Breaking News

ଚମତ୍କାର ୨୪: ୧୦୦ ବିଲିୟନ୍ ଡଲାର ମାଇଲ୍‌ଖୁଣ୍ଟ

ଅନେକ ଦୃଷ୍ଟିରୁ ୨୦୨୪ ମସିହା ଓଡ଼ିଶା ଅର୍ଥନୀତି ପାଇଁ ଅନେକ ସ୍ବପ୍ନ ଓ ସମ୍ଭାବନା ଆଣିଛି। ରାଜ୍ୟର ମାଟି ତଳେ ସୁନା ଖଣି ଠାବ ଠାରୁ ଆରମ୍ଭ କରି ଡ୍ରାଗନ୍ ଫ୍ରୁଟ୍‌ ଦୁବାଇ ରପ୍ତାନି ହେବା ଭଳି ଉତ୍ସାହଜନକ ଘଟଣା ଘଟିଛି।

ଅନେକ ଦୃଷ୍ଟିରୁ ୨୦୨୪ ମସିହା ଓଡ଼ିଶା ଅର୍ଥନୀତି ପାଇଁ ଅନେକ ସ୍ବପ୍ନ ଓ ସମ୍ଭାବନା ଆଣିଛି। ରାଜ୍ୟର ମାଟି ତଳେ ସୁନା ଖଣି ଠାବ ଠାରୁ ଆରମ୍ଭ କରି ଡ୍ରାଗନ୍ ଫ୍ରୁଟ୍‌ ଦୁବାଇ ରପ୍ତାନି ହେବା ଭଳି ଉତ୍ସାହଜନକ ଘଟଣା ଘଟିଛି। ୨୪ ବର୍ଷ ପରେ ରାଜ୍ୟରେ ସରକାର ବଦଳିବାରୁ ଶିଳ୍ପପତିମାନେ ଆସି ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏକ ବଡ଼ ଉପଲବ୍ଧି ସ୍ବରୂପ ଓଡ଼ିଶା ୧୦୦ ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହୋଇଛି।
ଶିଳ୍ପପତିଙ୍କ ସହ ଆଲୋଚନା
ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବା ପରେ ପୁଞ୍ଜିନିବେଶ କରିଥିବା ବହୁ ବିଶିଷ୍ଟ ଶିଳ୍ପପତି ଓଡ଼ିଶା ଆସିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ କରି ନିଜ ପ୍ରକଳ୍ପ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଟାଟା ଷ୍ଟିଲ୍‌ର ଅଧ୍ୟକ୍ଷ ଟି ଭି ନରେନ୍ଦ୍ରନ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ର ସିଇଓ କରନ ଆଦାନୀ, ୱାରି ଏନର୍ଜିସ୍‌ର ମୁଖ୍ୟ ହୀତେଶ ସିଂହ ଦୋଶୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ। ଟାଟା ଷ୍ଟିଲ୍‌ ଏହାର ଯାଜପୁରର କଳିଙ୍ଗନଗର କାରଖାନାରେ ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଜାରି ରଖିଛି। ଏହା ଢେଙ୍କାନାଳରେ ଭୂଷଣ ଷ୍ଟିଲ୍ ଓ ଯାଜପୁରରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌କୁ ମଧ୍ୟ କିଣିଛି। ସେହିପରି ନବୀନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ପି ଏହାର ଅନୁଗୁଳ କାରଖାନାର ସମ୍ପ୍ରସାରଣ କରୁଥିବା‌ ବେଳେ ସେଠାରେ ଏକ ସିମେଣ୍ଟ କାରଖାନା ସ୍ଥାପନ କରିଛି। କରନ ଆଦାନୀ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ପ୍ରଗତି ଓ ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ବଦଳିଲା ଗୋପାଳପୁର ବନ୍ଦର ମାଲିକାନା
