Breaking News

ଚମତ୍କାର ୨୪: ୧୦ ଚର୍ଚ୍ଚିତ ହତ୍ୟାକାଣ୍ଡ

୨୦୨୪ ମସିହାରେ ଦେଶର ବିବେକକୁ ଦୋହଲାଇ ଦେବା ଭଳି ଅନେକ ହତ୍ୟା ଅପରାଧ ଘଟିଛି। ଆର୍‌ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାଠାରୁ ଆରମ୍ଭ କରି ମହାଲକ୍ଷ୍ମୀ ହତ୍ୟା ଏବଂ ଆମେଥି ଦଳିତ ପରିବାର ହତ୍ୟା ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା।

୨୦୨୪ ମସିହାରେ ଦେଶର ବିବେକକୁ ଦୋହଲାଇ ଦେବା ଭଳି ଅନେକ ହତ୍ୟା ଅପରାଧ ଘଟିଛି। ଆର୍‌ଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାଠାରୁ ଆରମ୍ଭ କରି ମହାଲକ୍ଷ୍ମୀ ହତ୍ୟା ଏବଂ ଆମେଥି ଦଳିତ ପରିବାର ହତ୍ୟା ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ବର୍ଷକ ମଧ୍ୟରେ‌ ଦେଶରେ ଘଟିଥିବା ୧୦ଟି ବଡ଼ ଚର୍ଚ୍ଚିତ ହତ୍ୟାକାଣ୍ଡକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ବିବେକ ଦୋହଲିଗଲା

ଅଗଷ୍ଟ ୮ ତାରିଖ ରାତିରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଜଣେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ଖେଳାଇ ଦେଇଥିଲା। ହସ୍ପିଟାଲ ପରିସରରେ ନାଇଟ୍‌ ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଟ୍ରେନି ଡାକ୍ତର ଜଣଙ୍କ ସେଦିନ ହସ୍ପିଟାଲ୍‌ରେ ୩୬ ଘଣ୍ଟାର ସିଫ୍‌ଟ ସାରି ତାଙ୍କ ସହକର୍ମୀଙ୍କ ସହ ଡିନର୍‌ କରିବାପରେ ରାତି ପ୍ରାୟ ୯ଟା ୩୦ ସମୟରେ ସେମିନାର ହଲ୍‌ରେ ବିଶ୍ରାମ ପାଇଁ ଯାଇଥିଲେ। କିନ୍ତୁ ପରଦିନ ସକାଳେ ସେମିନାର ହଲ୍‌ରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ଆଖି, ପାଟି ଏବଂ ଯୌନାଙ୍ଗରେ ଗଭୀର ଆଘାତ ଲାଗିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ସଂଜୟ ରାୟକୁ ଗିରଫ କରିଛି। ସେ ଆର୍‌ଜି କର ମେଡିକାଲ କଲେଜ ନିକଟସ୍ଥ ଫାଣ୍ଡିରେ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲା। ଉକ୍ତ ଘଟଣାକୁ ଦେଶବ୍ୟାପୀ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିଲା ଏବଂ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରାଯାଇଥିଲା। ନ୍ୟାୟ ଦାବି କରି ଦେଶବ୍ୟାପୀ କନିଷ୍ଠ ଡାକ୍ତରମାନେ ମଧ୍ୟ ବହୁଦିନ ଧରି ଆନ୍ଦୋଳନରେ ବସିଥିଲେ।

ଆମେଥି ଦଳିତ ପରିବାର ହତ୍ୟା

ଚଳିତ ବର୍ଷ ଅକ୍ଟୋବରରେ ଉତ୍ତରପ୍ରଦେଶର ଆମେଥିରେ ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକ, ତାଙ୍କ ପତ୍ନୀ ଏବଂ ୨ ଶିଶୁଙ୍କୁ ସେମାନଙ୍କ ଘରେ ଗୁଳି କରି ହତ୍ୟା କରାଯାଇଥିଲା। ସରକାରୀ ସ୍କୁଲ୍‌ ଶିକ୍ଷକ ସୁନୀଲ କୁମାର, ତାଙ୍କ ୩୨ ବର୍ଷୀୟା ପତ୍ନୀ ପୁନମ ଏବଂ ସେମାନଙ୍କ ୨ ଝିଅ ଦୃଷ୍ଟି (୬) ଓ ସୁନି (୧)ଙ୍କୁ ଅହୋରବା ଭବାନୀ ଅଞ୍ଚଳ ସ୍ଥିତ ସେମାନଙ୍କ ଭଡ଼ାଘରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବର୍ମାକୁ ପୁଲିସ ଗିରଫ କରିଥିଲା। ବର୍ମା ଏହି ହତ୍ୟା କରିଥିବା ସ୍ବୀକାର କରିଥିଲା। ବର୍ମା କହିଛି ପୁନମଙ୍କ ସହ ତାଙ୍କର ୧୮ ମାସର ସମ୍ପର୍କ ଥିଲା। ପୁନମଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ସେ ଚାପରେ ଥିଲା। ଅତ୍ୟଧିକ ଚାପରେ ସେ ପୁନମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା।

