Breaking News

ଚାକିରି ନାଁରେ ଠକେଇ ରୢାକେଟ୍‌: ମାଷ୍ଟରମାଇଣ୍ଡ ଯୁବତୀ ସମେତ ୩ ଗିରଫ

ବଡ଼ଗଡ଼ ଥାନା ଅଞ୍ଚଳରେ କାର୍ଯ୍ୟାଳୟ ଖୋଲିଥିଲେ। ସରକାରୀ ଚାକିରି ଦେବା ପାଇଁ ପୋର୍ଟାଲ୍‌ରେ ବିଜ୍ଞାପନ ଦେଉଥିଲେ। ସରକାରୀ ଚାକିରି ଆଶାୟୀଙ୍କୁ ଆକର୍ଷିତ କରି ଲକ୍ଷଲକ୍ଷ ଟଙ୍କା ଚୂନ ଲଗାଉଥିଲେ।

ଭୁବନେଶ୍ବର: ବଡ଼ଗଡ଼ ଥାନା ଅଞ୍ଚଳରେ କାର୍ଯ୍ୟାଳୟ ଖୋଲିଥିଲେ। ସରକାରୀ ଚାକିରି ଦେବା ପାଇଁ ପୋର୍ଟାଲ୍‌ରେ ବିଜ୍ଞାପନ ଦେଉଥିଲେ। ସରକାରୀ ଚାକିରି ଆଶାୟୀଙ୍କୁ ଆକର୍ଷିତ କରି ଲକ୍ଷଲକ୍ଷ ଟଙ୍କା ଚୂନ ଲଗାଉଥିଲେ। ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ରୢାକେଟ୍‌କୁ ମଞ୍ଚେଶ୍ବର ଥାନା ପୁଲିସ ଠାବ କରିଛି। ସେହି ରୢାକେଟ୍‌ର ମାଷ୍ଟରମାଇଣ୍ଡ ଥିଲା ଜଣେ ଯୁବତୀ। ଆଜି ପୁଲିସ ଏହି ରୢାକେଟ୍‌ର ୩ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଉତ୍ତଙ୍ଗରା ଅଞ୍ଚଳର ଯାଜ୍ଞସେନୀ କର(୨୭), ତା’ର ସହଯୋଗୀ ଯାଜପୁର ଟାଉନ୍‌ ଅଞ୍ଚଳର ଜୟକୃଷ୍ଣ ଦାସ ଓରଫ ପ୍ରିୟ(୨୮) ଓ କଳାହାଣ୍ଡି ଅଞ୍ଚଳର ଜୀବନଦ୍ବୀପ ନନ୍ଦି ଓରଫ ପ୍ରିନ୍‌ସ (୨୨)। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ କାର୍‌, ବାଇକ୍‌, ଲ୍ୟାପଟପ୍‌, ମୋବାଇଲ୍‌ ଆଦି ଜବତ କରିଛି। ପୂର୍ବରୁ ଏହି ରୢାକେଟ୍‌ର ଅନ୍ୟତମ ସଦସ୍ୟ ସୁରେଶ ରାଓକୁ ପୁଲିସ ଜେଲ୍‌ ହାଜତକୁ ପଠାଇସାରିଛି।

ପୁଲିସ ସୂଚନା ମୁତାବକ କଳ୍ପନା ଛକ ନିକଟରେ ଯାଜ୍ଞସେନୀଙ୍କର ସକ୍‌ସେସ୍‌ ଡିଲ୍‌ ନାମକ ଏକ ସଂସ୍ଥା ଥିଲା। ପ୍ରିୟ ଉକ୍ତ ସଂସ୍ଥାର ସୋସିଆଲ୍‌ ସାଇଟ୍‌ ପରିଚାଳନା କରୁଥିଲେ। ପ୍ରିନ୍‌ସ ଓ ସୁରେଶ ସହଯୋଗ କରୁଥିଲେ। ଯାଜ୍ଞସେନୀ ତା’ ପୋର୍ଟାଲ୍‌ରେ ଜବ୍‌ ସିକିଓର ନାମକ ଏକ ୱେବ୍‌ ପେଜ୍‌ ଖୋଲିଥିଲା। ସରକାରୀ ଚାକିରି ଖୋଜୁଥିବା ଆଶାୟୀମାନଙ୍କ ପାଇଁ ଏହି ପେଜ୍‌ରେ ବିଜ୍ଞାପନ ଦେଉଥିଲା। ରେଳବାଇ ଚାକିରି ବିଜ୍ଞାପନ ଦେଖି ଜଟଣୀ କୁଦିଆରୀର ସନ୍ଦୀପ ଦାସ ପୋର୍ଟାଲ୍‌ରେ ଥିବା ଏକ ନମ୍ବରରେ ଯୋଗାଯୋଗ କରିଥିଲେ ଏବଂ ପରେ ଅଭିଯୁକ୍ତ ସୁରେଶ ସହ ସାକ୍ଷାତ କରିଥିଲେ। ସୁରେଶ ତାଙ୍କୁ ନେଇ ମଞ୍ଚେଶ୍ବର ରେଳଭବନ ନିକଟକୁ ନେଇଥିଲା। ସେଠାରେ ଯାଜ୍ଞସେନୀ ନିଜକୁ ରେଳବାଇ ଅଧିକାରୀ ପରିଚୟ ଦେଇ ସନ୍ଦୀପଙ୍କ ସହ କଥାବାର୍ତ୍ତା ହୋଇଥିଲା ଏବଂ ଗ୍ରୁପ୍‌-ଡି ପଦବି ପାଇଁ ୩ଲକ୍ଷ ଟଙ୍କା ଦାବି କରିଥିଲା। ପ୍ରଥମ ପର୍ଯ୍ୟାୟରେ ସନ୍ଦୀପ ସେମାନଙ୍କୁ ୫୫ ହଜାର ଟଙ୍କା ଦେଇଥିଲେ। କିନ୍ତୁ ପରେ ଯାଜ୍ଞସେନୀ ଉଭାନ ହୋଇଯାଇଥିଲେ। ସନ୍ଦୀପ ସେମାନଙ୍କୁ ନ ପାଇ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ପ୍ରଥମେ ସୁରେଶଙ୍କୁ ଗିରଫ କରିଥିଲା। ସୁରେଶଙ୍କ ସୂଚନା ଆଧାରରେ ପୁଲିସ ଯାଜ୍ଞସେନୀର ରୢାକେଟ୍‌କୁ ଠାବ କରିଛି। ସରକାରୀ ଚାକିରିର ପ୍ରଲୋଭନ ଦେଖାଇ ଯାଜ୍ଞସେନୀ ବହୁ ଆଶାୟୀଙ୍କୁ ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡ୍‌ରେ ଆଣିବ ବୋଲି ପୁଲିସ ସୂଚନା ଦେଇଛି।

ସୌଜନ୍ୟ-ସମ୍ୱାଦ

Comments are closed.