Breaking News

ଜଙ୍ଗଲ ସ୍ଥିତିକୁ ନେଇ ଦୈତ୍ୟନଗରୀରେ ଭିନ୍ନ ଚିତ୍ର: ସହରରେ କମିଲା, ଆଖପାଖରେ ବଢ଼ିଲା

ରାସ୍ତା ସମ୍ପ୍ରସାରଣ ହେଉ ଅଥବା ଆପାର୍ଟମେଣ୍ଟ ନିର୍ମାଣ। ପ୍ରତିଦିନ ଭୁବନେଶ୍ବରରେ ବୃକ୍ଷ ଛେଦନ ହେଉଛି। କାଟିବାକୁ କେହି କାହାର ଅନୁମତି ଲୋଡ଼ୁ ନାହାନ୍ତି। ନିଜ ଇଚ୍ଛାରେ ଗଛ କାଟି ଭୁବନେଶ୍ବରକୁ ପଦା କରି ଚାଲିଛନ୍ତି।

ଭୁବନେଶ୍ବର: ରାସ୍ତା ସମ୍ପ୍ରସାରଣ ହେଉ ଅଥବା ଆପାର୍ଟମେଣ୍ଟ ନିର୍ମାଣ। ପ୍ରତିଦିନ ଭୁବନେଶ୍ବରରେ ବୃକ୍ଷ ଛେଦନ ହେଉଛି। କାଟିବାକୁ କେହି କାହାର ଅନୁମତି ଲୋଡ଼ୁ ନାହାନ୍ତି। ନିଜ ଇଚ୍ଛାରେ ଗଛ କାଟି ଭୁବନେଶ୍ବରକୁ ପଦା କରି ଚାଲିଛନ୍ତି। ଯେ‌ତିକି କାଟୁଛନ୍ତି ସେହି ଅନୁଯାୟୀ ଲଗାଉ ନାହାନ୍ତି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୨୧ ତୁଳନାରେ ୨୦୨୩ରେ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ରେ ୦.୦୭ ବର୍ଗ କିମି ଜଙ୍ଗଲ କମିଥିଲା। ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ସିଟି ଡିଭିଜନ୍‌ରେ ଜଙ୍ଗଲ କମିଥିବା ବେଳେ ଆଖାପାଖ ‌କଟକ ଓ ଖୋର୍ଦ୍ଧା ଡିଭିଜନ୍‌ରେ ଜଙ୍ଗଲ ପରିମାଣ ବଢ଼ିଛି। ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଖୋର୍ଦ୍ଧା ଜିଲ୍ଲାର ୨,୮୧୩ ବର୍ଗ କିମି ଅଞ୍ଚଳକୁ ନେଇ ଅଧ୍ୟୟନ କରାଯାଇଥିଲା। ସେଥିମଧ୍ୟରୁ ୫୩୦.୪୦ ବର୍ଗ କିମିରେ ଜଙ୍ଗଲ ରହିଛି, ଯାହାକି ୨୦୦୩ ତୁଳନାରେ ବହୁ ଅଧିକ। ଗତ ଦୁଇ ଦଶନ୍ଧି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୧୬୮ ବର୍ଗ କିମି ଜଙ୍ଗଲ ବୃଦ୍ଧି ଘଟିଛି। ସମସ୍ତ ବର୍ଗର ଜଙ୍ଗଲ ପରିମାଣ ବଢ଼ିଛି। ୨୦୨୩ରେ ଏହି ଜିଲ୍ଲାରେ ୨୨.୧୯ ବର୍ଗ କିମି ‌ଘଞ୍ଚ, ୧୮୮.୭୩% ମଧ୍ୟମ ଘଞ୍ଚ ଓ ୩୧୯.୪୮ ବର୍ଗ କିମି ଖୋଲା ଜଙ୍ଗଲ ରହିଛି। ୨୦୨୧ ତୁଳନାରେ ୨୦୨୩ରେ ଜିଲ୍ଲାରେ ୭.୧୯ ବର୍ଗ କିମି ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଅଞ୍ଚଳ ଆସୁଥିବା ସିଟି ଫରେଷ୍ଟ ଡିଭିଜନ୍‌ର ପରିସୀମା ୧,୪୪୫.୧୮ ବର୍ଗ କିମି ଥିବା ବେଳେ ମାତ୍ର ୫୮.୯୦ ବର୍ଗ କିମିରେ ଜଙ୍ଗଲ ରହିଛି। ଆଦୌ ଘଞ୍ଚ ଜଙ୍ଗଲ ନାହିଁ। ୦.୫୧ ବର୍ଗ କିମି ମଧ୍ୟମ ଘଞ୍ଚ ଓ ୫୮.୩୯ ବର୍ଗ କିମିର ଖୋଲା ଜଙ୍ଗଲ ଏବଂ ୧.୨୮ ବର୍ଗ କିମିରେ ବୁଦା ଜାତୀୟ ଗଛ ରହିଥିବା ଜଣାପଡ଼ିଛି।

