ଚୀନ୍ରେ ମିଳିଲା ନୂଆ ମାନବ ପ୍ରଜାତି, ହୋମୋ ଜୁଲୁଏନ୍ସିସ୍ର ଥିଲା ବଡ଼ ମୁଣ୍ଡ
ନୂଆଦିଲ୍ଲୀ, ୦୪/୧୨ : ଚୀନ୍ରେ ବଡ଼ ମୁଣ୍ଡବିଶିଷ୍ଟ ଏକ ନୂଆ ମାନବ ପ୍ରଜାତି ଆବିଷ୍କୃତ ହୋଇଛି। ଏହାର ନାଁ ‘ହୋମୋ ଜୁଲୁଏନ୍ସିସ୍ । ଅର୍ଥାତ୍ ବଡ଼ ମୁଣ୍ଡ । ଚୀନ୍ରେ ୩ ଲକ୍ଷରୁ ୫୦ ହଜାର ବର୍ଷ ମଧ୍ୟରେ ଏହି ପ୍ରଜାତି ବାସ କରୁଥିଲେ । ମାନବ ବିକାଶ ହୋମୋ ସାପିଅନ୍ଙ୍କଠୁ ହୋଇଛି, ଯିଏ ପ୍ରାୟ ୩ ଲକ୍ଷ ବର୍ଷ ପୂର୍ବେ ବିକଶିତ ହୋଇଥିଲେ । ଆଫ୍ରିକା, ୟୁରୋପ ଓ ଏସିଆରେ ଏମାନେ ଦ୍ରୁତ ବେଗରେ ବ୍ୟାପିଗଲେ । ତେବେ ଚୀନ୍ରେ ମିଳିଥିବା ପ୍ରଜାତି କ’ଣ? ଆଧୁନିକ ମାନବ ବିକାଶର ଠିକ୍ ପୂର୍ବରୁ କ’ଣ ହୋମୋନିନ୍ ପ୍ରଜାତି ଆସିଥିଲେ? ୭-୩ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ଏମାନଙ୍କ ଉପସ୍ଥିତି ଥିଲା । ଏମାନେ ପ୍ରାୟ ୪ ଲକ୍ଷ ବର୍ଷ ପୃଥିବୀରେ ରହିଲେ । ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ କୋଣରେ ବିଭିନ୍ନ ମାନବ ପ୍ରଜାତି ଥିଲେ, ଯଥାୟୁରୋପରେ ହୋମୋ ଡିଡେଲବର୍ଗେନିସସ୍ ଓ ମଧ୍ୟ-ଚୀନ୍ରେ ହୋମୋ ଲୋଙ୍ଗୀ । ଏମାନଙ୍କ ଜୀବାଶ୍ମ ମିଳିଛି । ସେଥିପାଇଁ ବୈଜ୍ଞାନିକମାନେ ଏମାନଙ୍କ ଅଧ୍ୟୟନ କରି ସ୍ପଷ୍ଟ କରିଛନ୍ତି ଯେ ସେତେବେଳେ ବି ପ୍ରାଚୀନ ମାନବଙ୍କର ଅନେକ ପ୍ରଜାତି ଥିଲା ।
ଚୀନ୍ରେ ବର୍ତ୍ତମାନ ଯେଉଁ ମାନବ ପ୍ରଜାତି ବିଷୟରେ ସ୍ପଷ୍ଟ ହୋଇଛି, ତାକୁ ବୈଜ୍ଞାନିକ ଆର୍କେଇକ୍ ହୋମୋ ସାପିୟନ୍ ମଧ୍ୟ କହୁଛନ୍ତି । ଏମାନଙ୍କୁ ମିଡିଲ ପ୍ଲିଷ୍ଟୋସିନ୍ ହୋମୋ ବି କୁହାଯାଏ । ମୋଟାମୋଟି କହିଲେ ଏହି ପ୍ରଜାତି ମଝାମଝି ସମୟର । ହୱାଇ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜିଷ୍ଟ୍ କ୍ରିଷ୍ଟୋଫର ବେ ଓ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭର୍ଟିବ୍ରେଟ୍ ପାଲେଣ୍ଟିଓଲୋଜିଷ୍ଟ୍ ଶିୟୁଜି ଉ ଏହି ନୂଆ ମାନବ ପ୍ରଜାତି ଆବିଷ୍କାର କରିଛନ୍ତି । ଅଧ୍ୟୟନର ତଥ୍ୟ ପାଲିଓଆନ୍ଥ୍ରୋପୋଲୋଜି ପତ୍ରିକାରେ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ଉତ୍ତର ଚୀନ୍ରେ ଭିନ୍ନ ପ୍ରକାର ମନୁଷ୍ୟ ଜୀବାଶ୍ମ ମିଳିଛି । ଏହାର ଖପୁରି ବହୁତ ବଡ଼ ଓ ଚଉଡ଼ା ଥିଲା, ଯେମିତି ନିଏଣ୍ଡରଥାଲ ମାନବର ଥିଲା । କିନ୍ତୁ ଏହାର ଓ ଡେନିସୋଭାନ୍ ପ୍ରଜାତି ମଧ୍ୟରେ କିଛି ସାମଞ୍ଜସ୍ୟ ମଧ୍ୟ ଥିଲା । ଜୀବାଶ୍ମ ଅଧ୍ୟୟନରୁ ଜଣାପଡ଼ିଲା, ଏମାନେ ବଡ଼ ମସ୍ତିଷ୍କବିଶିଷ୍ଟ ପ୍ରାଚୀନ ମାନବ ଥିଲେ । ପ୍ରାୟ ୩ ଲକ୍ଷରୁ ୫୦ ହଜାର ବର୍ଷ ପୂର୍ବରୁ ଏମାନଙ୍କ ଉପସ୍ଥିତି ଥିଲା । ଅଧ୍ୟୟନଟି ଏବେ ନେଚର କମ୍ୟୁନିକେସନ୍ସ ପତ୍ରିକାରେ ପ୍ରକାଶ ପାଇଛି । ଚୀନ୍ର ଶୁଚାଙ୍ଗ ଓ ଶୁଜିୟାୟୋରେ ଜୀବାଶ୍ମ ମିଳିଥିଲା ।
ସୌଜନ୍ୟ-ପ୍ରମେୟ
Comments are closed.