୍‌ନେସ୍ ସର୍ଭିସେସ୍, ଇଣ୍ଟେଗ୍ରିଅନ୍ ମ୍ୟାନେଜଡ୍‌ ସଲ୍ୟୁସନ୍ସ, ବୋର୍ଣ୍ଣଟେକ୍ ସଲ୍ୟୁସନ୍ସ ଓ ସିକ୍ୟୁଡ୍‌ସଫ୍ଟ ଟେକ୍ନୋଲୋଜିସ୍‌ ଭଳି କମ୍ପାନି ମଧ୍ୟ ଭୁବନେଶ୍ବରରେ ସେମାନଙ୍କ ଡେଭେଲପ୍‌ମେଣ୍ଟ୍‌ ସେଣ୍ଟର ଖୋଲିଛନ୍ତି। ଦୀର୍ଘଦିନରୁ ଟିସିଏସ୍‌, ୱିପ୍ରୋ, ଇନ୍‌ଫୋସିସ୍‌ ଭଳି ଦେଶର ଜଣାଶୁଣା ଆଇଟି କମ୍ପାନି ଓଡ଼ିଶାରେ ପ୍ରବେଶ କରିସାରିଥିଲେ। ଏହା ବ୍ୟତୀତ ଟେକ୍ ମହିନ୍ଦ୍ରା ଓ ମାଇଣ୍ଡ୍‌ଟ୍ରି ମଧ୍ୟ ସେମାନଙ୍କ କେନ୍ଦ୍ର ଖୋଲିଥିଲେ। ଗତ ୪-୫ ବର୍ଷ ମଧ୍ୟରେ ରାଜ୍ୟକୁ ଆଇବିଏମ୍, ଡେଲୋଏଟ୍‌, ପିଡବ୍ଲୁସି, ଇୱାଇ ଓ କେପିଏମ୍‌ଜି ଭଳି କମ୍ପାନି ଆସିଥିଲେ। ରାଜ୍ୟରେ ବହୁ ସଂଖ୍ୟା‌େର ଇଞ୍ଜିନିୟରିଂ କଲେଜ ଥିବାରୁ ଆଇଟି ଶିଳ୍ପ ଲାଗି ସୁବିଧାରେ ଏବଂ ସୁଲଭ ମୂଲ୍ୟରେ ଏଠାରେ ମାନବ ସମ୍ବଳ ମିଳିଯାଉଛି। ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରକୁ ସମ୍ପ୍ରସାରଣ କରିବାକୁ ଚାହୁଥିବା ଆଇଟି କମ୍ପାନିଗୁଡ଼ିକ ଲାଗି ଓଡ଼ିଶା ପାଲଟିଛି ଅନ୍ୟତମ ପସନ୍ଦର ସ୍ଥାନ।

ନୂଆ ସମ୍ଭାବନା ଗ୍ରିନ୍ ହାଇ‌ଡ୍ରୋଜେନ୍‌
ପାରମ୍ପରିକ ଭାବେ ଖଣି ଓ ଧାତବ ଶିଳ୍ପ ଲାଗି ପରିଚିତ ଥିବା ଓଡ଼ିଶା ନିଜର ଶିଳ୍ପାୟନ ଯାତ୍ରାରେ ବିବିଧତା ଉପରେ ଧ୍ୟାନ ଦେଇଛି। ତାହାର ଫଳ ସ୍ବରୂପ ରାଜ୍ୟରେ ଏକ ନୂଆ ନିବେଶ ‌କ୍ଷେତ୍ର ସୃଷ୍ଟି ହୋଇଛି। ତାହା ହେଉଛି ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ। ଗୋପାଳପୁର ଶିଳ୍ପାଞ୍ଚଳ ଲାଗି ଓଡ଼ିଶା ବଡ଼ ବଡ଼ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ହାତେଇଛି। ଏସିଏମ୍‌ଇ, ଆଭାଡା ଗ୍ରୁପ୍, ହାଇଜେନ୍‌କୋ, ରିନିଉ, ଓସିଓର୍‌ ଏନର୍ଜି ଓ ଜିନ୍ଦଲ ଭଳି ସଂସ୍ଥା ରାଜ୍ୟରେ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି। ଏସିଏମ୍‌ଇ ଓ ଆଭାଡା ଗ୍ରୁପ୍‌ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ସମ୍ପନ୍ନ ହୋଇଛି। ଘୋଷଣା ହୋଇଥିବା ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା ଖୁବ୍‌ଶୀଘ୍ର ଗ୍ରିନ୍ ହାଇଡ୍ରୋଜେନ୍‌ର ଏକ ହବ୍‌ରେ ପରିଣତ ହେବ। ଏଠାରୁ ଉତ୍ପାଦନ ହେବାକୁ ଥିବା ଏହି ସବୁଜ ଇନ୍ଧନ ସମୁଦ୍ର ପଥ ଦେଇ ବିଦେଶକୁ ରପ୍ତାନି କରାଯିବ। ତାହାର ପ୍ରଭାବରେ ବନ୍ଦର ଭିତ୍ତିଭୂମି ଓ ରାଜ୍ୟର ସାମଗ୍ରିକ ଅର୍ଥନୀତିରେ ବ୍ୟାପକ ଉନ୍ନତି ହେବ ବୋଲି ଆଶା କରାଯାଉଛି।

ଓଡ଼ିଶା ଫେରିବ ପୋସ୍କୋ

ଓଡ଼ିଶାରୁ ବିଦାୟ ନେବାର କିଛି ବର୍ଷ ପରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ ରାଜ୍ୟକୁ ଫେରିବାକୁ ଯାଉଛି। ପ୍ରକଳ୍ପକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବି‌େରାଧ, ଜମି ଅଧିଗ୍ରହଣରେ ସମସ୍ୟା, ଖଣି ନ ମିଳିବା ଭଳି ଅନେକ କାରଣ ଲାଗି ୨୦୧୭ରେ ଜଗତସିଂହପୁର ପ୍ରକଳ୍ପରୁ ଓହରିଯିବାକୁ ପୋସ୍କୋ ନିଷ୍ପତ୍ତି ନେଇଥିଲା। ଏଥି ସହିତ ନିଜର ସବୁଠୁ ବଡ଼ ପ୍ରତ୍ୟକ୍ଷ ‌ବୈଦେଶିକ ନିବେଶ (ଏଫ୍‌ଡିଆଇ) ପ୍ରକଳ୍ପକୁ ହରାଇଥିଲା ଓଡ଼ିଶା। ପୋସ୍କୋ ଯେ ପୁଣି ଥରେ ଓଡ଼ିଶା ଫେରିବ ତାହା କେହି ଆଶା କରୁନଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କରି ଭାରତରେ ଏକ ନୂଆ ଇସ୍ପାତ କାରଖାନା ବସାଇବା ଲାଗି କମ୍ପାନି ଯେତେବେଳେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ହାତ ଧରିଲା ସେବେଠାରୁ ଆରମ୍ଭ ହୋଇଗଲା କଳ୍ପନାଜଳ୍ପନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ଏକ ବାର୍ଷିକ ୫ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ନିର୍ମାଣ କରିବାକୁ ଯାଉଛି ପୋସ୍କୋ। କମ୍ପାନି ତରଫରୁ କିଛି କୁହାଯାଇ ନଥିଲେ ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ପୋସ୍କୋ ଓଡ଼ିଶାକୁ ‌ପ୍ରତ୍ୟାବର୍ତନ କରି କେନ୍ଦୁଝରରେ କାରଖାନା ବସାଇବ। ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ନିବେଶରେ ଏକ ବୃହତ୍‌ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ୨୦୦୫ରେ ରାଜ୍ୟ ସରକାରଙ୍କ ସହ ପୋସ୍କୋ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। କମ୍ପାନି ରାଜ୍ୟରେ ନିଜର କାର୍ଯ୍ୟାଳୟ ଖୋଲିଥିଲା। କର୍ମଚାରୀଙ୍କୁ ବି ନିଯୁକ୍ତି ଦେଇଥିଲା। ଜମି ପାଇବାକୁ ଦୀର୍ଘ ବର୍ଷ ଅପେକ୍ଷା ବି କରିଥିଲା। କିନ୍ତୁ ଜମି ପାଇବାରେ ସଫଳ ହୋଇନଥିଲା। ଇତି ମଧ୍ୟରେ ବଦଳିଯାଇଥିଲା ଇସ୍ପାତ ଶିଳ୍ପର ବିଶ୍ବ ଦୃଶ୍ୟପଟ। ଧାତବ ପଦାର୍ଥର ମୂଲ୍ୟ ହ୍ରାସ ପୁଞ୍ଜିନିବେଶ ସମ୍ଭାବନାକୁ ସଙ୍କୁଚିତ କରିଥିଲା। ଯେଉଁ ଲକ୍ଷ୍ୟ ନେଇ କମ୍ପାନି ଓଡ଼ିଶା ଆସିଥିଲା ତାହା ଆଉ ପ୍ରାସଙ୍ଗିକ ରହିନଥିଲା। ତେଣୁ ବାଧ୍ୟ ହୋଇ ପୋସ୍କୋ ନିଜର ଓଡ଼ିଶା ଯୋଜନା ବାତିଲ କରି ରାଜ୍ୟ ଛାଡ଼ି ପଳାଇଥିଲା।

ଲେଉଟାଣି ବେଳ, ମନ ବଦଳାଇଲା ଫୋର୍ଡଚର୍ଚ୍ଚାରେ ମିତ୍ତଲ, ଜେଏସ୍‌ଡବ୍ଲୁ
ଆର୍ସେଲର ମିତ୍ତଲ ନିପନ ଷ୍ଟିଲ (ଏଏମ୍‌ଏନ୍‌ଏସ୍‌) ଓ ଜେଏସ୍‌ଡବ୍ଲୁ ଗ୍ରୁପ୍‌ ଓଡ଼ିଶା ପାଇଁ ଘୋଷଣା କରିଥିବା ଦୁଇଟି ପ୍ରକଳ୍ପକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଆନ୍ଧ୍ରପ୍ରଦେଶରେ ଏକ ଇସ୍ପାତ କାରଖାନା ନିର୍ମାଣ କରିବା ଲାଗି ସେଠାକାର ସରକାରଙ୍କ ସହ ମିତ୍ତଲ ବୁଝାମଣା ସ୍ବାକ୍ଷର କରିବା ପରେ ଓଡ଼ିଶା ପ୍ରକଳ୍ପକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ କମ୍ପାନି ପକ୍ଷରୁ ଉକ୍ତ ଖବରକୁ ଖଣ୍ଡନ କରାଯିବା ସହ ଓଡ଼ିଶା ପ୍ରକଳ୍ପକୁ ନେଇ ପ୍ରତିବଦ୍ଧ ଥିବା କୁହାଯାଇଛି। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଇସ୍ପାତ କାରଖାନା ବସାଇବା ଲାଗି ଏଏମ୍‌ଏନ୍‌ଏସ୍‌ ଉଦ୍ୟମ କରୁଛି। ସେହିପରି, ଜେଏସ୍‌ଡବ୍ଲୁ ଗ୍ରୁପ୍‌ ଓଡ଼ିଶାରେ ଇଲେକ୍ଟ୍ରିକ ଯାନ ନିର୍ମାଣ ଓ ବ୍ୟାଟେରି କାରଖାନା ସ୍ଥାପନ କରିବାରେ ୪୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଘୋଷଣା କରିଥିଲା। କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ସହ କମ୍ପାନି ସମାନ ଧରଣର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିବା ପରେ ଓଡ଼ିଶା ପ୍ରକଳ୍ପ ମହାରାଷ୍ଟ୍ରକୁ ଚାଲିଯିବ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ସେହି ଖବରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। କମ୍ପାନି ପ୍ରକଳ୍ପ ବାତିଲ କରିଥିବା ବିଷୟରେ କିଛି ସୂଚନା ଦେଇନାହିଁ।

