Breaking News

ଜଙ୍ଗଲକୁ ଫେରିଲେ ହାତୀପଲ: ଉପକଣ୍ଠବାସୀ ଭୟଭୀତ, ସହାୟତା ଲୋଡ଼ିଲେ

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଭରତପୁର ସଂରକ୍ଷିତ ଜଙ୍ଗଲ। ଆଉ ସେଠାରୁ ସିଧାସଳଖ ଶିଖରଚଣ୍ଡୀ ପାହାଡ଼। ଏଭଳି ଏକ ଚଲାପଥ ତିଆରି କରିଛନ୍ତି ହାତୀ ପଲ। କେତେବେଳେ ଗୋଟିଏ ତ କେତେବେଳେ ହାତୀପଲ ମାଡ଼ି ଆସୁଛନ୍ତି।

ଚନ୍ଦ୍ରଶେଖରପୁର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଭରତପୁର ସଂରକ୍ଷିତ ଜଙ୍ଗଲ। ଆଉ ସେଠାରୁ ସିଧାସଳଖ ଶିଖରଚଣ୍ଡୀ ପାହାଡ଼। ଏଭଳି ଏକ ଚଲାପଥ ତିଆରି କରିଛନ୍ତି ହାତୀ ପଲ। କେତେବେଳେ ଗୋଟିଏ ତ କେତେବେଳେ ହାତୀପଲ ମାଡ଼ି ଆସୁଛନ୍ତି। ଗତ ମାସେ ହେଲା ଲଗାତାର ଭାବେ ସହର ଉପକଣ୍ଠରେ ବୁଲୁଥିବା ହାତୀ ପଲ ଏବେ ଲୋକଙ୍କ ନିଦ ହଜାଇ ଦେଲେଣି। ବିଶେଷକରି ଗତ ୪ ଦିନ ଧରି ଶିଖରଚଣ୍ଡୀ ପାହାଡ଼ ମୁଣ୍ଡିଆରେ ଡେରା ପକାଇବା ପରେ ଗତକାଲି ରାତିରେ ଭରତପୁର ଜଙ୍ଗଲକୁ ଫେରିଥିବା ହାତୀ ପଲ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ପ୍ରଥମେ ଏକ ତିନି ଟିକିଆ ହାତୀ ପଲ ଶିଖରଚଣ୍ଡୀ ପାହାଡ଼ରେ ତିନି ଦିନ ତଳେ ପହଞ୍ଚିଥିଲେ। ଏହାପରେ ଆଉ ଦୁଇଟି ହାତୀ ଯୋଡ଼ି ହେବା ପ‌ରେ ସେମାନଙ୍କ ସଂଖ୍ୟା ୫ରେ ପହଞ୍ଚିଥିଲା। ପାହାଡ଼ରେ ରହିବା ସମୟରେ ଗଛ ନଷ୍ଟ କରିବା ସହ ନିର୍ମାଣାଧୀନ ପାଣି ଟାଙ୍କିରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଲୋକଙ୍କର କୌଣସି କ୍ଷତି କରି ନ ଥିଲେ ମଧ୍ୟ ହାତୀ ୫ଟିକୁ ନେଇ ସହର ଉପକଣ୍ଠରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଏକ ମାସ ମଧ୍ୟରେ ଶିଖରଚଣ୍ଡୀ ପାହାଡ଼ ସମେତ ଉପକଣ୍ଠକୁ ବାରମ୍ବାର ହାତୀଙ୍କ ପ୍ରବେଶ ହୋଇଥିବାରୁ ଅଞ୍ଚଳବାସୀ ସୁରକ୍ଷା ଲୋଡ଼ିଛନ୍ତି।

