ଚିନ୍ମୟ ଚେତନା: ଏକ ଜୀବନ୍ତ ଅଭିନୟ
ସବୁ ଅଭିନେତାଙ୍କ ମନରେ ଉଙ୍କି ମାରୁଥାଏ ଗୋଟିଏ ଅଭିଳାଷ: ନିଜର ଅଭିନୟଟି କେମିତି ଜୀବନ୍ତ ହେବ, ଦର୍ଶକ ଜାଣି ପାରିବେନି ଏଇଟା ଅଭିନୟ ନା ବାସ୍ତବ ଜୀବନର ଏକ ଦୃଶ୍ୟ। ବୋଧେ ଏମିତି ଗୋଟିଏ ଓରମାନ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ରାଳବ ଗ୍ରାମର ଯାତ୍ରା ଅଭିନେତା ବିମ୍ବାଧର ଗୌଡ଼ଙ୍କୁ କବଳିତ କରିଥିଲା।
ଚିନ୍ମୟ ହୋତା
ସବୁ ଅଭିନେତାଙ୍କ ମନରେ ଉଙ୍କି ମାରୁଥାଏ ଗୋଟିଏ ଅଭିଳାଷ: ନିଜର ଅଭିନୟଟି କେମିତି ଜୀବନ୍ତ ହେବ, ଦର୍ଶକ ଜାଣି ପାରିବେନି ଏଇଟା ଅଭିନୟ ନା ବାସ୍ତବ ଜୀବନର ଏକ ଦୃଶ୍ୟ। ବୋଧେ ଏମିତି ଗୋଟିଏ ଓରମାନ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ରାଳବ ଗ୍ରାମର ଯାତ୍ରା ଅଭିନେତା ବିମ୍ବାଧର ଗୌଡ଼ଙ୍କୁ କବଳିତ କରିଥିଲା। ‘ରାମାୟଣ’ ନାଟକରେ ଜଣେ ସାଧାରଣ ରାକ୍ଷସ – ରାବଣ ହୋଇଥିଲେ କଥା ଅଲଗା ହୋଇଥାନ୍ତା – ର ଭୂମିକା, ସେଥିରେ ଅଭିନୟର ନିପୁଣତା ଦେଖାଇବାର ଅବସର ବା କେତେ? କିନ୍ତୁ ଗୌଡ଼ ତାଙ୍କ କଳାକୁ ଅବିସ୍ମରଣୀୟ କରି ତୋଳିବାକୁ ଏମିତି ‘ଜୀବନ୍ତ ଅଭିନୟ’ କରି ପକାଇଲେ ଯେ ତାହା ସାରା ଦେଶରେ ଗୁଞ୍ଜରଣ ସୃଷ୍ଟି କରି ଦେଲା।
ଅଭିନୟଟି ଥିଲା ଏହିପରି। ଗୋଟିଏ ଘୁଷୁରିକୁ ପେଣ୍ଡାଲର ଊର୍ଦ୍ଧ୍ୱ ଦେଶରୁ ଦଉଡ଼ିରେ ବାନ୍ଧି ତଳକୁ ଝୁଲାଇ ଦିଆଗଲା। ତଳେ ଥିଲେ ରାକ୍ଷସ ଅଭିନୟରେ ଅବତ୍ତୀର୍ଣ୍ଣ ହୋଇଥିବା ଗୌଡ଼, ହାତରେ ଗୋଟିଏ ତୀକ୍ଷ୍ଣ ଛୁରୀକା ସହତ। ନାଚକୁଦ ଓ ଅଟ୍ଟହାସ୍ୟ ଭିତରେ ସେ ଆରମ୍ଭ କରିଦେଲେ ଛଟପଟ ହେଉଥିବା ନିରୀହ ପଶୁଟି ଉପରେ ଛୁରୀକାଘାତ। ଜୀବନ୍ତ ପଶୁଟିର ଶରୀରକୁ ଗୋଟିଏ ଶକ୍ତ ପ୍ରହାର ପୂର୍ବକ ତା’ ଦେହରୁ ପୁଳାଏ ମାଂସ ବାହାର