Breaking News

ଚମତ୍କାର ୨୪: ୮୦ ହଜାର ଟପିଲା ସୁନା, ସେଞ୍ଚୁରି ମାରିଲା ଟମାଟୋ

୨୦୨୪କୁ ବଜାର ଓ ଅର୍ଥନୀତି ଦୃଷ୍ଟିରୁ ଏକ ଅସ୍ଥିରତାର ବର୍ଷ ଭାବେ ସ୍ମରଣ କରାଯିବ। ଏହି ବର୍ଷ ଷ୍ଟକ୍ ବଜାର, ସୁନା ଓ ରୁପା ଦର, ଟମାଟୋ, ଡାଲି ଓ ତେଲ ଆଦି ଦାମ୍‌ରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା। ଏକ ସମୟରେ ସେନ୍‌ସେକ୍ସରେ ହ୍ରାସ ଓ ସୁନା ଦରରେ ବୃଦ୍ଧି ଚିନ୍ତାର କାରଣ ପାଲଟିଥିଲା।

୨୦୨୪କୁ ବଜାର ଓ ଅର୍ଥନୀତି ଦୃଷ୍ଟିରୁ ଏକ ଅସ୍ଥିରତାର ବର୍ଷ ଭାବେ ସ୍ମରଣ କରାଯିବ। ଏହି ବର୍ଷ ଷ୍ଟକ୍ ବଜାର, ସୁନା ଓ ରୁପା ଦର, ଟମାଟୋ, ଡାଲି ଓ ତେଲ ଆଦି ଦାମ୍‌ରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା। ଏକ ସମୟରେ ସେନ୍‌ସେକ୍ସରେ ହ୍ରାସ ଓ ସୁନା ଦରରେ ବୃଦ୍ଧି ଚିନ୍ତାର କାରଣ ପାଲଟିଥିଲା। ଟଙ୍କାକୁ ବଞ୍ଚାଇବା ଲାଗି ରିଜର୍ଭ ବ୍ୟାଙ୍କକୁ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି କରିବାକୁ ପଡ଼ିଥିଲା। ବିମାନ ଶିଳ୍ପ ମଧ୍ୟ ଅସ୍ଥିରତା ଦେଇ ଗତି କରିଥିଲା। ପ୍ରଯୁକ୍ତି ଦୁନିଆରେ ଛଟେଇ ଜାରି ରହିଥିଲା

୮୫ ହଜାର ଡେଇଁଲା
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୨୦୨୪ ଜାନୁଆରି ୧ରେ ୭୨,୨୪୦ ପଏଣ୍ଟ୍‌ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍ଟି ୨୧,୭୪୧ ପଏଣ୍ଟରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ବର୍ଷତମାମ ଉଭୟ ଅନେକ ଉତ୍‌ଥାନ ପତନ ଦେଇ ଗତି କରିଛନ୍ତି। ସେପ୍ଟେମ୍ବର ମାସରେ ସେନ୍‌ସେକ୍ସ ଏହାର ସର୍ବୋଚ୍ଚ ସ୍ତର ୮୫ ହଜାର ପଏଣ୍ଟରେ ପହଞ୍ଚିଯାଇଥିଲା। ବର୍ଷ ଆରମ୍ଭ ତୁଳନାରେ ପ୍ରାୟ ୧୩ ହଜାର ପଏଣ୍ଟ ବଢ଼ିଥିବା ସେନ୍‌ସେକ୍ସ ପରବର୍ତ୍ତୀ ସମୟରେ ତଳକୁ ଖସିଥିଲା। କିନ୍ତୁ ପରେ ଏଥିରେ ସୁଧାର ଆସିଛି। ବର୍ତ୍ତମାନ ସୁଦ୍ଧା ସେନସେକ୍ସ ୮୧୭୦୦ ପଏଣ୍ଟ୍‌ ଉପରେ ରହିଛି। ବର୍ଷ ସାରା ବିଭିନ୍ନ କାରଣ ଲାଗି ସେନ୍‌ସେକ୍ସ ଅସ୍ଥିର ରହିଥିଲା। ସବୁଠୁ ଅଧିକ ଚିନ୍ତାର ବିଷୟ ପାଲଟିଥିଲା ବିଦେଶୀ ନିବେଶକମାନଙ୍କ ଦ୍ବାରା ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର। ସେମାନେ ମାର୍ଚ୍ଚ ପରଠାରୁ ପାଣ୍ଠି ପ୍ରତ୍ୟାହାର ଆରମ୍ଭ କରିବା ପରେ କିଛି ଦିନ ଅଟକି ଯାଇଥିଲେ। ମାତ୍ର ଯେବେଠାରୁ ଚୀନ ଏହାର ଅର୍ଥନୀତିକୁ ଆଗକୁ ନେବା ଲାଗି ପ୍ରୋତ୍ସାହନ ଘୋଷଣା କଲା ସେବେଠାରୁ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ବିଦେଶୀ ନିବେଶକମାନେ ଭାରତରୁ ପାଣ୍ଠି ନେଇ ଅନ୍ୟତ୍ର ଚାଲିଗଲେ। କିନ୍ତୁ ଏହି ଅସ୍ଥିର ବର୍ଷରେ ସେନ୍‌ସେକ୍ସ ‌ଅନେକ ମାଇଲଖୁଣ୍ଟ ହାସଲ କରିପାରିଛି।
ସେଞ୍ଚୁରି ମାରିଲା ଟମାଟୋ
ଟମାଟୋ ଦର କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍ ଏହା ୧୦୦ ଟଙ୍କାରେ ପହଞ୍ଚି ଯାଇଥିଲା। ଦେଶରେ ବର୍ଷା ଯୋଗୁ ଟମାଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ଦେଖାଦେଇଥିଲା। ଓଡ଼ିଶାକୁ କେବଳ ବେଙ୍ଗାଲୁରୁରୁ ଟମାଟୋ ଆସିବାରୁ ବଜାର ଦରରେ ଏଭଳି ବୃଦ୍ଧି ଘଟିଥିଲା ବୋଲି ବ୍ୟବସାୟୀମାନେ ମତ ଦେଇଥିଲେ। ଟମାଟୋ ଦର ସେଞ୍ଚୁରି ମାରିବା ଦ୍ବାରା ସାଧାରଣ ଗ୍ରାହକଙ୍କ କିଣି ଖାଇବା ସାମର୍ଥ୍ୟ ବାହାରକୁ ଏହା ଚାଲିଯାଇଥିଲା। ଅସାଧୁ ବ୍ୟବସାୟୀମାନେ ଦରବୃଦ୍ଧିର ଫାଇଦା ମଧ୍ୟ ନେଇଥିଲେ। କିଛିଦିନ ଧରି ଦର ଉଚ୍ଚା ରହିବା ପରେ ଅବସ୍ଥା ସ୍ବାଭାବିକ ହୋଇଥିଲା। ଡଲାର ଆଗରେ ଟଙ୍କା ଦୁର୍ବଳ
ମାସ ଶେଷ ଦେୟ ପାଇଁ ଆମଦାନୀକାରୀଙ୍କ ଡଲାର ନିଲାମ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆମେରିକୀୟ ଡଲାର ପାଇଁ ଉଚ୍ଚ ଚାହିଦା କାରଣରୁ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ରହିଥିଲା। କେବଳ ଟଙ୍କା ନୁହେଁ, ବିଶ୍ବର ପ୍ରାୟ ସବୁ ମୁଦ୍ରା ତୁଳନାରେ ଡଲାର ଶକ୍ତିଶାଳୀ ରହିଥିଲା। ନଭେମ୍ବର ଶେଷ ସପ୍ତାହରେ ଡଲାର ତୁଳନାରେ ଭାରତୀୟ ଟଙ୍କା ଦାମ୍ ୮୪.୪୦ ଟଙ୍କା ଥିଲା। ଅଧିକାଂଶ ଏସୀୟ ମୁଦ୍ରାର ଅବନତି ଯୋଗୁ ଟଙ୍କା ମଧ୍ୟ ପ୍ରଭାବିତ ହୋଇଥିଲା। ଡଲାର ତୁଳନାରେ ଯେକୌଣସି ପ୍ରକାରରେ ଟଙ୍କାକୁ ସବଳ ରଖିବା ଲାଗି ବର୍ଷତମାମ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିୟମିତ ବ୍ୟବଧାନରେ ହସ୍ତକ୍ଷେପ କରିବାକୁ ପଡ଼ୁଥିଲା। ନିଜ ଭଣ୍ଡାରରେ ଥିବା ଡଲାରକୁ ବାହାର କରି ରିଜର୍ଭ ବ୍ୟାଙ୍କ ବିକ୍ରି କରିବା ପରେ ଟଙ୍କା ମୂଲ୍ୟ‌‌ରେ ସୁଧାର ହେଉଥିଲା। ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ଦ୍ବାରା ତାହାର ପ୍ରଭାବ ଅର୍ଥନୀତିର ପ୍ରତିଟି କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଅଶୋଧିତ ତେଲଠାରୁ ଆରମ୍ଭ କରି ସୁନା, ଖାଇବା ତେଲ, ଖାଦ୍ୟଶସ୍ୟ, ସାର ଆଦି ଆମଦାନି ମହଙ୍ଗା ହୋଇଥିଲା। ବିଦେଶରେ ନିଜ ପିଲାଙ୍କୁ ପାଠପଢ଼ାଉଥିବା ଲୋକମାନଙ୍କୁ ଅଧିକ ଟଙ୍କା ପଠାଇବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ, ବ୍ୟବସାୟ ଉଦ୍ଦେଶ୍ୟ ହେଉ କିମ୍ବା ଭ୍ରମଣ, ଯେଉଁମାନେ ବିଦେଶ ଯାଉଥିଲେ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିଲା।

କୁହାଯାଏ ଅସ୍ଥିରତା ସମୟରେ ନିଜ ସମ୍ପତ୍ତିକୁ ସୁରକ୍ଷିତ ରଖିବା କିମ୍ବା ବଢ଼ାଇବାର ଶ୍ରେଷ୍ଠ ଉପାୟ ହେଉଛି ସୁନାରେ ନିବେଶ କରିବା। ୨୦୨୪ର ପ୍ରଥମ ଦିନରେ ଦେଶରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ୫୮,୭୭୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ଦାମ ୬୩,୯୭୦ ଟଙ୍କା ଥିଲା। ଭୂ-ରାଜନୈତିକ ସଙ୍କଟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓ ଯୁଦ୍ଧ ଭଳି ବିଭିନ୍ନ କାରଣ ଲାଗି ସୁନା ଦାମ୍‌ରେ ଦ୍ରୁତ ଗତିରେ ବୃଦ୍ଧି ହୋଇଥିଲା। ଅକ୍ଟୋବର ମାସରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ୍‌ ପିଛା ଦାମ୍ ୮୧,୩୩୦ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। କେବଳ ସୁନା ନୁହେଁ, ରୁପା ଦାମ୍ ମଧ୍ୟ ସେହି ଅନୁସାରେ ବଢ଼ିଥିଲା। ଜାତୀୟ ସ୍ତରରେ ରୁପା କେଜି ଲକ୍ଷେ ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ଓଡ଼ିଶାରେ ରୁପା କେଜି ଏକ ଲକ୍ଷ ୯ ହଜାର ଟଙ୍କା ହୋଇଯାଇଥିଲା। ଚଳିତ ବର୍ଷ ନିବେଶକମାନଙ୍କୁ ସୁନା ତୁଳନାରେ ରୁପା ଅଧିକ ହାରର ରିଟର୍ଣ୍ଣ ପ୍ରଦାନ କରିଛି। ଇଲେକ୍ଟ୍ରିକ୍ ଯାନ ନିର୍ମାତାଙ୍କଠାରୁ ଆରମ୍ଭ କରି ଗହଣା ଓ ଉପହାର ସାମଗ୍ରୀ ପ୍ରସ୍ତୁତି ପର୍ଯ୍ୟନ୍ତ ବିଭିନ୍ନ କାମରେ ରୁପା ବ୍ୟବହାର ହେଉଛି। ତେଣୁ ତାହାର ଚାହିଦା ବହୁତ ବଢ଼ିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ରିଟେନ୍‌ରେ ଥିବା ୧୦୦ ଟନ୍ ସୁନା ଦେଶକୁ ବୋହି ଆଣିବା, ଉଚ୍ଚ ମୁଦ୍ରାସ୍ଫୀତି ହାର, ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ଭଳି ବିଭିନ୍ନ କାରଣ ପାଇଁ ସୁନା ଓ ରୁପା ମହଙ୍ଗା ହୋଇଥିଲା। ତଳ ଉପର ହେଲା ଅଶୋଧିତ ତେଲ
ଅଶୋଧିତ ତେଲ ଦର ବର୍ଷତମାମ ତଳ ଉପର ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲଗାମହୀନ ହୋଇନଥିଲା। ବ୍ରେଣ୍ଟ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ ବର୍ଷ ଆରମ୍ଭରୁ ୭୫.୮୯ ଡଲାର ଥିଲା। ଏପ୍ରିଲ୍ ୮ ବେଳକୁ ତାହା ୯୦ ଡଲାର ସ୍ତର ଟପିଯାଇଥିଲା। ତେଣୁ ୧୦୦ ଡଲାର ମାଇଲଖୁଣ୍ଟ ଅତିକ୍ରମ କରିଯିବ ବୋଲି ସେହି ସମୟରେ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ସେଭଳି କିଛି ହୋଇନଥିଲା। ରୁଷ୍-ୟୁକ୍ରେନ ଯୁଦ୍ଧ ଓ ଇସ୍ରାଏଲ-ହମାସ୍‌ ଯୁଦ୍ଧ ପାଇଁ ତେଲ ବଜାର ଅସ୍ଥିର ରହିଥିଲା। ଯୁଦ୍ଧ ପ୍ରଭାବରେ ତେଲ ଉତ୍ପାଦନ ଓ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିଲା। ଇସ୍ରାଏଲ ଓ ଇରାନ ମଧ୍ୟରେ ଯେତେବେଳେ ଉତ୍ତେଜନା ଦେଖାଦେଲା ତାହା ସବୁଠୁ ବଡ଼ ଚିନ୍ତାର କାରଣ ଭାବେ ଉଭା ହୋଇଥିଲା। କାରଣ ଇରାନର ତୈଳ ସମ୍ପତ୍ତିଗୁଡ଼ିକୁ ଇସ୍ରାଏଲ୍‌ ଟାର୍ଗେଟ କରିପାରେ ବୋଲି ଆଶଙ୍କା କରାଯାଉଥିଲା। ତେଲ ଜାହାଜଗୁଡ଼ିକ ଉପରେ ହୁତି ବିଦ୍ରୋହୀମାନଙ୍କ ଆକ୍ରମଣ ଲାଗି ଯୋଗାଣକୁ ନେଇ କିଛି ଦିନ ସମସ୍ୟା ଉପୁଜିଥିଲା। କିନ୍ତୁ ସେପ୍ଟେମ୍ବର ମାସ ବେଳକୁ ଅଶୋଧିତ ତେଲ ଦର ୬୯ ଡଲାରକୁ ଖସିଆସିଥିଲା। ନଭେମ୍ବରରେ ଏହି ଦାମ ୭୨ ଡଲାର ପାଖାପାଖି ରହିଛି। ବିଶ୍ବ ସ୍ତରରେ ତେଲ ଦର ତଳ ଉପର ହୋଇଥିଲେ ମଧ୍ୟ ଭାରତରେ ଖାଉଟିମାନଙ୍କୁ ତାହା ବିଶେଷ ପ୍ରଭାବିତ କରିନଥିଲା। କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର କିଛି କମାଇଥିଲେ।

ଖାଲି ହେଲା ବିଦେଶୀ ମୁଦ୍ରାଭଣ୍ଡାର
ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ହେଉଛି ବିଶ୍ବର ଅନ୍ୟତମ ବୃହତ୍‌ ଭଣ୍ଡାର। କିନ୍ତୁ ୨୦୨୪ରେ ଏହି ଭଣ୍ଡାରକୁ ଅଧିକ ଖାଲି କରିବାକୁ ପଡ଼ିଥିଲା। ତାହାର ମୁଖ୍ୟ କାରଣ ହେଉଛି ଦୁର୍ବଳ ଟଙ୍କା। ଡଲାର ତୁଳନାରେ ଟଙ୍କାକୁ ସବଳ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ମୁଦ୍ରା ବାହାର କରୁଥିଲା। ଏକ ସମୟରେ ୭୦,୦୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ବିଦେଶୀ ମୁଦ୍ରା ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ରହିଥିଲା। ମାତ୍ର ତିନି ମାସ ପର୍ଯ୍ୟନ୍ତ ଟଙ୍କା ମୂଲ୍ୟ ହ୍ରାସକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା କାରଣରୁ ବିଦେଶୀ ମୁଦ୍ରା ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ନଭେମ୍ବର ୧୫ ସୁଦ୍ଧା ଭାରତରେ ଥିବା ବିଦେଶୀ ମୁଦ୍ରା ପରିମାଣ ୬୫,୭୮୦ କୋଟି ଡଲାରକୁ ଖସିଆସିଥିଲା। ସେହି ଗୋଟିଏ ସପ୍ତାହରେ ମୁଦ୍ରା ଭଣ୍ଡାରରୁ ୧୭୭୬ କୋଟି ଡଲାର ବିଦେଶୀ ମୁଦ୍ରା ବାହାର କରାଯାଇଥିଲା। ଷ୍ଟକ୍ ବଜାରରୁ ବିଦେଶୀ ନିବେଶକମାନେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଣ୍ଠି ପ୍ରତ୍ୟାହାର କରିବା ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି କରିଥିଲା। ରପ୍ତାନି ହ୍ରାସ ପାଇବା ମଧ୍ୟ ବିଦେଶୀ ମୁଦ୍ରା ଆୟକୁ ପ୍ରଭାବିତ କରିଥିଲା। ଗୋଟିଏ ପଟେ ରପ୍ତାନି କମ୍ ହେବା ଓ ଅନ୍ୟପଟେ ଆମଦାନି ବଢ଼ିବା କାରଣରୁ ଅଧିକରୁ ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଥିଲା।

ଜେଟ୍ ଏୟାରୱେଜ୍ ବନ୍ଦ, ପରିଚୟ ହରାଇଲା ଭିସ୍ତାରା
୨୦୨୪ରେ ବିମାନ ଚଳାଚଳ ଶିଳ୍ପରେ ଅନେକ ପରିବର୍ତ୍ତନ ହୋଇଛି। ୨୦୧୯ରୁ ବନ୍ଦ ହୋଇଯାଇଥିବା ଏୟାରଲାଇନ୍ ଜେଟ୍ ଏୟାରୱେଜ୍‌କୁ ପୁନରୁଦ୍ଧାର କରିବାର ସବୁ ପ୍ରୟାସ ବିଫଳ ହେବା ପରେ ତାହାକୁ ସବୁ ଦିନ ଲାଗି ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଟାଟା ଓ ସିଙ୍ଗାପୁର ଏୟାରଲାଇନ୍ସ ସହଯୋଗରେ ୨୦୧୫ରୁ ଯାତ୍ରା ଆରମ୍ଭ କରିଥିବା ନୂଆ ବିମାନ କମ୍ପାନି ଭିସ୍ତାରାର ଏୟାର ଇଣ୍ଡିଆ ସହ ମିଶ୍ରଣ ହେବାରୁ ଏହା ସବୁଦିନ ପାଇଁ ନିଜର ପରିଚୟ ହରାଇଛି। ପୂର୍ବରୁ ଏୟାର ଏସିଆ ଇଣ୍ଡିଆ ଏହାର ପରିଚୟ ହରାଇସାରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ସହ ତାହାର ମିଶ୍ରଣ ଘଟିଛି।ଆଇଆଇଟି, ଆଇଆଇଏମ୍‌ ଛାତ୍ରଛାତ୍ରୀଙ୍କୁ କମ୍ ଦରମା
