Breaking News

‌ଚାଳକଙ୍କୁ ଜରିମାନା ଅଡ଼ୁଆ‌: ଟଙ୍କା ଜମା ପରେ ବି କଟୁନି ଜରିମାନା

କଟକର ରତିକାନ୍ତ ସ୍ବାଇଁ। ତାଙ୍କ ମିନି ଟ୍ରକ୍‌କୁ ସେ ବିକ୍ରି କରିଦେଥିଲେ। ମାଲିକାନା ସ୍ବତ୍ବ ପରିବର୍ତ୍ତନ କରିବା ପାଇଁ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆର୍‌ଟିଓ) ପାଖକୁ ଗଲାବେଳେ ଗାଡ଼ିର ବିଭିନ୍ନ ସମୟରେ ଆଇନ....

ଭୁବନେଶ୍ବର: କଟକର ରତିକାନ୍ତ ସ୍ବାଇଁ। ତାଙ୍କ ମିନି ଟ୍ରକ୍‌କୁ ସେ ବିକ୍ରି କରିଦେଥିଲେ। ମାଲିକାନା ସ୍ବତ୍ବ ପରିବର୍ତ୍ତନ କରିବା ପାଇଁ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆର୍‌ଟିଓ) ପାଖକୁ ଗଲାବେଳେ ଗାଡ଼ିର ବିଭିନ୍ନ ସମୟରେ ଆଇନ ଉଲ୍ଲଂଘନ ନେଇ ୧୦ ହଜାର ଟଙ୍କା ଜରିମାନା ଥିବା ଜଣାପଡ଼ିଥିଲା। ଭୁବନେଶ୍ବର ଆର୍‌ଟିଓରୁ ଜରିମାନା ଚାଲାଣ ହୋଇଥିବାରୁ ସେ ଭୁବନେଶ୍ବର ପହଞ୍ଚିଲେ। ସେଠାରେ ଜାଣିଲେ ମାମଲା କୋର୍ଟରେ ପହଞ୍ଚିଛି। ଏସ୍‌ଡିଜେଏମ୍‌ କୋର୍ଟରେ ପହଞ୍ଚି ଜରିମାନା ଜମା କଲେ। ସପ୍ତାହେ ମଧ୍ୟରେ ଏହି ଜରିମାନା ଅର୍ଥ ଶୂନ ହୋଇଯିବ ବୋଲି କୁହାଯାଇଥିଲା। ଏ ନେଇ ତାଙ୍କୁ ଏକ ରସିଦ୍ ମିଳିଥିଲା। କିନ୍ତୁ ସପ୍ତାହ ପରେ ଏହି ଜରିମାନା କଟି ନଥିବାରୁ ସେ ପୁଣି କୋର୍ଟରେ ପହଞ୍ଚିଥିଲେ। ସେଠାରେ ଜାଣିଥିଲେ କି କୋର୍ଟ ପକ୍ଷରୁ ଆର୍‌ଟିଓଙ୍କୁ ଏ ବାବଦରେ ମେଲ୍‌ କରିଦିଆଯାଇଛି। ସେଠାରୁ ସେ ଆର୍‌ଟିଓ ପହଞ୍ଚିଥିଲେ। ସେଠାରେ ଜାଣିଥିଲେ ଯେ ଆର୍‌ଟିଓଙ୍କୁ କୋର୍ଟରୁ କୌଣସି ସୂଚନା ଆସିନାହିଁ। ଏମିତି ସେ ଏକାଧିକ ବାର କୋର୍ଟରୁ ଆର୍‌ଟିଓ ଦଉଡ଼ିଥିଲେ। କେବଳ ରତିକାନ୍ତ ନୁହନ୍ତି, ଆଉ ଜଣେ ଗାଡ଼ିମାଲିକ ରାଜେଶ ବେହେରା ମଧ୍ୟ ଏଭଳି ବାରଦୁଆର ହେଉଥିଲେ। ସେ ନଭେମ୍ବର ମାସରେ ଜରିମାନା ଅର୍ଥ ଜମା କରିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜରିମାନା ସେମିତି ଗଡ଼ୁଛି। ପ୍ରତ୍ୟେକ ଦିନ ଏକାଧିକ ଗାଡ଼ିମାଲିକ କୋର୍ଟ-ଆର୍‌ଟିଓ ଚକ୍କର କାଟୁଛନ୍ତି।