ସହର ଭିତରକୁ ହାତୀ ପ୍ରବେଶ ଏହା ପ୍ରଥମ ଘଟଣା‌ ନୁହେଁ, ପୂର୍ବରୁ ମଧ୍ୟ ହାତୀ ପଲ ଆସି ବ୍ୟାପକ କ୍ଷତି ଘଟାଇଥିଲେ। ଭରତପୁର ଜଙ୍ଗଲର କେତେକ ସ୍ଥାନରେ ଟ୍ରେଞ୍ଚ ପୋତି ହେବା, ଚନ୍ଦକାରୁ ଭରତପୁର ଜଙ୍ଗଲ ଭିତରକୁ ପ୍ରବେଶ ରାସ୍ତା ଥିବାରୁ ହାତୀଗୁଡ଼ିକ ସିଧାସଳଖ ଶିଖରଚଣ୍ଡୀ ଆସୁଛନ୍ତି। ଆସିବା ସମୟରେ ସେମାନଙ୍କ ଆଗରେ ପାଚେରି, ଘର, ଗଛ ଥିଲେ ମଧ୍ୟ ତାହାକୁ ଭାଙ୍ଗି ଦେଉଛନ୍ତି। ଏମିତିକି କୌଣସି ପୋଷା ଜନ୍ତୁ ଯଦି ସେମାନଙ୍କ ହାବୁଡ଼ରେ ପଡ଼ିଗଲେ ପାଦରେ ଦଳିଚକଟି ମାରି ଦେଉଛନ୍ତି। ହାତୀଗୁଡ଼ିକ ନିୟମିତ ବ୍ୟବଧାନରେ ଶିଖରଚଣ୍ଡୀ ପାହାଡ଼କୁ ଆସୁଥିବାରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସ୍ଥାନୀୟ‌ ଲୋକେ ବନ ବିଭାଗକୁ ନିବେଦନ କରିଛନ୍ତି।

ବନ କର୍ମଚାରୀଙ୍କ ସୂଚନା ଅନୁଯାୟୀ ରାଜଧାନୀ ଉପକଣ୍ଠରେ ଏବେ ଚାଷ ହୋଇଥିବାରୁ ହାତୀ ପଲ ବାରମ୍ବାର ଜଙ୍ଗଲ ବାହାରକୁ ପଳାଇ ଆସୁଛନ୍ତି। ଶିଖରଚଣ୍ଡୀ ପାହାଡ଼ରେ ଗଛ ଲଗାଯାଇଥିବାରୁ ସବୁଜିମା ପରିବେଶ ସୃଷ୍ଟି ହୋଇଛି। ତେଣୁ କଅଁଳିଆ ଡାଳପତ୍ର ମୋହରେ ପଡ଼ି ସେମାନେ ପଳାଇ ଆସୁଥିବା ଅନୁମାନ କରାଯାଉଛି। ତେଣୁ ଗତ ତିନି ଦିନ ହେଲା ବନ ବିଭାଗର ତିନିଟି ଟିମ୍‌ ପାହାଡ଼ ଚାରିପାଖରେ ଜଗି ରହିଥିଲେ। ରେସ୍କ୍ୟୁ ଟିମ୍‌ ମଧ୍ୟ ଘନଘନ ଚକ୍କର କାଟିଥିଲା। ସୌଭାଗ୍ୟବଶତଃ ସେଭଳି କୌଣସି କ୍ଷତି ହୋଇ ନାହିଁ। ଶିଖରଚଣ୍ଡୀ ପାହାଡ଼ରେ ଭୋଜି ହେଉଥିବା ସ୍ଥାନରେ ଥିବା‌ ଡଷ୍ଟବିନ୍‌କୁ ଭାଙ୍ଗିଛନ୍ତି। ନିର୍ମାଣାଧୀନ ପାଣି ଟାଙ୍କିର କେତେକ ସାମଗ୍ରୀ ଭାଙ୍ଗିଛନ୍ତି। ଯାଞ୍ଚ ବେଳେ ପାହାଡ଼ ଉପରୁ ହାତୀଙ୍କ ମଳ ଦେଖିବାକୁ ମିଳିଥିଲା। ଭରତପୁର ଜଙ୍ଗଲକୁ ସେମାନେ ଫେରି ଯାଇଥିବାରୁ ଲୋକେ ଭୟଭୀତ ନ ହେବାକୁ ଚନ୍ଦକା ଡିଏଫ୍‌ଓ ଅନୁରୋଧ କରିଛନ୍ତି।