ଦେଶ ଛାଡ଼ୁଛନ୍ତି ଧନୀ
ଧନୀ ଲୋକମାନେ ବସବାସ କରିବା ଲାଗି ବିଦେଶ ପଳାଉଥିବା ଘଟଣା ବଢ଼ିବାରେ ଲାଗିଛି। ଏକ ସଂସ୍ଥାର ଆକଳନ ଅନୁସାରେ ୨୦୨୪ରେ ପ୍ରାୟ ୪୩୦୦ ଧନୀ ଭାରତ ଛାଡ଼ି ଅନ୍ୟତ୍ର ଚାଲିଯିବେ। ଆଠ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଲୋକମାନଙ୍କୁ ଏଥିପାଇଁ ବିଚାରକୁ ନିଆଯାଇଛି। ଏହାର ପୂର୍ବ ଦୁଇ ବର୍ଷ ଅଧିକ ସଂଖ୍ୟାରେ ଧନୀ ଲୋକ ବିଦେଶରେ ବସବାସ କରିବାକୁ ଯାଇଥିଲେ। ୨୦୨୩ରେ ୫୧୦୦ ଜଣ ଧନୀ ଦେଶ ଛାଡ଼ିଥିଲେ। ଦେଶରୁ ଧନୀଙ୍କ ପଳାୟନ ତାଲିକାରେ ଚୀନ୍‌ ଓ ବ୍ରିଟେନ୍‌ ପଛକୁ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତରୁ ଯାଉଥିବା ଅଧିକାଂଶ ‌ଧନୀ ବସବାସ କରିବା ଲାଗି ୟୁଏଇକୁ ସର୍ବାଧିକ ପସନ୍ଦ କରୁଛନ୍ତି। ଆକଳନ ଅନୁସାରେ ୨୦୨୪ରେ ସାରା ବିଶ୍ବରେ ୧,୨୮,୦୦୦ ଜଣ ଧନୀ ନିଜ ଦେଶ ବଦଳାଇବେ। ୨୦୨୩ରେ ୧,୨୦,୦୦୦ ଧନୀ ନିଜ ଦେଶ ଛାଡ଼ି ବସବାସ ପାଇଁ ଅନ୍ୟ ଦେଶକୁ ବାଛିଥିଲେ। ଭାରତ ଛାଡ଼ୁଥିବା ଧନୀମାନେ ଆମେରିକା, ସିଙ୍ଗାପୁର ଓ ଅଷ୍ଟ୍ରେଲିଆକୁ ମଧ୍ୟ ବସବାସ ଲାଗି ପସନ୍ଦ କରୁଛନ୍ତି।

ଦୂର ହେଲାନି ଟେସ୍‌ଲା ଦ୍ବନ୍ଦ୍ବଇଲେକ୍ଟ୍ରିକ୍ ଯାନ (ଇଭି) ଶିଳ୍ପର ସବୁଠୁ ବଡ଼ ନାମ ଟେସ୍‌ଲା ଭାରତରେ ପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲେ ମଧ୍ୟ କିଛି ବି ସ୍ପଷ୍ଟ ହୋଇପାରୁନାହିଁ। ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଯାହା ମାଗୁଛନ୍ତି ତାହା ଦେବାକୁ ଭାରତ ସରକାର ରାଜି ନୁହନ୍ତି। ସମସ୍ତଙ୍କ ପାଇଁ ଗୋଟିଏ ନିୟମ, ଟେସ୍‌ଲା ପାଇଁ କିଛି ବଦଳିବନି। ସରକାର ରୋକ୍‌ଠୋକ୍ ଶୁଣାଇଛନ୍ତି। ଏଭଳି ଛକାପଞ୍ଝା ଭିତରେ ଟେସ୍‌ଲାର ଅଧିକାରୀ ଅନେକ ଥର ଭାରତ ଆସି କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି। ଭାରତରେ କାରଖାନା ବସାଇବା ଓ ଷ୍ଟୋର୍‌ ଖୋଲିବା ଲାଗି କମ୍ପାନି ଜମି ମଧ୍ୟ ସନ୍ଧାନ କରୁଥିଲା। କିନ୍ତୁ ଏନେଇ କିଛିବି ନିର୍ଦ୍ଦିଷ୍ଟ ହୋଇପାରିନାହିଁ। ଟେସ୍‌ଲା ଚୀନ୍‌ରେ କାର୍ ତିଆରି କରି ପ୍ରଥମେ ଭାରତରେ ବିକ୍ରି କରି ବଜାରକୁ ପରୀକ୍ଷା କରିବାକୁ ଚାହୁଛି। କିନ୍ତୁ ସେଥିପାଇଁ ଆମଦାନି ଉପରେ ଭାରତ ସରକାର ଶୁଳ୍କରେ ରିହାତି ଦିଅନ୍ତୁ ବୋଲି କମ୍ପାନି ଚାହୁଥିବା ବେଳେ ସେହି ଦାବିକୁ ସରକାର ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି।

ବିଦେଶରୁ ସୁନା ଫେରିଲା

ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇ ବର୍ଷ ଭିତରେ ବିଦେଶରୁ ନେଇଆସିଛି ୨୧୪ ଟନ୍ ସୁନା। ଧନତେରସ୍‌ ସମୟରେ ଅତି ଗୋପନରେ ଏହା ୧୦୨ ଟନ୍ ସୁନା ଆଣିଥିଲା। ନବେ ଦଶକରେ ଦେଖାଦେଇଥିବା ବୈଦେଶିକ ମୁଦ୍ରା ସଙ୍କଟର ମୁକାବିଲା କରିବା ଲାଗି ଭାରତ ସରକାର ନିଜର ଟନ୍ ଟନ୍ ସୁନାକୁ ନେଇ ବ୍ରିଟେନ୍‌ର ବ୍ୟାଙ୍କ ଅଫ୍ ଇଂଲଣ୍ଡ, ସ୍ବିଜରଲ୍ୟାଣ୍ଡର ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାସନାଲ୍ ସେଟଲ୍‌ମେଣ୍ଟ ଓ ‌ଆମେରିକାର ଫେଡେରାଲ୍‌ ରିଜର୍ଭ ବ୍ୟାଙ୍କରେ ଥିବା ଭଲ୍ଟରେ ରଖିଥିଲେ। ତାହା ପଛର ଉଦ୍ଦେଶ୍ୟ ଥିଲା ସୁନାକୁ ସହଜରେ ବନ୍ଧକ ରଖି ବିଦେଶୀ ମୁଦ୍ରା ଆଣିବା । ୨୦୨୨-୨୩ରେ ରିଜର୍ଭ ବ୍ୟାଙ୍କ ମାତ୍ର ୫.୩ ଟନ୍ ସୁନା ‌ଦେଶକୁ ଆଣିଥିଲା। ୨୦୨୩-୨୪ରେ ଏହା ଆଉ ୧୦୬.୮ ଟନ୍ ସୁନା ଫେରାଇ ଆଣିଥିଲା। ‌ତେବେ ଏବେବି ୩୧୪ ଟନ୍ ସୁନା ବ୍ରିଟେନ୍, ୧୦ ଟନ୍ ସ୍ବିଜରଲ୍ୟାଣ୍ଡ ଓ ୨୦.୩ ଟନ୍ ସୁନା ଆମେରିକାରେ ରହିଛି। ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍‌ର ସମ୍ପତ୍ତି ଉପରେ ଆମେରିକା କଟକଣା ଲଗାଇବା ପରେ ବିଶ୍ବର ବିଭିନ୍ନ ଦେଶ ସେଭଳି ସମସ୍ୟାକୁ ଏଡ଼ାଇବା ଲାଗି ବିଦେଶରେ ରଖିଥିବା ସୁନା ଦେଶକୁ ବୋହି ଆଣୁଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.