Breaking News

ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’, ଭାରତ ପାଇଁ ଚିନ୍ତାର କାରଣ ନୁହେଁ : ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ, ୪।୧: ଏବେ ସମ୍ଭାବ୍ୟ ମହାମାରୀ ଆଶଙ୍କାରେ ସାରା ବିଶ୍ୱ । କରୋନା ଭଳି ଚାଇନାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ୍ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ । ଏପଟେ ଭାରତରେ କିନ୍ତୁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଶ୍ୱାସଜନିତ କୌଣସି ସଂକ୍ରମଣକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛନ୍ତି ।

ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ ଅତୁଲ ଗୋଏଲ ଏନେଇ ଲୋକଙ୍କୁ ସଚେତନ କରିଛନ୍ତି । ଭାଇରସ୍ ଏଚଏମପିଭି ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ କେବଳ ସତର୍କତାରେ ହିଁ ଆମେ ଏହାକୁ ରୋକିପାରିବା ବୋଲି ସେ କହିଛନ୍ତି । ହେଲେ ଏହାକୁ ନେଇ ବର୍ତ୍ତମାନର ପରିସ୍ଥିତି ବିଷୟରେ ଚିନ୍ତିତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି । ତେବେ ଚୀନରେ ବର୍ତ୍ତମାନ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ ବ୍ୟାପୁଥିବାର ଦେଖାଯାଉଛି । ‘ମେଟାନ୍ୟୁମୋଭାଇରସ’ ଏକ ସାଧାରଣ ଶ୍ୱାସକ୍ରିୟାଜନିତ ଭାଇରସ୍ । ଏହା ପ୍ରଭାବରେ ସାଧାରଣ ଥଣ୍ଡା, କାଶ ଓ ଜ୍ୱର ହୋଇଥାଏ । ତେବେ ବିଶେଷ କରି ବୃଦ୍ଧ ଏବଂ ଛୋଟ ପିଲାମାନଙ୍କ ମଧ୍ୟରେ ଏଭଳି ଲକ୍ଷଣ ସୃଷ୍ଟି କରିପାରେ । ଦେଶରେ ଶ୍ୱାସକ୍ରିୟାଜନିତ ସଂକ୍ରମଣର ତଥ୍ୟ ବିଶ୍ଳେଷଣ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି ।

ଗତ ଡିସେମ୍ବର ମାସରେ ଦେଶରେ ଶ୍ୱାସଜନିତ ସଂକ୍ରମଣରେ ସେଭଳି ଉଲ୍ଲେଖନୀୟ ବୃଦ୍ଧି ଘଟିନାହିଁ । ଲୋକଙ୍କୁ ସଚେତନ କରିବାକୁ ଯାଇ ସେ କହିଛନ୍ତି, ‘ମୁଁ ଜନସାଧାରଣଙ୍କୁ ଗୋଟିଏ କଥା ଜଣାଇବାକୁ ଚାହୁଁଛି ଯେ, ସମସ୍ତ ଶ୍ୱାସକ୍ରିୟାଜନିତ ସଂକ୍ରମଣକୁ ଏଡ଼ାଇବା ପାଇଁ ସାଧାରଣ ସତର୍କତା ଅବଲମ୍ବନ କରନ୍ତୁ । ଯଦି କାହାକୁ କାଶ ଏବଂ ଥଣ୍ଡା ଲାଗିରହିଛି, ତେବେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସନ୍ତୁନାହିଁ । ଏହା ଦ୍ଵାରା ସଂକ୍ରମଣ ବ୍ୟାପିନଥାଏ । କାଶିବା କିମ୍ବା ଛିଙ୍କିବା ବେଳେ ମୁହଁରେ ଏକ ରୁମାଲ୍ କିମ୍ବା ଗାମୁଛା ରଖନ୍ତୁ । ଯେତେବେଳେ ଥଣ୍ଡା କିମ୍ବା ଜ୍ୱର ହୁଏ ସେତେବେଳେ ଆବଶ୍ୟକ ସାଧାରଣ ଔଷଧ ନିଅନ୍ତୁ ।’ ତେବେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଚିନ୍ତିତ ନହେବା ପାଇଁ ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ ଅତୁଲ ଗୋଏଲ ପରାମର୍ଶ ଦେଇଛନ୍ତି ।

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.