Breaking News

ଚାମ୍ପିଅନ୍ସ ଟ୍ରଫିରେ ଭାରତର ପ୍ରତିଦ୍ବନ୍ଦ୍ବୀ: ପାକିସ୍ତାନରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ପୂର୍ବରୁ ମିନି ବିଶ୍ବକପ୍‌ କୁହାଯାଉଥିଲା। ଭାରତ ଏହାକୁ ମାତ୍ର ୨ ଥର ଜିତିଛି। ବର୍ଷାବାଧାପ୍ରାପ୍ତ ୨୦୧୩ ଫାଇନାଲ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଥିଲା। ଏହା ପୂର୍ବରୁ ୨୦୦୨ରେ ବର୍ଷା କାରଣରୁ ଶ୍ରୀଲଙ୍କା ସହ ଯୁଗ୍ମ ବିଜେତା ହୋଇଥିଲା।

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ପୂର୍ବରୁ ମିନି ବିଶ୍ବକପ୍‌ କୁହାଯାଉଥିଲା। ଭାରତ ଏହାକୁ ମାତ୍ର ୨ ଥର ଜିତିଛି। ବର୍ଷାବାଧାପ୍ରାପ୍ତ ୨୦୧୩ ଫାଇନାଲ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଥିଲା। ଏହା ପୂର୍ବରୁ ୨୦୦୨ରେ ବର୍ଷା କାରଣରୁ ଶ୍ରୀଲଙ୍କା ସହ ଯୁଗ୍ମ ବିଜେତା ହୋଇଥିଲା। ଏଥର ଭାରତ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବାବେଳେ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ। ଆସନ୍ତୁ ଏହି ୩ ଦେଶ ବିପକ୍ଷରେ ଭାରତର ମୁହାଁମୁହିଁ ରେକର୍ଡ ଉପରେ ନଜର ପକାଇନେବା।

ଭାରତ-ବାଂଲାଦେଶ
ଭାରତ ଓ ବାଂଲାଦେଶ ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ମାତ୍ର ଥରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ଶେଷ ସଂସ୍କରଣ ଅର୍ଥାତ୍‌ ୨୦୧୭ରେ ଖେଳିଥିବା ବେଳେ ଭାରତ ବାଜି ମାରି ନେଇଥିଲା। ଏଇ ଗୁରୁବାର ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମୁକାବିଲା ହେବ। ୫୦ ଓଭର ବିଶିଷ୍ଟ ମୁକାବିଲାରେ କିନ୍ତୁ ଭାରତ ୩୨-୮ରେ ଆଗୁଆ ରହିଛି। ଗୋଟିଏରୁ ଫଳାଫଳ ମିଳିପାରି ନଥିଲା।

ଭାରତ-ପାକିସ୍ତାନ
ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ପରସ୍ପର ସହ ୫ ଥର ଖେଳିଛନ୍ତି। ଭାରତ ୨ ଜିତିଥିବା ବେଳେ ଅନ୍ୟ ୩ଟିରେ ହାରିଯାଇଛି। ଶେଷ ଥର ପାଇଁ ୨୦୧୭ ସଂସ୍କରଣ ଫାଇନାଲ୍‌ରେ ଭାରତକୁ ୧୮୦ ରନ୍‌ର ବଡ଼ ବ୍ୟବଧାନରେ ହରାଇ ପାକିସ୍ତାନ ପ୍ରଥମ ଥର ବିଜେତା ହୋଇଥିଲା। ‌ଫେବ୍ରୁଆରି ୨୩ରେ ଦୁଇ ପଡ଼ୋଶୀ ରାଷ୍ଟ୍ର ଷଷ୍ଠ ଥର ପରସ୍ପରକୁ ଭେଟିବେ। ଦିନିକିଆ ଅନ୍ତର୍ଜତୀୟ ଇତିହାସରେ ଦୁଇ ଦେଶ ୧୩୫ ଥର ଖେଳିଥିବାବେଳେ ଭାରତ ୫୭, ପାକିସ୍ତାନ ୭୩ ଜିତିଛନ୍ତି। ୫ଟି ବାତିଲ ହୋଇଛି।

ଭାରତ-ନ୍ୟୁଜିଲାଣ୍ଡ୍‌
ଭାରତ କେବେ ବି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ବିଜୟୀ ହୋଇନାହିଁ। ଏକମାତ୍ର ଥର ଉଭୟ ଦେଶ ୨୦୦୦ ଫାଇନାଲ୍‌ରେ ମୁକ‌ାବିଲା କରିଥିଲେ। ନାଇରୋବିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କ୍ରିସ୍ କେର୍ଣ୍ଣସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ୍‌ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା। ୨୫ ବର୍ଷ ପରେ ଦୁଇ ଦେଶ ଦ୍ବିତୀୟ ଥର ପାଇଁ ଏହି ପ୍ରତିଯୋଗିତାରେ ମୁହାଁମୁହିଁ ହେବେ ମାର୍ଚ୍ଚ ୨ ତାରିଖରେ। ଦିନିକିଆ କ୍ରିକେଟ୍‌ ଇତିହାସରେ କିନ୍ତୁ ଦୁଇ ଦେଶ ୧୧୮ ମ୍ୟାଚ୍‌ ଖେଳିଛନ୍ତି। ଭାରତ ୬୦-୫୦ରେ ଆଗୁଆ ରହିଛି। ୭ଟି ବାତିଲ ଏବଂ ଗୋଟିଏ ଟାଇ ରହିଛି।

ଭାରତଠାରୁ ପାକିସ୍ତାନ ଆଗରେ: ୟୁସୁଫ୍‌

କରାଚୀ: ବୁଧବାରଠାରୁ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଛି। ପ୍ରଥମ ଦିନ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ୍‌ ଉଦ୍‌ଘାଟନୀ ମୁକାବିଲା ଖେଳିବେ। ଗୁରୁବାର ଭାରତ ଦୁବାଇରେ ବାଂଲାଦେଶ ସହ ଖେଳି ଅଭିଯାନ ଆରମ୍ଭ କରିବ। ୨୯ ବର୍ଷ ପରେ ପାକିସ୍ତାନକୁ ଏକ ଆଇସିସି ଇଭେଣ୍ଟ୍ ଫେରିଛି। ଶେଷ ଥର ପାଇଁ ଭାରତ ଓ ଶ୍ରୀଲଙ୍କା ସହ ମିଶି ପାକିସ୍ତାନ ୧୯୯୬ ଦିନିକିଆ ବିଶ୍ବକପ୍‌ ଆୟୋଜନ କରିଥିଲା। ସେହିଭଳି ଆଇସିସି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ୮ ବର୍ଷ ପରେ‌ ଫେରିଛି। ଦିନିକିଆ କ୍ରିକେଟ୍‌ ଫର୍ମାଟରେ ଭାରତ ବିଗତ ଦୁଇ ଆଇସିସି ଇଭେଣ୍ଟ୍‌ରେ ଉପ ବିଜେତା ରହିଛି। ୨୦୧୭ରେ ଶେଷ ଥର ପାଇଁ ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା। ସେହିଭଳି ୨୦୨୩ରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ରୋହିତ ଶର୍ମାଙ୍କ ଦଳ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ଉପ ବିଜେତା ହୋଇଥିଲା। ଏବେ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ପ୍ରମୁଖ ଭେଟେରାନ୍‌ଙ୍କ ପାଇଁ ଏହା ଶେଷ ଆଇସିସି ଇଭେଣ୍ଟ୍ ହେବାର ସମ୍ଭାବନା ରହିଛି। କାରଣ ଏହି ତିନିଜଣ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ସାରିଛନ୍ତି। ଆସନ୍ତାବର୍ଷ ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବା ବେଳକୁ ଏମାନେ ନଥି‌ବେ। ସେହିଭଳି ୨୦୨୬ ଦିନିକିଆ ବିଶ୍ବକପ୍‌ ବେଳକୁ ଏମାନେ ଏହି ଫର୍ମାଟ ବି ଛାଡ଼ି ସାରିଥିବେ ବୋଲି ବିଶ୍ବାସ କରାଯାଉଛି।