କରି ଆଣି ଗୌଡ଼ ନିଜ ପାଟିରେ ପୁରାଇ ଚୋବେଇବାକୁ ଆରମ୍ଭ କରିଦେଲେ। ଏ ସବୁ ଘଟି ଚାଲିଥାଏ ବିଚରା ପଶୁଟି ଅସହାୟ ଅବସ୍ଥାରେ ଝୁଲି ରହି ନିଜର ଶେଷ ନିଃଶ୍ୱାସ ତ୍ୟାଗ କରୁଥିବା ବେଳେ। ଚରିତ୍ରର ଅଟ୍ଟହାସ୍ୟ, ଉଚ୍ଚାଟଭରା ଯାତ୍ରା ସଂଗୀତ ଓ ଦର୍ଶକମାନଙ୍କର ହର୍ଷୋଲ୍ଲାସଭରା ଚିତ୍କାର ଫେଣ୍ଟାଫେଣ୍ଟି ହୋଇ ସତେ ଯେମିତି ଅର୍ଦ୍ଧ ମୃତ ପ୍ରାଣୀଟିର ବିକଳ ଚିତ୍କାରକୁ ଉପହାସ କରୁଥିଲେ।
ସେ ଦିନ ସନ୍ଧ୍ୟାର ମୃତ୍ୟୁ ଯଜ୍ଞ ଏହି ଲୋମହର୍ଷଣକାରୀ ପର୍ବ ପରେ ସମାପିତ ହୋଇଥାନ୍ତା ଭଲା! ନା! ଗୌଡ଼ଙ୍କର ପ୍ରଦର୍ଶନର ସଫଳତାରେ ଉତ୍ସାହିତ ହୋଇ ଅନ୍ୟ ଅଭିନେତାମାନେ ପରେ ଜୀବନ୍ତ କୁକୁଡ଼ା ଭକ୍ଷଣ ଓ ବିଷଧର ସର୍ପ ସହ ଲଢ଼େଇ ମଧ୍ୟ ପ୍ରଦର୍ଶିତ କରିଥିଲେ। ସାରା ରାତିଟି ଯେମିତି ଅସହାୟ ପଶୁଙ୍କୁ ହତ୍ୟା ଓ ବର୍ବରତା ପ୍ରଦର୍ଶନ ପାଇଁ ଉତ୍ସର୍ଗୀକୃତ ହୋଇ ସାରିଥିଲା। ପରେ ବିଧାନସଭାରେ ପ୍ରସଙ୍ଗଟି ଚର୍ଚ୍ଚା ଭିତରକୁ ଆସିଲା ତଥା ଅଭିନେତା ଓ ଆୟୋଜକଙ୍କୁ ଗିରଫ ମଧ୍ୟ କରାଗଲା।
ମଣିଷ ଜାତି ପାଇଁ ରକ୍ତ-ରଂଜିତ ମନୋରଞ୍ଜନ କିଛି ନୂଆ କଥା ନୁହେଁ। ପୁରାତନ ରୋମ୍ ସଭ୍ୟତାରେ ନଗର ବାସୀଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଦୁଇ ଗ୍ଲାଡିଏଟର୍ଙ୍କ ମଧ୍ୟରେ ଏମିତି ଲଢ଼େଇର ଆୟୋଜନ କରାଯାଉଥିଲା, ଯାହାର ଶେଷରେ ଦୁଇ ପ୍ରତିଯୋଗୀ ଭିତରୁ ଜଣେ ମରିବ ହିଁ ମରିବ। ପରାଜିତ ଯୋଦ୍ଧାକୁ ବିଜୟୀ ହତ୍ୟା କରିବ, ସମ୍ରାଟ ଓ ଦର୍ଶକଙ୍କ ଚିତ୍ତ ବିନୋଦନ ପାଇଁ। ବେଳେବେଳେ ରୋମ୍ର କୋଲସିଅମ୍ରେ ଏହି ଲଢ଼େଇ ଜଣେ ମଣିଷ ଓ ସିଂହ ଭଳି ହିଂସ୍ର ଜନ୍ତୁ ଭିତରେ ଆୟୋଜିତ କରାଯାଉଥିଲା ଏବଂ ଏଥିରେ ମଧ୍ୟ ଜଣେ ତା’ର ପ୍ରତିଦ୍ୱନ୍ଦ୍ୱୀକୁ ମାରିପାରିଲେ ଯାଇ ନିଜେ ବଞ୍ଚି