Breaking News

ଚିନ୍ତା ବଢ଼ାଉଛି ଏଆଇ- ଡିପ୍‌ଫେକ୍‌: ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସେବାକୁ ବଡ଼ ରିସ୍କ, ପାରମ୍ପରିକ ସିଷ୍ଟମକୁ ମାତ୍‌ ଦେଉଛି AI ମାଲୱେର

ନୂଆଦିଲ୍ଲୀ ୦୯/୧୨: ସାଇବର ଅପରାଧ ଏବେ ଚିନ୍ତା ବଢ଼ାଇଛି । ଏ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିପ୍‌ଫେକ୍‌ ବ୍ୟବହାର ବଢ଼ିଛି । ୨୦୨୫ରେ ଏଭଳି ଟୁଲ୍‌ ବ୍ୟବହାର ସାଇବାର ଅପରାଧିଙ୍କୁ ଆହୁରି ଶକ୍ତିଶାଳୀ କରିବା ନେଇ ଆଶଙ୍କା କରାଯାଇଛି । ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସେବା ଭଳି କ୍ଷେତ୍ର ଗୁଡିକୁ ଏହା ଦ୍ୱାରା ବଡ ରିସ୍କ ରହିଥିବା ଡାଟା ସିକ୍ୟୁରିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଡିଏସ୍‌ସିଆଇ) ଏବଂ ସେକ୍ରାଇଟର ସାଇବର ଥ୍ରେଟ ରିପୋର୍ଟ ୨୦୨୫ରେ କୁହାଯାଇଛି ।

ଏଆଇକୁ ବ୍ୟବହାର କରି ସାଇବର ଅପରାଧି ଲୋକଙ୍କୁ ଜାଲରେ ଫସାଉଛନ୍ତି । ସେହିଭଳି ଡିପ୍‌ ଫେକ୍‌ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ହେଉଥିବା ଆଟାକ୍‌ ଗୁଡ଼ିକୁ ଠାବ କରିବାରେ ସକ୍ଷମ ହେଉନାହାନ୍ତି ଲୋକେ । ପାରମ୍ପରିକ ସାଇବର ନିରାପତ୍ତା ବ୍ୟବସ୍ଥାକୁ ଏଆଇ ଭିତ୍ତିକ ମାଲୱେର ମାତ୍‌ ଦେବା ସହ ଏବେ ପତିଆରା ଜାରି କଲାଣି । ସେହିଭଳି ଡାଟା ପଏଜନିଂ ଆଟାକ ଭଳି ଅତ୍ୟାଧୁନିକ ଟୁଲ୍‌ ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ସ୍ୱୟଂଚାଳିତ ପରିବହନ ବ୍ୟବସ୍ଥାକୁ ଅକାମି କରିଦେବା ଭଳି କ୍ଷମତା ରଖୁଛି ।

ଭରଷାଯୋଗ୍ୟ ସ୍ରୋତରୁ ଭିଡିଓ ଏବଂ ଅଡିଓ ଗୁଡିକୁ ବ୍ୟବହାର କରି ସାଇବର ଅପରାଧି ମାନେ ଡିପଫେକ୍‌ କଣ୍ଟେଣ୍ଟ ବନାଉଛନ୍ତି । ଯାହାକୁ ଲୋକ ଜାଣିବା କଷ୍ଟକର । ଅନେକ କ୍ଷେତ୍ରରେ ଏହା ବାସ୍ତବ ବୋଲି ଲୋକେ ଭାବି ନେଉଛନ୍ତି । ଏଭଳି ଭାବେ ସୋସିଆଲ ଇଞ୍ଜିନିୟରିଂ ଆଟାକ କରୁଛନ୍ତି ସାଇବର ଅପରାଧି । ଏବେ ଯୋଗାଣ ଶୃଙ୍ଖଳକୁ ମଧ୍ୟ ସାଇବର ଆକ୍ରମଣର ଢ଼େର ଭୟ ରହୁଛି ।

