Breaking News

ଜଗୁଆଳି ନିଯୁକ୍ତି

ପ୍ରସ୍ତାବିତ ନିୟମାବଳୀରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ନିଶ୍ଚିତ କରିବା ନିମିତ୍ତ ମଧ୍ୟ ବ୍ୟବସ୍ଥା କରାଯାଇଛି। ଡେଟା ସୁରକ୍ଷାରେ କୌଣସି ଆଞ୍ଚ ଆସିବା ଘଟଣା ସ୍ବେଚ୍ଛାରେ ପ୍ରକାଶ କରିବା ପାଇଁ ଏଥିରେ ଯେଉଁ ବ୍ୟବସ୍ଥା ରଖାଯାଇଛି, ତାହା ଅନୁଷ୍ଠାନମାନଙ୍କୁ ସକ୍ରିୟ ଭାବରେ...

ପ୍ରସ୍ତାବିତ ନିୟମାବଳୀରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ନିଶ୍ଚିତ କରିବା ନିମିତ୍ତ ମଧ୍ୟ ବ୍ୟବସ୍ଥା କରାଯାଇଛି। ଡେଟା ସୁରକ୍ଷାରେ କୌଣସି ଆଞ୍ଚ ଆସିବା ଘଟଣା ସ୍ବେଚ୍ଛାରେ ପ୍ରକାଶ କରିବା ପାଇଁ ଏଥିରେ ଯେଉଁ ବ୍ୟବସ୍ଥା ରଖାଯାଇଛି, ତାହା ଅନୁଷ୍ଠାନମାନଙ୍କୁ ସକ୍ରିୟ ଭାବରେ ଏଭଳି ଘଟଣା ସ୍ବେଚ୍ଛାରେ ପ୍ରକାଶ କରିବା ପାଇଁ ପ୍ରୋତ୍ସାହିତ କରିବ। ଏଥିସହିତ ନିୟମ ଉଲ୍ଲଂଘନ ପାଇଁ କରାଯାଇଥିବା କଠୋର ଦଣ୍ଡ ବ୍ୟବସ୍ଥା ମିଶି ଡେଟା ସୁରକ୍ଷା କ୍ଷେତ୍ରରେ ଏକ ସୁସ୍ଥ ବିଶ୍ବାସର ପରିବେଶ ସୃଷ୍ଟି କରିବ।

ପୃଥିବୀ ପୃଷ୍ଠରେ ମାନବ ସଭ୍ୟତା ଏ ଯାବତ୍ ବିଭିନ୍ନ ପ୍ରାବିଧିକ ବିପ୍ଳବମାନ ଦେଇ ଗତି କରି ଆସିଥିବା‌ବେଳେ, ପୃଥିବୀର ବର୍ତ୍ତମାନର ଅଧିବାସୀମାନଙ୍କ ପାଇଁ ଯେଉଁ ଏକ ପ୍ରବିଧି ଅମ୍ଳଜାନ ଭଳି ସର୍ବବ୍ୟାପୀ ଓ ଅପରିହାର୍ଯ୍ୟ ହୋଇ ଦେଖାଦେଇଛି, ତାହା ହେଉଛି ଇଣ୍ଟର୍‌ନେଟ୍। ଏହି ପ୍ରବିଧିର ପ୍ରୟୋଗ ମାଧ୍ୟମରେ ଜ୍ଞାନ ଓ ସୂଚନାର ‌ଯେଉଁ ଅବାଧ ଉପଲବ୍‌ଧତା ସମ୍ଭବ ହୋଇଛି, ସ୍ବାଭାବିକ ଭାବରେ ଯେ କୌଣସି ନୂତନ ପ୍ରବିଧି ବିଭିନ୍ନ ହାନିକାରକ ପାର୍ଶ୍ବପ୍ରଭାବ ସୃଷ୍ଟି କଲାଭଳି (ଯେମିତି ମଟରଗାଡ଼ିରୁ ପ୍ରଦୂଷଣ), ତାହାର ମଧ୍ୟ ଅନେକ ଚିନ୍ତାଜନକ ପାର୍ଶ୍ବପ୍ରଭାବ ଅନୁଭୂତ ହେବାକୁ ଲାଗିଲାଣି। ଏଥିମଧ୍ୟରୁ ଦୁଇଟି ହେଉଛି, ସୂଚନାର ଜଗୁଆଳିହୀନ ପ୍ରସାର ଓ ବ୍ୟକ୍ତିଗତ ଗୋପନୀୟତାରେ ଅନୁମତିହୀନ ଅନୁପ୍ରବେଶ। ଉଦାହରଣ ସ୍ବରୂପ ଇଣ୍ଟର୍‌ନେଟ୍‌ର ଅପ୍ରାପ୍ତବୟସ୍କ ବ୍ୟବହାରକାରୀମାନେ ଏହା ମାଧ୍ୟମରେ ସେମାନଙ୍କ ପାଇଁ ନିଷିଦ୍ଧ ଓ କ୍ଷତିକାରକ ସୂଚନା ଦୁନିଆରେ ଅବାଧରେ ପ୍ରବେଶ କରିପାରୁଛନ୍ତି। ସେହିପରି ଇଣ୍ଟର୍‌ନେଟ୍ ବ୍ୟବହାର ସମୟରେ ବ୍ୟବହାରକାରୀମାନଙ୍କ ସଂପର୍କରେ ଯେଉଁସବୁ ସୂଚନା ଇଣ୍ଟର୍‌ନେଟ୍‌ରେ ପ୍ରବେଶ କରେ ତାହା ସେମାନଙ୍କର ଅଜାଣତରେ ଓ ବିନା ଅନୁମତିରେ ତୃତୀୟ ପକ୍ଷର ହସ୍ତଗତ ହୋଇଥାଏ, ଯାହାକୁ ସେମାନେ ନିଜର କୌଣସି କାର୍ଯ୍ୟରେ କିମ୍ବା ଉଦ୍ଦେଶ୍ୟ ସାଧନରେ ବ୍ୟବହାର କରିପାରନ୍ତି।
ଇଣ୍ଟର୍‌ନେଟ୍‌ର ଏଭଳି ପାର୍ଶ୍ବଫଳ ସମ୍ବନ୍ଧରେ ସଚେତନ ହେବା ପରେ ସଂପ୍ରତି ବିଭିନ୍ନ ଦେଶରେ ଏହାର ପ୍ରତିକାର ବ୍ୟବସ୍ଥା ସ୍ବରୂପ ଡେଟା ପ୍ରୋଟେକ୍‌ସନ୍ ବା ସୂଚନା ସୁରକ୍ଷା ଆଇନମାନ ପ୍ରଣୟନ କରାଯିବା ଦେଖାଗଲାଣି। ଭାରତରେ ମଧ୍ୟ ଏ ସଂପର୍କରେ ସଚେତନତା ସୃଷ୍ଟି ହୋଇ ଏକ ବର୍ଷରୁ ଅଧିକ କାଳ ତଳେ ପାର୍ଲିଆମେଣ୍ଟରେ ‘ଡିଜିଟାଲ୍ ପର୍ସନାଲ୍ ଡେଟା ପ୍ରୋଟେକ୍‌ସନ୍’ (‘ଡିପିଡିପି’) ଆକ୍ଟ ନାମକ ବିଧେୟକ ପାରିତ ହୋଇଥିଲା। କିନ୍ତୁ ଏ ସଂପର୍କିତ ‘ରୁଲ୍‌ସ’ ବା ନିୟମାବଳୀ ପ୍ରଣୀତ ହୋଇ ନ ଥିବା ହେତୁ ଏହି ଗୁରୁତ୍ବପୂର୍ଣ୍ଣ ଜଗୁଆଳି ଆଇନ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ସରକାର ବର୍ତ୍ତମାନ ଆଳସ୍ୟ ତ୍ୟାଗ କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସ୍ବରୂପ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। ଏହି ନିୟମାବଳୀକୁ ଅନ୍ତିମ ରୂପ ପ୍ରଦାନ କରିବା ପୂର୍ବରୁ ସରକାର ଏଥିପ୍ରତି ଜନସାଧାରଣଙ୍କ ପ୍ରତିକ୍ରିୟା ସଂଗ୍ରହ କରି ତାହାକୁ ବିଚାରକୁ ନେବା ପାଇଁ ଫେବ୍ରୁଆରି ୧୮ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହା ପରେ ସରକାର ଅନ୍ତିମ ନିୟମାବଳୀ ବିଜ୍ଞପିତ କରିବେ। ଭାରତରେ ବର୍ତ୍ତମାନ ଡେଟା ଚୋରି ଓ ଗୋପନୀୟତା-ଅନୁପ୍ରବେଶରେ ଯେଉଁଭଳି ବ୍ୟାପକ ବୃଦ୍ଧି ଘଟିବା ଦେଖାଯାଉଛି‌, ଏକ ନିୟନ୍ତ୍ରଣ ବ୍ୟବସ୍ଥାର ଆସନ୍ନ ଆଗମନ ସମ୍ଭାବନା ନିଶ୍ଚିତ ରୂପେ ଆଶ୍ବସ୍ତି ସୃଷ୍ଟି କରିଥାଏ।