ସିଟି ଡିଭିଜନ୍‌ରୁ କମିଗଲା ୦.୦୭ ବର୍ଗ କିମି
କଟକ ଓ ଖୋର୍ଦ୍ଧା ଡିଭିଜନ୍‌ରେ ବଢ଼ିଲା ଜଙ୍ଗଲ
ହଲଚଲ ହେଲାନି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ

ସାଟେଲାଇଟ୍‌ ମାଧ୍ୟମରେ ହୋଇଥିବା ଏହି ସର୍ଭେ ମୁତାବକ, ୪୯୪.୨୮ ବର୍ଗ କିମି ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଡିଭିଜନ୍‌ରେ ୨୦୨୩ ପର୍ଯ୍ୟନ୍ତ ଆଦୌ ଘଞ୍ଚ ଜଙ୍ଗଲ ନାହିଁ।  ୩୩.୩୬ ବର୍ଗ କିମିରେ ମଧ୍ୟମ ଘଞ୍ଚ ଓ ୧୬୭.୪୫ ବର୍ଗ କିମିରେ ଖୋଲା ଜଙ୍ଗଲ ରହିଛି। ୨୦୨୧ରେ ଯେତିକି ଜଙ୍ଗଲ ରହିଥିଲା ୨୦୨୩ରେ ସେତିକି ଚିହ୍ନଟ ହୋଇଛି। ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ଜଙ୍ଗଲ ବଢ଼ିନି କି କମିନି। ଏହି ଡିଭିଜନ୍‌ରେ ୩୬.୦୩ ବର୍ଗ କିମି ଅଞ୍ଚଳରେ ବୁଦାଜାତୀୟ ଗଛ ରହିଛି, ଯାହାକି ବନ୍ୟଜନ୍ତୁଙ୍କୁ ପାଇଁ ବେଶ ଉପଯୋଗୀ ହେଉଛି। ଖୋ‌ର୍ଦ୍ଧା ଡିଭିଜନ୍‌ରେ ୨୦୨୧ ତୁଳନାରେ ୭.୩୭ ବର୍ଗ କିମି ଜଙ୍ଗଲ ବଢ଼ିଛି। ୪୭.୧୭ ବର୍ଗ କିମି ଘଞ୍ଚ, ୨୯୮.୧୮ ବର୍ଗ କିମି ମଧ୍ୟମ ଘଞ୍ଚ ଓ ୩୧୮.୧୮ ବର୍ଗ କିମି ଖୋଲା ଜଙ୍ଗଲକୁ ମିଶାଇ ୬୬୩.୭୪ ବର୍ଗ କିମି ରହିଛି। କଟକ ଡିଭିଜନ୍‌ରେ ଜଙ୍ଗଲ ପରିମାଣ ବଢ଼ିଛି। ୫,୦୪୩.୨୮ ବର୍ଗ କିମି ବିଶିଷ୍ଟ ଏହି ଡିଭିଜନ୍‌ରେ ୫.୬୭ ବର୍ଗ କିମି ଘଞ୍ଚ, ୮୭.୪୧ ବର୍ଗ କିମି ମଧ୍ୟମ ଘଞ୍ଚ ଓ ୪୪୨.୮୯ ବର୍ଗ କିମି ଅଞ୍ଚଳରେ ଖୋଲା ଜଙ୍ଗଲ ରହିଛି। ୨୦୨୧ ତୁଳନାରେ ଏଠାରେ ୫.୫୦ ବର୍ଗ କିମି ଜଙ୍ଗଲ ବଢ଼ିଛି।

ସିଟି ଡିଭିଜନ୍‌ ଡିଏଫ୍‌ଓ ଅଜିତ୍‌ କୁମାର ଶତପଥୀ କହିଛନ୍ତି ଯେ ଭୁବନେଶ୍ବର ସିଟି ଡିଭିଜନ୍‌ରେ ଗଛ କମି ନାହିଁ। ବରଂ ଯେତିକି କଟିଛି ତାହାଠାରୁ ଅଧିକ ଲାଗିଛି। ୨୦୨୪ରେ ପ୍ରକାଶିତ ସାଟେଲାଇଟ୍‌ ସର୍ଭେ ରିପୋର୍ଟ ପାଇଁ ୨୦୨୨ରେ ତଥ୍ୟ ସଂଗ୍ରହ ହୋଇଥିଲା। ଯେଉଁ ୦.୦୭ ବର୍ଗ କିମି କମିଥିବା କୁହାଯାଉଛି ସର୍ଭେ ସମୟରେ କୌଣସି ସ୍ଥାନରେ ବୃକ୍ଷରୋପଣ ପାଇଁ ବୁଦା ସଫା କରାଯାଇଥିବା ଅନୁମାନ କରାଯାଉଛି। ୨୦୨୨ ତୁଳନାରେ ଏବେ ଜଙ୍ଗଲ ବଢ଼ିଛି। ଆନନ୍ଦବନ, ଶିଖରଚଣ୍ଡି, ପଟିଆ‌ ଶ୍ମଶାନ, ଔଷଧୀୟ ଉଦ୍ୟାନ କେନ୍ଦ୍ର ପରି ୧୦ରୁ ଅଧିକ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ଦ୍ବାରା ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.