Breaking News

ଛେନାପୋଡ଼: ତଥ୍ୟ ଓ ସତ୍ୟ ବିକୃତ ନ ହେଉ

ଛେନାପୋଡ଼ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ମିଠା। ଏହି ନାମର ଅର୍ଥ ‘ପୋଡ଼ା ଛେନା’। ୨୦୨୨ରେ କିଛି ଟ୍ୱିଟର ଗୋଷ୍ଠୀ ଦ୍ୱାରା ଛେନାପୋଡ଼ ଦିବସ ପାଇଁ ଆଲୋଚନା ଆରମ୍ଭ ହେଲା। କେତେକ ଅନୁଭବସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ମତ ଅନୁସାରେ....

ଡ. ଅନୀତା ସାବତ
ଛେନାପୋଡ଼ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ମିଠା। ଏହି ନାମର ଅର୍ଥ ‘ପୋଡ଼ା ଛେନା’। ୨୦୨୨ରେ କିଛି ଟ୍ୱିଟର ଗୋଷ୍ଠୀ ଦ୍ୱାରା ଛେନାପୋଡ଼ ଦିବସ ପାଇଁ ଆଲୋଚନା ଆରମ୍ଭ ହେଲା। କେତେକ ଅନୁଭବସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ମତ ଅନୁସାରେ, ଏହାର ପାଳନ ଦିବସ ସ୍ରଷ୍ଟାଙ୍କ ଜନ୍ମଦିନରେ ରଖାଯିବାକୁ ନିଷ୍ପତ୍ତି ନିଆଗଲା। କେତେକ ବ୍ୟକ୍ତି ବିଶ୍ୱାସ କରନ୍ତି ଯେ, ଛେନାପୋଡ଼ର ସ୍ରଷ୍ଟା ହେଲେ ସୁଦର୍ଶନ ସାହୁ, ମାତ୍ର ଅନ୍ୟ କିଛି ଅଭିଜ୍ଞ ବ୍ୟକ୍ତି ସୁଦର୍ଶନ ସାହୁଙ୍କ ପିତା ବିଦ୍ୟାଧର ସାହୁଙ୍କୁ ଏହାର ସ୍ରଷ୍ଟା ଭାବରେ ଗ୍ରହଣ କରନ୍ତି। ସେଥିପାଇଁ ଛେନାପୋଡ଼ ଦିବସର ପାଳନରେ ଭିନ୍ନ ଭିନ୍ନ ମତ ଦେଖାଦେଉଛି। ଅବଶ୍ୟ ୨୦୧୬ ରେ ସୁଦର୍ଶନ ସାହୁଙ୍କ ମହାପ୍ରୟାଣ ପରେ ଅନେକ ଗଣମାଧ୍ୟମରେ ‘ଛେନାପୋଡ଼ର ଆବିଷ୍କର୍ତ୍ତାଙ୍କ ପରଲୋକ’ ଭଳି ଶୀର୍ଷକ ସହିତ ଖବର ପ୍ରକାଶିତ ହୋଇଥିଲା। ଏହି ସବୁ ଲେଖାଗୁଡ଼ିକରେ ସୁଦର୍ଶନ ସାହୁଙ୍କ ପୁଅଙ୍କ ଉଦ୍ଧୃତି ମଧ୍ୟ ଥିଲା, ଯେଉଁଥିରେ ସେ ନିଜର ପିତାଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ମଧ୍ୟ ଦେଇଥିଲେ। ୨୦୨୩ ଓ ୨୦୨୪ରେ, ନୟାଗଡ଼ ବିକାଶ ମଞ୍ଚ ଦ୍ୱାରା ଭୁବନେଶ୍ୱରର ଜୟଦେବ ଭବନରେ ‘ଛେନାପୋଡ଼ ଦିବସ’ ପାଳନ କରାଯାଇଥିଲା। ୨୦୨୩ରେ ସେମାନେ ଏକ ଗୀତ ମଧ୍ୟ ରିଲିଜ୍ କରିଥିଲେ। ଏହା ମଧ୍ୟରେ ଅନ୍ୟାନ୍ୟ ନିର୍ମାତାମାନେ ମଧ୍ୟ ଛେନାପୋଡ଼ ଉପରେ ଗୀତ ପ୍ରସ୍ତୁତ କରିଛନ୍ତି। ତେବେ ଚିନ୍ତାଜନକ ବିଷୟଟି ହେଲା, କାହିଁକି ଆମେ ଆମ ମୂଲ୍ୟବାନ ଦ୍ରବ୍ୟର ପ୍ରକୃତ ସ୍ରଷ୍ଟା ବା ଆବିଷ୍କାରକ ଓ ସୃଷ୍ଟି ସ୍ଥାନର ନାମ ଜାଣୁନାହୁଁ? ପ୍ରଥମତଃ ଛେନାପୋଡ଼ କିଏ ତିଆରି କରିଥିଲେ?

