ଚିନ୍ମୟ ହୋତା

ଏଇ କିଛିଦିନ ହେଲା ଖବରର ଶିରୋନାମାଗୁଡ଼ିକୁ ସତେ ଯେମିତି ମହୁମାଛିମାନେ ଅକ୍ତିଆର କରିନେଇଛନ୍ତି। ଡେରାବିଶ ବ୍ଲକ୍‌ର ଏକ ବିଦ୍ୟାଳୟରେ ମହୁମାଛିଙ୍କ ଅତର୍କିତ ଆକ୍ରମଣ ଓ ସେଥିରେ ପଚାଶରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହେବାର ସମ୍ବାଦ ଆସିବା ପୂର୍ବରୁ ରାଜଧାନୀରେ ଜଣେ ଉଚ୍ଚ ଅଧିକାରୀଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭକାରୀଙ୍କ ଉପରେ ମହୁମାଛିଙ୍କ ଆକ୍ରମଣର ଖବର ଶୁଣିବାକୁ ମିଳିଥିଲା। ଉକ୍ତ ଘଟଣାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଯୁବ ସଦସ୍ୟମାନେ ପ୍ରଶାସକଙ୍କ ନିବାସକୁ ଅଣ୍ଡା ଏବଂ ବିଲାତି ବାଇଗଣ ଫିଙ୍ଗି ନିଜର ପ୍ରତିବାଦ ପ୍ରକାଶ କରୁଥିଲେ। ହେଲେ ସେଠି ଏକ ଉଚ୍ଚ ବୃକ୍ଷରେ ଝୁଲୁଥିବା ମହୁଫେଣାରୁ ଏହି ପ୍ରତିବାଦର ଉତ୍ତର ମିଳିଥିଲା ଅସଂଖ୍ୟ କ୍ରୁଦ୍ଧ କୀଟଙ୍କ ଦଳବଦ୍ଧ ଆକ୍ରମଣ ରୂପରେ। ନିଜ ପରିବାର ସହ ରହୁଥିବା ଜଣେ ପ୍ରଶାସକଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରି ଆକ୍ରମଣ କରିବା ବିକ୍ଷୋଭକାରୀଙ୍କ ପକ୍ଷରେ କେତେ ଯୁକ୍ତିଯୁକ୍ତ ଥିଲା, ତାହା ଭଗବାନ ଜାଣନ୍ତି, କିନ୍ତୁ ମହୁମାଛି ଦଂଶନ ଜ୍ବାଳାରେ ପ୍ରତିବାଦକାରୀଏ ଦହଗଂଜ ହେବାକୁ ଏକ ଐଶ୍ୱରିକ ପ୍ରତ୍ୟୁତ୍ତର ବୋଲି ଅନେକେ ମତ ଦେଉଛନ୍ତି।
ମହୁମାଛି ତଥା ସମଜାତୀୟ କୀଟ, ଭ୍ରମର ଓ ବିରୁଡ଼ି ଇତ୍ୟାଦିଙ୍କ ଠାରେ କିଛି ନା କିଛି ଐଶ୍ୱରିକ ଶକ୍ତି ଲୁଚି ରହିଛି ବୋଲି ଆଦିମ କାଳରୁ ମଣିଷର ବିଶ୍ୱାସ। ଗ୍ରୀକ୍ ସଂସ୍କୃତି ହେଉ କି ରୋମ୍ ସଂସ୍କୃତି, ଅବା ମାୟା ସଂସ୍କୃତି ହେଉ ବା ମିଶରୀୟ ସଭ୍ୟତା, ସବୁ ମଣିଷ ମହୁମାଛିଙ୍କୁ ଦେବତା ବୋଲି ମାନି ପୂଜା କରିଆସିଛନ୍ତି। ଭାରତୀୟ ସଂସ୍କୃତିରେ ତ ‘ଅରୁଣାସୁର’ ନାମକ ଅତ୍ୟାଚାରୀ ଦୈତ୍ୟ କବଳରୁ ଜଗତକୁ ରକ୍ଷା କରିବା ପାଇଁ ଦେବୀ ଏହି ମହୁମାଛିମାନଙ୍କର ସେନା ପଠାଇ ଦୈତ୍ୟର ନାଶ କରିଥିଲେ। ଉତ୍ତର ପ୍ରଦେଶରେ ଭଁରେଶ୍ୱର ବୋଲି ଏକ ଶିବ ମନ୍ଦିର ଅଛି। ସେଠି କୁଆଡ଼େ  ଶିବଲିଙ୍ଗ ତାଡ଼ିବାକୁ ଆସିଥିବା ଔରଙ୍ଗଜେବର ସୈନ୍ୟମାନଙ୍କୁ ଏକ ଭ୍ରମର ଦଳ ଆକ୍ରମଣ କରି ତଡ଼ି ଦେଇଥିଲେ।