ଆଗାମୀ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ କିନ୍ତୁ ଫେବ୍ରୁଆରି ୨୩ ତାରିଖରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ଏବେଠାରୁ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ପୂର୍ବତନ ପାକିସ୍ତାନ ଅଧିନାୟକ ତଥା କିବଂଦନ୍ତି ବ୍ୟାଟର୍‌ ମହମ୍ମଦ ୟୁସୁଫ୍‌ କହିଛନ୍ତି ଘରୋଇ ପରିବେଶରେ ଖେଳିବାକୁ ଥିବାରୁ ପାକିସ୍ତାନ ଦାବିଦାର ରହିବ। ଏପରିକି ଭାରତଠାରୁ ପାକିସ୍ତାନ ଆଗରେ ରହିଛି ବୋଲି ସେ ମତ ପୋଷଣ କରିଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ ମାତ୍ର ୬ ମାସ ଭିତରେ ଗଦାଫି ଷ୍ଟାଡିୟମ୍‌ର ପୁନଃରୁଦ୍ଧାର କରିଥିବାରୁ ସେ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ପାକିସ୍ତାନ ଯଦି ଫାଇନାଲ୍ ଯିବ ତେବେ ଘରୋଇ ପରିବେଶରେ ଖେଳିବ ବୋଲି ୟୁସୁଫ୍‌ କହିଥ‌ିଲେ। ଭାରତ ଏକ ଭଲ ପ୍ରତିଦ୍ବନ୍ଦ୍ବୀ ହୋଇଥିଲେ ମଧ୍ୟ ପାକିସ୍ତାନ ଘରୋଇ ପରିବେଶରେ ଫାଇଦାରେ ରହିବ। ତଥାପି ପାକିସ୍ତାନକୁ ହିସାବରେ ଖେଳିବାକୁ ହେବ। ଆମେ ଏବେ ଟର୍ଣ୍ଣିଂ ୱିକେଟ୍‌ରେ ଖେଳିଛୁ। ସ୍ପିନର୍‌ଙ୍କ ବିପକ୍ଷରେ ଗ୍ୟାପ୍‌ ଖୋଜି ଖେଳିବାକୁ ହେବ। ଯେତେ କମ୍ ଡଟ୍ ବଲ୍ ଖେଳିଲେ ଭଲ। ତ୍ରିରାଷ୍ଟ୍ରୀୟ ଫାଇନାଲ୍‌ରେ ଆମେ ନ୍ୟୁଜିଲାଣ୍ଡ୍‌ ସ୍ପିନରଙ୍କ ସଫଳ ମୁକାବିଲା କରିପାରିଲୁ ନାହିଁ ବୋଲି ୟୁସୁଫ୍‌ ସ୍ବୀକାର କରିଥିଲେ।

ପାକିସ୍ତାନରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍‌ ବିଶି‌ଷ୍ଟ ଦିନିକିଆ ଶୃଙ୍ଖଳାକୁ ୦-୨ରେ ହାରିଥିବା ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫି ଲାଗି ‌ସୋମବାର ପାକିସ୍ତାନରେ ପହଞ୍ଚିଛି। ଏହି ଦୁଇ ଥରର ବି‌ଜେତା ଦଳ ଶନିବାର ଲାହୋରସ୍ଥିତ ଗଦାଫି ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଅଷ୍ଟ୍ରେଲିଆ ଦଳ ପହଞ୍ଚିବା ଖବର ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଟ୍ବିଟର୍‌ରେ ପ୍ରକାଶ କରିଛି। ଏହି ଦଳ ଦୁଇଟି ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ କଲମ୍ବୋରୁ ଭାୟା ଦୁବାଇ ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଏହି ସମାନ ରୁଟ୍‌ରେ ୧୫ ଜଣ ଖେଳାଳି ଓ ୨ ଜଣ ସପୋର୍ଟ ଷ୍ଟାଫ୍‌ ଆସିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ସ୍ମିଥ୍‌ଙ୍କ ଦଳ ୨୫ରେ ଦକ୍ଷିଣ ଆଫ୍ରିକା (ରାୱଲପିଣ୍ଡି) ଏବଂ ୨୮ରେ ଆଫ୍‌ଗାନିସ୍ତାନ (ଗଦାଫି) ସହ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ପାକିସ୍ତାନ ପ୍ରଶଂସକ ଉତ୍ସାହିତ