୧୯୯୬ ମସିହାରେ ‘ସଚିତ୍ର ବିଜୟା’ ପତ୍ରିକାରେ ପ୍ରକାଶିତ ‘ବିଶ୍ୱଭାରତୀ’ଙ୍କ ଲେଖା ଅନୁସାରେ, ଛେନାପୋଡ଼ ଦଶପଲ୍ଲା (ନୟାଗଡ଼ ଜିଲ୍ଲା)ରେ ବିଦ୍ୟାଧର ସାହୁ ଓ ତାଙ୍କ ପୁଅ ସୁଦର୍ଶନ ସାହୁଙ୍କ ଦ୍ୱାରା ୧୯୪୫ରେ ଆବିଷ୍କୃତ ହୋଇଥିଲା। ସୁଦର୍ଶନ ସାହୁ ନିଜେ ମଧ୍ୟ ଏହା ଅନେକ ସାକ୍ଷାତକାରରେ କହିଛନ୍ତି। ଭକ୍ତ ତ୍ରିପାଠୀଙ୍କ ସହ ଏକ ସାକ୍ଷାତକାରରେ ପ୍ରସଙ୍ଗକ୍ରମେ ଛେନାପୋଡ଼ ତିଆରି କରିବାରେ ସେ ତାଙ୍କ ପିତାଙ୍କୁ ସାହାଯ୍ୟ କରିବା ବିଷୟ ଉଠାଇ, ପିତାଙ୍କ ସହିତ ନିଜକୁ ସହ-ସ୍ରଷ୍ଟା ବୋଲି ମଧ୍ୟ କହିଥିଲେ। ୨୦୨୨ରେ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ରୂପେ ଚିହ୍ନଟ କରାଯାଇଥିଲା, କାରଣ ସେହିଦିନ ହେଉଛି ସୁଦର୍ଶନ ସାହୁଙ୍କ ଜନ୍ମଦିବସ (୧୧.୪.୧୯୩୧)। ତାଙ୍କର ପିତା ବିଦ୍ୟାଧର ସାହୁଙ୍କ ଜନ୍ମତାରିଖ ତାଙ୍କ ପରିବାର ବର୍ଗ ଜାଣି ନଥିଲେ ବା ତାହାକୁ ଲିପିବଦ୍ଧ କରି ରଖିବା ଆମ ପରମ୍ପରା ଭିତରେ ପୂର୍ବରୁ ନଥିଲା। ସେଥିପାଇଁ ଏହି ଏପ୍ରିଲ ୧୧ ତାରିଖକୁ ବିକଳ୍ପ ଭାବରେ ଗ୍ରହଣ କରାଗଲା। ପ୍ରାରମ୍ଭିକ ଭାବରେ ଯେତେବେଳେ ଏହି ଦିବସ ପାଳନ କରାଗଲା, ସେତେବେଳେ ଗଣମାଧ୍ୟମରେ ବିଦ୍ୟାଧର ସାହୁଙ୍କ ନାମୋଲ୍ଲେଖ ପ୍ରାୟତଃ ନଥିଲା। ମାତ୍ର ପରେ ପରେ ବିଦ୍ୟାଧର ସାହୁଙ୍କ ବିଷୟରେ ଆଲୋଚନା ହେବାକୁ ଲାଗିଲା।

ତେବେ କିଛି ଗବେଷଣାଲବ୍‌ଧ ସୂଚନା ଅନୁଯାୟୀ, ବିଦ୍ୟାଧର ସାହୁଙ୍କ ଦୋକାନରେ ପ୍ରଥମ ଛେନାପୋଡ଼ ପ୍ରସ୍ତୁତ ହୋଇଥିଲା ଓ ସୁଦର୍ଶନ ସାହୁ ସେଠାରେ ପିତାଙ୍କୁ ସାହାଯ୍ୟ କରୁଥିଲେ, ଯେତେବେଳେ ତାଙ୍କର ବୟସ ମାତ୍ର ୧୩/୧୪ ବର୍ଷ ଥିଲା। କିଛି