ଗୋପାଳପୁର ବନ୍ଦରର ମାଲିକାନା ପରିବର୍ତ୍ତନ ହୋଇଛି। ଗୌତମ ଆଦାନୀ ଏହାର ନୂଆ ମାଲିକ ହୋଇଛନ୍ତି। ସେ ବନ୍ଦରର ୯୫ ପ୍ରତିଶତ ଅଂଶଧନକୁ ୩୦୮୦ କୋଟି ଟଙ୍କାରେ କିଣିଥିଲେ। ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ଓ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଅଂଶଧନକୁ ଆଦାନୀ କିଣି ବନ୍ଦରର ନୂଆ ମାଲିକ ହୋଇଛି। ଫଳରେ ଓଡ଼ିଶାରେ ଆଦାନୀ ଅଧୀନକୁ ଦୁଇଟି ବନ୍ଦର ଚାଲିଯାଇଛି। ପୂର୍ବରୁ ଧାମରା ବନ୍ଦର ମାଲିକାନା ଆଦାନୀଙ୍କ ପାଖରେ ଥିଲା। ଗୋପାଳପୁର ବନ୍ଦର ଲାଗି ୨୦୦୬ରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌), ସାରା ଇଣ୍ଟରନ୍ୟାସନାଲ୍ ଓ ହଂକଂର ନୋ‌େବଲ୍ ଗ୍ରୁପ୍‌ ମିଳିତ ଉଦ୍ୟମ ଆରମ୍ଭ କରିଥିଲେ। ୨୦୦୮ରେ ରାଜ୍ୟ ସରକାର ସେମାନଙ୍କୁ ବନ୍ଦର ବିକାଶ କରିବା ଦାୟିତ୍ବ ଦେଇଥିଲେ। ଏହାର ଦୁଇ ବର୍ଷ ପରେ ୨୦୧୦ରେ ନୋବେଲ୍ ଗ୍ରୁପ୍ ପ୍ରକଳ୍ପରୁ ଓହରିଯାଇଥିଲା। ତଥାପି ୨୦୧୩ରେ ଏହି ବନ୍ଦର ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ୨୦୧୬ ନଭେମ୍ବରରେ ବନ୍ଦରର ୫୧ ପ୍ରତିଶତ ଅଂଶଧନକୁ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ କିଣିଥିଲା।
୧୦୦ ବିଲିୟନ୍ ଡଲାର ମାଇଲ୍‌ଖୁଣ୍ଟ
ଓଡ଼ିଶା ଅର୍ଥନୀତି ୨୦୨୪ରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହା ୧୦୦ ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ଅଭିବୃଦ୍ଧି କ୍ଷେତ୍ରରେ ଜାତୀୟ ହାରଠାରୁ ଆଗରେ ରହୁଥିବା ଓଡ଼ିଶା ୨୦୧୫-୧୬ ପରଠାରୁ ନିରନ୍ତର ଭାବେ ହାରାହାରି ୭.୨୫ ପ୍ରତିଶତ ହାରରେ ଆଗକୁ ବଢ଼ିଛି। ୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବାକୁ ରାଜ୍ୟ ସରକାର ଲକ୍ଷ୍ୟ ନିର୍ଧାରଣ କରିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଭଳି ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ସମୟରେ ଓଡ଼ିଶା ଅର୍ଥନୀତିକୁ ୧.୫ ଟ୍ରିଲିଅନ୍ ଡଲାରରେ ପରିଣତ କରିବାକୁ ରାଜ୍ୟ ସରକାର ଚାହୁଛନ୍ତି। ସେଥିପାଇଁ ନିତି ଆୟୋଗ ସହଯୋଗରେ ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେଉଛି। ନିତି ଆୟୋଗର ସିଇଓ ବି ଭି ଆର ସୁବ୍ରମଣ୍ୟମ ନିଜେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧,୬୧,୪୩୭ ଟଙ୍କା ରହିଛି। ତେବେ ରାଜସ୍ବ ବଳକା ରାଜ୍ୟ ଭାବେ ମାନ୍ୟତାକୁ ଓଡ଼ିଶା ବଜାୟ ରଖିଛି। ବଜେଟ୍‌ରେ ପୁଞ୍ଜି ବ୍ୟୟ ବଢ଼ାଇବା ଉପରେ ସରକାର ଧ୍ୟାନ ଦେଉଛନ୍ତି।