ସୁରକ୍ଷା ନେଇ ମାନସମନ୍ଥନ

ମେଣ୍ଢାଶାଳ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବଢ଼ୁଥିବା ହାତୀ-ମଣିଷ ଲଢ଼େଇ ରୋକିବା ଦିଗରେ ବନ ବିଭାଗ ଗୁରୁତ୍ବା‌ରୋପ କରିଛି। ହାତୀଙ୍କୁ ସୁରକ୍ଷା ଦେବା ସହ ଲୋକଙ୍କ ଧନଜୀବନ ଯେପରି ପ୍ରଭାବିତ ନ ହେବ ସେନେଇ ଆଜି ଅଭୟ‌ାରଣ୍ୟର ଗୋଡ଼ିବାରିଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ବନଖଣ୍ଡ ଅଧିକାରୀ ଶରତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭୟାରଣ୍ୟ ସଂଲଗ୍ନ କଟକ ଓ ଖୋର୍ଦ୍ଧାର ଜନପ୍ରତିନିଧି ନ ହେଲେ ସେମାନଙ୍କ ପ୍ରତିନିଧି ସାମିଲ ହୋଇ ସୁଚିନ୍ତିତ ମତାମତ ଦେଇଥିଲେ।
ବୈଠକ ଅବସରରେ ଏକ କୋର୍‌ କମିଟି ଗଠନ କରାଯାଇଛି। କଟକ ଓ ଭୁବନେଶ୍ବର ସାଂସଦଙ୍କୁ କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଅଭୟାରଣ୍ୟ ଚାରିପାଖରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଖୋର୍ଦ୍ଧା, ବାଙ୍କୀ, ଜଟଣୀ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ରର ବିଧାୟକମାନେ ଏହି କମିଟିର ସଦସ୍ୟ ରହିଛନ୍ତି।

କମିଟିର ବୈଠକ ବର୍ଷକୁ ଅତିକମ୍‌ରେ ଦୁଇଥର ବସିବା ସହ ହାତୀ-ମଣିଷ ଲଢ଼େଇ ରୋକିବା ଦିଗରେ କିଭଳି ପଦକ୍ଷେପ ନିଆଯାଇପାରିବ ସେନେଇ ମାନସମନ୍ଥନ କରାଯିବ। ବନ ବିଭାଗର ଏଭଳି ପ୍ରୟାସକୁ ଅଞ୍ଚଳବାସୀଙ୍କ ସମେତ ପରିବେଶବିତ୍, ବୁଦ୍ଧିଜୀବୀ, ଶିକ୍ଷାବିତ୍‌ମାନେ ପ୍ରଶଂସା କରିଥିଲେ ମଧ୍ୟ କାର୍ଯ୍ୟକାରିତା ନେଇ ଆଶଙ୍କା ପ୍ରକାଶ ପାଇଛି। ଆଜିର ବୈଠକରେ କଟକ ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି, ବାଙ୍କୀ, ବାରଙ୍ଗ, ଜଟଣୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଭୟାରଣ୍ୟ ଚାରିପାର୍ଶ୍ୱରେ ଥିବା ୨୬ଟି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପରିବେଶବିତ୍‌ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ଅଭୟାରଣ୍ୟର ୪ ଜଣ ରେଞ୍ଜ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଜଟଣୀ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟ ବନ୍ୟପ୍ରାଣୀ ଓ ମଣିଷ ମଧ୍ୟରେ ସମନ୍ୱୟ ଓ ସହଭାଗିତା ରଖି ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.