ଯେଉଁମାନଙ୍କ ଠାରେ ଏହି ଆଶ୍ବସ୍ତି ବୋଧହୁଏ ସର୍ବାଧିକ ପରିଲକ୍ଷିତ ହେବ, ସେମାନେ ହେଉଛନ୍ତି କୋମଳମତି ପିଲାମାନଙ୍କର ପିତାମାତାମାନେ। ନିଜର ପିଲାବେଳ କଥା ମନେ ପକାଇ ଏହି ପିତାମାତାମାନେ ହତଚକିତ ହୋଇଯାଉଛନ୍ତି ଇଣ୍ଟର୍‌ନେଟ୍ ଯୁଗରେ ପିଲାବେଳର ଚରିତ୍ରରେ କିପରି ସଂପୂର୍ଣ୍ଣ ଓଲଟପାଲଟ ଘଟିସାରିଲାଣି। ଉଦାହରଣ ସ୍ବରୂପ ଆଜିର ପିଲାମାନଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ଆଉ ପୂର୍ବଭଳି ପ୍ରତ୍ୟକ୍ଷ ଆଦାନପ୍ରଦାନ ଉପରେ ପ୍ରତିଷ୍ଠିତ ନ ହୋଇ, ସଂପୂର୍ଣ୍ଣ ରୂ‌େପ ସୋସିଆଲ୍ ମିଡିଆ ମାଧ୍ୟମରେ ଅଗ୍ରଗତି କରିଥାଏ। ସୋସିଆଲ୍ ମିଡିଆ ବ୍ୟବହାର ପିଲାମାନଙ୍କର ନିଶାରେ ପରିଣତ ହୋଇ ସେମାନଙ୍କର ଯେଉଁଭଳି ସାଂଘାତିକ କ୍ଷତି ସାଧନ କରୁଛି, ତାହା ଏଭଳି ସୁବିଦିତ ଯେ ଏଠାରେ ତାହାର ଅଧିକ ବର୍ଣ୍ଣନା ଅନାବଶ୍ୟକ। ‘ଡିପିଡିପି ଆକ୍ଟ’ର ଚିଠା ନିୟମାବଳୀରେ ଏହାର ମୁକାବିଲା କରିବା ନିମିତ୍ତ ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ଅନୁସାରେ ନାବାଳକମାନେ କୌଣସି ସୋସିଆଲ୍ ମିଡିଆ ଏକାଉଣ୍ଟ ଖୋଲିବା ପାଇଁ ସେମାନଙ୍କର ପିତାମାତା କିମ୍ବା ମୁରବିଙ୍କର ସମ୍ମତି ବାଧ୍ୟତାମୂଳକ ଭାବରେ ଆବଶ୍ୟକ ହେବ।
ଏଭଳି ନିୟମ ଲାଗୁ କରିବାରେ ଭାରତ ଅବଶ୍ୟ ପୃଥିବୀରେ ପ୍ରଥମ ଦେଶ ହେବ ନାହିଁ। ‘ଇଉରୋପିଆନ୍ ୟୁନିଅନ୍’ରେ ବଳବତ୍ତର ଥିବା ‘ଜେନେରାଲ୍ ଡେଟା ପ୍ରୋଟେକ୍‌ସନ୍ ରେଗୁଲେସନ୍’ (‘ଜିଡିପିଆର୍’) ଅନୁସାରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ୍ ମିଡିଆ ବ୍ୟବହାର କରିବା ପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ ହୋଇଥାଏ। ଆମେରିକାରେ ଅନୁସୃତ ହେଉଥିବା ‘ଚିଲ୍‌ଡ୍ରେନ୍‌’ସ ଅନ୍‌ଲାଇନ୍ ପ୍ରାଇଭେସି ପ୍ରୋଟେକ୍‌ସନ୍ ଆକ୍ଟ’ (‘କୋପ୍ପା’) ଅନୁସାରେ ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଇଣ୍ଟର୍‌ନେଟ୍ ବ୍ୟବହାର କଡ଼ାକଡ଼ି ଭାବରେ ନିୟନ୍ତ୍ରିତ ହୋଇଥାଏ। ଏ ସମସ୍ତ ନିୟନ୍ତ୍ରଣ ପିଲାମାନଙ୍କୁ ଅନ୍‌ଲାଇନ୍ ନିର୍ଯାତନା, ଶେ‌ାଷଣ, ଗୋପନୀୟତା ହାନି ଆଦି ବିପଦରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ। ଅନେକ ସମୟରେ ଏଭଳି ଅନ୍‌ଲାଇନ୍ ହରକତ ସହ୍ୟ କରି ନ ପାରି ଅପରିପକ୍ବ ପିଲାମାନେ ଆତ୍ମହତ୍ୟା କରିବା ଦେଖାଯାଇଥାଏ ତ କେତେବେଳେ କୌଣସି ବିପଜ୍ଜନକ କାର୍ଯ୍ୟରେ ପ୍ରବୃତ୍ତ ହୋଇ କେହି କେହି ପ୍ରାଣ ହରାଇବା ମଧ୍ୟ ଦେଖାଯାଇଥାଏ।
ଭାରତୀୟ ପ୍ରସ୍ତାବିତ ନିୟମାବଳୀ ଅନୁସାରେ ପିତାମାତାଙ୍କର ସମ୍ମତି ସଂଗ୍ରହ କରିବା ଦାୟିତ୍ବ କଡ଼ାକଡ଼ି ଭାବରେ ସୋସିଆଲ୍ ମିଡିଆ କଂପାନିମାନଙ୍କ ଉପରେ ନ୍ୟସ୍ତ କରାଯାଇଛି, ଯାହାଦ୍ବାରା ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ଅନ୍‌ଲାଇନ୍ କାର୍ଯ୍ୟକଳାପକୁ ଠିକଣା ବାଟରେ ପରିଚାଳିତ କରିପାରିବେ। କୃତ୍ରିମ ମେଧା (‘ଏଆଇ’) ପ୍ରୟୋଗ ଦ୍ବାରା ପିଲାର ବୟସ ନିରୂପଣ, ଡିଜିଟାଲ୍ ସାକ୍ଷରତା ହାସଲ କର୍ମଶାଳା ଆୟୋଜନ ଏବଂ ସ୍ବଚ୍ଛ ଅଭିଯୋଗ ଶୁଣାଣି ବ୍ୟବସ୍ଥା କାର୍ଯ୍ୟକାରୀ କରି ଏହି ନିୟମାବଳୀର କାର୍ଯ୍ୟକାରିତାରେ ଆହୁରି ଉନ୍ନତି ହାସଲ କରାଯାଇପାରେ। କେତେଦିନ ତଳେ ଅଷ୍ଟ୍ରେଲିଆ ସରକାର ଏକ ଚରମ ପଦକ୍ଷେପ ନେଇ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ୍ ମିଡିଅା ବ୍ୟବହାର ଯେଉଁଭଳି ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିଦେଇଛନ୍ତି, ତାହା ତୁଳନାରେ ଭାରତର ଏହି ପ୍ରସ୍ତାବିତ ନିୟନ୍ତ୍ରଣ ଅଧିକ ବାସ୍ତବଧର୍ମୀ ମନେ ହୋଇଥାଏ। ଏହାଦ୍ବାରା ପିଲାମାନଙ୍କୁ ସୋସିଆଲ୍ ମିଡିଆର ଦୁରୁପଯୋଗ ଠାରୁ ଦୂରେଇ ରଖି ସେମାନଙ୍କୁ ତାହାର ସୁ-ଉପଯୋଗ କରିବାରେ ନି‌େୟାଜିତ କରାଯାଇପାରିବ।