‘ଉତ୍କର୍ଷ ଓଡ଼ିଶା’ ଟାଣିବ ପୁଞ୍ଜି
ମୋହନ ମାଝୀଙ୍କ ସରକାର ଦାୟିତ୍ବ ଗ୍ରହଣ କରିବାର କିଛି ମାସ ପରେ ରାଜ୍ୟର ପ୍ରମୁଖ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶାକୁ ‘ଉତ୍କର୍ଷ ଓଡ଼ିଶା’ ନାମରେ ଆୟୋଜନ କରିବାକୁ ଘୋଷଣା କରିଛନ୍ତି। ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଭୁବନେଶ୍ବରର ଜନତା ମଇଦାନଠାରେ ଏହି କନ୍‌କ୍ଲେଭ୍‌ ଆୟୋଜନ ହେବ। ଏହା ପୂର୍ବରୁ ତିନି ଥର ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଥିଲା। ଏହାର ତୃତୀୟ ସଂସ୍କରଣରେ ୧୦ ଲକ୍ଷ‌ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌କୁ ସଫଳ କରିବା ଲାଗି ମୁଖ୍ୟମନ୍ତ୍ରୀ ମାଝୀ ବିଭିନ୍ନ ସହର ପରିକ୍ରମା କରି ଶିଳ୍ପପତିମାନଙ୍କୁ ସାକ୍ଷାତ କରୁଛନ୍ତି। ଦିଲ୍ଲୀ ଓ ମୁମ୍ବାଇ ପରେ ସିଙ୍ଗାପୁରରେ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି।

ପୁଣି ଆଳୁ ଚିନ୍ତା
ଅନେକ ସାମଗ୍ରୀକୁ ନେଇ ଆତ୍ମନିର୍ଭରଶୀଳ ନୁହେଁ ଓଡ଼ିଶା। ଅଧିକାଂଶ ଜିନିଷ ଏହା ବାହାର ରାଜ୍ୟକୁ ମଗାଇ ନିଜର ଆବଶ୍ୟକତା ମେଣ୍ଟାଉଛି। ସେହି କାରଣ ଲାଗି ବର୍ଷର ଅଧିକାଂଶ ସମୟ ଏହା ଦେଶର ସବୁଠୁ ମହଙ୍ଗା ବଜାର ହୋଇରହିଥିଲା। ବିଶେଷ କରି ଆଳୁ, ପିଆଜ ଓ ଟମାଟୋ ଦାମ୍ ବେଲଗାମ ହୋଇ ରହିଛି। ପଶ୍ଚିମବଙ୍ଗରୁ ଆଳୁ ଆସିବାରେ ବିଭ୍ରାଟ ଦେଖାଦେଉଥିବାରୁ ଆଳୁ କେଜି ଅଧିକ ରହୁଛି। ପିଆଜ କେଜି ୬୦ ଟଙ୍କା ଉପରେ ରହିଛି। ଚଳିତ ବର୍ଷ ଜୁନ୍‌ରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୨୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ସେହି ସମୟରେ ଦେଶର ମୁଦ୍ରାସ୍ଫୀତି ତା’ଠାରୁ ‌ଯଥେଷ୍ଟ କମ୍ (୫.୧ ପ୍ରତିଶତ) ଥିଲା। ବିହାର ଓ କର୍ଣ୍ଣା‌ଟକ ବଜାରଠାରୁ ଓଡ଼ିଶା ବଜାର ମହଙ୍ଗା ରହିଛି। ରାଜ୍ୟ ପାଇଁ ଅନ୍ୟତମ ଚିନ୍ତାର ବିଷୟ ହେଉଛି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦରଦାମ୍ ଚାପ ଅଧିକ ରହୁଛି।
ଦୁବାଇ ଗଲା ଡ୍ରାଗ୍‌ନଫ୍ରୁଟ୍‌
ପ୍ରଥମ ଥର ପାଇଁ ଓଡ଼ିଶାରେ ଉତ୍ପାଦନ ହୋଇଥିବା ଡ୍ରାଗନ୍‌ଫ୍ରୁଟ୍‌ ଦୁବାଇ ରପ୍ତାନି କରାଯାଇଛି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ଉତ୍ପାଦନ ହୋଇଥିବା ଡ୍ରାଗନ୍‌ଫ୍ରୁଟ୍‌କୁ ଭେଲୋଏକ୍‌ଜିମ୍ ପକ୍ଷରୁ ଦୁବାଇ ରପ୍ତାନି କରାଯାଇଥିଲା। ଆପେଡା, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ପାଲାଡିୟମ୍ ଇଣ୍ଡିଆ ଏଥିରେ ସହଯୋଗ କରିଥିଲେ। ଅର୍ଗାନିକ ଉପାୟରେ ସେହି ଫଳକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜ କ୍ଷେତରେ ଉତ୍ପାଦନ କରିଥିଲେ। ଓଡ଼ିଶାରେ ଫଳୁଥିବା ଆମ୍ବ, ପନିପରିବା ପରେ ଡ୍ରାଗନ୍‌ଫ୍ରୁଟ୍‌ ଅନ୍ତର୍ଜାତୀୟ ବଜାରରେ ଗ୍ରହଣୀୟ ହୋଇଛି।
ସୁନାଖଣି ଠାବ
ରାଜ୍ୟ ମାଟି ତଳେ ରହିଛି ସୁନା। କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି ଓ ବୌଦ୍ଧ ଆଦି ଜିଲ୍ଲାରେ ସୁନା ଥିବା ସୂଚନା ମିଳିଛି। କେନ୍ଦୁଝରର ଗୋପୁର-ଗଜିପୁର ଓ ଦେବଗଡ଼ର ଅଡସ-ରାମପଲିରେ ଜି୨ ସ୍ତରର ଅନ୍ବେଷଣ ହୋଇଛି। ତେଣୁ ଏହି ଦୁଇ ଅଞ୍ଚଳରେ ସୁନା ଥିବାର ସମ୍ଭାବନା ଦୃଢ଼ୀଭୂତ ହୋଇଛି। କେନ୍ଦୁଝରର ଚାରିଟି ଓ ମୟୂରଭଞ୍ଜର ଚାରିଟି ସ୍ଥାନରେ ସୁନାଖଣି ଠାବ ହୋଇଛି। କିନ୍ତୁ କେତେ ପରିମାଣର ସୁନା ଗଚ୍ଛିତ ରହିଛି ତାହା ଆକଳନ କରାଯାଇନାହିଁ। ବିଧାନସଭାରେ ଉତ୍ତର ଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିିଥିଲେ ଯେ ମାଟି ତଳେ କେତେ ପରିମାଣର ସୁନା ରହିଛି ତାହା ଆକଳନ କରିବା ଲାଗି ନୂଆ ସର୍ବେକ୍ଷଣ କରାଯାଉଛି। ସେହି ପ୍ରକ୍ରିୟା ଶେଷ ହେବା ପରେ ସାମ୍ନାକୁ ଏକ ସ୍ପଷ୍ଟ ଚିତ୍ର ଆସିବ। ତା’ ପରେ ଖଣିଗୁଡ଼ିକୁ ନିଲାମ କରିବା ବି‌ଷୟରେ ସରକାର ବିଚାର କରିବେ।

