Breaking News

ଜଟଣୀ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଅବାଧ ନିଶା କାରବାର, ବଢ଼ୁଛି ଚୋରି

ଜଟଣୀ ଅଞ୍ଚଳରେ ଦେଶୀ ଓ ବିଦେଶୀ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଗାଁ ଠାରୁ ଆରମ୍ଭ କରି ସହରର ସବୁଆଡ଼େ ଚୋରା ମଦ ଅବାଧରେ ବିକ୍ରି ଚାଲିଛି। ଏହି ନିଶା କାରବାର ଯୋଗୁ ଦିନକୁ ଦିନ ଅପରାଧ ବଢ଼ୁଛି।

ଜଟଣୀ: ଜଟଣୀ  ଅଞ୍ଚଳରେ ଦେଶୀ ଓ ବିଦେଶୀ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଗାଁ ଠାରୁ ଆରମ୍ଭ କରି ସହରର ସବୁଆଡ଼େ ଚୋରା ମଦ ଅବାଧରେ ବିକ୍ରି ଚାଲିଛି। ଏହି ନିଶା କାରବାର ଯୋଗୁ ଦିନକୁ ଦିନ ଅପରାଧ ବଢ଼ୁଛି। ଚୋରି, ଛିନ୍‌ତାଇ, ଗଣ୍ଡଗୋଳ ଆଦି ନିତିଦିନିଆ ଘଟଣା ହୋଇଗଲାଣି। ଏହିସବୁ ଘଟଣାକୁ ନେଇ ପ୍ରତିଦିନ ଥାନାର ଦ୍ୱାରସ୍ଥ ହେଉଛନ୍ତି ସାଧାରଣ ଲୋକ। ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଜଟଣୀ ଥାନାରେ ୧୨୦ଟି ମାମଲା ପଞ୍ଜୀକୃତ ହେଲାଣି। ସେଥିରୁ ୭୫ରୁ ଉର୍ଦ୍ଧ୍ୱ ଏହି ସମ୍ବନ୍ଧୀୟ ମାମଲା ରହିଛି। ଇନ୍‌ଫୋଭ୍ୟାଲି ଥାନାରେ ୭୮ଟି ମାମଲାରୁ ୪୫ରୁ ଅଧିକ ଏଭଳି ମାମଲା ରହିଛି। ଅଧିକାଂଶ ମାମଲାରେ ନିଶାକୁ ନେଇ ଅପରାଧ ଘଟିଛି। ଅନ୍ୟପଟେ ନିଶା ଦ୍ରବ୍ୟର ଅବାଧ ବିକ୍ରି ରୋକିବାକୁ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ସେଭଳି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

ଜଟଣୀ ଓ ଇନଫୋଭ୍ୟାଲି ଥାନା ଅଂଚଳରେ ପ୍ରତିଦିନ ଚୋରି ଓ ଲୁଟ୍ ଘଟଣା ଘଟୁଛି। ପ୍ରାୟ ଘଟଣାରେ ଅଭିଯୁକ୍ତ ମାନେ ନିଶା ସେବନ ପାଇଁ ଚୋରି ଓ ଅପରାଧ କରୁଥିବା ଜଣାପଡ଼ିଛି। ଅବକାରୀ ଓ ପୁଲିସ ବିଭାଗ ଏହି ନିଶା ବେପାରୀଙ୍କୁ ଧରିବାରେ ବିଫଳ ହେଉଥିବା ବେଳେ ଥାନାରେ କେବଳ ଅବକାରୀ ମାମଲା ରୁଜ୍ଜୁ କରିବା ପାଇଁ ଛୋଟ ମୋଟ ବେପାରୀକୁ ଧରି ବାଃ ବାଃ ନେଉଛନ୍ତି। ହେଲେ ବଡ଼ ବ୍ୟବସାୟୀକୁ ଧରିବାକୁ ସାହସ ଜୁଟାଇ ପାରୁନି ପୁଲିସ। ଜଟଣୀ ଥାନା ଅଞ୍ଚଳର ବାଲିଛକ ମୁଣ୍ଡିଆସାହି, ଫକଡ଼ବସ୍ତି, ହାଟବଜାର, ଲୋକକଲୋନି, ମାଣିଆଛକ, ବାଚ୍ଛରା ହରିଜନବସ୍ତି, ରଥିପୁର, କନ୍ତିଆ, ନିରଞ୍ଜନପୁର, ରାଜାବଜାର, ବସ୍‌ଷ୍ଟାଣ୍ଡ ସମେତ ଆହୁରି ଅନେକ ସ୍ଥାନରେ ଦେଶୀ ବିଦେଶୀ ମଦ ସାଙ୍ଗକୁ ଅନ୍ୟ ନିଶା କାରବାର ଚାଲିଛି। ସେହିପରି ଇନ୍‌ଫୋଭ୍ୟାଲି ଥାନାର ଗଙ୍ଗପଡ଼ା, ଅରିସଲ୍, ଯାଆଁଳା, ତଳଖେତା, ମଦନପୁର ଆଦି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ସବୁଠୁ ବଡ଼ କଥା ହେଉଛି ନିଶା ସେବନରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଓ ବେକାରୀ ଯୁବକ ପଡୁଛନ୍ତି। ଆପରାଧିକ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ କଲେଜ ଛାତ୍ର ଥିବା ପରେ ଜଣାପଡ଼ୁଛି। ନିଶା ବ୍ୟବସାୟୀ ଥାନା ଅଞ୍ଚଳରେ ରହିଥିବା ଶିକ୍ଷାନୁଷ୍ଠାନ ପାଖରେ ନିରାପଦ ବେପାର କରୁଛନ୍ତି। ତେଣୁ ଏହି ଛାତ୍ରମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ଅନ୍ୟପଟେ ଉଭୟ ଥାନା ଅଞ୍ଚଳରେ ଗତ ତିନିମାସ ଭିତରେ ୮୦ରୁ ଉର୍ଦ୍ଧ୍ୱ ଲୁଟ୍ ପାଟ୍ ମାମଲା ଘଟିଥିବା ବେଳେ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି।

ସ୍ଥାନୀୟ ବାସିନ୍ଦା ବ୍ରହ୍ମାନନ୍ଦ ବେହେରା କହିଛନ୍ତି ଯେ, ଜଟଣୀ ଏବେ ନିଶା କାରବାରର ଚରାଭୁଇଁ ପାଲଟିଛି। ନିଶା ଖାଇବା ପରେ ଯୁବପିଢ଼ି ନିଜର ହିତାହିତ ଜ୍ଞାନ ଭୁଲି ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ଘଟାଉଛି। ଗୋଟେ ପଟେ ଏହି ଚୋରା ମଦ ବେପାରୀଙ୍କଠାରୁ ପୁଲିସ ମୋଟା ଅଙ୍କର ମାସିକିଆ ବଟି ନେଇ ଚୁପ୍ ବସୁଛି। ଅନ୍ୟପଟେ ବେପାରୀମାନେ ଅବାଧରେ ନିଜର ବ୍ୟବସାୟ ବଢ଼ାଇ ଚାଲିଛନ୍ତି। ତେଣୁ ପୁଲିସ ଓ ଅବକାରୀ ବିଭାଗର ଜାଣତରେ ଏ ସବୁ ଚାଲିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.