ଏଆଇ ଟୁଲ୍‌କୁ ବ୍ୟବହାର କରି ଅପରାଧି ମାନେ ବଡ ଧରଣର ଏବଂ ସ୍ୱୟଂ ଚାଳିତ ଅପରେସନ ଚଳାଉଛନ୍ତି । ଏଥିଯୋଗୁ ଏବେ ଅଧିକ ମାତ୍ରାରେ ରାନସମୱେର ଆଟାକ ଦେଖାଯାଉଛି । ଗୁରୁତ୍ୱପୂର୍ଣ୍ଣ ଡାଟାକୁ ଚୋରି କିମ୍ବା ଲକ୍‌ କରି ଅପରାଧି ମାନେ ଏଥିଲାଗି ଅର୍ଥ ଦାବି କରୁଛନ୍ତି । ଇଣ୍ଟରନେଟ ଡିଭାଇସର ବ୍ୟବହାର ବଢ଼ୁଥିବାରୁ ନୂଆ ନୂଆ ଲୋକଙ୍କୁ ଜାଲରେ ଫସାଇବା ଏମାନଙ୍କ ଲାଗି ସହଜ ହେଉଛି । ନିରାପତ୍ତା ନ ଥିବା ଡିଭାଇସଗୁଡିକୁ ଡିଷ୍ଟ୍ରିବ୍ୟୁଟେଡ ଡେନିଆଲ ଅଫ୍‌ ସର୍ଭିସ ନାମକ ଏକ ଆଟାକ କରାଯାଉଛି । ଏହା ଦ୍ୱାରା ଶିଳ୍ପ, ବିନିର୍ମାଣ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ଅତ୍ୟାବଶ୍ୟକ ସେବା ଗୁଡିକୁ ଆକ୍ରମଣ କରାଯାଉଛି । ଭାରତରେ ସ୍ୱାସ୍ଥ୍ୟ, ଫାଇନାନ୍ସ ଏବଂ ଶକ୍ତି ଭଳି କ୍ଷେତ୍ର ଜରୁରୀ ଭିତ୍ତିଭୂମି ବର୍ଗରେ ଆସୁଛି ।

ଏଭଳି ସ୍ଥିତିରେ ସେବାରେ ବାଧା ଉପୁଜାଇବା, ସମ୍ବେଦନଶୀଳ ଡାଟା ଚୋରୀ ସହ ସାଇବର ଯୁଦ୍ଧ ଦ୍ୱାରା ସମସ୍ୟା ସୃଷ୍ଟି କରିବାକୁ ସାଇବର ଆକ୍ରମଣ ମାନେ ଜଗି ବସିଛନ୍ତି । ଏଭଳି ସ୍ଥିତିରେ ଜରୁରୀ ସେବା କ୍ଷେତ୍ର ଗୁଡିକରେ ଯେଭଳି କୌଣସି ସମସ୍ୟା ନ ଉପୁଯେ ତାକୁ ଧ୍ୟାନରେ ରଖି ନିରାପତ୍ତା ବ୍ୟବସ୍ଥାକୁ ଦୃଢ଼ କରିବା ଏବଂ ନିରନ୍ତର ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ଦେଶର ୧୮ଟି ଶିଳ୍ପ କ୍ଷେତ୍ରକୁ ଏହି ସର୍ଭେରେ ସାମିଲ କରାଯାଇଛି ।