ବଳିପଡ଼ିଗଲେ ରେଣୁକାସ୍ବାମୀ
ହାଇ ପ୍ରୋଫାଇଲ୍‌ ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ପୁଲିସ ନଭେମ୍ବର ୨୪ ତାରିଖରେ କୋର୍ଟରେ ୧୩୦୦ ପୃଷ୍ଠାର ଏକ ଅତିରିକ୍ତି ଚାର୍ଜସିଟ୍‌ ଦାଖଲ କରିଛି। ଅଭିନେତା ଦର୍ଶନଙ୍କର ଜଣେ ଫ୍ୟାନ୍‌ ହେଉଛନ୍ତି ରେଣୁକାସ୍ବାମୀ। ଚିତ୍ରଦୁର୍ଗ ବାସିନ୍ଦା ରେଣୁକାସ୍ବାମୀଙ୍କୁ ଗତ ଜୁନ୍‌ ମାସରେ ହତ୍ୟା କରାଯାଇଥିଲା। ଦର୍ଶନଙ୍କ ପାଇଁ କାମ କରୁଥିବା ଲୋକ ତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ। ରେଣୁକାସ୍ବାମୀ ଦର୍ଶନଙ୍କ ବହୁଦିନର ପାର୍ଟନର ପବିତ୍ରା ଗୌଡ଼ାଙ୍କ ନିକଟକୁ ଅଶାଳୀନ ବାର୍ତ୍ତା ପଠାଇଥି‌ବା କାରଣ ପାଇଁ ଦର୍ଶନ ରାଗିଯାଇ ତାଙ୍କୁ ହତ୍ୟା କରିଥିଲେ। ଜୁନ୍‌ ୭ ତାରିଖରେ ଦର୍ଶନଙ୍କ ସହଯୋଗୀ ରଘୁ ଦ୍ବାରା ରେଣୁକାସ୍ବାମୀଙ୍କୁ ହତ୍ୟା କରାଯାଇଥିଲା। ଆର୍‌ ଆର୍‌ ନଗର ସ୍ଥିତ ଏକ ସେଡ୍‌ରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ ଦର୍ଶନ ରେଣୁକାସ୍ବାମୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ତାଙ୍କୁ କରେଣ୍ଟ ସକ୍‌ ମଧ୍ୟ ଦେଇଥିଲେ। ରେଣୁକାସ୍ବାମୀ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ତାଙ୍କୁ ହତ୍ୟା କରିବା ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥି‌ଲେ। ଲରେନ୍ସ ଗ୍ୟାଙ୍ଗ୍‌ର ଶିକାର ବାବା ସିଦ୍ଦିକି
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏବଂ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୨ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ବାନ୍ଦ୍ରାରେ ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସ ବାହା‌ରେ ୩ ଜଣ ବ୍ୟକ୍ତି ରାତି ପ୍ରାୟ ୯ଟା ୧୫ ସମୟରେ ବାବା ସିଦ୍ଦିକିଙ୍କ ଉପରକୁ ଗୁଳି ଚଳାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଲୀଲାବତୀ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଡାକ୍ତରମାନଙ୍କର ସମସ୍ତ ଉଦ୍ୟମ ସତ୍ତ୍ବେ ସିଦ୍ଦିକିଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ତଦନ୍ତ ଜାରି ରହିଛି। ବାବା ସିଦ୍ଦିକି ହତ୍ୟା ମାମଲାରେ ପୁଲିସ ମୋଟ୍‌ ୨୬ ଜଣଙ୍କୁ ଗିରଫ କରିଛି। ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍‌ ବିଷ୍ଣୋଇର ହାତ ଥିବା କୁହାଯାଉଛି।