ଏଲ୍‌ଆଇସି ଖୋଲିଲା ଆଇଟି କେନ୍ଦ୍ର
ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଭୁବନେଶ୍ବରରେ ସୂଚନା ପ୍ରଯୁକ୍ତି ଉପରେ ଉତ୍କର୍ଷ ଟେଷ୍ଟିଂ କେନ୍ଦ୍ର ଖୋଲାଯାଇଛି। କମ୍ପାନିର ସିଇଓ ସିଦ୍ଧାର୍ଥ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। ଏଲ୍‌ଆଇସିର ପୂର୍ବ-କେନ୍ଦ୍ରୀୟ ଜୋନ୍ ପାଇଁ ଏଭଳି କେନ୍ଦ୍ର ସମ୍ପୂର୍ଣ୍ଣ ନୂଆ। ଏହି କେନ୍ଦ୍ରରେ ୧୦୦ ଆଇଟି ବିଶେଷଜ୍ଞ, ଏଲ୍‌ଆଇସି କର୍ମଚାରୀ ଓ ବାହ୍ୟ ଏଜେନ୍ସିର କର୍ମଚାରୀ କାର୍ଯ୍ୟ କରିବେ। ବୀମା ଦାବି ପ୍ରକ୍ରିୟାର ସରଳୀକରଣ ଲାଗି ଏହି କେନ୍ଦ୍ରରେ ଅନେକ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଆଧୁନିକ ଟୁଲ୍‌ ରହିଛି।
ପ୍ରତିରକ୍ଷା ଉପକରଣ ଉତ୍ପାଦନ ହେବ
ରାଜ୍ୟରେ ତିଆରି ହେବ ପ୍ରତିରକ୍ଷା କ୍ଷେତ୍ରର ଉପକରଣ। ଏଥିପାଇଁ ରାଜ୍ୟ ସରକାରଙ୍କ ସହ କଲ୍ୟାଣୀ ଷ୍ଟିଲ୍‌ ଲିମିଟେଡ୍‌ ବୁଝାମଣାପତ୍ର ସ୍ବାକ୍ଷର କରିଛି। କମ୍ପାନି ୧୧,୭୫୦ କୋଟି ଟଙ୍କା ନିବେଶ କରି ଢେଙ୍କାନାଳର ଗଜମରାରେ କାରଖାନା ସ୍ଥାପନ କରିବ। ସେଠାରେ ଟାଇଟାନିୟମ୍ ଧାତବ, ଏରୋସ୍ପେସ୍, ଅଟୋମୋବାଇଲ୍‌ ଉପକରଣ ଓ ଉନ୍ନତ ସ୍ପେସିଆଲିଟି ଇସ୍ପାତ ଉତ୍ପାଦନ କରାଯିବ। ତେବେ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ ହେଉଥିବା ଡ୍ରୋନ୍ ପ୍ରସ୍ତୁତିରେ ଓଡ଼ିଶାର ବିଶେଷ ଯୋଗଦାନ ରହିଛି। ଆଇଜି ଡ୍ରୋନ୍ ଓ ବନ୍‌ଭି ଏରୋ ପକ୍ଷରୁ ଶକ୍ତିଶାଳୀ ଡ୍ରୋନ୍ ବିକାଶ କରାଯାଇଛି ଯାହା ବିଭିନ୍ନ ବିକାଶମୂଳକ ଓ ପ୍ରତିରକ୍ଷା ପ୍ରକଳ୍ପରେ ବ୍ୟବହାର କରାଯାଇଛି।

