Breaking News

ଚରମ ପାଣିପାଗ ପରିବର୍ତ୍ତନର ପ୍ରଭାବ: ୨୧୦୦ ବେଳକୁ ନଥିବେ ଏକ-ତୃତୀୟାଂଶ ଜୀବ

ସମ୍ପ୍ରତି ଜାରି ରହିଥିବା ପାଣିପାଗ ପରିବର୍ତ୍ତନ ଯୋଗୁଁ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ପ୍ରାୟ ଏକ-ତୃତୀୟାଂଶ ଜାତିର ଜୀବ ବିଲୁପ୍ତପ୍ରାୟ ହୋଇଯିବେ ବୋଲି ଏକ ନୂତନ ଅଧ୍ୟୟନରୁ ପୂର୍ବାନୁମାନ କରାଯାଇଛି।

ସମ୍ପ୍ରତି ଜାରି ରହିଥିବା ପାଣିପାଗ ପରିବର୍ତ୍ତନ ଯୋଗୁଁ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ପ୍ରାୟ ଏକ-ତୃତୀୟାଂଶ ଜାତିର ଜୀବ ବିଲୁପ୍ତପ୍ରାୟ ହୋଇଯିବେ ବୋଲି ଏକ ନୂତନ ଅଧ୍ୟୟନରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ବାୟୁମଣ୍ଡଳକୁ ଯେଭଳି ପରିମାଣର ସବୁଜଗୃହ ବାଷ୍ପର ନିର୍ଗମନ ଚାଲୁ ରହିଛି, ସେଥିରେ ନିୟନ୍ତ୍ରଣ ନ ଆଣିଲେ ଉପରୋକ୍ତ ପରିଣାମ ଦେଖିବାକୁ ମିଳିବ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ଯଦି ବିଶ୍ବର ହାରାହାରି ତାପମାତ୍ରା ଶିଳ୍ପଯୁଗ ତାପମାତ୍ରାଠାରୁ ୨.୭ ଡିଗ୍ରି ଫାରେନ୍‌ହାଇଟ୍‌ ବା ୧.୫ ଡିଗ୍ରି ସେଲସିଅସ୍‌ ଅଧିକ ରହେ, ତେବେ ଏହି ବିଲୋପନ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୁହାଯାଇଛି। ବିଶେଷ କରି ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ୍‌ର ପାହାଡ଼ ପର୍ବତ, ଦ୍ବୀପପୁଞ୍ଜ ଓ ମଧୁରଜଳରେ ରହୁଥିବା ଉଭୟଚର ପ୍ରାଣୀଙ୍କ ପାଇଁ ଏହା ସତର୍କଘଣ୍ଟି ସାଜିଛି। ବର୍ତ୍ତମାନ ବିଶ୍ବ ତାପମାତ୍ରା ଶିଳ୍ପ ବିପ୍ଳବ ପରଠାରୁ ପ୍ରାୟ ୧.୮ ଡିଗ୍ରି ଫାରେନ୍‌ହାଇଟ୍‌ ଉପରେ ରହିଛି। ତେଣୁ ଜାତି ବିଲୋପନ ସ୍ଥିତି ପାଇଁ ଆବଶ୍ୟକ ତାପମାତ୍ରା ବୃଦ୍ଧି ଅଚିରେ ପହଞ୍ଚିଯିବ ବୋଲି ଆକଳନ କରାଯାଉଛି।

ପ୍ୟାରିସ୍‌ ରାଜିନାମା ଅନୁଯାୟୀ ସବୁଜବାଷ୍ପ ନିର୍ଗମନ ନିୟନ୍ତ୍ରଣ କଲେ ମଧ୍ୟ ୨୧୦୦ ବେଳକୁ ପ୍ରତି ୫୦ରେ ଗୋଟିଏ ଜାତିର ଜୀବ ବିଲୁପ୍ତ ହେବାର ଆଶଙ୍କା ରହିଛି। ତାପମାତ୍ରାରେ ୨.୭ ଡିଗ୍ରି ବୃଦ୍ଧି ଯୋଗୁଁ ଏକ-ପଞ୍ଚମାଂଶ ଜାତି ବିପନ୍ନ ହେବେ। ତେବେ ପ୍ରଚଳିତ ଧାରାରେ ନିର୍ଗମନ ବଢ଼ିଚାଲିଲେ ହାରାହାରି ତାପମାତ୍ରା ୫.୪ ଡିଗ୍ରି ବଢ଼ିଯିବ ଏବଂ ପ୍ରାୟ ୨୯.୭ ପ୍ରତିଶତ ଜାତି ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି।

ଗତ ୩୦ ବର୍ଷରେ ପ୍ରାୟ ୪୫୦ ଜାତିର ପ୍ରାଣୀଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବିଶ୍ଳେଷଣ କରି ଗବେଷକମାନେ ଏପରି ସତର୍କବାଣୀ ଶୁଣାଇଛନ୍ତି। ପ୍ୟାରିସ୍‌ ରାଜିନାମା ଅନୁଯାୟୀ, ସବୁଜବାଷ୍ପ ନିର୍ଗମନକୁ ନିୟନ୍ତ୍ରଣ କରାଗଲେ ମଧ୍ୟ ୨୧୦୦ ମସିହା ବେଳକୁ ପ୍ରତି ୫୦ରେ ଗୋଟିଏ ବା ୧,୮୦,୦୦୦ ଜାତିର ଜୀବ ବିଲୁପ୍ତ ହେବାର ଆଶଙ୍କା ରହିଛି। ସେହିପରି ତାପମାତ୍ରାରେ ୨.୭ ଡିଗ୍ରି ସେଲ୍‌ସିଅସ୍‌ ବୃଦ୍ଧି ଯୋଗୁଁ ଏକ-ପଞ୍ଚମାଂଶ ଜାତି ବିପନ୍ନ ହୋଇପଡ଼ିବେ। ସବୁଠାରୁ ଉଦ୍‌ବେଗଜନକ ହେଲା, ପ୍ରଚଳିତ ଧାରାରେ ସବୁଜବାଷ୍ପ ନିର୍ଗମନ ବଢ଼ିଚାଲିଲେ ହାରାହାରି ତାପମାତ୍ରା ୫.୪ ଡିଗ୍ରି ସେଲ୍‌ସିଅସ୍‌ ବଢ଼ିଯିବ ଏବଂ ପ୍ରାୟ ୨୯.୭ ପ୍ରତିଶତ ଜାତି ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି। ତାହାର ପ୍ରଭାବ ମଧ୍ୟ ସମଗ୍ର ବିଶ୍ବ ତଥା ଅନ୍ୟାନ୍ୟ ଜାତିଙ୍କ ଉପରେ ପଡ଼ିବ। ତେଣୁ ଏଥିରୁ ବର୍ତ୍ତିବା ଲାଗି ଏକମାତ୍ର ବିକଳ୍ପ ହେଉଛି ସବୁଜବାଷ୍ପ ନିର୍ଗମନକୁ ସୀମିତ କରିବା। ତାହାଦ୍ବାରା ବିଶ୍ବର ହାରାହାରି ତାପମାତ୍ରା ସହନଶୀଳ ସୀମାରେ ରହିବା ସହ ପରିସଂସ୍ଥା କ୍ବଚିତ୍‌ ପ୍ରଭାବିତ ହେବ ବୋଲି କୁହାଯାଇଛି।

ସୌଜନ୍ୟ-ସମ୍ୱାଦ

Comments are closed.