ଖବର ଅନୁଯାୟୀ, ଏହି ଛେନାପୋଡ଼ର ଆବିଷ୍କାର ବର୍ଷ ୧୯୪୭ ଥିଲା ଏବଂ ସେତେବେଳେ ସୁଦର୍ଶନ ୧୬/୧୭ ବର୍ଷର ଜଣେ ବାଳକ। ଦଶପଲ୍ଲା ଗ୍ରାମବାସୀ, ପଡ଼ୋଶୀ ସୁରେଶ କୁମାର ମିଶ୍ର ଓ ଅନ୍ୟ ଅନେକ ଜଣାଇଛନ୍ତି ଯେ, ବିଦ୍ୟାଧର ସାହୁ ଓ ତାଙ୍କ ସ୍ତ୍ରୀ ଜେମାମଣି ମାଁ ଏହି ମିଠା ତିଆରି କରୁଥିଲେ। ଉଲ୍ଲେଖଯୋଗ୍ୟ, ବିଦ୍ୟାଧରଙ୍କ ପ୍ରଥମ ପୁଅ ଗୌରଚନ୍ଦ୍ର ସାହୁ ଅର୍ଥାତ ସୁଦର୍ଶନଙ୍କ ବଡ଼ଭାଇଙ୍କୁ ମଧ୍ୟ ଛେନାପୋଡ଼ର ସ୍ରଷ୍ଟା ବୋଲି କିଛି ପୁସ୍ତକରେ ଲେଖାଯାଇଛି। ପ୍ରବୀର କୁମାର ପଟ୍ଟନାୟକ ଲେଖିଛନ୍ତି, ନିଜ ପିଲାବେଳେ ସେ ସେହି ଦୋକାନକୁ ଯାଉଥିବା ବେଳେ ଗୌରଚନ୍ଦ୍ର ସାହୁଙ୍କୁ ଦେଖି ତାଙ୍କୁ ହିଁ ଛେନାପୋଡ଼ର ସୃଷ୍ଟା ବୋଲି ଭାବିଥିଲେ। ନୟାଗଡ଼ର ପୂର୍ବତନ ଜିଲ୍ଲାପାଳ କରୁଣାକର ପଟ୍ଟନାୟକ ଲେଖିଛନ୍ତି, “ଦଶପଲ୍ଲା ହେଉଛି ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାପୋଡ଼ପିଠା’ର ଜନ୍ମସ୍ଥାନ, ଯାହା ବିଦ୍ୟାଧର ସାହୁ ତିଆରି କରିଥିଲେ ଓ ତାଙ୍କ ପୁଅ ସୁଦର୍ଶନ ସାହୁ ଏହାକୁ ନୟାଗଡ଼ରେ ପ୍ରଚାର କରିଥିଲେ।” (‘ନୟାଗଡ଼ ଜିଲ୍ଲା: ରାଜତନ୍ତ୍ରରୁ ଗଣତନ୍ତ୍ର’, ପୃଷ୍ଠା ୨୫୨) ଅନେକ ଲୋକ ବିଶ୍ୱାସ କରନ୍ତି ଯେ ବିଦ୍ୟାଧର ସାହୁ ହେଲେ ସ୍ରଷ୍ଟା ଓ ସୁଦର୍ଶନ ସାହୁ ପ୍ରଚାରକ। ବିଦ୍ୟାଧର ଦଶପଲ୍ଲାରେ ଏହା ତିଆରି କରୁଥିଲେ ଓ ସୁଦର୍ଶନ ତାଙ୍କ ପିତାଙ୍କ ତିଆରି ମିଠାକୁ ନୟାଗଡ଼ରେ ବିକ୍ରି କରୁଥିଲେ। ପିତା-ପୁତ୍ରଙ୍କ ଏହି ସମ୍ମିଳିତ କାର୍ଯ୍ୟ ଛେନାପୋଡ଼ ଭଳି ଏକ ମିଠାକୁ ସର୍ବଜନାଦୃତ କରିପାରିଛି।

ଆମ ଗର୍ବର ଗାଥା, ଓଡ଼ିଶାର ଅସ୍ମିତା

‘ନୟାଗଡ଼ ଛେନାପୋଡ଼’ ପାଇଁ ଭୌଗୋଳିକ ସଙ୍କେତ (ଜି.ଆଇ) ଆବେଦନ ୩୦/୩/୨୦୨୩ ତାରିଖରେ ଓର୍‌ମାସ୍‌ (ଡିଏସ୍‌ଏମ୍‌ଏସ୍‌) ନୟାଗଡ଼ ଦ୍ୱାରା, କ୍ରିଷ୍ଣା ପ୍ରଡ୍ୟୁସର୍‌ ଗ୍ରୁପ୍‌ ପକ୍ଷରୁ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସହଯୋଗରେ ଦାଖଲ କରାଯାଇଛି। ସମସ୍ତ ଦସ୍ତାବେଜ ଜି.ଆଇ ରେଜିଷ୍ଟ୍ରି ଦ୍ୱାରା ipindia ୱେବସାଇଟ୍‌ର ଏହି ଲିଙ୍କ୍‌ (https:/earch.ipindia.gov.in/GIRPublic/Application/Details/1067) ରେ ଅପଲୋଡ୍ କରାଯାଇଛି। ଏହା ମଧ୍ୟରେ ଛେନାପୋଡ଼ ଓ ‘ଆବିଷ୍କାରକ ସୁଦର୍ଶନ ସାହୁ’ଙ୍କ ବିଷୟରେ ଭୁଲ୍‌ ସୂଚନା ଥାଇ ବହୁତ ଲେଖା ମଧ୍ୟ ପ୍ରକାଶିତ ହୋଇଛି। ଜି.ଆଇ ଦସ୍ତାବେଜରେ ବିଦ୍ୟାଧର ସାହୁଙ୍କ ନାମ ନାହିଁ। ଏହି ସୂଚନା ଅନଲାଇନ୍‌ରୁ ନିଆଯାଇ ଜି.ଆଇ ଆବେଦନ ସହ ଦାଖଲ କରାଯାଇଛି। ଏପରି ଭାବେ ଭ୍ରାନ୍ତିମୂଳକ ତଥ୍ୟ ଦେବା ଦ୍ବାରା ଆମର ଐତିହ୍ୟ ବିକୃତ ହେଉଛି ଓ ପ୍ରକୃତ ସ୍ରଷ୍ଟା ତଥା ସୃଷ୍ଟିସ୍ଥାନ ନ୍ୟାୟ ପାଉନାହାନ୍ତି।
ଜି.ଆଇ ଆବେଦନପତ୍ରରେ ଦଶପଲ୍ଲା ଓ ସ୍ରଷ୍ଟା ବିଦ୍ୟାଧର ସାହୁ ତଥା ତାଙ୍କ ସ୍ତ୍ରୀ ଜେମାମଣିଙ୍କ ନାମ ନାହିଁ। ଏହି ସମସ୍ତ ସୂଚନା ସେଥିରେ ଯୁକ୍ତିସମ୍ମତ ଭାବେ ଅନ୍ତର୍ଭୁକ୍ତ ହେବା ଦରକାର। ଜି.ଆଇ ଆବେଦନପତ୍ରର ଅନେକ ସ୍ଥାନରେ ଭ୍ରମାତ୍ମକ ଲେଖାଯାଇଛି ଯେ ସୁଦର୍ଶନ ସାହୁ ‘ଛେନାପୋଡ଼ର ସ୍ରଷ୍ଟା’। ଏହା ଦ୍ବାରା ପ୍ରକୃତ ସ୍ରଷ୍ଟାଙ୍କ ପ୍ରତି ଅନ୍ୟାୟ ହେଉଛି। ଆଗକୁ ଜି.ଆଇ ମାନ୍ୟତା ପାଇଲେ ଏହି ସମସ୍ତ ଭୁଲ୍‌ ତଥ୍ୟକୁ ଠିକ୍‌ ବୋଲି ଗ୍ରହଣ କରାଯିବ।

