ଦୁବାଇ: ମିନି ବିଶ୍ବକପ୍‌ର ମାନ୍ୟତା ଲାଭ କରିଥିବା ଚାମ୍ପିଅନ୍ସ ଟ୍ରଫି ଏକଦିବସୀୟ କ୍ରିକେଟ୍‌ ପ୍ରତିଯୋଗିତାକୁ ଆଉ ମାତ୍ର ଏକମାସରୁ କିଛି ଅଧିକ ଦିନ ବାକି ଅଛି। ହେଲେ ‌ଏବେବି କରାଚିର ନ୍ୟାସ୍‌ନାଲ ଷ୍ଟାଡିୟମ୍‌ର ନିର୍ମାଣ ଓ ନବୀକରଣ କାର୍ଯ୍ୟ ଚାଲୁରହିଛି। ଲାହୋରର ଗଦ୍ଦାଫି ଷ୍ଟାଡିୟମ୍‌କୁ ମଧ୍ୟ ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ଖୋଳାଖୋଳି କରି ଅଧପନ୍ତରିଆ ଭାବେ ପକାଇ ରଖିଛି। ପ୍ରତିଯୋଗିତାର ତୃତୀୟ ଭେନ୍ୟୁ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍‌ର ସ୍ଥିତି ମଧ୍ୟ ଊଣାଅଧିକେ ସମାନ ରହିଛି। ତିନିଟି ଯାକ ଷ୍ଟାଡିୟମ୍‌ର ସଂପୂର୍ଣ୍ଣ ନବୀକରଣ, ନିର୍ମାଣ ସହ ପିଚ୍ ପ୍ରସ୍ତୁତ କରି ଫେବ୍ରୁଆରି ୧୨ ସୁଦ୍ଧା ଆଇସିସିକୁ ପିସିବି ହସ୍ତାନ୍ତର କରିବା କଥା। ହେଲେ ଏହା ସମ୍ଭବ ହେଲା ଭଳି ମନେ ହେଉନି। କହିବାକୁ ଗଲେ ପିସିସି ଏବେ ଧାର୍ଯ୍ୟ ସମୟ ଭିତରେ ଏହି ଷ୍ଟାଡିୟମ୍‌ଗୁଡ଼ିକୁ ଆଇସିସିକୁ ଦେବା ଲାଗି ସମୟ ସହ ଲଢ଼େଇ କରୁଛି। ତିନିଟି ଯାକ ଷ୍ଟାଡିୟମ୍‌ର ସବୁ ନିର୍ମାଣ କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପିସିବି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏହି ସମୟ ନିର୍ଘଣ୍ଟ ଶେଷ ହେବାର ଗୋଟିଏ ସପ୍ତାହ ପରେ ମଧ୍ୟ ଅଧାକାମ ସରି ନଥିବା ଖୋଦ୍ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର୍‌ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଭିଡିଓ ପ୍ରକାଶ କରି ଜଣାଇଛନ୍ତି। ସେଥିପାଇଁ ଆମେରିକାର ଅସ୍ଥାୟୀ ଷ୍ଟାଡିୟମ୍ ଓ ଉଠା ପିଚ୍‌ରେ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର କିଛି ମ୍ୟାଚ୍ ଆୟୋଜନ କରି କୋଟିକୋଟି ଟଙ୍କାର କ୍ଷତି ସହିଥିବା ଆଇସିସି ଏବେ ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତିକୁ ନେଇ ଘୋର ଚିନ୍ତାରେ ରହିଛି। ସେଥିପାଇଁ ଚଳିତ ସପ୍ତାହ ଶେଷଆଡ଼କୁ ଆଇସିସିର ଏକ ପ୍ରତିନିଧି ମଣ୍ଡଳ ପାକିସ୍ତାନ ଗସ୍ତ କରି ଷ୍ଟାଡିୟମ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛି। ଆପାତକାଳୀନ ପରିସ୍ଥିତି ପାଇଁ ଦୁବାଇ କ୍ରିକେଟ୍ ଷ୍ଟାଡିୟମ୍‌କୁ ମଧ୍ୟ ବିକଳ୍ପ ଭେନ୍ୟୁ ଭାବେ ପ୍ରସ୍ତୁତ କରି ରଖିବାକୁ ଅଣଆନୁଷ୍ଠାନିକ ଭାବେ ୟୁଏଇ କ୍ରିକେଟ୍ ବୋର୍ଡକୁ ଆଇସିସି କହିସାରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଲାହୋର ଓ କରାଚି ଷ୍ଟାଡିୟମ୍‌ର ଗ୍ୟାଲେରି ସହ ଖେଳାଳିଙ୍କ ଡ୍ରେସିଂ ରୁମ୍, ଭିଆଇପି ବକ୍ସ ଓ ଜଳପାନ କେନ୍ଦ୍ର ନିର୍ମାଣ ମାତ୍ର ୩୦ ପ୍ରତିଶତ ସରିଛି। ନୂଆ ଏନ୍‌କ୍ଲୋଜର୍‌ର ପାଚେରି ନିର୍ମାଣ ହୋଇନି, ଫ୍ଲଡ୍ ଲାଇଟ୍ ଓ ଚୌକି ଲାଗିନି, ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଉଭୟ କରାଚି ଓ ଲାହୋରର ପାଗ ଖରାପ ରହିବାର ଥିବାରୁ ଏହା ମଧ୍ୟ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ କରିବା ଦିଗରେ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଲିଗ୍ ପର୍ଯ୍ୟାୟ ସହ ଗୋଟିଏ ସେମିଫାଇନାଲ୍ ଓ ଫାଇନାଲ୍ (ଭାରତ ଫାଇନାଲ୍ ନଗଲେ) ଆୟୋଜନ କରିବାକୁ ଯାଉଥିବା ଗଦ୍ଦାଫି ଷ୍ଟାଡିୟମ୍‌ର ପିଚ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ଆଇସିସିକୁ ସବୁଠାରୁ ବେଶି ଅଡ଼ୁଆରେ ପକାଇଛି। ଏଣୁ ଅତିରିକ୍ତ ସମୟ ଓ ଲୋକବଳ ବିନିଯୋଗ କରି ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଆଇସିସି ଅଧିକାରୀମାନେ ପିସିବିକୁ ତାଗିଦ ମଧ୍ୟ କରିସାରିଛନ୍ତି। ଆସନ୍ତା ସପ୍ତାହରେ ଏଥିନେଇ ସ୍ଥିତି ପୂରା ସ୍ପଷ୍ଟ ହୋଇଯିବ ବୋଲି ଆ‌ଇସିସିର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ପିସିବିର ଅସ୍ବୀକାର, ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା କରାଚି ଓ ଲାହୋରକୁ ନେଲା ଚାମ୍ପିଅନ୍ସ ଟ୍ରଫି ଲାଗି ଷ୍ଟାଡିୟମ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ନେଇ ସୃଷ୍ଟି ହୋଇଥିବା ଆଶଙ୍କାକୁ ଅଗ୍ରାହ୍ୟ କରିଛି ପିସିବି। ସବୁ ନିର୍ମାଣ କାର୍ଯ୍ୟ ଠିକ୍‌ ଚାଲିଛି, ଧାର୍ଯ୍ୟ ସମୟ ଭିତରେ ସରିଯିବ ବୋଲି ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି କହିଛି। ସେହିଭଳି ପ୍ରଶଂସକ, ଦର୍ଶକ ଓ ଗଣମାଧ୍ୟମକୁ ସୁରୁଖୁରୁରେ ଚାମ୍ପିଅନ୍ସ ଟ୍ରଫି ଶେଷ କରିବାକୁ ଦୃଢ଼ ଆଶ୍ବାସନା ଦେଇଛି। ସେହିଭଳି ନିଜ ପ୍ରସ୍ତୁତି ଦକ୍ଷତାକୁ ଦର୍ଶାଇବାକୁ ଯାଇ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ନେଇ ମୁଲତାନରେ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାକୁ ଲାହୋର ଓ କରାଚିକୁ ସ୍ଥାନାନ୍ତର କରିଛି। ‘‘ଏହି ନିଷ୍ପତ୍ତି ନିର୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାର ଦକ୍ଷତା ଓ ପ୍ରତିବନ୍ଧତାକୁ ଦର୍ଶାଇଛି। ପ୍ରଶଂସକ, ଖେଳାଳି, ଅଧିକାରୀ ଓ ସାଧାରଣ ଜନତାଙ୍କୁ ଏକ ଅବିସ୍ମରଣୀୟ ଚାମ୍ପିଅନ୍ସ ଟ୍ରଫି ଦେଖାଇବାକୁ ଆମେ ପ୍ରତିଶ୍ରୁତି ଦେଉଛୁ’’ ବୋଲି ପିସିବିର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ୧୯୯୬ ମସିହାର ଏକଦିବସୀୟ ବିଶ୍ବକପ୍ ପରେ ପାକିସ୍ତାନ ପ୍ରଥମଥର ପାଇଁ ଏକ ବଡ଼ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି।