Breaking News

ଚାମ୍ପିଅନ୍ସ ଟ୍ରଫି ଆୟୋଜନରୁ ଓହରିପାରେ ପାକିସ୍ତାନ

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ବୋଲି ଭାରତ ରୋକ୍‌‌ଠୋକ୍‌ ମନା କରିଦେଇଛି। ତେଣୁ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତା ଆୟୋଜନରୁ ଓହରିଯିବାକୁ ପାକିସ୍ତାନ ସରକାର ଏହାର କ୍ରିକେଟ୍‌ ବୋର୍ଡକୁ ନିର୍ଦେଶ ଦେଇପାରେ।

0

ଲାହୋର: ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ବୋଲି ଭାରତ ରୋକ୍‌‌ଠୋକ୍‌ ମନା କରିଦେଇଛି। ତେଣୁ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତା ଆୟୋଜନରୁ ଓହରିଯିବାକୁ ପାକିସ୍ତାନ ସରକାର ଏହାର କ୍ରିକେଟ୍‌ ବୋର୍ଡକୁ ନିର୍ଦେଶ ଦେଇପାରେ। ଏଭଳି ରିପୋର୍ଟ ପାକିସ୍ତାନରେ ବହୁଳ ପ୍ରସାରିତ ସମ୍ବାଦ ପତ୍ର ‘ଡନ୍‌’ରେ ପ୍ରକାଶ ପାଇଛି। ଭାରତ ଚାମ୍ପିଅନ୍ସ ଟ୍ରଫି ଲାଗି ପାକିସ୍ତାନ ଗସ୍ତ କରିବନି। ବିସିସିଆଇର ଏହି ନିଷ୍ପତ୍ତିକୁ ପିସିବିକୁ ଆଇସିସି ସୂଚନା ଦେବା ପରେ ଏଭଳି ଖବର ଆସିଛି। ପାକିସ୍ତାନ ଯିବାକୁ ଭାରତ ମନା କରିଦେବାରୁ ଆସନ୍ତା ବର୍ଷ ହେବାକୁଥିବା ଏହି ପ୍ରତିଯୋଗିତାର ସୂଚୀ ଘୋଷଣାକୁ ଆଇସିସି ବାତିଲ କରିଥିଲା। ହାଇବ୍ରିଡ୍‌ ମଡେଲ୍‌ରେ କରିବାକୁ ପାକିସ୍ତାନକୁ ପ୍ରସ୍ତାବ ଦେଇଥିଲା।

ଭାରତ ମ୍ୟାଚ୍‌ଗୁଡ଼ିକ ୟୁଏଇରେ କରିବା ଏବଂ ଅନ୍ୟ ମ୍ୟାଚ୍‌ ପାକିସ୍ତାନରେ କରିବାକୁ କହିଥିଲା। ଆଇସିସିର ଏହି ପ୍ରସ୍ତାବକୁ ପିସିବି ଅଧ୍ୟକ୍ଷ ମୋହସିନ ନକ୍‌ବି ଗ୍ରହଣ କରିବାକୁ ରାଜି ନାହାନ୍ତି। ତେଣୁ ଆଇସିସି ପୂରା ପ୍ରତିଯୋଗିତାକୁ ପାକିସ୍ତାନରୁ ସ୍ଥାନାନ୍ତରିତ କରିପାରେ। ଏଭଳି ହେଲେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ଖେଳିବନି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ନକ୍‌ବି ପାକିସ୍ତାନ ସରକାରରେ ଅନ୍ତରୀଣ ମନ୍ତ୍ରୀ ଥିବାରୁ ଏଭଳି ଆଶା କରାଯାଇଛି। ଭାରତ କାହିଁକି ପାକିସ୍ତାନ ଆସିବନି ତାହାର ସୂଚନା ଦେବାକୁ ଆଇସିସିକୁ ପିସିବି କହିଛି। ଏହା ଜାଣିବା ପରେ ପାକିସ୍ତାନ ସମାଧାନ ବାଟ ବାହାର କରିବ ବୋଲି ସୂତ୍ରରୁ ଖବର ମିଳିଥିବା ଡନ୍‌ରେ ପ୍ରକାଶ ପଇଛି। ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ୨୦୧୨ରୁ ଖେଳାଯାଇନି। ହେଲେ ଉଭୟ ଦଳ ଆଇସିସି ପ୍ରତିଯୋଗିତାରେ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ଗତ ବର୍ଷ ବିଶ୍ବକପ୍‌ ଲାଗି ଭାରତ ଗସ୍ତରେ ଆସିଥିଲା। ଭାରତ ୨୦୦୮ରୁ ପାକିସ୍ତାନ ଗସ୍ତ କରିନି। ସୂଚନାଯୋଗ୍ୟ‌ ‌‌ଯେ ଗତ ବର୍ଷ ପାକିସ୍ତାନ ଆୟୋଜନ କରିଥିବା ଏସିଆ କପ୍‌ ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯାଇଥିଲା। ଭାରତ ତା’ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା ବେଳେ ଅନ୍ୟ ମ୍ୟାଚ୍‌ଗୁଡ଼ିକ ପାକିସ୍ତାନରେ ଖେଳାଯାଇଥିଲା।

ସୌଜନ୍ୟ-ସମ୍ୱାଦ

Leave A Reply

Your email address will not be published.