ପୁତ୍ର ହତ୍ୟାକାରୀ ସିଇଓ ମା’
ବର୍ଷ ଆରମ୍ଭରେ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ଗୋଆ ହତ୍ୟାକାଣ୍ଡ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ‘ମାଇଣ୍ଡଫୁଲ୍‌ ଅଲ ଲ୍ୟାବ୍‌’ର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ସୂଚନା ସେଠ୍‌ ଚଳିତ ବର୍ଷ ଜାନୁଆରିରେ ନିଜର ୪ବର୍ଷର ପୁଅକୁ ହତ୍ୟା କରିଦେଇଥିଲେ। ପୁଅକୁ ହତ୍ୟା କରି ସେ ତା’ର ମୃତଦେହକୁ ସୁଟ୍‌କେସ୍‌ରେ ଧରି ବୁଲିଥିଲେ। ପଶ୍ଚିମବଙ୍ଗର ୩୯ ବର୍ଷୀୟା ସୂଚନା ସେଠ୍‌ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ସ୍ବାମୀ ଭେଙ୍କଟରମଣ ‌କେରଳର। ୨୦୧୦ରେ ସେମାନଙ୍କର ବିବାହ ହୋଇଥିଲା। ୨୦୧୯ରେ ସେମାନଙ୍କର ପୁଅ ଜନ୍ମ ‌ହୋଇଥିଲା। କିନ୍ତୁ ୨୦୨୦ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ପୁଅ କାହା ପାଖରେ ରହିବ ସେନେଇ କୋର୍ଟରେ ବିଚାରଣ ଚାଲିଥିଲା। ସୂଚନା ସେଠ୍‌ ଏଥିରେ ଅତିଷ୍ଠ ହୋଇପଡ଼ିଥିଲେ। ନିଜ ସ୍ବାମୀଙ୍କୁ ପୁଅକୁ ନଦେଖାଇବା ପାଇଁ ସେ ପୁଅକୁ ଧରି ଗୋଆର ଏକ ‌ହୋଟେଲ୍‌କୁ ଆସିଥିଲେ ଏବଂ ‌ହୋଟେଲ୍‌ରେ ପୁଅକୁ ତଣ୍ଟି ଚିପି ମାରି ଦେଇଥିଲେ। ଜାନୁଆରି ୮ ତାରିଖରେ ସେ ଗିରଫ ହୋଇଥିଲେ। ପୁଲିସ ସେଠ୍‌ଙ୍କ ବିରୋଧରେ ୬୪୨ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଥିଲା।ସିରିଏଲ୍‌ କିଲର୍‌ ୧୪ ମାସରେ ୯ ମହିଳା ଶିକାର
ବରେଲିରେ ମାତ୍ର ୧୪ ମାସ ମଧ୍ୟରେ ୯ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଆତଙ୍କ ଖେଳାଇ ଦେଇଥିଲା। ସମସ୍ତଙ୍କର ମୃତଦେହ ଆଖୁ କ୍ଷେତରୁ ମିଳିଥିଲା। ତେବେ ଚଳିତ ବର୍ଷ ଜୁଲାଇ ୩ ତାରିଖରେ ଅନିତା ଦେବୀ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ସହ ପୁଲିସ ସିରିଏଲ୍‌ କିଲର୍‌ କୁଲଦୀପ ଗଙ୍ଗୱାରକୁ ଗିରଫ କରିଥିଲା। ଶାହି ଓ ଶିଶଗଡ଼ ଅଞ୍ଚଳ ମଧ୍ୟରେ ସେ ସମାନ ବୟସ ବର୍ଗର ୯ ଜଣଙ୍କୁ ହତ୍ୟା କରିଥିଲା। ତା’ର ମାନସିକ ସ୍ବାସ୍ଥ୍ୟ ସମସ୍ୟା ଥିଲା। ପତ୍ନୀ ଛାଡ଼ି ପଳାଇବାପରେ ସେ ମହିଳାମାନଙ୍କୁ ଟା‌ର୍ଗେଟ୍‌ କରି ହତ୍ୟା କରୁଥିଲା। ସମସ୍ତ ମହିଳାଙ୍କୁ ସେ ଆଖୁ କ୍ଷେତକୁ ନେଇ ସେମାନଙ୍କୁ ଶାଢ଼ିରେ ତଣ୍ଟି ଚିପି ମାରୁଥିଲା। ବହୁ ଦିନର କସରତ ପରେ ଶେଷରେ କୁଲଦୀପ ଗଙ୍ଗୱାରକୁ ପୁଲିସ ଚଳିତ ବର୍ଷ ଅଗଷ୍ଟରେ ଗିରଫ କରିଥିଲା।