ରହୁଥିଲା। ରୋମ୍ର ନାଗରିକମାନେ ଏହି ମୃତ୍ୟୁର ଲଢ଼େଇ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଥିଲେ। ହୁଏତ ସେଇଥି ପାଇଁ ରୋମ୍ର ପ୍ରସିଦ୍ଧ ସମ୍ରାଟ ଜୁଲିଅସ ସିଜର୍ ତାଙ୍କ ପିତାଙ୍କ ମୃତ୍ୟୁରେ ଶୋକ ମନେଇବା ପାଇଁ ୩୨୦ଟି ଏମିତି ଗ୍ଲାଡିଏଟର୍ ଲଢ଼େଇର ବ୍ୟବସ୍ଥା କରିଥିଲେ। ଗ୍ଲାଡିଏଟର୍ମାନେ ସାଧାରଣତଃ କ୍ରୀତଦାସ କିମ୍ବା ପରାଜିତ ସୈନିକମାନଙ୍କ ଭିତରୁ ବଛା ହେଉଥିଲେ ଓ ଏହି ଶ୍ରେଣୀର ବ୍ୟକ୍ତିମାନଙ୍କୁ ରୋମ୍ବାସୀ ମାନବେତର ପ୍ରାଣୀ ହିସାବରେ ଗଣୁଥିଲେ। ଆଉ ପଶୁ ପକ୍ଷୀଙ୍କ କଥାକୁ ପଚାରେ ବା କିଏ?
ମନୋରଞ୍ଜନ ସହିତ ବର୍ବରତାର ସେହି ସମ୍ପର୍କ କାଳକାଳକୁ ସଂପ୍ରସାରିତ ହୋଇ ଆସିଛି। ଆଜିକାଲି ଚଳଚ୍ଚିତ୍ରର ଆଦ୍ୟ ଭାଗରେ ଗୋଟିଏ ଘୋଷଣା ଦେଖିବାକୁ ମିଳେ ଯେ ସେହି ଚଳଚ୍ଚିତ୍ରଟିର ପ୍ରସ୍ତୁତି ବେଳେ ପଶୁପକ୍ଷୀମାନଙ୍କର କିଛି କ୍ଷତି କରାଯାଇ ନାହିଁ। ଏହି ଘୋଷଣାନାମାର ପୃଷ୍ଠଭୂମିରେ ରହିଛି ଅତୀତରେ ସିନେମା ନିର୍ମାଣ ସମୟରେ ପଶୁପକ୍ଷୀଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ବର୍ବରତା। ଦୃଶ୍ୟକୁ ବାସ୍ତବଧର୍ମୀ କରିବା ପାଇଁ ପୂର୍ବେ ବିନା ଦ୍ବିଧାରେ ପଶୁପକ୍ଷୀଙ୍କୁ ବଧ କରୁଥିଲେ ନିର୍ଦ୍ଦେଶକମାନେ। ହଲିଉଡ୍ର ନାମଜାଦା ନିର୍ଦ୍ଦେଶକ ଫ୍ରାନସିସ୍ ଫୋର୍ଡ କପୋଲା ତାଙ୍କର ସୁନାମଧନ୍ୟ ‘ଗଡ୍ଫାଦର୍’ ଚଳଚ୍ଚିତ୍ରରେ ଗୋଟିଏ ଘୋଡ଼ାର ବେକ କାଟି ତା’ର କଟା ମୁଣ୍ଡ ସିନେମାଟିରେ ଦେଖାଇଥିଲେ। ସେମିତି ତାଙ୍କର ପ୍ରସିଦ୍ଧ ଚିତ୍ର ‘ଆପକାଲିପ୍ସ ନାଓ’ରେ ଗୋଟିଏ ଜୀବନ୍ତ ମଇଁଷିକୁ ବଳି ଦେବାର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ସେମିତି ଭାରତୀୟ ସିନେମାରେ ମଧ୍ୟ ପଶୁ ବଧ ଓ ନିଷ୍ଠୁରତାର ତାଲିକା ଖୁବ୍ ଲମ୍ବା।
