Breaking News

ଜଟଣୀରେ ଜମି କିଣାବିକା ବଢ଼ୁଛି: ରାଜସ୍ବ ଆଦାୟରେ ଜିଲ୍ଲାରେ ପ୍ରଥମ

ରାଜଧାନୀ ପରିସୀମା ସହ ଉପକଣ୍ଠରେ ଜମିର ଚାହିଦା ବଢ଼ିବାରେ ଲାଗିଛି। ଏଣୁ ବିକାକିଣା ପାଇଁ ସବ୍‌ରେଜିଷ୍ଟ୍ରାର ଓ ତହସିଲ୍‌ରେ ଭିଡ଼ ଜମୁଛି। ପ୍ରତ୍ୟେକ ଦିନ ଏଠାରେ ଶହଶହ ଜମିମାଲିକ ଓ କେତ୍ରା ଧାଡ଼ି ବାନ୍ଧୁଛନ୍ତି।

ଜଟଣୀ: ରାଜଧାନୀ ପରିସୀମା ସହ ଉପକଣ୍ଠରେ ଜମିର ଚାହିଦା ବଢ଼ିବାରେ ଲାଗିଛି। ଏଣୁ ବିକାକିଣା ପାଇଁ ସବ୍‌ରେଜିଷ୍ଟ୍ରାର ଓ ତହସିଲ୍‌ରେ ଭିଡ଼ ଜମୁଛି। ପ୍ରତ୍ୟେକ ଦିନ ଏଠାରେ ଶହଶହ ଜମିମାଲିକ ଓ କେତ୍ରା ଧାଡ଼ି ବାନ୍ଧୁଛନ୍ତି। ତେବେ ଭୁବନେଶ୍ବରରେ ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ ପାଇଁ ଲାଞ୍ଚ କାରବାର ବେଳେ ଭୁବନେଶ୍ବରରେ ଜଣେ ମହିଳା ଅଧିକାରୀ ଧରାପଡ଼ିବା ପରେ ପଞ୍ଜୀକରଣ କଡ଼ାକଡ଼ି ହୋଇଛି। ପାର୍ଟ ପ୍ଲଟ୍‌ ପଞ୍ଜୀକରଣ କଥା ଶୁଣିଲେ ଅଧିକାରୀ ଚିହିଁକି ଉଠୁଛନ୍ତି। ଅନ୍ୟପଟେ କେବଳ ଭୁବନେଶ୍ବର ନୁହେଁ, ବରଂ ଜଟଣୀ ଭଳି ଉପକଣ୍ଠରେ ଥିବା ଅନ୍ୟ ସମସ୍ତ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏଭଳି ପାର୍ଟପ୍ଲଟ୍‌ ରେଜିଷ୍ଟ୍ରେସନ ହୋଇଥିବା ଅଭିଯୋଗ ହୋଇଛି। ସରକାର ଏ ବାବଦରେ ରିପୋର୍ଟ ତଲବ କରିବା ପରେ ଅଧିକାରୀ ଛାନିଆ ହୋଇପଡ଼ିଛନ୍ତି। କାର୍ଯ୍ୟାଳୟ ସମେତ ଅଧିକାରୀ ବି ସରକାରଙ୍କ ସ୍କାନର୍‌ରେ ରହିଛନ୍ତି। ଅନ୍ୟପଟେ ଜଟଣୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ରାଜସ୍ୱ ଆଦାୟରେ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛି।

ଅଧିକାରୀଙ୍କୁ ପାର୍ଟ ପ୍ଲଟ୍‌ ରେଜିଷ୍ଟ୍ରେସନ ଭୟ
ଭୁବନେଶ୍ବରରେ ଲାଞ୍ଚ ଅଭିଯୋଗ ପରେ କଡ଼ାକଡ଼ି

ବାର୍ଷିକ ୮ହଜାରରୁ ଅଧିକ କବଲା ପଞ୍ଜୀକୃତ ହେଉଥିବା ବେଳେ ବାର୍ଷିକ ୩୫ରୁ ୪୦କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଛି। ଜଟଣୀ ପର୍ଯ୍ୟନ୍ତ ଭୁବନେଶ୍ବର ଲମ୍ବିଯିବା ପରେ ଜଟଣୀକୁ ଲାଗି ରହିଥିବା ଜମିର ଚାହିଦା ବଢ଼ିଯାଇଛି। ସହର ଭିତରେ ଜମି ନଥିବାରୁ ବିଲ୍ଡର ଓ ଅନ୍ୟ ବଡ଼ବଡ଼ିଆମାନେ ଏହି ଜମି ଉପରେ ଆଖିପକାଇଛନ୍ତି। ରାଜଧାନୀକୁ ଲାଗିକି ରହିଥିବା ଅଞ୍ଚଳଟିର ଚାହିଦା ପୂର୍ବ ଅପେକ୍ଷା ଢେର୍ ଗୁଣ ବଢ଼ିଯାଇଛି। ଏଠାରେ ଆଇଆଇଟି, ନାଇଜର, ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ଭଳି ପ୍ରମୁଖ ଜାଗା ରହିଥିବାରୁ ପ୍ରତିଦିନ ଜମି କିଣାବିକା ଚାଲିଛି। ବଡ଼ ବଡ଼ ଶିକ୍ଷାନୁଷ୍ଠାନ, କମ୍ପାନି, ହୋଟେଲ ସହ ରହିବା ପାଇଁ ଘର ତିଆରି କରିବାକୁ ଲୋକେ ଜାଗା କିଣୁଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ୫୫୬ ରାଜସ୍ବ ଗ୍ରାମ ରହିଛି। ଭୁବନେଶ୍ବର, ଖଣ୍ଡଗିରି, ଖୋର୍ଦ୍ଧାକୁ ଛାଡ଼ିଦେଲେ କେବଳ ଜଟଣୀ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଅଧୀନରେ ବିଡିଏ ଅଞ୍ଚଳର ୧୨୧ଟି ମୌଜା ରହିଛି। ରାଜଧାନୀକୁ ଲାଗିକି ରହିଥିବା ଏହି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସହର ତଳି ଏବଂ ଜଟଣୀ ତହସିଲ୍ ଅଞ୍ଚଳରେ ଥିବା ଗ୍ରାମ ଓ ପୌରାଞ୍ଚଳର ଜମି କିଣାବିକା ହେଉଛି। ପ୍ରତିଦିନ ରାଜଧାନୀ ସହର ତଳି ଅଞ୍ଚଳରୁ ଶହ ଶହ କ୍ରେତା ଓ ବିକ୍ରେତା ଏବଂ ବିଲ୍ଡର୍ ଓ ଆପାର୍ଟମେଣ୍ଟ ମାଲିକ ଜମି କିଣାବିକା କରିବା ପାଇଁ ଏଠାରେ ଭିଡ଼ ଜମାଉଛନ୍ତି।

