Breaking News

ଛାତ୍ରୀଙ୍କୁ ରମାଦେବୀ କର୍ତ୍ତୃପକ୍ଷଙ୍କ ଚେତାବନୀ: ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିଲେ କାର୍ଯ୍ୟାନୁଷ୍ଠାନ

ବିଜୁ ଜନତା ଦଳ ପକ୍ଷରୁ ଗତକାଲି ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନୀରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଅଂଶଗ୍ରହଣ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ ୟୁନିଫର୍ମରେ ଛାତ୍ରୀମାନେ ଯୋଗଦେଇଥିବାରୁ ସେମାନେ କ୍ୟାମ୍ପସରୁ ହିଁ ଯାଇଥିଲେ।

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଗତକାଲି ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନୀରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଅଂଶଗ୍ରହଣ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ ୟୁନିଫର୍ମରେ ଛାତ୍ରୀମାନେ ଯୋଗଦେଇଥିବାରୁ ସେମାନେ କ୍ୟାମ୍ପସରୁ ହିଁ ଯାଇଥିଲେ। କେମିତି ଓ କେଉଁ ପରିସ୍ଥିତିରେ ଏକ ରାଜନୈତିକ ଦଳର ବିକ୍ଷୋଭରେ ସାମିଲ ହୋଇଥିଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଆଜି ଏକ ବିଜ୍ଞପ୍ତିରେ କହିଛନ୍ତି ଯେ କ୍ଲାସ ସମୟରେ ‌କେତେଜଣ ଛାତ୍ରୀ କ୍ୟାମ୍ପସ ବାହାରେ ଅନୁମୋଦନ ନଥିବା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ନଜରକୁ ଆସିଛି। ତେଣୁ ବିଭାଗୀୟ ମୁଖ୍ୟ ଓ ସଂଯୋଜକମାନେ ଛାତ୍ରୀମାନଙ୍କୁ ନିୟମିତ କ୍ଲାସ କରିବାକୁ ପରାମର୍ଶ ଦେବା ସହ ଏକାଡେମିକ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ନକରିବାକୁ ପରାମର୍ଶ ଦେବେ। ଯଦି କୌଣସି ଛାତ୍ରୀ ଏଭଳି କାର୍ଯ୍ୟରେ ସାମିଲ ହେଉଥିବା ନଜରକୁ ଆସନ୍ତି ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କୁ ସାମିଲ କରାଇବା ଘଟଣା ଲଜ୍ଜାଜନକ: ଏବିଭିପି 
ସ୍ବତଃପ୍ରବୃତ୍ତ ସାମିଲ ହୋଇଥିଲେ: ଛାତ୍ର ବିଜେଡି

ବିଜେଡି ସମାବେଶରେ ଛାତ୍ରଛାତ୍ରୀ ସାମିଲ ହେବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନିନ୍ଦା କରିଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ବିଜେଡି ପକ୍ଷରୁ କରାଯାଇଥିବା ରାଜନୈତିକ ସଭାରେ ଛାତ୍ରଛାତ୍ରୀଙ୍କୁ ସାମିଲ କରାଇବା ଘଟଣା ଛାତ୍ର ସମାଜକୁ ଲଜ୍ଜିତ କରିଛି। ଦୀର୍ଘ ୨୪ ବର୍ଷ ଶାସନ କାଳରେ ବିଜେଡି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ କେଉଁ ସ୍ଥାନରେ ପହଞ୍ଚାଇଛି ତାହା ସମସ୍ତେ ଜାଣନ୍ତି। ୬ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଛାତ୍ର ନେତୃତ୍ୱର ଭ୍ରୂଣ ହତ୍ୟା କରିଛି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସ୍ୱରକୁ ଚାପୁଥିବା ଦଳ ଆଜି ବିରୋଧୀ ଦଳକୁ ଆସିବା ପରେ ସେମାନଙ୍କ ଭବିଷ୍ୟତ ସହ ଖେଳିବା ଏବଂ ନିଜର ରାଜନୈତିକ ଆକାଂକ୍ଷା ପୂରଣ କରିବାକୁ ଅସତ୍ ରାସ୍ତା ଆପଣାଇଛି। ଏଭଳି ନିନ୍ଦନୀୟ କାର୍ଯ୍ୟରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଙ୍ଗଠନ ଦାବି କରିଛି।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି ଯେ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟବାଧ୍ୟକତାରେ ସମାବେଶରେ ସାମିଲ କରାଯାଇ ନଥିଲା। ବରଂ ଛାତ୍ରଛାତ୍ରୀ ସ୍ବତଃପ୍ରବୃତ୍ତ ଭାବେ ଅଂଶଗ୍ରହଣ କରିଥିଲେ। ୭ ମାସର ବିଜେପି ସରକାରରେ ଛାତ୍ରଛାତ୍ରୀ ବହୁ ପରିମାଣରେ କ୍ଷତିଗସ୍ତ ହୋଇଛନ୍ତି। କ୍ଷମତାକୁ ଆସିବା ପରେ ବିଜେପି କେବଳ ରଙ୍ଗ ବଦଳାଇ ଚାଲିଛି। ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ବି ସୁବିଧା କରିପାରି ନାହିଁ। ଖାଲି ପଡ଼ିଥିବା ପଦବି ପୂରଣ ହୋଇନାହିଁ। ବରଂ ଦିନକୁ ଦିନ ପଦବି ସଂଖ୍ୟା କମୁଛି। ଲାଇବ୍ରେରି, ଲାବରେଟୋରି ଅବସ୍ଥା ନ କହିବା ଭଲ। କ୍ଷମତାକୁ ଆସିଲେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରିବେ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। ମାତ୍ର କ୍ୟାମ୍ପସରେ ହାରିଯିବା ଭୟରେ ନିର୍ବାଚନଠାରୁ ଦୂରେଇ ରହିଲେ। ଘରଠାରୁ ଦୂରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଦରଦାମ ବୃଦ୍ଧି ବାଧୁଥିବାରୁ ସେମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.