ପଶୁ ଏପରିକି ମଣିଷଙ୍କ ପ୍ରତି ମଣିଷର ନୃଶଂସତା ଗୋଟିଏ ପଟେ ସମାଜର ସାମୂହିକ ବିବେକକୁ ଦଂଶନ କରୁଛି, ଅଥଚ ସେହି ସମାଜ ଦୈନିକ ରାସ୍ତା କଡ଼ରେ ହଜାରହଜାର ଛେଳି ଓ କୁକୁଡ଼ାଙ୍କ ନିର୍ମମ ହତ୍ୟାକୁ ଅଣଦେଖା କରି ଆଗେଇ ଯାଉଛି। ସେହି ଭଦ୍ର ମଣିଷ ପୁଣି ‘ଛାଡ଼ଖାଇ’ ପାଳିବା ନାଁରେ କଟା ହୋଇଥିବା ପଶୁଟିର ପସନ୍ଦଯୋଗ୍ୟ ଅଂଶଟି ହାତେଇବା ପାଇଁ ଭିଡ଼ରେ ଲଢ଼େଇ କରୁଛି। ସେହି ମାନବ ସମାଜ ପୁଣି କିଛି ନା କିଛି ଆଳ ଦେଖାଇ ପଶୁବଳି ପ୍ରଥାକୁ ଅବ୍ୟାହତ ରଖିଛି। ୟା’ଠୁ ବଳି କପଟତା ଆଉ କ’ଣ ଥାଇପାରେ?
ହୁଏତ ଏହି ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ କୌଣସି ବାଟ ନ ପାଇ ମଣିଷ ହତ୍ୟା ଓ ବର୍ବରତାକୁ ଈଶ୍ୱରଙ୍କ ହାତର କଥା ବୋଲି ଘୋଷଣା କରୁଛି ଓ ନିଜକୁ ଦୋଷମୁକ୍ତ କରୁଛି। ଯେମିତି ପ୍ରସିଦ୍ଧ ନାଟ୍ୟକାର ସେକ୍ସପିଅର୍ ଥରେ ଲେଖିଥିଲେ, ‘ଚଗଲା ପିଲାଙ୍କ ହାତରେ କୀଟ ପତଙ୍ଗ ଭଳି ଈଶ୍ୱରଙ୍କ ହାତରେ ମଣିଷ। ସେମାନେ ଆମକୁ ବଧ କରନ୍ତି ତାଙ୍କର ମଉଜ ପାଇଁ ଯାହା।’ (କିଙ୍ଗ ଲିଅର)। ପୁଣି ପ୍ରସିଦ୍ଧ ଦାର୍ଶନିକ ଆରିଷ୍ଟୋଟଲ୍ଙ୍କ ମତକୁ ଉଦ୍ଧାର କରି ମଣିଷ ହୁଏତ ଯୁକ୍ତି ବାଢ଼ିବ ଯେ ନାଟକରେ ହତ୍ୟା ଓ ଅନ୍ୟାନ୍ୟ ବର୍ବରତା ପ୍ରଦର୍ଶନ ମଣିଷ ମନରେ ଜମାଟ ବାନ୍ଧି ରହିଥିବା ନକାରାତ୍ମକ ଆବେଗଗୁଡ଼ିକର ଶୁଦ୍ଧୀକରଣର ଏକ ଅମୋଘ ଅସ୍ତ୍ର (କଥାରସିସ୍) ବୋଲି।
ରାଳବ ଗ୍ରାମର ସେ ସନ୍ଧ୍ୟାର ଲୋମଟାଙ୍କୁରା ଅଭିନୟର କଥା ବି ଅଚିରେ ଲୁଚି ଯିବ ଏମିତି କିଛି କାବ୍ୟିକ ଓ ଦାର୍ଶନିକ ଯୁକ୍ତିର କୋଳାହଳ ଭିତରେ!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫
ସୌଜନ୍ୟ-ସମ୍ୱାଦ
Comments are closed.