ମଣିଷ ମହୁମାଛିକୁ ଠାକୁରତୁଲ୍ୟ ଆସନ ଦେବା ପଛରେ ବୋଧେ ରହିଛି ଏହି କ୍ଷୁଦ୍ର ପ୍ରାଣୀଟି ପ୍ରତି ତା’ ମନରେ ଥିବା ଭୟ। ଚାଣକ୍ୟ ଚେତେଇ ଦେଇଛନ୍ତି ଯେ ଶୋଇଥିବା ଏହି ସାତ ଜଣଙ୍କୁ ନିଦରୁ ଉଠେଇବ ନାହିଁ, ଯଥା: ସର୍ପ, ରାଜା, ବାଘ, ବାଳୁତ, କୁକୁର, ନିର୍ବୋଧ ଆଉ ମହୁମାଛି। ଚାଲାକ ମଣିଷ ଭୟଙ୍କର ହିଂସ୍ରଜନ୍ତୁମାନଙ୍କୁ ନିଜ ବୁଦ୍ଧି ଖଟାଇ ଅକ୍ତିଆରକୁ ଆଣି ପାରିଛି, ହେଲେ ମହୁମାଛି କଥା ନିଆରା। ବିକ୍ଷୁବ୍‌ଧ ମହୁମାଛି ଦଳକୁ କାବୁ କରିବାରେ ମଣିଷ ସମ୍ପୂର୍ଣ୍ଣ ନାଚାର। ନା ବନ୍ଧୁକ ଗୁଳିରେ ଏମାନଙ୍କୁ ମାରିହେବ ନା ହାତୀ ଧରିଲା ଭଳି ଗାତ ଖୋଳି ଆୟତ୍ତ କରି ହେବ ନା ଜାଲରେ ଏମାନଙ୍କୁ ଧରି ହେବ। ବିଷାକ୍ତ ସାପମାନଙ୍କୁ ବଶ କଲା ଭଳି କୌଣସି ପଦ୍ମତୋଳା ମହୁମାଛିଙ୍କ ପାଇଁ ଏଯାଏଁ ମଣିଷ ରଚି ପାରିନାହିଁ। ତେଣୁ ଏହି କ୍ଷୁଦ୍ର ପ୍ରାଣୀଠୁ ରକ୍ଷା ପାଇବା ପାଇଁ ଦୁଇଟି ରାସ୍ତା: ଆତ୍ମସମର୍ପଣ ଓ ଛତ୍ରଭଙ୍ଗ। ଆତ୍ମସମର୍ପଣ ପୁଣି ଧରାଶାୟୀ ହୋଇ। ଏହି ଧରାଶାୟୀ ମୁଦ୍ରା କ୍ଷୁଦ୍ର କୀଟଟି ଆଗରେ ମଣିଷର ଆତ୍ମସମର୍ପଣର ଚୂଡ଼ାନ୍ତ ପ୍ରମାଣ।
ଅହଂକାରୀ ଓ କପଟୀ ମଣିଷ କିନ୍ତୁ ଏହି ପ୍ରାଣୀଟି ଆଗରେ ନିଜର ନିକୃଷ୍ଟତାକୁ ଚୁପ୍ ହୋଇ ମାନି ଯାଆନ୍ତା ବା କିପରି? ତେଣୁ ବିଭିନ୍ନ ଉପାୟରେ ସେ ମହୁମାଛିକୁ ହଇରାଣ ହରକତ କରିବାରେ ଲାଗିଥାଏ, କେତେବେଳେ ତା’ର ବାସସ୍ଥାନକୁ ଖେଞ୍ଚାଖେଞ୍ଚି କରି ବା ନିଆଁ ଲଗାଇ କିମ୍ବା କୀଟଟିର କଷ୍ଟୋପାର୍ଜିତ ମହୁକୁ ଚୋରାଇ। ତା’କୁ ବେଜ୍ଜିତ କରୁଥିବା ପ୍ରାଣୀଟି ପ୍ରତି ଏହା ବୋଧେ ମଣିଷର ପ୍ରତିଶୋଧ, ଯଦିଓ ଏହି ଅଭିଯାନରେ ମଧ୍ୟ ବେଳେବେଳେ ମଣିଷକୁ ନାହୁଡ଼ ମାଡ଼ ସହିବାକୁ ପଡ଼ିଥାଏ।
ନିଜର କ୍ଷମତା ପ୍ରଦର୍ଶନ କରିବାକୁ ମଣିଷ ଯେମିତି ବ୍ୟଗ୍ର, ସେ କ୍ଷମତାକୁ ଖର୍ବ କରିବା ପାଇଁ ମହୁମାଛି ସେମିତି ଉଦ୍‌ଗ୍ରୀବ। ସେଇଥିପାଇଁ ବୋଧେ ମହୁମାଛି ଅନେକ ସମୟରେ କ୍ଷମତାର ଅଳିନ୍ଦ ପାଖରେ ନିଜର ବସା ବନାଇଥାଏ, ଯେମିତିକି ବିଧାନସଭା କିମ୍ବା ସଚିବାଳୟଗୁଡ଼ିକର ସୁଉଚ୍ଚ ଛାତଗୁଡ଼ିକରେ, ଅଥବା କ୍ଷମତାଶାଳୀ ମନ୍ତ୍ରୀ କିମ୍ବା