ଏହାବାଦ ସରକାରୀ ସେବା ଯୋଗାଣ ଲାଗି ଜାଲ୍‌ ପ୍ଲାଟଫର୍ମ ଏବଂ ଜାଲ ନିବେଶ ପ୍ଲାଟଫର୍ମ ସୃଷ୍ଟି କରାଯାଇ ଲୋକଙ୍କୁ ଅଭିନବ ଉପାୟରେ ଠକାଯାଉଛି । ୨୦୨୫ରେ ଏଭଳି ହାଇବ୍ରିଡ ଥ୍ରେଟ୍‌ ଗୁଡିକର ମାତ୍ରା ବଢ଼ିବା ନେଇ ରିପୋର୍ଟରେ କୁହାଯାଇଛି । ଏବେ ସାଇବର କ୍ରିମିନାଲ ମାନେ ଅତ୍ୟାଧୁନିକ ଆପ୍ଲିକେସନ ବନାଉଛନ୍ତି । ସରକାରଙ୍କ ଭଳି ୱେବସାଇଟ ଓ ଆପ୍‌ର ଅବିକଳ ନକଲ ସେମାନେ କରିପାରୁଛନ୍ତି । ସେହିଭଳି ନିବେଶ ଲାଗି ହେଉଥିବା ପ୍ଲାଟଫର୍ମ ଗୁଡିକରେ ଲୋକେ ଟଙ୍କା ଜମା କରି ଫସୁଥିବା ଘଟଣା ସାମ୍ନାକୁ ଆସୁଛି ।

ଏହାର ମାର୍କେଟିଂ, ପ୍ରଚାର ପ୍ରସାର ଲାଗି ସେମାନେ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି । ଏମିତିକି ଇନଫ୍ଲୁଏନ୍ସର ମାର୍କେଟିଂ ସହାୟତାରେ ଲୋକଙ୍କ ଭରଷା ସେମାନେ ଜିତୁଛନ୍ତି । ଏହା ଦ୍ୱାରା ଆର୍ଥିକ ଠକେଇ, ପରିଚୟ ଚୋରୀ, ସରକାରୀ ସେବା ଲାଭ କରୁଥିବା ହିତାଧିକାରୀ, ରିଟେଲ ନିବେଶକ ଠକାମିର ଶିକାର ହେଉଛନ୍ତି ।

ଏବେ କ୍ରିପ୍ଟୋଜ୍ୟାକିଂ ଆଟାକ ମଧ୍ୟ ବଢ଼ୁଛି । ଏଆଇ ଭିତ୍ତିକ କ୍ୱାଣ୍ଟମ ଥ୍ରେଟ ବଢ଼ିବା ଯୋଗୁ ପାରମ୍ପରିକ ସିକ୍ୟୁରିଟି ବ୍ୟବସ୍ଥା ଏବେ ପ୍ରାସଙ୍ଗିକତା ହରାଉଛି । ଜିରୋ ଡେ ଏକ୍ସଫ୍ଲୋଏଟ, ପଲିମରଫିକ ମାଲ୍‌ୱେର ଏବଂ ଆଡଭାନ୍ସ ପରସିଷ୍ଟେଣ୍ଟ ଚିନ୍ତାଜନକ ହେଲାଣି । ଏଭଳି ଠକେଇକୁ ଚିହ୍ନଟ କରିବା ଏବଂ ନିରାକରଣ କ୍ଷେତ୍ରରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ବ୍ୟବହାର ହେବା ଜରୁରୀ ହୋଇପଡିଛି ବୋଲି ରିପୋର୍ଟରେ କୁହାଯାଇଛି ।

ସିକ୍ରାଇଟ ଲ୍ୟାବର ଭିପି ତଥା ମୁଖ୍ୟ ସଙ୍ଗମେଶ ଏସ୍‌ କୁହନ୍ତି, ବର୍ତ୍ତମାନର ବିପଦକୁ ଅନୁଷ୍ଠାନ ଗୁଡିକୁ ପ୍ରତିରୋଧ କରିବାକୁ ହେଲେ ସମୟ ସହ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହେବ । ସାଇବର ଥ୍ରେଟକୁ ଚିହ୍ନଟ ଏବଂ ନିରାକରଣ ଲାଗି ଦୃଢ଼ ବ୍ୟବସ୍ଥା ଆଣିବାକୁ ହେବ । ଏହା ଦ୍ୱାରା ଅନୁଷ୍ଠାନ ଏବଂ ଅଂଶୀଦାର ମାନେ ଲାଭବାନ ହୋଇପାରିବେ ।

ସୌଜନ୍ୟ-ପ୍ରମେୟ

Comments are closed.