Breaking News

ଜନଜାତି ଗାଁରେ ଜୁଆଙ୍ଗ ମଣ୍ଡ ଘର: ବଦଳୁଛି ଆଦିବାସୀ ଗାଁ

ରାଜ୍ୟର ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରହିବା ଶୈଳୀ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ସଂସ୍କୃତି ପରମ୍ପରା ବିଷୟରେ ଜାଣିବାକୁ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯିବାକୁ ପଡ଼ୁନି। ଗୋଟିଏ ପଡ଼ିଆରେ ବିଭିନ୍ନ ଜନଜାତିର ପୋଷାକ, ଖାଦ୍ୟପେୟ, ପ୍ରଥା, ପରମ୍ପରା ସବୁର ନିଚ୍ଛକ ଚିତ୍ର ଦେଖିବାକୁ ମିଳୁଛି।

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରହିବା ଶୈଳୀ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ସଂସ୍କୃତି ପରମ୍ପରା ବିଷୟରେ ଜାଣିବାକୁ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯିବାକୁ ପଡ଼ୁନି। ଗୋଟିଏ ପଡ଼ିଆରେ ବିଭିନ୍ନ ଜନଜାତିର ପୋଷାକ, ଖାଦ୍ୟପେୟ, ପ୍ରଥା, ପରମ୍ପରା ସବୁର ନିଚ୍ଛକ ଚିତ୍ର ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ କିଛି ସମ୍ପ୍ରଦାୟର କ୍ରମାନୁସାରେ ହୋଇଥିବା ବିକାଶ ମଧ୍ୟ ଦେଖାଇଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳାର ପ୍ରମୁଖ ଆକର୍ଷଣ ପାଲଟିଛି ଜନଜାତି ଗ୍ରାମ। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ ଲାଭଦାୟକ ହୋଇଛି। ସେମାନେ ଜନଜାତିଙ୍କ ସହ କଥାବାର୍ତ୍ତା କରିବା ସହିତ ସେମାନଙ୍କ କୃଷି ପ୍ରଣାଳୀ, ପର୍ବ ପର୍ବାଣୀ ଆଦି ବିଷୟରେ ବୁଝୁଛନ୍ତି।

ବଦଳୁଛି ଆଦିବାସୀ ଗାଁ
ରାଜ୍ୟର ବିକାଶର ପ୍ରଭାବ ଆଦିବାସୀ ଗାଁ ଉପରେ ସମ୍ପୂର୍ଣ୍ଣ ନହେଲେ ବି ଆଶିଂକ ଭାବରେ ପଡ଼ିଛି। ଦିନେ ମାଟି ଓ କାଦୁଅରେ ପୂର୍ଣ୍ଣ ରହୁଥିବା ରାସ୍ତା ଧୀରେଧୀରେ ପିଚୁରେ ପରିବର୍ତ୍ତନ ହେଲାଣି। ସେହିଭଳି କୃଷିରେ ମଧ୍ୟ ନୂଆ ପଦ୍ଧତି ଉପଯୋଗ କରାଯାଉଛି। ଆଦିବାସୀ ଗାଁରେ ପଡ଼ିଥିବା ଅଧିକାଂଶ କୁଡ଼ିଆରେ ଉଭୟ ପୁରାତନ ଓ ନୂତନ ବିକାଶର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଥିଲା। କୋରାପୁଟର ବବଲୁ ମୁର୍ମୁଙ୍କ କହିବା ଅନୁଯାୟୀ ଆମେ ଆମ ଆଦିବାସୀ ପରମ୍ପରା ଓ ଜୀବନଶୈଳୀ ସହିତ ନୂତନତାର ଛାପ ମଧ୍ୟ ଦେଖାଇବାକୁ ଚେଷ୍ଟା କରିଛୁ।

ପର୍ବପର୍ବାଣୀରେ ଜମେ ଗଙ୍ଗୁ ନାଚ

ଗାୀଁରେ ଯାହା ପାଇଁ ବି ବିବାହ ପ୍ରସ୍ତାବ ଆସେ ପ୍ରଥମେ ମଣ୍ଡ ଘରେ ଆଲୋଚନା ହୁଏ। ଏଠି ଗାଁ ଲୋକଙ୍କ ନିଷ୍ପତ୍ତି ପରେ ଲୋକେ ବର କିମ୍ୱା କନିଆ ଘରକୁ ପ୍ରସ୍ତାବ ନେଇଯାଆନ୍ତି। କେନ୍ଦୁଝରର ଜୁଆଙ୍ଗ ପ୍ରଜାତିରେ ଗାଁ ମଝିରେ ଏହି ମଣ୍ଡ ଘର ରହିଥାଏ। ଏହା ଗାଁର କମ୍ୟୁନିଟି ହଲ୍ ଭଳି କାମ କରେ। ଲୋକମାନେ ଏଥିରେ ନିଜର ସଞ୍ଚିତ ଶସ୍ୟଠାରୁ ଆରମ୍ଭ କରି ଗୃହ ଉପକରଣ, ଅସ୍ତ୍ରଶସ୍ତ୍ର ଆଦି ରଖିଥାନ୍ତି। ଯେତେବଳେ ଅନ୍ୟ କେଉଁ ଗ୍ରାମବାସୀଙ୍କ କିଛି ଦରକାର ପଡ଼ିଲେ ସେ ଭଡ଼ା ସୂତ୍ରରେ ମଧ୍ୟ ଏହି ଜିନିଷ ନେଇଥାନ୍ତି। ଏପରିକି କାହା ଘରେ କୁଣିଆ ଅଧିକ ହୋଇଗଲେ ଏଠାରେ ବିଶ୍ରାମ କରନ୍ତି ବୋଲି ଜୁଆଙ୍ଗ ଆଦିବାସୀମାନେ କହିଛନ୍ତି। ଏହାବ୍ୟତୀତ ଅଧିବାସୀମାନେ ବିବାହ ଓ ପୂଜା ପର୍ବ ସମୟରେ ଏହା ଆଗରେ ଗଙ୍ଗୁ ନାଚ କରନ୍ତି। ଏହାର ଚାରିପଟେ ସୌନ୍ଦର୍ଯ୍ୟୀକରଣ ସହିତ ଖାଦ୍ୟ ପଦାର୍ଥ ପାଇଁ ବିଭିନ୍ନ ପରିବା ଓ ଫୁଲ ଗଛ ମଧ୍ୟ ଲଗାଯାଏ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.