Breaking News

ଚାମ୍ପିଅନ୍ସ ଟ୍ରଫି ଖେଳସୂଚୀ ଘୋଷିତ: ଫେବ୍ରୁଆରି ୨୩ରେ ଭାରତ-ପାକିସ୍ତାନ

ବହୁ ବାଦ ବିବାଦ, ଟଣାଓଟରା ଓ ଛକା-ପଞ୍ଝା ପରେ ‘ଚାମ୍ପିଅନ୍ସ ଟ୍ରଫି-୨୦୨୫’ର ବହୁ ପ୍ରତୀକ୍ଷିତ ଖେଳସୂଚୀ ମଙ୍ଗଳବାର ଘୋଷିତ ହୋଇଛି। ଆଇସିସି ପ୍ରକାଶ କରିଥିବା ସୂଚୀ ଅନୁସାରେ ଏହି ସମ୍ମାନଜନକ ପ୍ରତିଯୋଗିତା

ଦୁବାଇ: ବହୁ ବାଦ ବିବାଦ, ଟଣାଓଟରା ଓ ଛକା-ପଞ୍ଝା ପରେ ‘ଚାମ୍ପିଅନ୍ସ ଟ୍ରଫି-୨୦୨୫’ର ବହୁ ପ୍ରତୀକ୍ଷିତ ଖେଳସୂଚୀ ମଙ୍ଗଳବାର ଘୋଷିତ ହୋଇଛି। ଆଇସିସି ପ୍ରକାଶ କରିଥିବା ସୂଚୀ ଅନୁସାରେ ଏହି ସମ୍ମାନଜନକ ପ୍ରତିଯୋଗିତା ବିସିସିଆଇର ଦାବି ମୁତାବକ ହାଇବ୍ରିଡ୍ ମଡେଲରେ ଖେଳାଯିବ। ଅର୍ଥାତ୍ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିବନି। ଟିମ୍ ଇଣ୍ଡିଆ ତାର ସମସ୍ତ ଲିଗ୍ ମ୍ୟାଚ୍ ୟୁଏଇର ଦୁବାଇରେ ଖେଳିବ। ଆୟୋଜକ ଭାବେ ପାକିସ୍ତାନ ଅନ୍ୟ ସମସ୍ତ ମ୍ୟାଚ୍ ନିଜ ଘରୋଇ ପରିବେଶରେ ଆୟୋଜନ କରିବ। ହେଲେ ଭାରତ ସେମିଫାଇନାଲ୍‌ କିମ୍ବା ଫାଇନାଲ୍‌କୁ ଉନ୍ନୀତ ହେଲେ ନିରପେକ୍ଷ ସ୍ଥାନ ଦୁବାଇରେ ଖେଳିବ। ରୋହିତ ବାହିନୀ ସେମିଫାଇନାଲ୍ ନଗଲେ ମଧ୍ୟ ପ୍ରଥମ ସେମିଫାଇନାଲ୍ ଦୁବାଇରେ ଏବଂ ଦ୍ବିତୀୟ ସେମିଫାଇନାଲ୍ ଲାହୋରର ଗଦ୍ଦ‌ାଫି ଷ୍ଟାଡିୟମ୍‌ରେ ଖେଳାଯିବ। ସେହିଭଳି ଭାରତ ଫାଇନାଲ୍‌କୁ ପ୍ରବେଶ କଲେ ଦୁବାଇରେ ଖେଳିବ ଅନ୍ୟଥା ଏହା ଲାହୋରରେ ଅନୁଷ୍ଠିତ ହେବ।

ହାଇବ୍ରିଡ୍ ମଡେଲରେ ଖେଳାଯିବ, ଦୁବାଇରେ ଭାରତର ସବୁ ମ୍ୟାଚ୍

ଗ୍ରୁପ୍-ଏ’: ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ
ଗ୍ରୁପ୍-ବି’: ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା

ପ୍ରକାଶଯୋଗ୍ୟ ଯେ ଏହି ୮ ଦଳୀୟ ଓ ୧୯ ଦିନିଆ ପ୍ରତିଯୋଗିତା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖରେ ଶେଷ ହେବ। ପ୍ରତିଯୋଗିତାର ରୋମାଞ୍ଚ ବଜାୟ ରଖିବାକୁ ଦୁଇଟି ଯାକ ସେମିଫାଇନାଲ୍ ଓ ଫାଇନାଲ୍ ଲାଗି ସଂରକ୍ଷିତ ଦିବସର ବ୍ୟବସ୍ଥା କରାଯାଇଛି। ଭାରତ ଯୋଗ୍ୟତା ଅର୍ଜନ କଲେ ପ୍ରଥମ ଏବଂ ପାକିସ୍ତାନ ଯୋଗ୍ୟତା ହାସଲ କଲେ ଦ୍ବିତୀୟ ସେମିଫାଇନାଲ ଖେଳିବ। ପୂରା ପ୍ରତିଯୋଗିତାରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ। ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଗ୍ରୁପ୍-ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍‌ର ଅନ୍ୟ ଦୁଇ ଦଳ ହେଉଛନ୍ତି ନ୍ୟୁଜିଲାଣ୍ଡ ଓ ବାଂଲାଦେଶ। ସେହିଭଳି ଗ୍ରୁପ୍-ବି’ରେ ଅଛନ୍ତି ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ। ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଶୁଭାରମ୍ଭ ଗତଥରର ବିଜେତା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରୁ ହେବ। ଏହି ମ୍ୟାଚ୍ କରାଚିରେ ଖେଳାଯିବ। ଭାରତ ତାର ଅଭିଯାନ ଫେବ୍ରୁଆରି ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳିବ। ତିନି ଦିନ ପରେ ଭାରତ-ପାକିସ୍ତାନ ମହାମୁକାବିଲା ଫେବ୍ରୁଆରି ୨୩ରେ ଦୁବାଇରେ ଅନୁଷ୍ଠିତ ହେବ। ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ମାର୍ଚ୍ଚ ୨ତାରିଖରେ ନ୍ୟୁଜିଲାଣ୍ଡର ମୁକାବିଲା କରିବ। ଏହି ମ୍ୟାଚ୍ ମଧ୍ୟ ସେହି ଦୁବାଇରେ ଖେଳାଯିବ।

ଆଇସିସି ଆଜି ସୂଚୀ ଘୋଷଣା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ କୃତଜ୍ଞତା ଜ୍ଞାପନ କରିଛି। ପରସ୍ପର ପ୍ରତି ସମ୍ମାନ ଓ ସମାନତା ନୀତିରେ ସୂଚୀ ଘୋଷଣା କରାଯାଇଥିବାରୁ ଆମେ ଆଇସିସି ଓ ଏହାର ସମସ୍ତ ସଦସ୍ୟଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛୁ। କ୍ରିକେଟ୍‌ର ବିକାଶ ଲାଗି ଆମେ ସବୁବେଳେ କାମ କରିବୁ ବୋଲି ପିସିବି ଅଧ୍ୟକ୍ଷ ମୋହସିନ ନକ୍‌ବୀ କହିଛନ୍ତି। ପୂର୍ବରୁ ଭାରତୀୟ ଦଳକୁ ପଠାଇବାକୁ ବିସିସିଆଇ ରୋକ୍‌ଠୋକ୍ ଭାବେ ମନା କରିବା ପରେ ପୂରା ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ କରିବାକୁ ପିସିବି ଜିଦ୍‌ ଧରିଥିଲା। ତେବେ ଆଇସିସିର କଡ଼ା ଚେତାବନୀ ଓ ୟୁଏଇ କ୍ରିକେଟ୍ ବୋର୍ଡର ହସ୍ତକ୍ଷେପ ପରେ ନରମ ପଡ଼ିଥିଲା। ହାଇବ୍ରିଡ୍ ମଡେଲରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଆଇସିସିଠାରୁ ମଧ୍ୟ୍ୟ କିଛି ରିହାତି ଚାହିଥିଲା। ତଦନୁଯାୟୀ ୨୦୨୭ ମସିହା ଭିତରେ ଭାରତ ଆୟୋଜନ କରିବାକୁ ଥିବା ସମସ୍ତ ଆଇସିସି ପ୍ରତିଯୋଗିତା ମଧ୍ୟ ହାଇବ୍ରିଡ୍ ମଡେଲରେ ଖେଳାଯିବ ଦାବି କରିଥିଲା। ଆଇସିସି ଏଥିରେ ରାଜି ହେବା ପରେ ଆସନ୍ତାବର୍ଷର ମହିଳା ବିଶ୍ବକପ୍ (ଭାରତ) ଏବଂ ୨୦୨୬ର ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ (ଭାରତ-ଶ୍ରୀଲଙ୍କା) ହାଇବ୍ରିଡ୍ ମଡେଲରେ ହେବ ବୋଲି ନିଷ୍ପତ୍ତି ହୋଇଥିଲା।  ସେହିଭଳି ପାକିସ୍ତାନ ଅଧିକ ଗୋଟିଏ ଆଇସିସି ପ୍ରତିଯୋଗିତା ଆୟୋଜନ କରିବାର ଅଧିକାର ମଧ୍ୟ ପାଇଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.