Breaking News

ଚିନ୍ମୟ ଚେତନା: ବଦଳି ଅନୁଚିନ୍ତା

ନିଜର ମନୋବାଞ୍ଛା ପୂରଣ କରିବା ପାଇଁ କ’ଣ ସବୁ କରି ନ ଥାଏ ମଣିଷ! ଅଭୀଷ୍ଟ ପ୍ରାପ୍ତିର ନିଶା ଘାରିଲେ ମଣିଷ ଉଦ୍ଭଟ ଓ ଏମିତିକି ଜଘନ୍ୟ ଉପାୟ ସବୁ ଆପଣେଇଥାଏ। ନିଜର ବଦଳି ପାଇଁ ନିକଟରେ ଆମ ରାଜ୍ୟର ଜଣେ ଅଧ୍ୟକ୍ଷ...

ନିଜର ମନୋବାଞ୍ଛା ପୂରଣ କରିବା ପାଇଁ କ’ଣ ସବୁ କରି ନ ଥାଏ ମଣିଷ! ଅଭୀଷ୍ଟ ପ୍ରାପ୍ତିର ନିଶା ଘାରିଲେ ମଣିଷ ଉଦ୍ଭଟ ଓ ଏମିତିକି ଜଘନ୍ୟ ଉପାୟ ସବୁ ଆପଣେଇଥାଏ। ନିଜର ବଦଳି ପାଇଁ ନିକଟରେ ଆମ ରାଜ୍ୟର ଜଣେ ଅଧ୍ୟକ୍ଷ ଗୁଣିଗାରେଡ଼ି ବିଦ୍ୟା ପ୍ରୟୋଗ କରିଥିବା କଥା ଅନେକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ଦିନେ ସକାଳେ ଭଦ୍ରକ ଜିଲ୍ଲାସ୍ଥିତ ସହିଦ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ ବିଦ୍ୟାଳୟ ଗେଟ୍‌ ନିକଟରେ ଏକ ଗାତ ଖୋଳି ସେଥିରେ ଗୁଆ, ପଇସା, ଲେମ୍ବୁ ଓ ଫୁଲ ଆଦି ପୋତୁଥିବାର ଦୃଶ୍ୟ ବିଦ୍ୟାଳୟର ସିସିଟିଭିରେ ବନ୍ଦୀ ହୋଇଥିଲା। ପରେ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ଅଧ୍ୟକ୍ଷ କାଳେ ସେ ସ୍ଥାନରୁ ଅନ୍ୟତ୍ର ବଦଳି ପାଇଁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବା ପରେ ବିକଳ୍ପ ପନ୍ଥା ଖୋଜୁଥିଲେ। ଗୁଣିଗାରେଡ଼ି କଲେ ତାଙ୍କର ବଦଳି ହୋଇଯିବ ବୋଲି ଏକ ୟୁଟ୍ୟୁବ୍‌ ଭିଡିଓ ଦେଖି ସେ ତା’ ଅନୁସାରେ ଏ ସବୁର ବ୍ୟବସ୍ଥା କରିଥିଲେ।
ଆମ ଶିକ୍ଷା ବ୍ୟବସ୍ଥାର ଗୋଟିଏ ବଡ଼ ଲକ୍ଷ୍ୟ ହେଲା ଛାତ୍ରଛାତ୍ରୀମାନଙ୍କ ଠାରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା। ହେଲେ ଏ ଅଧ୍ୟକ୍ଷ ଜଣକ ତାଙ୍କ ବିଦ୍ୟାଳୟ ପରିସର ଭିତରେ ଗୁଣିଗାରେଡ଼ି ମାଧ୍ୟମରେ କି ପ୍ରକାର ବୈଜ୍ଞାନିକ ଭାବନାର ଦୀକ୍ଷା ଦେଉଥିଲେ ତାହା କେବଳ ତାଙ୍କୁ ହିଁ ଜଣା ଥିବ! ସେ ଯାହା ହେଉ, କୁସଂସ୍କାର ବନାମ ହେତୁବାଦ ବିଷୟକ ଆଉ ଏକ ନୂଆ ବିତର୍କ ସୃଷ୍ଟି କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ଚାକିରିସର୍ବସ୍ୱ ପ୍ରାଣୀମାନଙ୍କ ଜୀବନରେ ‘ବଦଳି’ କ’ଣ ମହତ୍ତ୍ୱ ରଖେ, ତା’ ଉପରେ କିଞ୍ଚିତ ଦୃକ୍‌ପାତ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ।