କେନ୍ଦ୍ରାପଡ଼ାରେ ଇସ୍ପାତ କାରଖାନା ପାଇଁ ବାଟ ଫିଟିଲା
ରାଜ୍ୟର ଉପକୂଳବର୍ତ୍ତୀ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଶେଷରେ ବୃହତ୍‌ ଶିଳ୍ପ ସ୍ଥାପନ ସ୍ବପ୍ନରେ ବିଶେଷ ଅଗ୍ରଗତି ‌ଘଟିଛି। ବିଶ୍ବର ପ୍ରମୁଖ ଇସ୍ପାତ କମ୍ପାନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌ଏନ୍‌ଏସ୍‌ଆଇ) ପ୍ରାଇଭେଟ୍‌ ଲିମିଟେଡ୍‌ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମହାକାଳପଡ଼ା ତହସିଲର ବଡ଼ଟୁବି ମୌଜାରେ ୩୮୩ ଏକର ଜମି ଅଧିଗ୍ରହଣ ହେବ। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଅଧିସୂଚନା ଜାରି କରାଯାଇଛି। ମହାକାଳପଡ଼ା ତହସିଲଦାରଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ କୁହାଯାଇଛି। ବାର୍ଷିକ ପ୍ରାୟ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ଏହି କାରଖାନାରୁ ପର୍ଯ୍ୟାୟକ୍ରମେ ଉତ୍ପାଦନ ହେବ। ଏହି କାରଖାନା ସ୍ଥାପନ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହିତ ଲୋକଙ୍କ ପାଇଁ ନିଯୁକ୍ତି ଓ ‌ରୋଜଗାର ସୁଯୋଗ ସୃଷ୍ଟି ହେବ।

ସୁ-୩୦ ବିମାନ ଇଞ୍ଜିନ ଉତ୍ପାଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତି ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ସୁନାବେଡ଼ାରେ ଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) କାରଖାନାରେ ସୁ-୩୦ ବିମାନର ଇଞ୍ଜିନ ଉତ୍ପାଦନ ହେବାକୁ ନିଷ୍ପତ୍ତି ହୋଇଛି। ଏନେଇ ହାଲ୍ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ୨୬,୦୦୦ କୋଟି ଟଙ୍କାର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ହାଲ୍‌ ବର୍ଷକୁ ୩୦ଟି ଇଞ୍ଜିନ ଯୋଗାଇବ। ଆଠ ବର୍ଷ ମଧ୍ୟରେ ୨୪୦ ଇଞ୍ଜିନ ତିଆରି ହେବ।

ସୌଜନ୍ୟ-ସମ୍ୱାଦ

Comments are closed.