ଲାହୋର: ବହୁ ବର୍ଷ ପରେ ପାକିସ୍ତାନରେ ଆଇସିସି ଟ୍ରଫି ଆୟୋଜିତ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶର କ୍ରିକେଟ୍‌ ପ୍ରଶଂସକଙ୍କ ଉତ୍ସାହ ୧୦୦ ଗୁଣ ବଢ଼ିଯାଇଛି। ବୁଧବାର କରାଚିରେ ୮ ଦଳକୁ ନେଇ ଦିନିକିଆ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ନ୍ୟୁଜିଲାଣ୍ଡ ଓ ଆୟୋଜକ ପାକିସ୍ତାନ ମୁକାବିଲାରୁ ଶୁଭାରମ୍ଭ ହେବ। ୨୦୦୯ରେ ଲାହୋରଠାରେ ହୋଇଥିବା ଶ୍ରୀଲଙ୍କା କ୍ରିକେଟ୍‌ ଦଳ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ବିଦେଶୀ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲେ। ଫଳରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆଉ ପାକିସ୍ତାନରେ ଆୟୋଜିତ ହୋଇ ନଥିଲା। ପ୍ରାୟ ୩୦ ବର୍ଷ ପରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ପାକିସ୍ତାନ ଆୟୋଜନ କରିବାକୁ ଯାଉଥିବାରୁ ପୂର୍ବତନ ବ୍ୟାଟିଂ ମହାନ ଇଞ୍ଜାମାମ୍‌ ଉଲ୍‌ ହକ୍‌ କହିଛନ୍ତି, ‘‘ଏବେ ସ୍କୁଲ୍‌, ଘରେ, ବଜାର, ଅଫିସ୍‌ ଏବଂ ସବୁଠାରେ ଚାମ୍ପିଅନ୍ସ ଟ୍ରଫି ଉପରେ ଚର୍ଚ୍ଚା ଚାଲିଛି। ଏଥିନେଇ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି। ୨୦୦୯ରେ ହୋଇଥିବା ଘଟଣା ଆମ ପାଇଁ ଖରାପ ସ୍ବପ୍ନ ଭଳି ଥିଲା। ଆମେ ୧୦ ବର୍ଷ ଲାଗି ଦଣ୍ଡିତ ହୋଇଥିଲୁ ଏବଂ ଆମ କ୍ରିକେଟ୍‌ ପଛକୁ ଚାଲିଯାଇଥିଲା’’।

୨୦୧୭ରେ ଚାମ୍ପିଅନ୍ସ ଟ୍ରଫିର ଅଷ୍ଟମ ସଂସ୍କରଣ ଖେଳାଯିବା ପରେ ଆଇସିସି ଏହାକୁ ବନ୍ଦ କରି ଦେଇଥିଲା। ଇଂଲଣ୍ଡରେ ଆୟୋଜିତ ଏହି ସଂସ୍କରଣ ଫାଇନାଲ୍‌ରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା। ଏହି ପ୍ରତ୍ୟାବର୍ତ୍ତନ ସଂସ୍କରଣରେ ଏହି ଦୁଇ ଦଳ ପାକିସ୍ତାନରେ ମୁହ‌ାଁମୁହିଁ ହେବେ। ରାଜନୈତିକ କାରଣ ଯୋଗୁଁ ପାକିସ୍ତାନ ଯିବାକୁ ମନା କରିଦେବାରୁ ଭାରତ ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ। ପୂର୍ବତନ ପାକିସ୍ତାନ ଅଧିନାୟକ ମିସ୍‌ବା ଉଲ୍ ହକ୍‌ କହିଛନ୍ତି, ‘‘ଭାରତ-ପାକିସ୍ତାନ ମ୍ୟାଚ୍‌ କ୍ରିକେଟ୍‌ର ଏକ ‌ଖେଳ ନୁହେଁ। ଏହା ଆଶା ଓ ଭାବପ୍ରବଣତାର ଖେଳ’’।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.