ଆଇଆଇଟି ଓ ଆଇଆଇଏମ୍‌ରେ ପାଠପଢ଼ିଲେ ମୋଟା ଅଙ୍କର ଦରମା ମିଳିବାର ଯେଉଁ ଗ୍ୟାରେଣ୍ଟି ଥିଲା ତାହା ଧୀରେ ଧୀରେ ଦୂର ହେଉଥିବା ଭଳି ମନେ ହେଉଛି। ଚଳିତ ବର୍ଷ ଦେଶର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ଲେସମେଣ୍ଟରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଏଭଳି କିଛି ଚିତ୍ର ଉପସ୍ଥାପନ କରିଛି। ଆଇଆଇଟି-ବମ୍ବେରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିନାହିଁ। ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ଚଳିତ ବର୍ଷ ସର୍ବନିମ୍ନ ଦରମା ବାର୍ଷିକ ୪ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ଆଇଆଇଏମ୍-ଅହମଦାବାଦରେ ଏକ୍‌ଜିକ୍ୟୁଟିଭ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ମିଳିଥିବା ସର୍ବୋଚ୍ଚ ଦରମା ପ୍ରସ୍ତାବ ୧ କୋଟିରୁ କମି ୫୦ ଲକ୍ଷ ଟଙ୍କା ହୋଇଛି ଯାହା ଗତ ୬ ବର୍ଷ ମଧ୍ୟରେ ସର୍ବନିମ୍ନ।

ମାଇକ୍ରୋସଫ୍ଟରେ ବିଭ୍ରାଟ, ବିମାନ ଉଡ଼ାଣ ଠପ୍
ଜୁଲାଇ ମାସରେ ମାଇକ୍ରୋସଫ୍ଟ ସେବାରେ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା। ସେଥିପାଇଁ ବିଶ୍ବବ୍ୟାପୀ ବହୁ ବିମାନର ଉଡ଼ାଣ ବାତିଲ ହୋଇଥିଲା। ଭାରତରେ ୨୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ ସେଥିରୁ ୧୯୨ଟି ବିମାନ ଇଣ୍ଡିଗୋର ଥିଲା। ସାଇବର ସିକ୍ୟୁରିଟି ସେବା ପ୍ରଦାନ କରୁଥିବା କମ୍ପାନି କ୍ରାଉଡଷ୍ଟ୍ରାଇକ୍‌ ସଫ୍ଟୱେର ଅପ୍‌ଡେଟ୍‌ କାରଣରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ କାମ କରି ନଥିଲା। କମ୍ପ୍ୟୁଟରର ସ୍କ୍ରିନ୍ ସମ୍ପୂର୍ଣ୍ଣ ନୀଳ ହୋଇଯାଇଥିଲା। ଏଥିଯୋଗୁ ବିମାନ ସେବା ଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ଖବର ପ୍ରସାରଣ, ଷ୍ଟକ୍‌ ମାର୍କେଟ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ସୌଜନ୍ୟ-ସମ୍ୱାଦ

Comments are closed.