ଟଙ୍କା ଜମା ପରେ ବି କଟୁନି ଜରିମାନା 
କୋର୍ଟ ଓ ଆର୍‌ଟିଓ ଦୌଡ଼ିଦୌଡ଼ି ନୟାନ୍ତ

ପରିବହନ ଆଇନକୁ କଡ଼ାକଡ଼ି କରାଯାଇଛି। ଏ ନେଇ ଗଠିତ ସୁପ୍ରିମ୍‌କୋର୍ଟ କମିଟି ମଧ୍ୟ ଏହି ବ୍ୟବସ୍ଥାକୁ ଗୋଡ଼େଗୋଡ଼େ ଜଗିଛନ୍ତି। ସରକାରଙ୍କୁ ନିୟମିତ ତାଗିଦ କରିବା ସହ ସଡ଼କ ଦୁର୍ଘଟଣା କେମିତି କମିବ ସେନେଇ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ପୂର୍ବରୁ ଆର୍‌ଟିଓ ଓ ପୁଲିସ କର୍ମଚାରୀ ରାସ୍ତା ଉପରେ ଛିଡ଼ା ହୋଇ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଏବେ ରାସ୍ତାରେ ଏହି ଉଲ୍ଲଂଘନକାରୀଙ୍କୁ କ୍ୟାମେରା ଜଗିଛି। ଧାର୍ଯ୍ୟ ବେଗରୁ ଅଧିକ ବେଗରେ ଗଲେ କିମ୍ବା‌ କୌଣସି ନିୟମ ଉଲ୍ଲଂଘନ କଲେ କ୍ୟାମେରା ଗାଡ଼ି ନମ୍ବର ଜରିଆରେ ମାଲିକଙ୍କୁ ଚାଲାଣ ପଠାଉଛି। ଜରିମାନା ଚାଲାଣ କଟିବାର ୯୦ ଦିନ ମଧ୍ୟରେ ଯଦି ଜରିମାନା ଦାଖଲ ନହୁଏ ତେବେ ଏହା କୋର୍ଟକୁ ସ୍ଥାନାନ୍ତର ହୋଇଥାଏ। ପରେ ଗାଡ଼ିମାଲିକ କୋର୍ଟରେ ଜରିମାନା ଦାଖଲ ‌କରେ। ଜମା ହେବା ପରେ କୋର୍ଟ ଏକ ମେଲ୍‌ ଜରିଆରେ ସଂପୃକ୍ତ ଆର୍‌ଟିଓଙ୍କୁ ଅବଗତ କରାନ୍ତି। ଆର୍‌ଟିଓ ଜରିମାନା କାଟିବା ପରେ ଗାଡ଼ିଟି ବିବାଦମୁକ୍ତ ହୋଇଥାଏ। କିନ୍ତୁ କୋର୍ଟରେ ଜମା ହେବା ପରେ ମଧ୍ୟ ଜରିମାନା କଟୁ ନଥିବାରୁ ମାଲିକ ଫସିରହୁଛନ୍ତି।

ଏନେଇ ଆଇନଜୀବୀ ଫାଲଗୁନି ପ୍ରସାଦ ନାୟକ କହିଛନ୍ତି ‌ଯେ କୋର୍ଟରେ ଜରିମାନା ଅର୍ଥ ଜମା କରାଯିବ। କିନ୍ତୁ ଏହାକୁ ଅପ୍‌ଡେଟ୍‌ କରିବେ ଆର୍‌ଟିଓ। ଭୁବନେଶ୍ବର କୋର୍ଟକୁ ଦୈନିକ ଶହ ଶହ ସଂଖ୍ୟାରେ ଗାଡ଼ିମାଲିକ ଜରିମାନା ଅର୍ଥ ଜମା କରିବାକୁ ଆସୁଛନ୍ତି। ‌କୋର୍ଟରୁ ଆରଟିଓଙ୍କୁ ମେଲ ଯାଉଛି। ଆର୍‌ଟିଓ ମେଲ୍‌ ଯାଞ୍ଚ କରୁନାହାନ୍ତି। ଫଳରେ ଜରିମାନା ବିବରଣୀ ଅପ୍‌ଡେଟ୍‌ ହୋଇପାରୁ ନାହିଁ। ଫଳ‌ରେ କିଛି ଲୋକଙ୍କର ଫାଇନ ଟଙ୍କା ଡିପୋଜିଟ ପରେ ମଧ୍ୟ ଫାଇନ କଟୁ ନାହିଁ। ତେଣୁ ଯେଉଁଠି ଫାଇନ ଟଙ୍କା ଡି‌ପୋଜିଟ୍ ହେଉଛି, ସେହିଠାରେ ଫାଇନ କାଟିବାର ବ୍ୟବସ୍ଥା କରାଗ‌ଲେ ଏଭଳି ଅସୁବିଧା ହେବ ନାହିଁ।
ଏନେଇ ଆର୍‌ଟିଓ କହିଛନ୍ତି ଯେ ଏଭଳି କାଁ ଭାଁ କାହାର ରହିଯାଉଥିବ। କିନ୍ତୁ କୋର୍ଟରୁ ଯାହାର ବି ମେଲ୍‌ରେ କିମ୍ବା ହ୍ବାଟସଆପରେ ଜରିମାନା ଜମା ହୋଇଯାଇଥିବା ଆସୁଛି, ସେହି ମେଲ ଅନୁସାରେ ଏହାକୁ ଅପ୍‌ଡେଟ୍‌ କରିଦିଆଯାଉଛି। ଏଥିପାଇଁ ଜଣେ ସ୍ବତନ୍ତ୍ର କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.