Breaking News

ଛାଡ଼ିବା ଆଗରୁ ପଳାଇଲା ଦନ୍ତା: ଚନ୍ଦକା-ଡମପଡ଼ା ଓ ଖୋର୍ଦ୍ଧା ଜଙ୍ଗଲରେ ବୁଲୁଛି

ଭୁବନେଶ୍ୱର ଏମ୍‌ସ ନିକଟରୁ ଉଦ୍ଧାର ହୋଇଥିବା ଦନ୍ତା ହାତୀ ଜଙ୍ଗଲକୁ ପଳାଇଛି। ଉଦ୍ଧାର ପରେ କୁମାରଖୁଣ୍ଟି ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯାଇଥିଲା। ଦେଢ଼ ଦିନ ରହିଛି କି ନାହିଁ ଉଦ୍ଧାର କେନ୍ଦ୍ରରେ ଲାଗିଥିବା ସୋଲାର ଫେନ୍ସିଂ ଛିଡ଼ାଇ ହାତୀଟି ଚାଲିଯାଇଛି।

ଖଣ୍ଡଗିରି: ଭୁବନେଶ୍ୱର ଏମ୍‌ସ ନିକଟରୁ ଉଦ୍ଧାର ହୋଇଥିବା ଦନ୍ତା ହାତୀ ଜଙ୍ଗଲକୁ ପଳାଇଛି। ଉଦ୍ଧାର ପରେ କୁମାରଖୁଣ୍ଟି ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯାଇଥିଲା। ଦେଢ଼ ଦିନ ରହିଛି କି ନାହିଁ ଉଦ୍ଧାର କେନ୍ଦ୍ରରେ ଲାଗିଥିବା ସୋଲାର ଫେନ୍ସିଂ ଛିଡ଼ାଇ ହାତୀଟି ଚାଲିଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ ଗଲା ତାହା ଜଣାପଡ଼ି ନଥିଲେ ମଧ୍ୟ ଅନ୍ୟ ହାତୀ ପଲଙ୍କ ସହ ପଳାଇ ଯାଇଥିବା କୁହାଯାଇଛି। ତେବେ ବନ ବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖାଯାଇଛି। ଉଦ୍ଧାରକେନ୍ଦ୍ରରୁ ଖସି ଯିବା ପରେ ହାତୀଟି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସମେତ ଖୋର୍ଦ୍ଧା ଡିଜିଜନ୍‌ ଜଙ୍ଗଲରେ ବୁଲୁଛି। ଚନ୍ଦକା ଓ ଖୋର୍ଦ୍ଧା ଡିଭିଜନ୍‌ର ବନ ଅଧିକାରୀ ହାତୀର ଗତିବିଧି ଉପରେ ନଜର ରଖିଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା କହିଛନ୍ତି।

ଚନ୍ଦକା-ଡମପଡ଼ା ଓ ଖୋର୍ଦ୍ଧା ଜଙ୍ଗଲରେ ବୁଲୁଛି
ଜଙ୍ଗଲୀ ହାତୀକୁ ବାନ୍ଧି ରଖିପାରିବୁ ନାହିଁ: ପିସିସିଏଫ୍‌

