ଚିନ୍ତା ବଢ଼ାଉଛି ଟ୍ରାଫିକ୍‌ ସମସ୍ୟା: ରଘୁନାଥପୁର ଓ ପଟିଆ କଲେଜ୍ ରୋଡ୍‌ ‌ଦେଢ଼ଘଣ୍ଟା ଜାମ୍‌

ଚନ୍ଦ୍ରଶେଖରପୁର: ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ଏକ ପ୍ରମୁଖ ସମସ୍ୟା ପାଲଟିଛି। ବିଶେଷକରି ସନ୍ଧ୍ୟା ସମୟରେ ରାସ୍ତାରେ ଅସମ୍ଭାଳ ଭିଡ଼ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଜାତୀୟ ରାଜପଥ ରସୁଲଗଡ଼ ଛକରେ ଜାମ୍‌ ତ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିରେ ଲୋକେ ହଇରାଣ ହେଉଥିବା ବେଳେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଦୀର୍ଘ ସମୟ ଧରି ଫସି ରହୁଛି। ‌ସେହିଭଳି ଆଜି ସନ୍ଧ୍ୟାରେ ପଟିଆ ଅଞ୍ଚଳର ପୃଥକ୍‌ ପୃଥକ୍‌ ଦୁଇଟି ସ୍ଥାନରେ ରାସ୍ତା ଜାମ୍‌ ହେବା ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ରଘୁନାଥପୁର ବ୍ରିଜ୍ ନିକଟରେ ରାସ୍ତାର ଉଭୟ ପାଖରେ ୪ଟି ବିବାହ ପାଇଁ ବରଯାତ୍ରୀ ଶୋଭାଯାତ୍ରା ଯାଉଥିଲା ବେଳେ ରାସ୍ତା ଜାମ୍‌ ହୋଇଯାଇଥିଲା।

ଫଳରେ ବ୍ରିଜ୍ ନିକଟରୁ କିଟ୍ ଛକ ଏବଂ ବ୍ରିଜ୍ ନିକଟରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ ଜାମ୍‌ ହୋଇଥିଲା। ସେହିଭଳି ହଠାତ ପଟିଆ ରେଳ ଫାଟକ ଭାଙ୍ଗି ଅଚଳ ହୋଇଯିବାରୁ କିଟ୍ ଛକ ଏବଂ ଅପରପକ୍ଷ ରୋକଟ ଛକ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମଟର ଲମ୍ବା ଲାଇନ୍‌ରେ ରହିଥିଲେ। ଏଥିଯୋଗୁ ସମ୍ପୃକ୍ତ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖାଯାଇଥିଲା। ହଜାର ହଜାର ଯାନବାହନ ରାସ୍ତାରେ ଅଟକି ରହିଥିଲା ବେଳେ ଆଖପାଖ ଅଞ୍ଚଳର ବାଇପାସ୍ ରାସ୍ତା ଗୁଡ଼ିକ ମଧ୍ୟ ଜାମ୍‌ ହୋଇଯାଇଥିଲା। ଟ୍ରାଫିକ୍ ଜାମ୍‌ରୁ ଆମ୍ବୁଲାନ୍ସ ବି ବର୍ତ୍ତି ପାରି ନଥିଲେ। ଜାମ୍‌ରେ ଫସିଥିବା ଆମ୍ବୁଲାନ୍ସକୁ ବାହାର କରିବାକୁ ସ୍ଥାନୀୟ ଲୋକମାନେ ଚେଷ୍ଟାକରି ବିଫଳ ହୋଇଥିଲେ। ସୂଚନା ପାଇ ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଏବଂ ନନ୍ଦନକାନନ ଥାନା ପୁଲିସ ଏବଂ ଜୋନ୍ ୨ ଟ୍ରାଫିକ୍‌ ପୁଲିସ ପ୍ରାୟ ଅଧ କିଲୋମିଟର ଦୂରରେ ଭ୍ୟାନ୍‌ ରଖି ଚାଲିଚାଲି ଘଟଣାସ୍ଥଳକୁ ଯାଇ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲେ। ବରଯାତ୍ରୀମାନଙ୍କୁ ପୁଲିସ ତାଗିଦ କରି ରାସ୍ତାକଡ଼ରେ ଯିବା ପାଇଁ କହିଥିଲା। ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି କସରତ ଚାଲିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ସେହିପରି ରେଳବାଇ ପକ୍ଷରୁ ପଟିଆ ରେଳ ଫାଟକ ମରାମତି କରାଯାଇ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯାଇଥିଲା।

ଅପରପକ୍ଷରେ ବର୍ତ୍ତମାନ ନନ୍ଦନକାନନ ଜୟଦେବବିହାର ରାସ୍ତାରେ ‌ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଶୋଭାଯାତ୍ରା ଏବଂ ପୂଜା ଭସାଣି ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେହିପରି କଳାରାହାଙ୍ଗ ଏବଂ ପଟିଆ ରେଳଫାଟକ ଲମ୍ବା ସମୟ ଧରି ବନ୍ଦ ରହୁଥିବାରୁ ପ୍ରତିଦିନ ସଂଧ୍ୟାରେ ଗେଟ୍‌ର ଉଭୟ ପାଖରେ ଯାନବାହନ ଜାମ୍‌ ହେଉଥିବା ଦେଖିବାକୁ ମିଳୁଛି।
ସୌଜନ୍ୟ- ସମ୍ୱାଦ