ସେହି ଆବେଦନପତ୍ରରେ ଥିବା ବିଭ୍ରାନ୍ତିକର ତଥ୍ୟ ହେଉଛି, ଶ୍ରୀମନ୍ଦିରରେ ଛେନାପୋଡ଼ ଭୋଗ ହୁଏ ଏବଂ ଏହା ଶ୍ରୀଜଗନ୍ନାଥଙ୍କ ପ୍ରିୟ ମିଠା। ପ୍ରକୃତରେ ଛେନାପୋଡ଼ ପରୀକ୍ଷାମୂଳକ ଭାବରେ ତିଆରି ହୋଇଥିଲା; ଯାହାକୁ ଏକ ଆକସ୍ମିକ ମିଠା କହିବା ଠିକ୍‌ ହେବ। ପୁନଶ୍ଚ ‘ଛେନାପୋଡ଼’ ଶବ୍ଦକୁ ତ୍ରୁଟିପୂର୍ଣ୍ଣ ଭାବେ କିଛି ବ୍ୟକ୍ତି ଉଚ୍ଚାରଣ କରୁଛନ୍ତି ଓ ‘‘ଚେନା ପୋଡ଼ା, ଛାନା ପୋରା, ଛେନା ପୋଡ଼ା’’ ଆଦି ଲେଖୁଛନ୍ତି। ତେବେ ଓଡ଼ିଆ ଓ ହିନ୍ଦୀରେ ‘ଛେନାପୋଡ଼’, ଇଂଲିଶ୍‌ରେ Chhenapoda  ଠିକ୍‌ ଭାବେ ଲେଖାଯିବାର ଆବଶ୍ୟକତା ରହିଛି। ଠିକ୍‌ ବ୍ରାଣ୍ଡିଂ ପାଇଁ ଶୁଦ୍ଧ ଉଚ୍ଚାରଣ, ଶୁଦ୍ଧ ଲିଖନ ଅତ୍ୟନ୍ତ ଆବଶ୍ୟକ। ତେବେ ସମସ୍ତଙ୍କର ଏହି ପ୍ରିୟ ମିଠାକୁ ନେଇ ‘ଛେନାପୋଡ଼ ଦିବସ’ ପାଳନ କରିବା ବେଳେ ଏକତା ଆଣିବା ଦରକାର। ବିଦ୍ୟାଧର ସାହୁଙ୍କ ଜନ୍ମତିଥି ଯେହେତୁ ଜଣାନାହିଁ, ତେଣୁ ପରଲୋକ ଦିବସ ଡିସେମ୍ବର ୩୧କୁ ‘ଛେନାପୋଡ଼ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦିବସକୁ ଦଶପଲ୍ଲାରେ ଏକ ମହୋତ୍ସବ ଭାବରେ ପାଳନ କରାଯାଉଛି। ଛେନାପୋଡ଼ ଦିବସ ଏମିତି ଏକ ଦିନରେ ପାଳନ କରାଯିବା ଉଚିତ ଯାହା ସ୍ରଷ୍ଟା ବିଦ୍ୟାଧର ସାହୁଙ୍କ ସହ ଜଡ଼ିତ। ବିଦ୍ୟାଧର ସାହୁଙ୍କ ପରିବାରର ସଦସ୍ୟ ଓ ଦଶପଲ୍ଲା ବାସିନ୍ଦାମାନେ ୩୧ ଡିସେମ୍ବର ୨୦୨୨ରୁ ଏହି ଦିବସଟିକୁ ଛେନାପୋଡ଼ ଦିବସ ଭାବେ ପାଳନ କରୁଛନ୍ତି ଓ ଠିକ୍‌ ତଥ୍ୟ ଅନ୍ୟମାନଙ୍କୁ ଅବଗତ କରାଇବା ନିମିତ୍ତ ଅନୁରୋଧ ମଧ୍ୟ କରିଆସୁଛନ୍ତି।     ଛେନାପୋଡ଼ର ସୃଷ୍ଟା ଥିଲେ ବିଦ୍ୟାଧର ସାହୁ ଓ ସୃଷ୍ଟି ସ୍ଥାନ ଥିଲା ଓଡ଼ିଶାର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା। ୨୦୨୪ ଡିସେମ୍ବର ୩୦ ତାରିଖରେ ଭୁବନେଶ୍ୱରର କେଦାରନାଥ ଗବେଷଣା ପ୍ରତିଷ୍ଠାନରେ ‘ଛେନାପୋଡ଼ ସ୍ରଷ୍ଟା ବିଦ୍ୟାଧର ସାହୁ ସ୍ମୃତି ସୁରକ୍ଷା ମଞ୍ଚ’ ପକ୍ଷରୁ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା, ଯେଉଁଥିରେ ‘ପାଣିନୀ ଶିକ୍ଷା ଓ ସାଂସ୍କୃତିକ ଟ୍ରଷ୍ଟ, ଫୁଡିଜ୍ ଅଫ୍ ଭୁବନେଶ୍ୱର, ଫୁଡ୍‌ଫିଣ୍ଡୋ ଓ ଓଡିତ ଟ୍ରଷ୍ଟ ସହଯୋଗ କରିଥିଲେ।

ଏଥିରେ ଅନେକ ଛେନାପୋଡ଼ ପ୍ରେମୀ, ଇତିହାସକାର, ଲେଖକ, ଖାଦ୍ୟ ବ୍ଲଗର୍ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ଓ ଛେନାପୋଡ଼ ସମ୍ବନ୍ଧୀୟ ଅନେକ ତଥ୍ୟ ଓ ଅନୁଭୂତି ବିଷୟରେ ବକ୍ତବ୍ୟ ରଖିଥିଲେ। ବୟସ୍କ ବ୍ୟକ୍ତିମାନେ ନିଜ ନିଜର ବାଲ୍ୟ ଅନୁଭୂତିରେ ଆଣିଥିବା ଛେନାପୋଡ଼ ସମ୍ବନ୍ଧୀୟ ସ୍ମୃତି ସବୁ ବଖାଣିଥିଲେ। ବିଦ୍ୟାଧର ସାହୁଙ୍କ ପରିବାରର ସଦସ୍ୟ ଓ ପଡ଼ୋଶୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ, ଯେଉଁମାନେ ଦଶପଲ୍ଲାର ସେଇ ଦୋକାନରୁ ଛେନାପୋଡ଼ କିଣି ତାହାର ସ୍ୱାଦ ଅନୁଭବ କରୁଥିଲେ ଏବଂ ଯାହାକୁ ବର୍ତ୍ତମାନ ବିଦ୍ୟାଧର ସାହୁଙ୍କ ଅଣନାତି-ପଣନାତିମାନେ ଚଳାଉଛନ୍ତି। ସେଠାରେ ଆନୁଷ୍ଠାନିକ ଭାବରେ ଛେନାପୋଡ଼ ମଧ୍ୟ କଟାଯାଇଥିଲା। ଅବସରପ୍ରାପ୍ତ ଆଇଏଏସ୍‌ ଓ ଲେଖକ କରୁଣାକର ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ, ଯିଏ ତାଙ୍କ ନୟାଗଡ଼ ଇତିହାସ ପୁସ୍ତକରେ ବିଦ୍ୟାଧର ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ଭାବେ ଉଲ୍ଲେଖ କରିଛନ୍ତି। ନୟାଗଡ଼ ଜିଲ୍ଲାର ଅନ୍ୟାନ୍ୟ ସମ୍ଭାବ୍ୟ ଜି.ଆଇ କ୍ଷେତ୍ର ଓ ଉତ୍ପାଦନ ଉପରେ ମଧ୍ୟ ସେଠାରେ ଚର୍ଚ୍ଚା ହୋଇଥିଲା।

