ଜାତୀୟ

ଜନଧନ ଖାତାରେ ମିଳିବ ଲୋନ, ବଜେଟରେ ମହିଳାଙ୍କୁ ଫୋକସ୍

ନୂଆଦିଲ୍ଲୀ ୦୭।୦୧ : ଫେବ୍ରୁଆରି ପହିଲାରେ ଆସିବାକୁ ଯାଉଛି ସାଧାରଣ ବଜେଟ୍ ୨୦୨୬। ଏଥିରେ କେନ୍ଦ୍ର ସରକାର ମହିଳା କୈନ୍ଦ୍ରିକ ବିଭିନ୍ନ ଆର୍ôଥକ ଯୋଜନା ଉପରେ ଫୋକସ କରିପାରନ୍ତି। ଜନଧନ ଆକାଉଣ୍ଟରେ ମହିଳାଙ୍କୁ ଋଣ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ବୀମା ସୁବିଧା ଉପରେ ସରକାରଙ୍କ ଧ୍ୟାନ ରହିପାରେ। ସମାବେଶୀ ଆର୍ଥିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ ଅଧିନରେ ଏସବୁ ପଦକ୍ଷେପ ଆସିବାର ଢ଼େର ସମ୍ଭାବନା ରହିଛି।

ସେହିଭଳି ସରକାର ଜନ ସୁରକ୍ଷା ସ୍କିମ ପରିସରକୁ ବୃଦ୍ଧି କରିବା ଏବଂ ବୀମା ନେଇଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବୀମା କଭର ବୃଦ୍ଧି କରିବା ଉପରେ ମଧ୍ୟ ବିକଳ୍ପ ପ୍ରଦାନ ନେଇ ବିଚାର କରାଯିବ। ଏନେଇ ଅଂଶୀଦାରଙ୍କ ମତାମତ ସଂଗ୍ରହ କରିବେ ସରକାର। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ଏ କ୍ଷେତ୍ରରେ ମହିଳାଙ୍କ ଲାଗି ସରକାର ସ୍ୱତନ୍ତ୍ର କ୍ରେଡିଟ କାର୍ଡ, ଋଣ ଅଫରିଂ ଏବଂ ବୀମା ଉତ୍ପାଦ ଆଣିବେ। ବଜେଟରେ ଏସବୁ ପଦକ୍ଷେପ ଘୋଷଣା ହେବ। ପୂର୍ବରୁ ସରକାର ଗ୍ରାମୀଣ କ୍ରେଡିଟ ସ୍କୋର ଏବଂ ପ୍ରଥମ ପିଢ଼ୀ ଉଦ୍ୟୋଗୀଙ୍କ ଲାଗି ଋଣ ସହାୟତା ଘୋଷଣା କରିଥିଲେ । ବର୍ତ୍ତମାନ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କ ଋଣ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଉଛି । ସାମାଜିକ ସୁରକ୍ଷା ଆଧାରିତ ବିତ୍ତୀୟ ଉତ୍ପାଦ ଗୁଡ଼ିକର ଦୃଢ଼ୀକରଣ ଉପରେ ପ୍ରସ୍ତାବ ଗୁଡ଼ିକ ଅଣାଯାଉଛି । ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ମଧ୍ୟ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ତର୍ଜମା କରୁଛି । ଅଚଳ ଆକାଉଣ୍ଟ ଗୁଡ଼ିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଉପରେ ଫୋକସ ରହିଛି । ଏସବୁ ଆକାଉଣ୍ଟ ଗୁଡ଼ିକ ଜାରି ରହିଲେ ଋଣ ଏବଂ ବୀମା ସୁବିଧା ପ୍ରଦାନରେ ସହାୟକ ହେବ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଦେଶକୁ ଡିଜିଟାଲ ଅର୍ଥନୀତି କରିବାକୁ ସମାବେଶୀ ଋଣ ଯୋଗାଣ ଏବଂ ଜନଧନ ଆକାଉଣ୍ଟ ଗୁଡ଼ିକରେ ଆର୍ôଥକ ସଚେତନତା ବୃଦ୍ଧି ହେବା ଆବଶ୍ୟକ ।୨୦୪୭ ବିକଶିତ ଭାରତ ଲକ୍ଷ୍ୟ ଆଧାରରେ ଜନଧନ ଯୋଜନାର ଦୀର୍ଘମିଆଦୀ ଯୋଗଦାନକୁ ନଜରରେ ରଖି ନୀତି ଆୟୋଗ ଏହାର ତଜର୍ମା କରୁଛି । ସେହିଭଳି ବଜେଟରେ ଅଣିଦାବୀଦାର ଜମା ଗୁଡ଼ିକୁ ଲୋକଙ୍କୁ ଫେରାଇବା, ବୀମା ଦାବି ସମାଧାନ ଏବଂ ନିୟାମକ ଧାରାକୁ ଦୃଢ଼ କରିବା ଭଳି ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ଉପରେ ମଧ୍ୟ ସରକାରଙ୍କ ନଜର ରହିବ ବୋଲି ଆଶା କରାଯାଉଛି ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button