ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଲାଲୁ ପରିବାର ଆପରାଧିକ ଉଦ୍ୟୋଗ ଭାବେ କାର୍ଯ୍ୟ କରିଥିଲେ
ରେଳବାଇର ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆର୍ଜେଡି ମୁଖ୍ୟ ଲାଲୁ ଯାଦବ ଓ ତାଙ୍କ ପରିବାର ଏକ ଆପରାଧିକ ଉଦ୍ୟୋଗ ଭାବରେ କାର୍ଯ୍ୟ କରିଛନ୍ତି ବୋଲି ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ କହିଛନ୍ତି।

ନୂଆଦିଲ୍ଲୀ: ରେଳବାଇର ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆର୍ଜେଡି ମୁଖ୍ୟ ଲାଲୁ ଯାଦବ ଓ ତାଙ୍କ ପରିବାର ଏକ ଆପରାଧିକ ଉଦ୍ୟୋଗ ଭାବରେ କାର୍ଯ୍ୟ କରିଛନ୍ତି ବୋଲି ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ କହିଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ କହିଛନ୍ତି ଯେ, ଯୁକ୍ତିଯୁକ୍ତ ସନ୍ଦେହ ଆଧାରରେ କୋର୍ଟ ଲାଲୁ ଯାଦବ ଓ ତାଙ୍କ ପରିବାର ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଚାର୍ଜଫ୍ରେମ୍ କରିବା ପାଇଁ ଆଦେଶ ଦିଆଯାଉଛି।
କୋର୍ଟ କହିଛନ୍ତି ଯେ, ଲାଲୁ ଯାଦବ ଓ ତାଙ୍କ ପରିବାରକୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ହୋଇଥିବା ଆବେଦନ ଗ୍ରହଣୀୟ ନୁହେଁ। ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ଧ୍ୟାନ ଦେଇ କୋର୍ଟ କହିଛନ୍ତି ଯେ ଲାଲୁ ଯାଦବଙ୍କ ସହଯୋଗୀମାନେ ଏହି ଦୁର୍ନୀତିରେ ସହ-ଷଡ୍ଯନ୍ତ୍ରକାରୀ ଭାବରେ ଚିହ୍ନଟ ହୋଇଛନ୍ତି। କୋର୍ଟ କହିଛନ୍ତି ଯେ ଲାଲୁ ଯାଦବ ଓ ତାଙ୍କ ପରିବାର ଏକ ଆପରାଧିକ ଉଦ୍ୟୋଗ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସମ୍ପତ୍ତି ହାସଲ କରିବା ପାଇଁ ସରକାରୀ ନିଯୁକ୍ତିକୁ ବ୍ୟବହାର କରି ଏକ ଷଡ୍ଯନ୍ତ୍ରର ଅଂଶ ଥିଲେ। ଲାଲୁ ଯାଦବ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଏହି ମାମଲାରେ ଜୀବିତ ଥିବା ୯୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪୬ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କରାଯିବ ବୋଲି କୋର୍ଟ କହିଛନ୍ତି।
ଚାର୍ଜ ଫ୍ରେମ୍ କରିବାକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ
ଚାର୍ଜସିଟ୍ ଅନୁଯାୟୀ ଯଥେଷ୍ଟ ପ୍ରମାଣ ନ ଥିବାରୁ ଅବଶିଷ୍ଟ ୫୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ସୁପ୍ରିମ୍କୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି ସ୍ଥଗିତ ରଖିବା ପାଇଁ ଲାଲୁ ଯାଦବଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ତାଙ୍କ ପରିବାରକୁ କମ୍ ମୂଲ୍ୟରେ ଜମି ହସ୍ତାନ୍ତର କରିବା ବଦଳରେ ପ୍ରାର୍ଥୀମାନଙ୍କୁ ଗ୍ରୁପ୍ ‘ଡି’ ଚାକିରି ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି। ଯାଦବ ପରିବାର ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ସୌଜନ୍ୟ ସମ୍ବାଦ