ଦଶପଲ୍ଲାରେ ‘ଛେନାପୋଡ଼ର ଜନ୍ମସ୍ଥାନ’ ଲେଖାଥିବା ସାଇନବୋର୍ଡ ଲଗାଯିବା ଆବଶ୍ୟକ ଏବଂ ସେଠାକାର ଛେନାପୋଡ଼ ପ୍ରସ୍ତୁତକର୍ତ୍ତା କିଛି ଦୋକାନର ନାମ ଓ ସୂଚନା ଓଡ଼ିଶା ସରକାରଙ୍କ ନୟାଗଡ଼ ୱେବ୍‌ସାଇଟରେ ଦଶପଲ୍ଲା ଅଞ୍ଚଳର ଅନଲାଇନ୍ ଅଂଶ (https://nayagarh.odisha.gov.in/tourish/tourist-places/daspalla) ରେ ଅନ୍ତର୍ଭୁକ୍ତ ହେବା ଦରକାର। ଛେନାପୋଡ଼ ଆମର ଗର୍ବ, ତେଣୁ ଏହାର ଉତ୍ପତ୍ତି ସ୍ଥାନ ଦଶପଲ୍ଲା, ଜିଲ୍ଲା ନୟାଗଡ଼ ଓ ରାଜ୍ୟ ଓଡ଼ିଶା ଭାବେ ଦେଶର ସବୁଠାରେ ଉପଲବ୍ଧ ହେବା ମଧ୍ୟ ଆବଶ୍ୟକ। ଏହା ପାଇଁ ଉଚ୍ଚ ଗୁଣବତ୍ତା ସହିତ ଉତ୍ତମ ପ୍ୟାକେଜିଂ ଓ ଦୀର୍ଘସ୍ଥାୟୀ ଶେଲ୍ଫ ଲାଇଫ୍ ଅନିବାର୍ଯ୍ୟ। ଏହି ସୃଷ୍ଟି, ସ୍ରଷ୍ଟା, ସୃଷ୍ଟିସ୍ଥାନ ଆଦିର ସମ୍ମାନ ଓ ସାମୂହିକ ଅସ୍ମିତା ପ୍ରତିଷ୍ଠା ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ସେଥିପାଇଁ ସରକାରଙ୍କ ତରଫରୁ ଏକ ରାଷ୍ଟ୍ରୀୟ ତଥ୍ୟ ଅନୁଧ୍ୟାନ ଦଳ ଗଠନ କରାଯାଇ ସଠିକ୍‌ ଡକ୍ୟୁମେଣ୍ଟେସନ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରୁଛୁ। ଏଥିରେ କୌଣସି ସନ୍ଦେହ ବା ଭ୍ରାନ୍ତି ରଖିବା ଆଦୌ ଗ୍ରହଣୀୟ ନୁହେଁ।

ଛେନାପୋଡ଼କୁ ଉତ୍ସବ, ଜନ୍ମଦିନ, ବିବାହ ବାର୍ଷିକୀ, ନୂତନ ବର୍ଷ ଉତ୍ସବ, ପାର୍ଟୀ ଇତ୍ୟାଦିରେ କେକ୍‌ର ବିକଳ୍ପ ଭାବରେ ଗ୍ରହଣ କରାଯିବା ଆବଶ୍ୟକ। ସମସ୍ତଙ୍କୁ ସ୍ଥାନୀୟତା ପ୍ରତି ସର୍ବୋତ୍ତମ ସ୍ଥାନ ପ୍ରଦାନ କରିବା ପାଇଁ ଅନୁରୋଧ ଓ ଗ୍ଲୋବାଲ୍ ଇଣ୍ଟେଲେକ୍ଟୁଆଲ୍ ପ୍ରପର୍ଟି (ଆଇ.