ଜନ୍ମି ଥିବା ମଣିଷ ପାଇଁ ମୃତ୍ୟୁ ଯେମିତି ଧ୍ରୁବ ସତ୍ୟ, ଅଧିକାଂଶ ଚାକିରିଆଙ୍କ କ୍ଷେତ୍ରରେ ବଦଳି ମଧ୍ୟ ସେମିତି। ବଦଳି ନଁା ଶୁଣିଲେ ସବୁ ଚାକିରିଆଙ୍କ ପିଳେହିପାଣି ହୋଇଯାଏ, ଯଦି ଜଣେ ଉପରୋକ୍ତ ଅଧ୍ୟକ୍ଷଙ୍କ ଭଳି ବର୍ତ୍ତମାନର ସ୍ଥାନରେ ଛଟପଟ ହେଉ ନ ଥାଏ। ବଦଳି ଚିଜଟା କର୍ମସଂସ୍ଥାନ ଆରମ୍ଭ ହେବା ବେଳେ ଏ ଦୁନିଆରେ ଜମା ନ ଥିବ। ଭିଟାମାଟିର ମାୟା ଛାଡ଼ି ପୂର୍ବେ କିଏ ବା ଦୂର ସ୍ଥାନ ଯିବା କଥା ଚିନ୍ତା ବି କରିବ? ଚାକିରି ସୃଷ୍ଟି ହେବାର ଅନେକ ପରେ କୋଉ ଜଣେ ଉର୍ବର-ମସ୍ତିଷ୍କ ହଠାତ୍ କର୍ମ ଦକ୍ଷତା ବୃଦ୍ଧି, ଦୁର୍ନୀତି ନିରାକରଣ, ମାନସିକ ଆଳସ୍ୟ ଓ ଉଦାସୀନତା ରୋକିବା ଇତ୍ୟାଦିର ଦ୍ୱାହି ଦେଇ ଏହି ମାରାତ୍ମକ ଜିନିଷଟା ଉଦ୍ଭାବନ କରିଥିବ। ସେହି ଦିନଠୁ ଚାକିରିଆ ମଣିଷଟି ଏହି ‘ବଦଳି’ ନାମକ ଅଭିଶାପର ବୋଝ ବୋହି ଚାଲିଛି।
କିନ୍ତୁ ବଦଳିର ଏହି ଦୀର୍ଘ ଯାତ୍ରା ଭିତରେ ବଦଳି ଯାଇଛି ତା’ର ଅସଲି ସ୍ୱରୂପ। ଉତ୍ପୀଡ଼କ ଉଚ୍ଚ ଅଧିକାରୀ କିମ୍ବା କ୍ଷମତାସୀନ ନେତାଙ୍କ ହାତରେ ବଦଳି ହୋଇଯାଇଛି ଦଣ୍ଡ ବିଧାନ କିମ୍ବା ଆତଙ୍କ ସୃଷ୍ଟି କରିବାର ଗୋଟିଏ ଅସ୍ତ୍ର। ଅଧସ୍ତନର ମୁଣ୍ଡ ଉପରେ ବଦଳିର ଖଣ୍ଡା ଝୁଲାଇ ସ୍ୱେଚ୍ଛାଚାରୀ ମୁନିବମାନେ ତାଙ୍କ ଦମନମୂଳକ ଆକାଂକ୍ଷାଗୁଡ଼ିକ ଅନାୟାସରେ ପୂରଣ କରିଥାନ୍ତି। ବଦଳିକୁ କ୍ଷମତାର ଆୟୁଧ କରିଥିବା ଏହି ମାଲିକମାନେ ବେଳେବେଳେ ସଚ୍ଚୋଟ ଅଥଚ ଅବୋଲକରା ଅଧସ୍ତନମାନଙ୍କୁ ‘ପାନେ ଦେବା ପାଇଁ’ ଅସମୟରେ ଅପନ୍ତରା ଜାଗାକୁ ଫୋପାଡ଼ି ଦିଅନ୍ତି। ନୂଆ କାମରେ ଯୋଗ ଦେଇଥିବା ଅଧସ୍ତନକୁ ସ୍ଥାନାନ୍ତରିତ କରି ସେମାନେ ଯେମିତି ଦୁନିଆକୁ ଚେତାଇ ଦେଉଥାନ୍ତି ‌େଯ ‘ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ।’ ତେଣୁ, ବେଳ ହୁଁ ସାବଧାନ!