ଝାଡ଼ଖଣ୍ଡ କଂସେଇର ବର୍ବରତା

ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାରେ ଜଣେ ୨୫ ବର୍ଷୀୟ ଯୁବକ ତା’ ଲିଭ ଇନ୍‌ ପାର୍ଟନରଙ୍କୁ ତଣ୍ଟି ଚିପି ମାରିବ‌ାପରେ ୫୦ ଖଣ୍ଡ କାଟି କାଟି ଜଙ୍ଗଲରେ ଫୋପାଡ଼ି ଦେଇଥିଲା। ଘଟଣାଟି ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ଘଟିଛି। ଅଭିଯୁକ୍ତ ରମେଶ ଭେଙ୍ଗ୍ରା ତାମିଲନାଡ଼ୁରେ ଜଣେ ମହିଳାଙ୍କ ସହ ୨ ବର୍ଷ ହେବ ଲିଭ୍‌-ଇନ୍‌-ରିଲେସନସିପ୍‌ରେ ରହୁଥିଲା। ପରେ ସେ ଝାଡ଼ଖଣ୍ଡ ଆସି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା ଏବଂ ପୁଣିଥରେ ତାମିଲନାଡ଼ୁ ଫେରି ଯାଇଥିଲା। ସେଠାରେ ସେ ତା’ ବିବାହ କଥା କିଛି କହିନଥିଲା। କିନ୍ତୁ ପୀଡ଼ିତା ମହିଳା ତା’ ସହ ଖୁଣ୍ଟି ଆସିବାକୁ ଜିଦ୍‌ ଧରିବାରୁ ସେ ତାଙ୍କୁ ଖୁଣ୍ଟି ଆଣିଥିଲା। କିନ୍ତୁ ଘରକୁ ନନେଇ ଅଧାବାଟରେ ତଣ୍ଟି ଚିପି ମାରିଦେଇଥିଲା‌ ଏବଂ ନିଜେ ଜଣେ କଂସେଇ ହୋଇଥିବାରୁ ସେ ତାଙ୍କୁ ୫୦ ଖଣ୍ଡ କରି କାଟି ଜଙ୍ଗଲରେ ଫୋପାଡ଼ି ଦେଇ ଚାଲି ଆସିଥିଲା।

ପ୍ରେମିକାକୁ ମାରି ଫ୍ରିଜ୍‌ରେ ରଖିଲା

ବେଙ୍ଗାଲୁରୁର ମହାଲକ୍ଷ୍ମୀ ହତ୍ୟା ଘଟଣା ଚଳିତ ବର୍ଷର ଅନ୍ୟ ଏକ ଚର୍ଚ୍ଚିତ ହତ୍ୟା ମାମଲା। ମହାଲକ୍ଷ୍ମୀଙ୍କୁ ହତ୍ୟାକରି ତାଙ୍କ ମରଶରୀରକୁ ୫୯ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିଲା ପ୍ରେମିକ ମୁକ୍ତି ରଂଜନ ରାୟ। ୨୯ ବର୍ଷୀୟା ମହାଲକ୍ଷ୍ମୀ ବିବାହ କରିଥିଲେ, କିନ୍ତୁ ସେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ତେବେ ଓଡ଼ିଶାର ମୁକ୍ତି ରଂଜନ ଏବଂ ମହାଲକ୍ଷ୍ମୀ ବେଙ୍ଗାଲୁରୁର ଏକ ‌ମଲ୍‌ରେ କାମ କରିବା ସମୟରେ ପ୍ରେମରେ ପଡ଼ି ଯାଇଥିଲେ ଏବଂ ଉଭୟ ଏକାଠି ରହୁଥିଲେ। ମହାଲକ୍ଷ୍ମୀଙ୍କୁ ହତ୍ୟା କରିବାପରେ ସେ ଓଡ଼ିଶା ଚାଲିଆସିଥିଲେ ଏବଂ ନିଜ ମା’ଙ୍କ ଆଗରେ ସବୁ ସତକଥା କହିଥିଲେ। ମହାଲକ୍ଷ୍ମୀଙ୍କର ବ୍ୟବହାର ତାଙ୍କ ପ୍ରତି ଖରାପ ହେବାରୁ ସେ ତାଙ୍କୁ ମାରି ଦେଇଥିବା ମା’ଙ୍କ ଆଗରେ କାନ୍ଦି ସ୍ବୀକାର କରିଥିଲେ। ମୁକ୍ତି ନିଜେ ମଧ୍ୟ ଆତ୍ମହତ୍ୟା କରିଦେଇଥିଲେ। ବେଙ୍ଗାଲୁରୁ ପୁଲିସ ଅନୁଯାୟୀ ମହାଲକ୍ଷ୍ମୀ ଏବଂ ମୁକ୍ତି ବେଙ୍ଗାଲୁରୁର ଏକ ମଲ୍‌ରେ ଏକାଠି କାମ କରୁଥିଲେ ଏବଂ ସେମାନେ ପ୍ରଥମେ ସାଙ୍ଗ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ମହାଲକ୍ଷ୍ମୀ ପରେ ରାୟଙ୍କ ଉପରେ ବିବାହର ଚାପ ପକାଇଥିଲେ। ଏହି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।
ସୌଜନ୍ୟ-ସମ୍ୱାଦ

Comments are closed.