ପି) ସହିତ ସ୍ଥାନୀୟ ସଂସ୍କୃତି ଓ ଇତିହାସ ପ୍ରତି ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ଭାବରେ ଏହାକୁ ଗ୍ରହଣ କରିବାକୁ ପଡ଼ିବ। ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଓ ‘ଭୋକାଲ୍‌ ଫର୍‌ ଜି.ଆଇ’ ହୋଇ ଏହାର ଯୁକ୍ତିଯୁକ୍ତ ଉପସ୍ଥାପନା କରିବା ସହିତ ଯେକୌଣସି ଉତ୍ସବ ନିମିତ୍ତ ଛେନାପୋଡ଼ର ବ୍ୟବହାର କରିବା ଆମର ଦାୟିତ୍ୱ। ସମସ୍ତ ଓଡ଼ିଶାବାସୀଙ୍କୁ (ଆରମ୍ଭରେ) ଛେନାପୋଡ଼କୁ ପସନ୍ଦ କରିବା ପାଇଁ ଏବଂ କେକ୍‌ ପରିବର୍ତ୍ତେ ଛେନାପୋଡ଼କୁ ଆଦରି ନେବା ସହିତ ସମସ୍ତ ପ୍ରକାର ଆଦାନ ପ୍ରଦାନରେ ଛେନାପୋଡ଼କୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରୁଛୁ। କେକ୍ ସଂସ୍କୃତି ନୁହେଁ ଛେନାପୋଡ଼ ସଂସ୍କୃତି ଆମର ପରିଚୟ। ଏହି ମିଠାକୁ ସଂସ୍କୃତି ଓ ଐତିହ୍ୟର ଅଂଶ ଭାବେ ସ୍ଥାନ ମିଳିବା ଉଚିତ। ଡିସେମ୍ବର ୩୧କୁ ଅନ୍ତର୍ଜାତୀୟ ଛେନାପୋଡ଼ ଉତ୍ସବ ଭାବେ ପ୍ରତିଷ୍ଠିତ କରାଯିବା ଦିଗରେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଏହି ତାରିଖ ବିଷୟରେ କୌଣସି ବିବାଦ ହେବା ଉଚିତ ନୁହେଁ ଏବଂ ଦୁଇଟି ତାରିଖରେ ନିଶ୍ଚିତ ଭାବରେ କୌଣସି ଉତ୍ସବ ପାଳନ କରାଯିବା ଏକ ସୁସ୍ଥ ପରମ୍ପରାକୁ ସୂଚାଏ ନାହିଁ। ଛେନାପୋଡ଼ ଦିବସ- ୩୧ ଡିସେମ୍ବର, ସମଗ୍ର ବିଶ୍ୱରେ ସମସ୍ତ ଓଡ଼ିଆଙ୍କ ଦ୍ବାରା ମହାସମାରୋହରେ ପାଳିତ ହେଉ ବୋଲି ଆମେ ଆଶା କରିବା।
ଲେଖିକା ଜଣେ ଜିଆଇ ଗବେଷିକା ଓ କାର୍ଯ୍ୟକର୍ତ୍ତା

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.