ଅନ୍ୟପଟେ ଦେଖିବାକୁ ଗଲେ ଏହି ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି। ଏଠାରେ ଇ-ଷ୍ଟାମ୍ପିଂ ଏବଂ ସମସ୍ତ ରେଜିଷ୍ଟ୍ରେସନ୍ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ କରାଯାଉଛି। କାର୍ଯ୍ୟାଳୟର ସମସ୍ତ କକ୍ଷକୁ ଶୀତତାପ ନିୟନ୍ତ୍ରିତ କରାଯାଇଥିବା ବେଳେ କ୍ରେତା, ବିକ୍ରେତା, ଚିହ୍ନଟ ଓ ସାକ୍ଷୀମାନଙ୍କ ଅପେକ୍ଷା ପାଇଁ ଶୀତତାପ ନିୟନ୍ତ୍ରିତ ବିଶ୍ରା‌ମଗୃହ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ଜଟଣୀ ତହସିଲ କାର୍ଯ୍ୟାଳୟ ୧୯୯୬ ମସିହାରେ ସ୍ଥାପିତ ହୋଇଥିଲା। ତହସିଲ୍ ଅଧୀନରେ ଥିବା ଜଟଣୀ ମୌଜା, କୁଦିଆରୀ, କୁଶମାଟି, ଗୋଡ଼ିପୁଟ ମାଟିଆପଡ଼ା, ପୋଡ଼ପଡା, ଗୋବିନ୍ଦପୁର, ଉପରବସ୍ତ, ବଡତୋଟା, ପଦନପୁର, ରାମଚନ୍ଦ୍ରପୁର, ବୋତଣ୍ଡା, ନିରଞ୍ଜନପୁର, ଗୋବିନ୍ଦପୁର, ରାମଚନ୍ଦ୍ରପୁର, ଗୋପୀନାଥପୁର, ଭୀମପୁର, ବେଲପଡ଼ା, କଂସପଦା, ହରିପୁର, ମଣିପୁର, ଯମୁନା, ବଡ଼ ନୁଆଗାଁ, ଯାଆଁଳା ମୌଜାରେ ଅନେକ ଜମି ବିକାକିଣା ହେଉଛି। ଏହି ଅଞ୍ଚଳର ଲୋକେ ପ୍ରତିଦିନ ନିଜ ଜମିର ପଟ୍ଟା, ଦଲିଲ୍, ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ପାଇଁ କାର୍ଯ୍ୟାଳୟରେ ଭିଡ଼ ଜମାଉଛନ୍ତି। ଏଠାରେ ପ୍ରତିଦିନ ୨୦ରୁ ଅଧିକ ଜମିମାଲିକ ପଟ୍ଟା ପାଇଁ ଆବେଦନ କରୁଛନ୍ତି। କାର୍ଯ୍ୟାଳୟରେ କ୍ରେତା ଓ ବିକ୍ରେତା ସମେତ ସାକ୍ଷୀମାନଙ୍କ ବସିବା ପାଇଁ ପ୍ରତୀକ୍ଷାଳୟ, ପଙ୍ଖା, ପାନୀୟ ଜଳ ଆଦିର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି।
ଜଟଣୀ ସବ୍‌ରେଜିଷ୍ଟ୍ରାର ବିଞ୍ଜେଶ ରଞ୍ଜନ ନାୟକ ଗତ ୧୦ମାସ ହେଲା ଦାୟିତ୍ବ ଭାର ଗ୍ରହଣ କରିଥିବା ବେଳେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ମଧ୍ୟ କିଛି ମାସ ହେବ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବେଆଇନ କାରବାରରେ ରୋକ୍‌ ସହ କ୍ରେତା ଯେଭଳି ଠକାମିର ଶିକାର ହେବ ନାହିଁ ସେ ଦିଗରେ ଉଦ୍ୟମ ହେଉଥିବା ସୂଚନା ମିଳିଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.