Breaking News

ଚିନ୍ତା ବଢ଼ାଇଲା ନଭେମ୍ବର: ଗାଡ଼ି ବିକ୍ରି ୧୩.୬୫% କମିଲା

ପୂଜା ଋତୁ ପରେ ପରେ ରାଜ୍ୟରେ ଗାଡ଼ି ବିକ୍ରି ପ୍ରଭାବିତ ହୋଇଛି। ଅକ୍ଟୋବର ମାସରେ ଉଭୟ ଦଶହରା ଓ ଦୀପାବଳି ପଡ଼ିବାରୁ ବହୁ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଥିଲା। କିନ୍ତୁ ନଭେମ୍ବର ମାସରେ ସେହି ଧାରା ବଜାୟ ରହିଲା ନାହିଁ।

ଭୁବନେଶ୍ବର: ପୂଜା ଋତୁ ପରେ ପରେ ରାଜ୍ୟରେ ଗାଡ଼ି ବିକ୍ରି ପ୍ରଭାବିତ ହୋଇଛି। ଅକ୍ଟୋବର ମାସରେ ଉଭୟ ଦଶହରା ଓ ଦୀପାବଳି ପଡ଼ିବାରୁ ବହୁ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଥିଲା। କିନ୍ତୁ ନଭେମ୍ବର ମାସରେ ସେହି ଧାରା ବଜାୟ ରହିଲା ନାହିଁ। ଏହି ମାସରେ ରାଜ୍ୟରେ ଗାଡ଼ି ବିକ୍ରି ୧୩.୬୫ ପ୍ରତିଶତ ହ୍ରାସ ପାଇଛି। ୨୦୨୩ ନଭେମ୍ବରରେ ଓଡ଼ିଶାରେ ୭୮,୪୯୭ଟି ଗାଡ଼ି ବିକ୍ରି ହୋଇଥିଲା। ଚଳିତ ବର୍ଷ ସେହି ମାସରେ ବିକ୍ରି ସଂଖ୍ୟା ୬୭,୭୮୬କୁ ଖସିଆସିଛି ବୋଲି ଗାଡ଼ି ଡିଲରଙ୍କ ସର୍ବଭାରତୀୟ ସଂଘ ଏଫ୍‌ଏଡିଏ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଉପରେ ଦୃଷ୍ଟି ନିକ୍ଷେପ କରିବା ପରେ ଜଣାପଡ଼ିଛି ଯେ ନଭେମ୍ବର ମାସରେ କେବଳ ଟ୍ରାକ୍ଟର ବିକ୍ରି ସାମାନ୍ୟ ବଢ଼ିଛି। ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ଏହି ମାସରେ କମିଛି। ଟ୍ରାକ୍ଟର ବିକ୍ରି ୨.୫୧ ପ୍ରତିଶତ ବଢ଼ିଛି।

ଗାଡ଼ି ବିକ୍ରି ୧୩.୬୫% କମିଲା
ଟ୍ରାକ୍ଟର ବଢ଼ିଲା, ଅନ୍ୟ ସବୁ କମିଲା

ରାଜ୍ୟରେ ଏହି ମାସରେ ୧୬୩୬ଟି ଟ୍ରାକ୍ଟର ବିକ୍ରି ହୋଇଛି। ବାଣିଜ୍ୟିକ ଯାନ ଓ ଦୁଇଚକିଆ ଯାନ ବିକ୍ରି ଅଧିକ ପ୍ରଭାବିତ ହୋଇଛି। ଏହି ମାସରେ ୫୪,୫୩୧ଟି ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୧୪.୦୨ ପ୍ରତିଶତ କମ୍। ବାଣିଜ୍ୟିକ ଯାନ ବିକ୍ରି ୨୧.୧୪ ପ୍ରତିଶତ ହ୍ରାସ ପାଇ ୩୦୭୩କୁ ଖସିଆସିଛି। ତିନିଚକିଆ ବିକ୍ରି ୪.୫୨ ପ୍ରତିଶତ ଭଳି ସାମାନ୍ୟ ବୃଦ୍ଧି ପାଇ ୨୦୮୯କୁ ଖସିଆସିଛି। ନଭେମ୍ବର ମାସରେ ସର୍ବଭାରତୀୟ ସ୍ତରରେ ଗାଡ଼ି ବିକ୍ରି ୧୧.୨୧ ପ୍ରତିଶତ ବଢ଼ିଛି। କିନ୍ତୁ ଓଡ଼ିଶା, ଝାଡ଼ଖଣ୍ଡ, ଗୁଜରାଟ, ଆସାମ, କର୍ଣ୍ଣାଟକରେ ବିକ୍ରି ହ୍ରାସ ପାଇଛି। ବଡ଼ ରାଜ୍ୟଗୁଡ଼ିକ ଭିତରେ ଓଡ଼ିଶାରେ ବିକ୍ରି ବହୁତ କମିଛି। ଦେଶରେ ଏହି ମାସରେ ୩୨,୦୮,୭୧୯ ଗାଡ଼ି ବିକ୍ରି ହୋଇଛି। ବାଣିଜ୍ୟିକ ଯାନ ଓ କାର୍ ବିକ୍ରି କମିଥିବା ବେଳେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। ଦୁଇଚକିଆ ବିକ୍ରି ୧୫.୮୦ ପ୍ରତିଶତ, ତିନି ଚକିଆ ୪.୨୩ ପ୍ରତିଶତ ଓ ଟ୍ରାକ୍ଟର ବିକ୍ରି ୨୯.୮୮ ପ୍ରତିଶତ ବଢ଼ିଛି।

ସୌଜନ୍ୟ -ସମ୍ୱାଦ

Comments are closed.