ସେଇଭଳି ଡେଟାର ସ୍ଥାନୀୟକରଣ (ଲୋକାଲାଇଜେସନ୍) ପ୍ରସଙ୍ଗରେ ପ୍ରସ୍ତାବିତ ନିୟମାବଳୀରେ ସରକାର ଗ୍ରହଣ କରିଥିବା ନମନୀୟ ଆଭିମୁଖ୍ୟ ସୁଚିନ୍ତିତ ବୋଧ ହୋଇଥାଏ। ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା କଂପାନିମାନେ ଭାରତରୁ ସଂଗ୍ରହ କରୁଥିବା ସମସ୍ତ ଡେଟା ପ୍ରତି ବାଧ୍ୟତାମୂଳକ ଭାବରେ ସ୍ଥାନୀୟକରଣ ଆବଶ୍ୟକତା ଲାଗୁ କରିବା ପରିବର୍ତ୍ତେ ସରକାରଙ୍କ ଦ୍ବାରା ନିଯୁକ୍ତ ଏକ କମିଟି ବିଭିନ୍ନ କ୍ଷେତ୍ର ପାଇଁ ଏହାର ଆବଶ୍ୟକତା ଅନୁଶୀଳନ କରି ଏ ବାବଦରେ ନିର୍ଦ୍ଦେଶ ପ୍ରଦାନ କରିବ। କେବଳ ସ୍ପର୍ଶକାତର ଡେଟା ବ୍ୟତୀତ ଅନ୍ୟାନ୍ୟ ଡେଟା ବିଦେଶରୁ ସ୍ଥାନାନ୍ତରିତ କରାଯାଇପାରିବା ଦ୍ବାରା ବହୁଦେଶୀୟ କଂପାନିମାନଙ୍କ ପାଇଁ ଭାରତରେ ବ୍ୟବସାୟ ଚଳାଇବାର ଜଟିଳତା ହ୍ରାସ ପାଇବ। ପ୍ରସ୍ତାବିତ ନିୟମାବଳୀରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ନିଶ୍ଚିତ କରିବା ନିମିତ୍ତ ମଧ୍ୟ ବ୍ୟବସ୍ଥା କରାଯାଇଛି। ଡେଟା ସୁରକ୍ଷାରେ କୌଣସି ଆଞ୍ଚ ଆସିବା ଘଟଣା ସ୍ବେଚ୍ଛାରେ ପ୍ରକାଶ କରିବା ପାଇଁ ଏଥିରେ ଯେଉଁ ବ୍ୟବସ୍ଥା ରଖାଯାଇଛି, ତାହା ଅନୁଷ୍ଠାନମାନଙ୍କୁ ସକ୍ରିୟ ଭାବରେ ଏଭଳି ଘଟଣା ସ୍ବେଚ୍ଛାରେ ପ୍ରକାଶ କରିବା ପାଇଁ ପ୍ରୋତ୍ସାହିତ କରିବ। ଏଥିସହିତ ନିୟମ ଉଲ୍ଲଂଘନ ପାଇଁ କରାଯାଇଥିବା କଠୋର ଦଣ୍ଡ ବ୍ୟବସ୍ଥା ମିଶି ଡେଟା ସୁରକ୍ଷା କ୍ଷେତ୍ରରେ ଏକ ସୁସ୍ଥ ବିଶ୍ବାସର ପରିବେଶ ସୃଷ୍ଟି କରିବ।
ଆଶା କରାଯାଏ ଡିଜିଟାଲ୍ ଦୁନିଆରେ ଭାରତ ଯେଉଁ ନେତୃସ୍ଥାନ ହାସଲ କରିଛି, ଏହି ଜଗୁଆଳି ନିୟମାବଳୀ କାର୍ଯ୍ୟକାରୀ ହୋଇ ତାହାକୁ ଆହୁରି ଦୃଢ଼ୀଭୂତ କରିବାରେ ସହାୟକ ହେବ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.