Breaking News

ଚିନ୍ମୟ ଚେତନା: ଏକ ମଶାର ମୃତ୍ୟୁରେ

ଏବେ ୟୁକ୍ରେନ ଯୁଦ୍ଧର ତାଣ୍ଡବ ଲୀଳା ଓ ଗାଜାରେ ନର ସଂହାର ଜାରି ରହିଥିବା ବେଳେ ଗତ କାଲି ରାତିରେ ଗୋଟିଏ କୀଟ ସହିତ ମୋର ରକ୍ତାକ୍ତ ଲଢ଼େଇଟି, ମୋ ମନକୁ ଅନେକ ସମୟ ଧରି ଆନ୍ଦୋଳିତ କରି ରଖିଥିଲା।

ଚିନ୍ମୟ ହୋତା

ଏବେ ୟୁକ୍ରେନ ଯୁଦ୍ଧର ତାଣ୍ଡବ ଲୀଳା ଓ ଗାଜାରେ ନର ସଂହାର ଜାରି ରହିଥିବା ବେଳେ ଗତ କାଲି ରାତିରେ ଗୋଟିଏ କୀଟ ସହିତ ମୋର ରକ୍ତାକ୍ତ ଲଢ଼େଇଟି, ମୋ ମନକୁ ଅନେକ ସମୟ ଧରି ଆନ୍ଦୋଳିତ କରି ରଖିଥିଲା। ରଣଭୂମି ଥିଲା ମୋର ମଶାରିର ପରିସୀମା ଓ କୀଟଟି ଥିଲା ଏକ ମଶା। ଘଟଣାଟି ଏଠି ଉତ୍‌ଥାପନ କରିବା ହୁଏତ ନିରର୍ଥକ ଓ ବୃଥାଳାପ ଭଳି ଲାଗିପାରେ, ହେଲେ ଏହି ଲଢ଼େଇ ସହ ସଂଶ୍ଳିଷ୍ଟ ମରମ କଥା ଓ ବ୍ୟଥା; ଘୃଣା ଭାବ, ହିଂସ୍ରତା ଓ ଅହଂକାର; ପୁଣି ବିବେକ ଦଂଶନ ଓ ଅନୁଶୋଚନାଗୁଡ଼ିକ ଜାଣିଲେ ଆପଣ ଅନୁଭବ କରିବେ ଯେ ମୋର ଯୁଦ୍ଧ କ୍ଷୁଦ୍ର ହେଲେ ମଧ୍ୟ ପୃଥିବୀର ଅନ୍ୟ ଯୁଦ୍ଧଗୁଡ଼ିକ ଠାରୁ କିଛି ଗୁଣରେ ଅଲଗା ନ ଥିଲା।
ପ୍ରଥମରୁ କହି ରଖିଛି ଆବଦ୍ଧ ମଶାରି ଥିଲା ମୋର ସମର ଭୂଇଁ। କିନ୍ତୁ ସେହି ଉଦ୍ଦେଶ୍ୟ ରଖି ମୁଁ ଏହି କ୍ଷେତ୍ରଟି ପ୍ରସ୍ତୁତ କରି ନ ଥିଲି। ମୋର ଅଭିପ୍ରାୟ ଥିଲା ଏହାକୁ ଶାନ୍ତିର ଏକ ଭୂମିରେ ପରିଣତ କରିବା । ମଶାରିର ଅଭ୍ୟନ୍ତର ମୋ ପାଇଁ ଦୈନିକ ସାତ ଆଠ ଘଣ୍ଟା ପାଇଁ ହୋଇ ଉଠୁଥିଲା ସ୍ୱସ୍ତି, ସ୍ବାଚ୍ଛନ୍ଦ୍ୟ ଓ ପ୍ରଶାନ୍ତିର ଏକ ପବିତ୍ର ପରିସର। ଜାତୀୟ ପତାକାର ଶୁଭ୍ର ରଙ୍ଗ ଶାନ୍ତିର ପ୍ରତିନିଧିତ୍ବ କଲା ଭଳି ମୋର ଧଳା ରଙ୍ଗର ମଶାରି ଶାନ୍ତିର ଅନେକ ଦିଗକୁ ପ୍ରତିଫଳିତ କରୁଥିଲା।
ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଥିଲା ମୋ ମଶାରିର ପ୍ରଥମ ସନ୍ଦେଶ। ମଶାମାନେ ଏହାର ବାହ୍ୟ ସୀମାନ୍ତରେ ମୋ ଉପରେ ତୃଷାର୍ତ୍ତ ଦୃଷ୍ଟିରେ ଚାହିଁ ଉଡ଼ି ବୁଲୁଥିଲେ ସିନା, ହେଲେ ସେମାନେ ଥିଲେ ନାଚାର। ପ୍ରାଣାନ୍ତକ ହୋଇ ସେମାନେ ଭିତରକୁ ଅନୁପ୍ରବେଶ କରିବାର ବାଟ ଓ ଉପାୟମାନ ଖୋଜୁଥିଲେ ମଧ୍ୟ ମୁଁ ମୋର ସୁରକ୍ଷିତ ବ୍ୟବସ୍ଥାରେ ନିଶ୍ଚିନ୍ତ ଥାଇ ଆରାମରେ ବହିଟିଏ ପଢୁଥିଲି। ବହୁ ଚେଷ୍ଟା ପରେ ସେମାନେ ବିଫଳ ମନୋରଥ ହୋଇ ସେ ସ୍ଥାନ ଛାଡ଼ି ପଳାଇ ଗଲେ, ଆଉ ମୁଁ ମୋର ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପରୀକ୍ଷଣରେ ସଫଳକାମ ହେଲି। ମୁଁ ସୁରକ୍ଷିତ ରହିଲି, ଆଉ ସେମାନେ ମଧ୍ୟ ଜୀବନ ଧରି ଫେରିଗଲେ- ଏହା ହିଁ ତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ! ଆଜି ମଶା ନିବାରଣର ମହାସଂଗ୍ରାମରେ ସମସ୍ତଙ୍କର ଗୋଟିଏ ବଦ୍ଧମୂଳ ଧାରଣା ଯେ କେବଳ ମଶାଙ୍କର ଗଣହତ୍ୟା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ। କିନ୍ତୁ ଏହା ଏକ ଭୁଲ୍‌ ଚିନ୍ତାଧାରା।
ପୁଣି ମଶାରି, ଶାନ୍ତିର ଦ୍ୟୋତକ ହୋଇଯାଇଥିଲା ପରୋକ୍ଷ ଭାବରେ। ମୋର ମଶାରିଟି ହିଁ ମଶାମାନଙ୍କ ଦୈନିକ ଅଭିଯାନରେ ପ୍ରତିବନ୍ଧକ ସାଜୁଥିବାରୁ ସେମାନେ ଏହାର ବାହାରେ ଉଡ଼ି ଉଡ଼ି ପ୍ରତିବାଦରେ ନାନା ପ୍ରକାର ସଂଗୀତ ସୃଷ୍ଟି କରୁଥିଲେ। ପ୍ରତିବାଦ ତ ଗଣତନ୍ତ୍ରର ଏକ ନ୍ୟାଯ୍ୟ ବ୍ୟବସ୍ଥା। ପୁଣି କେବଳ ଶାନ୍ତିର ବାତାବରଣ ଭିତରେ ହିଁ ସଂଗୀତ ଓ ସଂସ୍କୃତି ଉତ୍କର୍ଷ ଲାଭ କରେ। ମୁଁ ଯେତେବେଳେ ମଶାରିର ସୁରକ୍ଷା ଭିତରେ ଥାଇ ବାହାରେ ମଶାମାନଙ୍କର ସଙ୍ଗୀତର ମୂର୍ଚ୍ଛନା ଶୁଣେ, ମୋତେ ତାହା ଜୀବନରେ ଶୁଣିଥିବା ସବୁଠୁ ମଧୁର ସଙ୍ଗୀତ ଭଳି ଲାଗେ। ବାସ୍ତବିକ ଅନେକ ଭାବ ଓ ରାଗର ଏକ ମିଶ୍ରଣ ସେ ସଙ୍ଗୀତ। ସେଥିରେ ଥାଏ ଲକ୍ଷ୍ୟ ପ୍ରାପ୍ତି ପାଇଁ ଆନ୍ତରିକତା, ଜୀବନ ସଂଗ୍ରାମର ଲୟ, ସାଧନାର ଝଙ୍କାର, ପୁଣି ହତାଶାର ଦ୍ରୁତ ତାଳ। ଆଉ ଶେଷରେ ସେମାନେ ସେ ସ୍ଥାନ ଛାଡ଼ି ଚାଲି ଯାଉଥିବା ବେଳେ ତାଙ୍କ କୋରସ୍‌ରେ ମୁଁ ପାଏ ସାମୂହିକ କ୍ରୋଧର ଛନ୍ଦ।
ବିଶ୍ୱଶାନ୍ତି ପାଇଁ ଏତେ ମହତ୍ତ୍ୱ ରଖୁଥିବା ସେହି ମଶାରି ଭିତରେ, ମୁଁ ସବୁ ଦିନ ପରି ଗତ କାଲି ମଧ୍ୟ ନିଜ ଦୁର୍ଗରେ ସୁରକ୍ଷତ ରହିବା ଭଳି ଅନୁଭବ କରୁଥିଲି। ଆଉ ସବୁଦିନ ପରି ମଶାଟିଏର ମଧୁର ମୂର୍ଚ୍ଛନା ଶୁଣି ମୁଁ ଭାବିଥିଲି ଯେ ଆସନ୍ନ ରାତ୍ରିଭୋଜନର ଆହ୍ଲାଦରେ ଏହା ଥିଲା ତା’ର ଆବାହନୀ ସଙ୍ଗୀତ। ଧୀରେ ଧୀରେ କିନ୍ତୁ ରାଗିଣୀଟି ଏକ ରଣଭେରୀରେ ପରିବର୍ତ୍ତିତ ହୋଇଗଲା। ହଠାତ୍‌ ଏ ତାଳ ଭଙ୍ଗର କାରଣ ଜାଣିବା