ପିସିସିଏଫ୍‌(ବନ୍ୟପ୍ରାଣୀ) ଶ୍ରୀ ଝା ଆହୁରି କହିଛନ୍ତି ଯେ, ଉଦ୍ଧାର ହୋଇଥିବା ହାତୀକୁ କୁମାରଖୁଣ୍ଟିରେ ରଖିବାର କୌଣସି ଯୋଜନା ନ ଥିଲା। କାରଣ ଜଙ୍ଗଲୀ ହାତୀକୁ ବାନ୍ଧି ରଖିପାରିବୁ ନାହିଁ। ଏଠାରେ କିଛି ଦିନ ରଖାଯିବା ପରେ ପୁଣି ଜଙ୍ଗଲ ଭିତରକୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ଆଲୋଚନା ଚାଲିଥିବା ବେଳେ ହାତୀଟି ପଳାଇ ଯାଇଛି। ଜଙ୍ଗଲକୁ ଯିବା ପୂର୍ବରୁ ହାତୀ ସୁସ୍ଥ ଥିଲା। କାହାର କୌଣସି କ୍ଷତି କରି ନାହିଁ। ଜଙ୍ଗଲି ହାତୀ ହୋଇଥିବାରୁ ତାହାର ସ୍ଥାନ କେବଳ ଜଙ୍ଗଲରେ। ଏହି ଦନ୍ତା ଉତ୍ପାତ କରୁ ନ ଥିବାରୁ ତାହାଠାରେ ରେଡିଓକଲାର ପକାଯାଇ ନାହିଁ। ବରଂ ବନ କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଲୋକଙ୍କ ସୁରକ୍ଷାକୁ ଆମେ ସବୁବେଳେ ଗୁରୁତ୍ବ ଦେଉଛୁ ବୋଲି ସେ କହିଛନ୍ତି।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ପୂର୍ବରୁ ୨୦୨୨ରେ ବାଟବଣା ହୋଇଥିବା ଏହି ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟି ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ବେଡ଼ି ପକାଯାଇଥିଲା। ଦୁଇ ଦିନ ଧରି ଦନ୍ତା ହାତୀ ଗୋଡ଼ରେ ବେଡି ରଖାଯିବା ସହ ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ତାହାର ସ୍ୱାସ୍ଥ୍ୟବସ୍ଥା ବାରମ୍ବାର ଯାଞ୍ଚ କରିଥିଲେ। ବନ୍ଦୀ ଅବସ୍ଥାରେ ହାତୀଟିକୁ ବରଡ଼ାଳ ଓ କଦଳୀ ଖାଇବାକୁ ଦିଆଯାଇଥିଲା। ସୁସ୍ଥ ରହିଥିଲେ ମଧ୍ୟ ହାତୀକୁ ବନ୍ଦୀ ଅବସ୍ଥାରେ ରଖାଯିବାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ। ତେଣୁ ଏଥର ବାଧ୍ୟ ହୋଇ ହାତୀ ଗୋଡ଼ରେ କୌଣସି ବେଡ଼ି ପକାଯାଇ ନ ଥିଲା। ବରଂ ସୁରକ୍ଷିତ ଭାବେ ରେସ୍କ୍ୟୁ କେନ୍ଦ୍ରରେ ରହିଥିଲା। ପୂର୍ବଥର ଭଳି ଏଥର ହାତୀକୁ ଗାଡ଼ିରେ ବେଶି ବାଟ ନିଆଯାଇ ନ ଥିଲା। ୩ରୁ ୪ ଦିନ ରଖିବା ପରେ ପୁଣିଥରେ ଜଙ୍ଗଲ ଭିତରକୁ ଛଡ଼ାଯାଇଥିଲା। ତେବେ ତା’ପୂର୍ବରୁ ହାତୀ ପଳାଇଲା। ସୂଚନା ଅନୁଯାୟୀ ଭୁବନେଶ୍ବର ଏମ୍ସ ନିକଟରୁ ଉଦ୍ଧାର ହୋଇଥିବା ହାତୀକୁ ମଙ୍ଗଳବାର ସନ୍ଧ୍ୟା ସମୟରେ କୁମାରଖୁଣ୍ଟିକୁ ନିଆଯାଇଥିଲା। ଗୋଟିଏ ଦିନ ରହିବା ପରେ ଗୁରୁବାର ଭୋର ସମୟରେ କେଉଁ ଆଡ଼େ ଚାଲିଯାଇଥିଲା। କେନ୍ଦ୍ରରେ ଥିବା କର୍ମଚାରୀମାନେ ସକାଳୁ ଉଠିଲା ବେଳକୁ ହାତୀକୁ ଦେଖିବାକୁ ପାଇ ନ ଥିଲେ। ଏସମ୍ପର୍କରେ ବନ କର୍ମଚାରୀମାନେ ଉପରିସ୍ଥ ଅଧିକାରୀମାନଙ୍କୁ ଖବର ଦେବା ପରେ ଡ୍ରୋନ୍‌ ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.