ସଚିବମାନଙ୍କ ଘର ପାଖରେ। ବେଳେବେଳେ ବାହୁବଳୀ ନେତାଙ୍କର ନିର୍ବାଚନୀ ସଭାକୁ ପଶି ଆସି ମହୁମାଛିମାନେ ତା’କୁ ଭଣ୍ଡୁର କରିଦେବାର ଖବର ପଢ଼ିବାକୁ ମିଳେ। ଓଡ଼ିଶାର ସଚିବାଳୟରେ ମହୁମାଛି ଆକ୍ରମଣ କିଛି ନୂଆକଥା ନୁହେଁ। ଏମିତିକି ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକ ମଧ୍ୟ ମହୁମାଛି ଆକ୍ରମଣରୁ ବାଦ ପଡ଼ିନାହାନ୍ତି। ମହୁମାଛିଙ୍କ ଏହି ଆକ୍ରମଣ ମାଧ୍ୟମରେ କ’ଣ କ୍ଷମତାର ନଗ୍ନ ପ୍ରଦର୍ଶନ ବିରୋଧରେ ପ୍ରକୃତି ତା’ର ଅସନ୍ତୋଷ ଭାବ ପ୍ରକାଶ କରୁଛି? ତେବେ ମହୁମାଛି ଏସବୁ ବିଷୟ ପ୍ରତି ଉଦାସୀନ; ତା’କୁ ଜଣା କେବଳ ବିନା ପ୍ରତିବାଦରେ କାମ କରିଯିବା, ଫେଣା ଗଢ଼ିବା, କେଉଁ ଫୁଲରେ ମହୁ ଅଛି ତାହାର ଖବର ନେବା, ମହୁ ସଂଗ୍ରହ କରିବା, ରାଣୀ ମହୁମାଛିର ଆନୁଗତ୍ୟ ସ୍ୱୀକାର କରିବା, ଆଉ ନିଜ ସମାଜକୁ ବାହ୍ୟ ବିପଦରୁ ରକ୍ଷା କରିବା। ହଁ, ଏତେସବୁ କାମ ଭିତରେ କ୍ଷଣକ ପାଇଁ ମଧ୍ୟ ଗୀତ ଗାଇବାକୁ ନ ଭୁଲିବା।
ସୁଲେଖକ ସୁରେନ୍ଦ୍ର ମହାନ୍ତି କାଉ, କୋଇଲି ଓ କଜଳପତିମାନଙ୍କର ରାବ ଶୁଣି ଆଉ ତାଙ୍କର ଗତିବିଧି ଦେଖି ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ କାଉ ‘ଖଟିଖିଆ ଓ ସର୍ବହରା’, କୋଇଲି ‘ବୁର୍ଜୁୟା’ ଓ ‘ଶ୍ରେଣୀ ଶତ୍ରୁ’ ତଥା କଜଳପତି ‘ଶୋଷକ ଗୋଷ୍ଠୀର’ ବା ‘ଅରିଷ୍ଟକ୍ରାଟ ଅର୍ଥାତ୍‌ ନିର୍ଘାତ୍ ବୁର୍ଜୁୟା’ ଇତ୍ୟାଦି (‘ଶେଷ ସ୍ତମ୍ଭ’)। କିନ୍ତୁ ସେ ସେତେବେଳେ ରହୁଥିବା ସରକାରୀ ବାସଭବନ- ଯାହାକି ଉପରୋକ୍ତ ପ୍ରଶାସକଙ୍କ ନିବାସର ଅନତି ଦୂରରେ ଅବସ୍ଥିତ- ର ପ୍ରାଙ୍ଗଣରେ ଯଦି କେବେ ମହୁମାଛିଙ୍କ କାର୍ଯ୍ୟକଳାପ ଦେଖି ସେମାନଙ୍କୁ ଶ୍ରେଣୀଭୁକ୍ତ କରିବାକୁ ଚେଷ୍ଟା କରିଥାନ୍ତେ, ତେବେ ସାମ୍ୟବାଦର ପରିଭାଷା ନିଅଣ୍ଟ ପଡ଼ିଥାନ୍ତା। ମହୁମାଛି ଖଟିଖିଆ ସତ, ହେଲେ ଫୁଲର ସବୁ ସାରାଂଶ ଶୋଷି ନେଉଥିବାରୁ ସେ ଶୋଷକ ଗୋଷ୍ଠୀର ମଧ୍ୟ। ମହୁମାଛି ପୁଣି ସାମ୍ୟବାଦ ବର୍ଜିତ ଧର୍ମ ଭାବ, ପ୍ରେମ, ଉର୍ବରା ଶକ୍ତି ଓ କଳ୍ପନାବିଳାସର ଉଦ୍ରେକକାରୀ। ସେ ରୋମାଣ୍ଟିକ, ସେ ପୁଣି ନିର୍ଘାତ୍ ପ୍ରାଗ୍‌ମାଟିକ୍।
(ମତାମତ ଲେଖକଙ୍କ ନିଜସ୍ୱ)
ମୋ: ୯୪୩୭୦୮୯୬୫୫