ବଦଳିକୁ ନେଇ ପୁଣି ଶାସନର ନାଭିକେନ୍ଦ୍ର ରାଜଧାନୀରେ ଅନେକ ଦିନରୁ ଗଢ଼ି ଉଠିଛି ଏକ ଏମିତି ଉଦ୍ୟୋଗ, ଯାହା ବଦଳି ‘ସିଜନ’ ଆସିଗଲେ ହଠାତ୍ ଚଳଚଞ୍ଚଳ ହୋଇଉଠେ। ସବୁ ଉଦ୍ୟୋଗରେ ଉତ୍‌ଥାନ ଓ ପତନ ଅଛି, ହେଲେ ବଦଳି ଉଦ୍ୟୋଗରେ ଧୋଇ ନାହିଁ କି ମରୁଡ଼ି ନାହିଁ। ଟାଉଟର, କାଣୀ, କୁଜି ନେତାଙ୍କଠୁ ନେଇ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଶିଳ୍ପଟିର ସୁନ୍ଦର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରିଥାନ୍ତି। ଅବଶ୍ୟ ଏହି ଉଦ୍ୟୋଗର ସାଫଲ୍ୟ ପାଇଁ ଏମାନଙ୍କର ଯେତିକି ଅବଦାନ ତା’ଠୁ ବଳି ପଡ଼େ ଅଶାୟୀଙ୍କ ପ୍ରଚେଷ୍ଟା। ମାସ ମାସ ଛୁଟି ନେଇ ସେମାନେ ତାଙ୍କର ତପସ୍ୟା ଅବ୍ୟାହତ ରଖନ୍ତି, କ୍ଷମତାର ଅଳିନ୍ଦରେ, ନୂଆ କୌଶଳ ଓ ବାହାନା ସବୁ ନେଇ। ବ୍ୟଙ୍ଗକାର ଏମାରକେଆରଙ୍କ ଭାଷାରେ, ‘ବୃଦ୍ଧ ପିତାମାତାଙ୍କ ସେବା ଶ୍ରବଣ କୁମାର ପରି କରିବା, ସେମାନଙ୍କ ଅବର୍ତ୍ତମାନରେ ଘରର ବିଷୟ ସମ୍ପତ୍ତି ଦେଖାଦେଖି କରିବା, ପିଲାଙ୍କର ପରୀକ୍ଷା ଓ ସ୍ତ୍ରୀଙ୍କର ଆସନ୍ନ ପ୍ରସବ’ ଇତ୍ୟାଦି ବଦଳି କିମ୍ବା ବଦଳି ରୋକିବା ବାହାନାଗୁଡ଼ିକ ମଧ୍ୟରେ ସବୁଠୁ ଲୋକପ୍ରିୟ। ତା’ ଛଡ଼ା ପୁଣି ରହିଛି ରୋଗର ବାହାନା। ଥରେ ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗର ଗୋଟିଏ ରିପୋର୍ଟ ଅନୁସାରେ ବଦଳି ପାଇଁ ଆବେଦନ କରିଥିବା ୧୨୦୦ ଅଧ୍ୟାପକଙ୍କ ଭିତରୁ ୧୧୦୦ ଅସୁସ୍ଥତା କାରଣ ବୋଲି ଦର୍ଶାଇଛନ୍ତି। ଶିକ୍ଷକମାନଙ୍କର ଏହି ବ୍ୟାପକ ଅସୁସ୍ଥତା ଆମର ଶିକ୍ଷା ବ୍ୟବସ୍ଥାକୁ ରୁଗ୍‌ଣ କରିଦେବନି ତ?
ବଦଳି ପ୍ରସଙ୍ଗ ପଡ଼ିଲେ ଯେମିତି ହେଉ ଶିକ୍ଷା ବିଭାଗର ବଦଳି କଥାଟା ସାମ୍ନାକୁ ଆସିଯାଏ (ଉପର ବର୍ଣ୍ଣିତ ଅଧ୍ୟକ୍ଷ ବି ସେହି ବିଭାଗର), ସତେ ଯେମିତି କେବଳ ଅଧ୍ୟାପକମାନେ ବଦଳି ପାଇଁ ବିକଳ। ଗୁମର କଥାଟା ହେଲା ଇଞ୍ଜିନିଅର୍ ଓ ଡାକ୍ତରମାନେ ତାଙ୍କ ବଦଳି କରାଇବା ଆଉ ରୋକିବାର ଅବ୍ୟର୍ଥ ମାର୍ଗ ସବୁ ଜାଣିଥାନ୍ତି। ଏ ବିଷୟଟିକୁ ଆଉ ଟିକେ ପ୍ରାଞ୍ଜଳ କରି ବର୍ଣ୍ଣନା କରିଛନ୍ତି ସୁଲେଖକ ବିଭୂତି ପଟ୍ଟନାୟକ ତାଙ୍କର ‘ଭଗ୍ନ ଭାବମୂର୍ତ୍ତି’ ଗଳ୍ପରେ। ରାଜଧାନୀର ଜଣେ ବଦଳି କାର୍ପଟଦାରଙ୍କ ବିଷୟରେ ଲେଖିଛନ୍ତି, ‘ଇଞ୍ଜିନିଅର୍, ଡାକ୍ତର ବଦଳି କଥା ହୋଇଥିଲେ ସେ ଅଣ୍ଟେ ପଙ୍କରେ ପଶିଯିବା ଲୋକ। ସେମାନେ ଖାଇ ଜାଣନ୍ତି, ଖୁଆଇ ଜାଣନ୍ତି। ଅଧ୍ୟାପକ ବଦଳିରେ କେବଳ ଜାତି ଯିବ, କିନ୍ତୁ ପେଟ ପୂରିବ ନାହିଁ। ସେଥିପାଇଁ ଗୋପାଳ ଦାସଙ୍କ ଓଡ଼ିଶା-ପ୍ରୀତି; ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଯୁକ୍ତି।’
ଯାହାହେଉ ଆମର ଅଧ୍ୟକ୍ଷ ଜଣକ ଚିରାଚରିତ ବାଟରେ ନ ଯାଇ ଗୁଣିଗାରେଡ଼ି ଭଳି ଏକ ଅଭିନବ ପନ୍ଥା ବାଛି ନେଇଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.