Breaking News

ଚାମ୍ପିଅନ୍ସ ଟ୍ରଫିକୁ ନେଇ ଟଣାଓଟରା ଜାରି: ଆଇସିସି ବୈଠକ ପୁଣି ସ୍ଥଗିତ, ଦାୟିତ୍ବ ଗ୍ରହଣ କଲେ ଶାହ

ଚାମ୍ପିଅନ୍ସ ଟ୍ରଫି ଲାଗି ଦୁବାଇରେ ଗୁରୁବାର ହେବାକୁ ଥିବା ଆଇସିସି ବୈଠକ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍‌‌ ବୋର୍ଡ ଏହି ପ୍ରତିଯୋଗିତା ହାଇବ୍ରିଡ୍‌ ମଡେଲ୍‌ରେ ଆୟୋଜନ କରିବା ଲାଗି ନିଶ୍ଚିତ କରିନି।

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ଲାଗି ଦୁବାଇରେ ଗୁରୁବାର ହେବାକୁ ଥିବା ଆଇସିସି ବୈଠକ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍‌‌ ବୋର୍ଡ ଏହି ପ୍ରତିଯୋଗିତା ହାଇବ୍ରିଡ୍‌ ମଡେଲ୍‌ରେ ଆୟୋଜନ କରିବା ଲାଗି ନିଶ୍ଚିତ କରିନି। ତେଣୁ ଗୁରୁବାର ହୋଇଥିବା ଆଇସିସି ଆଭାସୀ ବୈଠକରେ ପାକିସ୍ତାନକୁ ଏହାକୁ ନେଇ ପ୍ରଶ୍ନ କରାଯାଇଥିଲା। କିନ୍ତୁ ପାକିସ୍ତାନ କିଛି ସର୍ତ୍ତ ରଖିବାରୁ ଏହି ବୈଠକ ଖୁବ୍ କମ୍‌ ସମୟରେ ଶେଷ ହୋଇ ଯାଇଥିଲା। ଏହାକୁ ଶନିବାର ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି। ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ଲାଗି ପାକିସ୍ତାନ ଯିବନି ବୋଲି ମନା କରିଛି ଏବଂ ପ୍ରତିଯୋଗିତାକୁ ହାଇବ୍ରିଡ୍‌ ମଡେଲ୍‌ରେ ଆୟୋଜନ କରିବା ଲାଗି ଆଇସିସିକୁ ଅନୁରୋଧ କରିଥିଲା।

ଆଇସିସି ଏହାକୁ ହାଇବ୍ରିଡ୍‌ ମଡେଲ୍‌ରେ ଆୟୋଜନ ଲାଗି ଚିନ୍ତା କରିବା ସହ ପାକିସ୍ତାନକୁ ଏହି ବିଷୟରେ ସୂଚନା ଦେଇଥିଲା। ଗତ ଥର ନଭେମ୍ବର ୨୯ରେ ଆଇସିସିର ୧୨ ପୂର୍ଣ୍ଣକାଳୀନ ସଦସ୍ୟ ଓ ୩ ସହଯୋଗୀ ରାଷ୍ଟ୍ରକୁ ନେଇ ବୈଠକ ହୋଇଥିଲା। ଏଥିରେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରି ନଥିଲା। ଅନ୍ୟପକ୍ଷରେ ନୂଆ କରି ଆଇସିସି ଅଧ୍ୟକ୍ଷ ଦାୟିତ୍ବ ନେଇଥିବା ଜୟ ଶାହ ଆଜି ଦୁବାଇ କାର୍ଯ୍ୟାଳୟରେ କର୍ମଚାରୀ, ବୋର୍ଡ ଓ ପ୍ରସାରଣ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶାହ ସମସ୍ତ ବୋର୍ଡ ସଦସ୍ୟ, କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ସହ କ୍ରିକେଟ୍‌କୁ ଆଗକୁ ବଢ଼ାଇବାରେ କାର୍ଯ୍ୟକରିବେ ‌ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ସ୍ଥିର ହୋଇଛି। ହେଲେ ଏପର୍ଯ୍ୟନ୍ତ ସୂଚୀ ପ୍ରକାଶ ପାଇନି

ସୌଜନ୍ୟ-ସମ୍ୱାଦ

Comments are closed.