Breaking News

ଚିନ୍ମୟ ଚେତନା: ତୋରାଣି ଛଣା ନିଶ

ସେହି ବନ୍ଧୁଙ୍କ ସହ ଦେଖା ହେବ ଅଥଚ ତାଙ୍କ ନିଶ ପ୍ରସଙ୍ଗଟି ଆଲୋଚନାର ପରିସରକୁ ଆସିବନି: ଏମିତି ତ ହେବାର ନୁହେଁ। ବନ୍ଧୁ ତାଙ୍କର ନିଶକୁ ଏତେ ଯତ୍ନର ସହ ପ୍ରତିପାଳନ କରିଛନ୍ତି ଯେ ତାହା ସବୁ କିସମର ଦର୍ଶକଙ୍କ ପାଇଁ ଏକ ଆକର୍ଷଣୀୟ...

ଚିନ୍ମୟ ହୋତା

ସେହି ବନ୍ଧୁଙ୍କ ସହ ଦେଖା ହେବ ଅଥଚ ତାଙ୍କ ନିଶ ପ୍ରସଙ୍ଗଟି ଆଲୋଚନାର ପରିସରକୁ ଆସିବନି: ଏମିତି ତ ହେବାର ନୁହେଁ। ବନ୍ଧୁ ତାଙ୍କର ନିଶକୁ ଏତେ ଯତ୍ନର ସହ ପ୍ରତିପାଳନ କରିଛନ୍ତି ଯେ ତାହା ସବୁ କିସମର ଦର୍ଶକଙ୍କ ପାଇଁ ଏକ ଆକର୍ଷଣୀୟ ବସ୍ତୁ ହୋଇଯାଏ ଅବିଳମ୍ବେ। ଟ୍ରୟର ରାଣୀ ହେଲେନଙ୍କ ସୁନ୍ଦର ମୁହଁ ହଜାରେ ରଣତରୀ ମେଲି ଦେବାର କାରଣ ହେଲା ଭଳି ବନ୍ଧୁଙ୍କର ବହଳ ଘନ କୃଷ୍ଣ ନିଶ ଅସୁମାରି କୌତୂହଳପୂର୍ଣ୍ଣ ଜିଜ୍ଞାସାର କାରଣ ହୋଇଯାଏ। ସାହିତ୍ୟିକ ଦାଶ ବେନହୁର ଦାଢ଼ି ବିଷୟରେ ଥରେ ଲେଖିଥିଲେ, ‘‘ଇୟେ ହେଲା ମରଦଙ୍କ ଫସଲ। ଇଚ୍ଛା ହେଲା ତ ଅମଳ କର। ଇଚ୍ଛା ନ ହେଲା ତ, ସେଇମିତି କ୍ଷେତରେ ପଡ଼ିଥାଉ।’’ (‘ଅଙ୍କା ବଙ୍କା ନଈ’)। ଆମର ଦୀର୍ଘ କାଳର ବନ୍ଧୁତା ଭିତରେ କିନ୍ତୁ ଆମ ବନ୍ଧୁ ତାଙ୍କ ନିଶକୁ ଅମଳ କରିବାର କେବେ ବି ଦେଖି ନାହୁଁ। ସବୁବେଳେ ଛନଛନିଆ ଫସଲ କ୍ଷେତରେ ମହଜୁଦ।
ନିକଟରେ ବନ୍ଧୁଙ୍କ ସହ ଦେଖା ହେବାର ଅଳ୍ପ ସମୟ ପରେ ତାଙ୍କର ଯୁଗାନ୍ତକାରୀ ନିଶ ଦୁଇ ପଟ ପୁଣି ଆମ ବାର୍ତ୍ତାଳାପର କେନ୍ଦ୍ରବିନ୍ଦୁ ହୋଇବସିଲେ। ସାଙ୍ଗରେ ଥିବା ଆଉ ଜଣେ ବନ୍ଧୁ ମୋ ଉଦ୍ଦେଶ୍ୟରେ କହିଲେ, ‘‘ଲେଖାଲେଖି କରୁଛ, କହିଲ ଏହି ନିଶର କିଛି ସ୍ୱତନ୍ତ୍ର ନାମ ଅଛି କି ନାହିଁ?’’ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଆଜିକାଲି ସ୍ମୃତି ଶକ୍ତି ସବୁବେଳେ ନିଜ ସାଥିରେ ଲୁଚକାଳି ଖେଳୁଛି। ତେଣୁ ଆଗରୁ ଜିଭ ଅଗରେ ଥିବା କଥାଗୁଡ଼ିକ ଆଉ ମନେ ପଡୁନାହାନ୍ତି, ବିଶେଷ କରି ନାଁ ସବୁ। ତଥାପି ବନ୍ଧୁଙ୍କର ପ୍ରଶ୍ନର ଉତ୍ତରଟା କେମିତି ତତ୍‌କ୍ଷଣାତ୍ ମନକୁ ଆସିଗଲା: ୱାଲରସ୍‌। ତାଜା ସ୍ମୃତି ଶକ୍ତି ପାଇଁ ନିଜକୁ ନିରବରେ ସାବାସି ଜଣାଇ କହି ପକାଇଲି, ‘‘ୱାଲରସ୍‌ ନିଶ।’’ ସାମୁଦ୍ରିକ ପ୍ରାଣୀ ୱାଲରସ୍‌ର ମୁହଁ ଉପରେ ଏମିତି ନିଶ ଭଳି କିଛି କେଶ ତଳକୁ ଝୁଲିଥାଏ ଓ ସେହି ପ୍ରାଣୀଟି ଭଳି ଦିଶୁଥିବା ମଣିଷର ଗହଳ ନିଶ ଯଦି ମୁହଁର କିଛି ଅଂଶକୁ ଘୋଡାଇ ରଖିଥାଏ ସେହି ନିଶର ଶୈଳୀକୁ ପ୍ରାଣୀଟିର ନାମରେ ନାମିତ କରା ଯାଇଥାଏ। ଆମର ସେହି ନିଶ ମାଲିକ ବନ୍ଧୁ ବି ମୋ କଥାରେ ସମ୍ମତି ଜଣାଇ କହିଲେ, ‘‘ଝିଅ ବି କହେ ମୋର ସେହି ୱାଲରସ୍‌ ନିଶ ବୋଲି।’’
କଥା କିନ୍ତୁ ସେଇଠି ସରିଲା ନାହିଁ। ନିଶଟିର ନାଁ ପଚାରିଥିବା ବନ୍ଧୁ ପୁଣି କହିଲେ, ‘‘ଓଡ଼ିଆରେ ଲେଖାଲେଖି କରୁଛ ଯେତେବେଳେ ନିଶର ଓଡ଼ିଆ ନାମଟା କହିଥାନ୍ତ ନା!’’ ତାଙ୍କ କଥା ଯୁକ୍ତିଯୁକ୍ତ ଥିଲା। ଜଣେ ଲେଖାଲେଖି କରୁ ବା ନ କରୁ ଓଡ଼ିଆ ନାଁଟା ଭୁଲିଯାଇ ଇଂରେଜୀ ନଁାଟା କହିଦେଇ ଖସିଯିବା କିଛି ବାହାଦୁରିର କାମ ନୁହେଁ। ଓଡ଼ିଆ ହିସାବରେ ଓଡ଼ିଆ ନାଁ ଓ ପ୍ରୟୋଗଗୁଡ଼ିକ ମନେ ରଖିବା ସମସ୍ତଙ୍କର ଦାୟିତ୍ୱ। ତେବେ ଯାଇ ଅବକ୍ଷୟମାନ ଆମ ଭାଷା ବଞ୍ଚି ରହିବ ଓ ସମୃଦ୍ଧ ହେବ। ଏବେ ମୋର ଆତ୍ମସମର୍ପଣ କରିବାର ସମୟ। ଏ ନିଶର ଓଡ଼ିଆ ନାଁଟି ମୋର ଜମା ମନେ ପଡ଼ିଲା ନାହିଁ, ଯଦିଓ ସେ ବିଷୟରେ କେଉଁଠି ପଢ଼ିଥିବା କଥା ମନକୁ ଘାଣ୍ଟି ପକାଇଲା। ପଚାରିଥିବା ବନ୍ଧୁଙ୍କୁ କହିଲି, ‘‘ତୁମେ ଜାଣିଛ ଯଦି କୁହ।’’
ବନ୍ଧୁ କହିଲେ ‘‘ଇଏ ପରା ‘ତୋରାଣି ଛଣା ନିଶ’।’’ ନଁା‌ଟା ସମସ୍ତଙ୍କର ମନକୁ ପାଇଲା। ବନ୍ଧୁ ବୁଝାଉଥିଲେ, “ଏମିତି ନିଶ ଥିଲେ ତୋରାଣି ପିଇଲେ ତାହା ଛାଣି ହୋଇ ଯାଉଥିବ।’’ ମନକୁ ମନ କହିଲି ଆମ ଭାଷାର କି ସୁନ୍ଦର ଓ ଅଭିନବ ପ୍ରୟୋଗ! ଏହା କେବଳ ଗୋଟିଏ ଜିନିଷକୁ ଚିହ୍ନାଇ ଦେଉନି, ତା’ ସାଙ୍ଗରେ ମନରେ ଟିକେ ଚଟୁଳତା ବି ଭରି ଦେଉଛି। ସବୁଠୁ ବଡ଼ କଥା ହେଲା ଏହି ମଜାଦାର ନାମଟି ନିଶର ସ୍ୱତନ୍ତ୍ର ଉପଯୋଗିତା ବି ଦର୍ଶାଇ ଦେଉଛି। ସତେ ଯେମିତି ଆମ ଦେହରେ ଖଞ୍ଜା ଫିଲ୍‌ଟରଟିଏ ତୋରାଣିରୁ ସବୁ କଠିନ ଓ ଅଦରକାରୀ ଜିନିଷକୁ ଛାଣି କେବଳ ନିରୁତା ତୋରାଣିକୁ ପାଟିକୁ ଛାଡୁଛି। ବିଜ୍ଞାନ ବି ଯେମିତି ହାର ମାନିବ ଏହି ବ୍ୟବସ୍ଥା ଆଗରେ।
ଆମ ଭାଷାରେ ଜିନିଷ ପତ୍ରର ନାମ ଦେବା ପାଇଁ କେତେ ଯେ ଏମିତି ସର୍ଜନାତ୍ମକ ଶବ୍ଦ ସବୁର ସୃଷ୍ଟି କରାଯାଉଥିଲା ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କେବଳ ନିଶର କିସମ କିସମର ନାଁ କଥା ଭାବନ୍ତୁ ତ! ପ୍ରଜାପତିଆ ନିଶ, ଠିଆ ଠିଆ ନିଶ, ଗୁଜୁରା ଗୁଜୁରା ନିଶ (ଗୋପୀନାଥ ମହାନ୍ତି), ଓହଳ ନିଶ (ଚନ୍ଦ୍ରଶେଖର ରଥ), ମାଗୁରା ନିଶ, ବାଘୁଆ ନିଶ, ଆହୁରି କେତେ ସବୁ ରଙ୍ଗ ରଙ୍ଗିଆ ନାଁ। କଥାକାର ବସନ୍ତ ଶତପଥୀ ତ ତାଙ୍କର ଅଦମ୍ୟ ଉତ୍ସାହରେ ଜୁଆଳିଆ ନିଶ, ପେଜଖିଆ ନିଶ, ଗାରେ ନିଶ ଓ ତୃତୀୟ ବନ୍ଧନୀ ନିଶ ଇତ୍ୟାଦି ନାଁରେ ନିଶର ବର୍ଣ୍ଣନା କରିଛନ୍ତି। ପୁଣି ଆମ ଭାଷାରେ ତ ନିଶକୁ ନେଇ ‘ହାତ ଅଳସେ ନିଶ ବଙ୍କା’, ‘ଛତୁ ଉଠା କାଠ, ନିଶ ଉଠା ପାଠ’ ଭଳି ସୁନ୍ଦର ଢଗଢମାଳି ସବୁ ରହିଛି!
ହେଲେ ଆଜି କିଛି ଇଂରେଜୀ ତଥା ହିନ୍ଦୀ ଶବ୍ଦ ଓ ଉଚ୍ଚାରଣକୁ ଓଡ଼ିଆରେ ସିଧା ଆମଦାନି କରିବାର ପ୍ରଚେଷ୍ଟାରେ ଆମେ କିମ୍ଭୂତକିମାକାର ଶବ୍ଦ ସବୁ ସୃଷ୍ଟି କରୁଛୁ, ଯେମିତିକି ‘ଠପ୍ ହେଇଗଲା’, ‘ଢେର ସାରା ଭଲ ପାଇବା’ ଇତ୍ୟାଦି। କାମ ତ ଚଳି ଯାଉଛି, ହେଲେ ଓଡ଼ିଆ ଶବ୍ଦର ମାଧୁର୍ଯ୍ୟ ଓ କାରିଗରିକୁ ଆମେ ହରାଇ ବସୁଛୁ। ଏହି ପ୍ରକ୍ରିୟାରେ ଆମ ଭାଷାର କ୍ଷତି ହେଉଛି। ‘‘ମୋର ନିଶ ନାହିଁ, ମୋର ବନମାଳିଆ ଭାଇର ନିଶ ଅଛି’’ ନ୍ୟାୟରେ ଆମେ ସବୁ ଦିନ ଆତ୍ମସନ୍ତୋଷ ଲାଭ କରି ଚାଲିଥିବା କି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.