ପାଇଁ ମୁଁ ଆଖି ଖୋଲି ଯାହା ଦେଖିଲି ତାହା ମୋତେ ଚକିତ କରିଦେଲା- ମଶାଟି ବାହାରେ ନୁହେଁ ମଶାରି ଭିତରେ ଉଡୁଥିଲା ଓ ଏତେ ଦିନର ସ୍ତୁପୀକୃତ ହତାଶାବୋଧର ପ୍ରତିଶୋଧ ନେବା ଭଳି ମୋ କାନ ପାଖରେ ସମର ସଙ୍ଗୀତ ସୃଷ୍ଟି କରୁଥିଲା। ମୋର ଅଭେଦ୍ୟ ଦୁର୍ଗ ଭେଦ କରି ଏ ଟ୍ରୋଜାନ ଘୋଡ଼ା ଭିତରେ କିପରି ପଶିଲା? ହେଲେ ଏହାର କାରଣ ଖୋଜିବା ଥିଲା ସମୟ ସାପେକ୍ଷ ଓ ସମୟ ମୋ ପାଖରେ ନ ଥିଲା। ତେଣୁ ମଶାରି ଟେକି କିଛି ସମୟ ‘ହାତ୍, ହାତ୍’ ଶବ୍ଦ କରି ଶତ୍ରୁଟିକୁ ଘଉଡ଼ାଇ ଦେବାକୁ ଚେଷ୍ଟା କଲି। ଶେଷରେ ମୋବାଇଲର ଆଲୋକ ଯଥେଷ୍ଟ ନ ହେବାରୁ ମୁଖ୍ୟ ଲାଇଟ ଜଳାଇ ମୋର ପ୍ରଚେଷ୍ଟା ଜାରି ରଖିଲି।
ମଶାଟି କିନ୍ତୁ ମୋର ଧୈର୍ଯ୍ୟର ପରୀକ୍ଷା ନେଉଥିଲା ଯେମିତି! କିଛି ସମୟ ନିରବ ରହି ମୋ ମନରେ ମିଥ୍ୟା ଆଶା ଜଗାଇ, ସେ ପୁଣି ଆରମ୍ଭ କରୁଥିଲା ତା’ର ସଙ୍ଗୀତ। ଏମିତି ଦୁଇ ଚାରି ଥର ଲାଇଟ ଜଳେଇବା, ମଶାରି ଟେକିବା, ପୁଣି ସଜାଡ଼ିବା ଫଳରେ ମୁଁ ଥକି ପଡ଼ିଲି। ଶତ୍ରୁକୁ ଏମିତି ଢଙ୍ଗରେ ଚକମା ଦେଇ ଧୈର୍ଯ୍ୟହରା କରାଇବା ତ ଗରିଲା ଯୁଦ୍ଧର ଏକ ସଫଳ କୌଶଳ।
ଶେଷରେ ମୋର ହିଁ ଧୈର୍ଯ୍ୟଚ୍ୟୁତି ଘଟିଥିଲା। ରାତ୍ରିର ଗଭୀରତା ଓ ନିଦ୍ରାର ପ୍ରାବଲ୍ୟ ଭିତରେ ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମୋର ପ୍ରବଣତା ହୋଇଗଲା ବାଟବଣା। ମୁଁ ହିଂସା ମାର୍ଗକୁ ଓହ୍ଲାଇ ଯିବାକୁ ବାଧ୍ୟ ହୋଇଗଲି। ଏହି ମାର୍ଗଟି ମଧ୍ୟ ସହଜ ନ ଥିଲା, ହେଲେ ଅନେକ ବିଫଳତା ପରେ ଉତ୍ସାହୀ ମଶାଟି ମୋର ଦୁଇ କ୍ରୁଦ୍ଧ ପାପୁଲି ଭିତରେ ତା’ର ରକ୍ତାକ୍ତ ସମାଧି ଲଭିଥିଲା। ମଶାଟିର କର୍ଦ୍ଦମାକ୍ତ ଶରୀରାବଶେଷକୁ ନିଜ ପାପୁଲିରେ ଦେଖି ମୁଁ ଅନୁଶୋଚନାରେ ଭରିଗଲି। ହୁଏତ କଳିଙ୍ଗର ରକ୍ତାକ୍ତ ରଣକ୍ଷେତ୍ର ଦେଖି ସମ୍ରାଟ ଅଶୋକଙ୍କ ମନ ଦିନେ ଏମିତି ଅନୁତପ୍ତ ହୋଇଥିଲା। ଅବଶିଷ୍ଟ ରାତିରେ ମୁଁ ଆଉ ଶୋଇପାରି ନ ଥିଲି।
ସକାଳର ଆଲୋକରେ ନିଜକୁ ପ୍ରଶ୍ନ କରୁଥିଲି, ‘‘ଏ ଯୁଦ୍ଧରେ ସିନା ମୁଁ ବିଜୟୀ ହେଲି, କିନ୍ତୁ ଏଥିରେ ମୁଁ ହରାଇଲି କ’ଣ, ଆଉ ପାଇଲି ବା କ’ଣ?’’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.